ଦେଶଦ୍ରୋହ ଆଇନର ଦୁରୁପଯୋଗ

ଗତ କିଛି ବର୍ଷ ମଧ୍ୟରେ  ଭାରତରେ ଦେଶଦ୍ରୋହ ଆଇନର  ଅଧିକ ପ୍ରୟୋଗ  ଗଣତନ୍ତ୍ର ପ୍ରତି ଚିନ୍ତା ସୃଷ୍ଟି କରିଛି। ଅଭିଯୋଗ ହେଉଛି ଯେ,ବ୍ରିଟିଶ ବେଳର ଏହି ଆଇନକୁ ନାଗରିକମାନଙ୍କର ବାକ୍‌ ସ୍ବାଧୀନତାକୁ ସଙ୍କୁଚିତ କରିବା ପାଇଁ ବ୍ୟବହାର କରାଯାଉଛି, ଯଦିଓ ମତ ପ୍ରକାଶ କରିବାର ଏହି ଅଧିକାର ସମ୍ବିଧାନ ପ୍ରଦତ୍ତ। ଏକ ଟୁଲ କିଟକୁ ନେଇ ପରିବେଶ କର୍ମୀ ଦିଶା ରବିଙ୍କ ଗିରଫଦାରୀ ଉପରୋକ୍ତ ପ୍ରସଙ୍ଗକୁ  ବିତର୍କକୁ ଆଣିଛି। ଚାଷୀ ଆନ୍ଦୋଳନକୁ ସମର୍ଥନ ଦେଇ ତାଙ୍କୁ ଗିରଫ କରାଯିବା ଅନେକଙ୍କୁ ବିସ୍ମିତ କରିଛି। ଯଦିଓ ୨୨ବର୍ଷୀୟା ଉପରୋକ୍ତ ମହିଳାଙ୍କ ବିରୋଧରେ ଲଗାଯାଇଥିବା ଦେଶଦ୍ରୋହ ଅଭିଯୋଗ ଯେଉଁ ତଥ୍ୟ ଉପରେ ଆଧାରିତ ସେଥିରେ ହିଂସାକାଣ୍ଡ ବା ହିଂସାତ୍ମକ ଆଚରଣକୁ ଉସୁକାଇବାର କୌଣସି ଉଲ୍ଲେଖ ନାହିଁ ତଥାପି ତାଙ୍କ ବିରୋଧରେ ନିଆଯାଇଥିବା ପଦକ୍ଷେପ ଆକ୍ରୋଶମୂଳକ ବୋଲି ଆଶଙ୍କା ହେଉଛି।

ଟୁଲକିଟ୍‌ ପଛରେ  ଖଲିସ୍ତାନୀ ଗୋଷ୍ଠୀଙ୍କ ସମର୍ଥନ ଅଛି କି ନା ତାହା ଦିଶା ଜାଣିଥିବାର କୌଣସି ପ୍ରମାଣନାହିଁ। ଦିଶାଙ୍କ ଗିରଫଦାରୀ ବାଦାନୁବାଦ ମଧ୍ୟରେ ଦିଲ୍ଲୀର ଏକ କୋର୍ଟ ଚାଷୀ ଆନ୍ଦୋଳନ ଉପରେ  ଫେସବୁକରେ ଜାଲ ଭିଡିଓ ଛାଡିଥିବା ଆରୋପରେ ଅଭିଯୁକ୍ତ ଜଣେ ବ୍ୟକ୍ତିଙ୍କ ଜାମିନ ମଞ୍ଜୁର କରିଛନ୍ତି। କୋର୍ଟ କହିଛନ୍ତି ଯେ,ଗଣ୍ଡଗୋଳକାରୀଙ୍କୁ ଜବତ କରିବା ଆଳରେ ଅଶାନ୍ତିକୁ ଚୁପ କରିବା ପାଇଁ ଦେଶଦ୍ରୋହ ଆଇନର  ବ୍ୟବହାର କରାଯାଇ ପାରିବନାହିଁ। ବିଶେଷ ଭାବରେ ଯଦି ଜୁଲମ ବା ବିଶୃଙ୍ଖଳା ସୃଷ୍ଟି ଲାଗି ଅଥବା ହିଂସାକାଣ୍ଡକୁ ଉସୁକା ଯିବାର କୌଣସି ପ୍ରମାଣ ନଥିବ ତେବେ ଦେଶଦ୍ରୋହ ଆରୋପ ଅଣାଯାଇ ପାରିବନାହିଁ। ଏଥିରୁ ଜଣାପଡୁଛି ଯେ, ଦେଶଦ୍ରୋହ ଆଇନର ଅପବ୍ୟବହାର ହେଉଛି ବୋଲି ନ୍ୟାୟପାଳିକା ସ୍ତରରେ ମଧ୍ୟ ଅନୁଭବ କରାଯାଉଛି।

ଭାରତୀୟ  ଦଣ୍ଡବିଧି ସଂହିତା (ଆଇପିସି)ର ୧୨୪-ଏ (ଦେଶଦ୍ରୋହ) ଧାରା ସରକାରଙ୍କ ପାଖରେ ଏକ ଶକ୍ତିଶାଳୀ ଅସ୍ତ୍ର। ଯେକୌଣସି ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ଉଦ୍ଦେଶ୍ୟରେ  ସରକାର ଏହାକୁ ବ୍ୟବହାର କରିପାରିବେ । କିନ୍ତୁ  ଭାରତ ପରି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ତା’ର ମନଇଚ୍ଛା ବ୍ୟବହାର କ୍ଷତିକାରକ ପ୍ରଭାବ ସୃଷ୍ଟି କରିବାର ସମସ୍ତ ଆଶଙ୍କା ରହିଛି। ଦେଶରେ ଦେଶଦ୍ରୋହ ମାମଲା ସଂଖ୍ୟା  ୨୦୧୬ରେ ୩୫ ଥିବା ବେଳେ ୨୦୧୯ରେ ତାହା ୯୩କୁ ବୃଦ୍ଧି ପାଇଛି। କିନ୍ତୁ ଏସବୁ କେସ କୋର୍ଟରେ ପ୍ରାୟତଃ ପ୍ରମାଣିତ ହୋଇପାରୁନାହିଁ। ଏପରି ମାମଲାଗୁଡିକରେ ୨୦୧୬ରେ ଦୋଷୀ ସାବ୍ୟସ୍ତ ହାର ୩୩ ପ୍ରତିଶତ ଥିବା ବେଳେ ୨୦୧୯ରେ ତାହା ୩ପ୍ରତିଶତକୁ କମିଛି।

ଏଥିରୁ ଜଣାପଡୁଛି ଯେଉଁମାନଙ୍କ ବିରୋଧରେ ଦେଶଦ୍ରୋହ ଦଫା ଲଗାଯାଉଛି ସେମାନେ ହୁଏତ ଅଯୌକ୍ତିକ ଆକ୍ରୋଶର ଶିକାର ହୋଇଛନ୍ତି ଏବଂ ସେମାନଙ୍କ ବିପକ୍ଷରେ ପ୍ରମାଣ ନାହିଁ। ନଚେତ ଏପରି ସାଂଘାତିକ ମାମଲାରେ  ଖୁବ କମ ଲୋକ ଦୋଷୀ ସାବ୍ୟସ୍ତ ହୋଇ ବେଶୀ ଲୋକ ଖଲାସ  ହେଉନଥାନ୍ତେ। ସୁପ୍ରିମକୋର୍ଟ କେଦାରନାଥ ସିଂ ବନାମ ବିହାର (୧୯୬୨) ମାମଲାରେ ସ୍ପଷ୍ଟ କରିଦେଇଥିଲେ ଯେ, ସରକାରୀ କାର୍ଯ୍ୟରେ ଉନ୍ନତି ପାଇଁ ଅଥବା ଆଇନଗତ ପନ୍ଥାରେ ପରିବର୍ତ୍ତନ ଲାଗି ଯଦି କଡା ଭାଷାରେ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରାଗଲା ତାକୁ ଦେଶଦ୍ରୋହ କୁହାଯିବନାହିଁ। ସର୍ବୋଚ୍ଚ ନ୍ୟାୟାଳୟଙ୍କର ଉପରୋକ୍ତ ରାୟ ପରେ ବହୁ ଦଶନ୍ଧି ଅତିକ୍ରାନ୍ତ ହେଲାଣି। ଏହା ମଧ୍ୟରେ ଭାରତୀୟ ଗଣତନ୍ତ୍ର ଅଧିକ ବୟସ୍କ ହୋଇଛି।

ଏହି  ସମୟ ଭିତରେ ଦେଶରେ ତଥା ବିଶ୍ବସ୍ତରରେ  ଗଣତନ୍ତ୍ରର ସଂଜ୍ଞା  ଆହୁରି ସୁଦୃଢ ହୋଇଛି। କେତେକ ରାଷ୍ଟ୍ରରେ ବ୍ୟତିକ୍ରମ ଥିଲେ ସୁଦ୍ଧା ବ୍ୟକ୍ତି  ସ୍ବାଧୀନତାଠାରୁ ଆରମ୍ଭ କରି ଜନଅଧିକାର ଗୁଡ଼ିକ ସପକ୍ଷରେ ଯୁକ୍ତି ସୁଦୃଢ ହୋଇଛି। ପୃଥିବୀର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଭାରତ ବ୍ୟକ୍ତି ସ୍ବାଧୀନତାର  ଧ୍ବଜାଧାରୀ ହୋଇ ବିଶ୍ବକୁ ଅନୁପ୍ରାଣିତ କରିବା ଉଚିତ। ତାହା ନହେବା ଦୁଃଖଦାୟକ। ସର୍ବୋଚ୍ଚ ନ୍ୟାୟାଳୟଙ୍କର ଉପରୋକ୍ତ ରାୟରେ ସ୍ପଷ୍ଟ କରିଦିଆ ଯାଇଥିଲା ଯେ,  ଆଇନକୁ କାର୍ଯ୍ୟକାରୀ କରୁଥିବା କର୍ମକର୍ତ୍ତାମାନଙ୍କର ଦେଶଦ୍ରୋହ ଆରୋପ ଆଣିବା କ୍ଷେତ୍ରରେ ଦାୟିତ୍ବ ବେଶୀ।

ଲୋକେ ହିଂସାକାଣ୍ଡକୁ ଉସୁକାଉଛନ୍ତି ଓ ସାଧାରଣ ଶୃଙ୍ଖଳାକୁ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ ପଛରେ କର୍ତ୍ତୃପକ୍ଷ ବିବାଦହୀନ ପ୍ରମାଣ ଆଣିବାକୁ ପଡ଼ିବ ବୋଲି ଏଥିରେ କୁହାଯାଇଥିଲା। କିନ୍ତୁ  କୋର୍ଟଙ୍କ ରାୟ ଅପେକ୍ଷା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯେଉଁମାନେ କ୍ଷମତାକୁ ଆସିଛନ୍ତି ସେମାନେ ବାକ ସ୍ବାଧୀନତାକୁ ଅଧିକ ସମ୍ମାନ ଦେବା କଥା। ବିନା ସମାଲୋଚନାରେ  ଆଧୁନିକ ଗଣତାନ୍ତ୍ରିକ ରାଷ୍ଟ୍ର ଆଗେଇ ପାରିବନାହିଁ। କୃଷି ସଂସ୍କାର ପରି ଆଇନ ହେଉ ବା ସରକାରଙ୍କର ଯେକୌଣସି ପଦକ୍ଷେପ ତା’ର ସମାଲୋଚନାରେ କିଛି ଭୁଲନାହିଁ। ତଦ୍ଦ୍ବାରା ଗଣତାନ୍ତ୍ରିକ ସଂସ୍ଥା ବଞ୍ଚି ରହିବ। ପରସ୍ପର ବିରୋଧୀ ମତ ନରହିଲେ  ସର୍ବୋତ୍କୃଷ୍ଟ ବ୍ୟବସ୍ଥା ଗଢିହେବନାହିଁ। ବ୍ରିଟିଶ ସମୟର ଦେଶଦ୍ରୋହ ଆଇନ ସାଢେ ସାତ ଦଶନ୍ଧି ପୂରଣ କରିବାକୁ ଯାଉଥିବା ସ୍ବାଧୀନ ଭାରତ ରଖିବା ଉଚିତ କି ନା ତାକୁ ବିଚାର କରାଯିବା ଆବଶ୍ୟକ। ଏହାକୁ ଯେ,ହାଲକା ଅଭିଯୋଗ ଉପରେ ପ୍ରୟୋଗ କରାଯାଉଛି ତାହା ଆଇନକୁ ମଧ୍ୟ ଦୁର୍ବଳ କରିଦେବ। ଦେଶଦ୍ରୋହ ଆଇନ ଯଦି କର୍ତ୍ତୃପକ୍ଷ ରଖିବାକୁ ଚାହୁଁଛନ୍ତି ତେବେ ତା’ର  ପ୍ରୟୋଗ ନକରି ଅନ୍ୟ ଆଇନ ଜରିଆରେ ବିଶୃଙ୍ଖଳାକୁ ନିୟନ୍ତ୍ରଣ କରିପାରିବେ । ଆଇନ ଶୃଙ୍ଖଳା ରକ୍ଷା ନାମରେ  ଏପରି  କଠୋର ଆଇନର ପ୍ରୟୋଗ ଆନ୍ତର୍ଜାତିକ ସ୍ତରରେ ଭାରତୀୟ ଗଣତନ୍ତ୍ର ସମ୍ପର୍କରେ ଭୁଲ ଧାରଣା ସୃଷ୍ଟି କରିବ।

 

Leave A Reply

Your email address will not be published.

ବ୍ରେକିଂ