ମାନଚିତ୍ର ସଂସ୍କାର

କେନ୍ଦ୍ର ସରକାରଙ୍କ ସଦ୍ୟ ଘୋଷଣା ଅନୁସାରେ କୋହଳ ହୋଇଥିବା ଦେଶର ଭୂସ୍ଥାନିକ ତଥ୍ୟ ନୀତି ଜାତୀୟ ଜୀବନ ଓ ସକ୍ରିୟତାର ଅନେକ କ୍ଷେତ୍ର ଉପରେ ସକରାତ୍ମକ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ନୂଆ ବ୍ୟବସ୍ଥା ଦ୍ବାରା ଭୂସ୍ଥାନିକ ତଥ୍ୟର ଅର୍ଜନ ଓ ପ୍ରଯୋଜନା ଆଉ ପରିସୀମା ଓ ବହିଃସ୍କରଣର ବାଧ୍ୟବାଧକତା ମଧ୍ୟରେ ରହିବନାହିଁ। ଏଣିକି ମାନଚିତ୍ର ଗୁଡ଼ିକ ଖୋଲା ବହି ହେବ  ଯାହାକୁ  ଆବଶ୍ୟକତା ସାଙ୍ଗରେ ଖାପ ଖୁଆଇ ସୃଷ୍ଟି କରାଯାଇପାରିବ ତଥା ବାଣ୍ଟିହେବ। ଏଯାଏଁ ସରକାର ତଥା ତାଙ୍କର ବିଭାଗ ଗୁଡ଼ିକ ଏହି କ୍ଷେତ୍ର ଉପରେ କର୍ତ୍ତୃତ୍ବ ରଖୁଥିଲେ ।

ସର୍ଭେ, ମ୍ୟାପିଂଙ୍ଗ ବା ମାନଚିତ୍ରଣ  ଓ ସେସବୁର ପ୍ରୟୋଗକୁ କଡା ନିୟମ ଦ୍ବାରା ନିୟନ୍ତ୍ରଣ କରାଯାଉଥିଲା। ନୂଆ ବ୍ୟବସ୍ଥା କେବଳ ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ଛାଡି ଦେଲେ ଅନ୍ୟ ସବୁକ୍ଷେତ୍ରରେ କଟକଣାକୁ ଉଠାଇ ଦେଇଛି। ଏଣିକି ଘରୋଇ ଉଦ୍ୟୋଗ ମାନଚିତ୍ର ତଥ୍ୟ ସଂଗ୍ରହ କରିପାରିବ। ଘରୋଇ ସଂସ୍ଥାଗୁଡିକ ଖୋଲା ବଜାରରେ ମାନଚିତ୍ର ସେବା ଯୋଗାଇପାରିବେ। ଭାରତୀୟ କମ୍ପାନୀଗୁଡ଼ିକ ଗଳି ଦୃଶ୍ୟ ସର୍ଭେ ଓ ଲୌକିକ ଭ୍ରାମ୍ୟମାଣ ମାନଚିତ୍ରଣ କରିପାରିବେ। ସେମାନେ  ଦେଶର ଜଳ ସୀମାରେ ମଧ୍ୟ ସର୍ଭେ କରିପାରିବେ। ମାନଚିତ୍ର ସବୁ ଭିତ୍ତିଭୂମି ପ୍ରକଳ୍ପ, ରୋଗ ସଂକ୍ରମଣ ଓ ଟ୍ରାଫିକ ଚଳାଚଳ ଉପରେ ପ୍ରସ୍ତୁତ କରାଯାଇପାରିବ। ସେସବୁର ବିଭିନ୍ନ ପ୍ରକାର ପ୍ରୟୋଗ ରହିଛି। ସମୟାନୁକ୍ରମେ ସେଗୁଡିକୁ ଅପଡେଟ ବା ଅଦ୍ୟତନ କରିବାକୁ ପଡ଼ିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପରିବର୍ତ୍ତନକୁ ଯୁଗାନ୍ତକାରୀ ସଂସ୍କାର ବୋଲି ଆଖ୍ୟା ଦେଇ ଆତ୍ମନିର୍ଭର ଭାରତ ଦିଗରେ  ଏହାକୁ ବଡ ପଦକ୍ଷେପ ବୋଲି କହିଛନ୍ତି । ସେ ମଧ୍ୟ କହିଛନ୍ତି ଯେ, ତଥ୍ୟର ଗଣତାନ୍ତ୍ରିକକରଣ ଦ୍ବାରା ବିଭିନ୍ନ କ୍ଷେତ୍ରରେ ନୂତନ ବୈଷୟିକ କୌଶଳ ଓ ମଞ୍ଚର ଉଦ୍‌ଭବ ସମ୍ଭବ ହେବ। ସରକାରଙ୍କ ଉପରୋକ୍ତ ପଦକ୍ଷେପ ମଧ୍ୟ ଦେଶର ଅର୍ଥନୀତିରେ ଉଚ୍ଚ ସ୍ତରର ମୂଲ୍ୟ ସୃଷ୍ଟି ଆଣିଦେବ । ତଦ୍ଦ୍ବାରା  ଅର୍ଥନୀତିର ପ୍ରାୟ ୭୦ ପ୍ରତିଶତକୁ  ଫାଇଦା ମିଳିବ। କୁହାଯାଉଛି ଯେ, ଘରୋଇ ଉଦ୍ୟୋଗପତିମାନେ ଏଥିରେ  ପ୍ରବେଶ କଲେ  ଏହା ୨୦୩୦ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କାର ଉଦ୍ୟୋଗରେ ପରିଣତ ହେବ ଯେଉଁଥିରେ ପ୍ରାୟ ୨.୨ ନିୟୁତ ଚାକିରି ସୃଷ୍ଟି ହେବ। କ୍ଷେତ୍ର ଭିତ୍ତିକ ସର୍ଭେ  ଓ ଉପଗ୍ରହ ଚିତ୍ର ଉତ୍ତୋଳନ ତଥା ଡ୍ରୋନ  ବ୍ୟବହାର  ଦ୍ବାରା ସବିଶେଷ ତଥ୍ୟ ସଂଗ୍ରହ କରାଯାଇପାରିବ ବୋଲି  ଆଶା କରାଯାଉଛି। ସ୍ବାଭାବିକ ଭାବେ ଏହି ପ୍ରକ୍ରିୟାରେ ଅଧିକ ଲୋକ ନିଯୁକ୍ତି ପାଇବେ। ଯେହେତୁ ନୂଆ ବ୍ୟବସ୍ଥା ନିର୍ଭୁଲ ତଥା ସମ୍ପ୍ରସାରିତ ବୈଷୟିକ କାର୍ଯ୍ୟକ୍ରମ ହେବ ସେ କାରଣରୁ  କୁଶଳୀ କର୍ମଜୀବୀଙ୍କର ଆବଶ୍ୟକତା ପଡିପାରେ । ସେଥିପାଇଁ ତାଲିମ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ କରିବାକୁ ହେବ। ଏସମ୍ପର୍କିତ ତାଲିମ ଓ ଶିକ୍ଷାଦାନ ବି ଏକ ଅର୍ଥନୈତିକ କାର୍ଯ୍ୟକ୍ରମ ହୋଇପାରିବ। ଦେଶରେ ଦକ୍ଷତା ବୃଦ୍ଧି ଲାଗି ଗୁରୁତ୍ବ ଦିଆଯାଉଛି।

ନୂଆ ଉଦ୍ୟୋଗ ତଥା ପ୍ରଚଳିତ କାର୍ଯ୍ୟକ୍ରମର ଆଧୁନିକୀକରଣ ପାଇଁ ଯେଉଁ କୁଶଳୀ ଶ୍ରମଶକ୍ତି ଦରକାର ସେଥିଲାଗି ଚାହିଦା ଅନୁସାରେ ତାଲିମ ବ୍ୟବସ୍ଥାକୁ ବଦଳା ଯାଉଛି। ଆଶା,ଉପରୋକ୍ତ ମାନଚିତ୍ରଣ ପ୍ରକ୍ରିୟାର ଆବଶ୍ୟକତାକୁ ଦେଖି ବୈଷୟିକ ତାଲିମ ପାଇଁ ସରକାର ଓ ଘରୋଇ ଉଦ୍ୟୋଗ ପଦକ୍ଷେପ ନେବେ। ଦେଶରେ ପାରମ୍ପରିକ ବୈଷୟିକ ଶିକ୍ଷାରେ ଏବେ ଡିଗ୍ରୀ ଓ ଡିପ୍ଲୋମାଧାରୀ ତଥା ତଳସ୍ତରର ବୈଷୟିକ ଶିକ୍ଷାପ୍ରାପ୍ତ ଯୁବକଯୁବତୀମାନଙ୍କ ମଧ୍ୟରୁ ଅନେକ ଚାକିରି ପାଉନାହାନ୍ତି। ଅଭିଯୋଗ ହେଉଛି ଯେ,ବୈଷୟିକ ଶିକ୍ଷା ଏବଂ ତାଲିମ ବ୍ୟବସ୍ଥା ଉପଯୁକ୍ତ  ହେଉନଥିବାରୁ ଅନେକ ଯୁବକଯୁବତୀ ଚାକିରି ଲାଗି ଅଯୋଗ୍ୟ ବିବେଚିତ ହେଉଛନ୍ତି। ଏହି ଦୁର୍ବଳତାକୁ ଦୂର କରିବା ସାଙ୍ଗକୁ  ଯେଉଁ ପାଠ୍ୟକ୍ରମରେ ଚାକିରି ନାହିଁ ତାକୁ ଗୁରୁତ୍ବ ନଦେଇ ନୂଆ ଆବଶ୍ୟକତା ଅନୁସାରେ ତାଲିମ ଓ ଶିକ୍ଷା ପାଠ୍ୟକ୍ରମ ପ୍ରବର୍ତ୍ତନ କରାଯିବା ଲୋଡା। ପ୍ରସ୍ତାବିତ ମାନଚିତ୍ରଣ କାର୍ଯ୍ୟକ୍ରମକୁ ସେ ଦିଗରୁ ନୂଆ ତାଲିମ ପାଇଁ ବ୍ୟବହାର କରାଯାଇପାରେ।

ଭାରତୀୟ କମ୍ପାନୀଗୁଡ଼ିକୁ ଉପରୋକ୍ତ ମ୍ୟାପିଙ୍ଗ କାର୍ଯ୍ୟକ୍ରମରେ ସୁଯୋଗ ଦିଆଯାଇ ସେମାନଙ୍କୁ ଉଚ୍ଚ ରିଜୋଲ୍ୟୁସନର ଉପଗ୍ରହ ଇମେଜ ହାସଲ କରି ସଂରକ୍ଷିତ ରଖିବାକୁ ଅନୁମତି ଦିଆଯିବ। ସେମାନେ  ‘ଇସ୍ରୋ’ ପରି ସରକାରୀ ସଂସ୍ଥାରୁ ତଥ୍ୟ କିଣିପାରିବେ। ନୂଆ କମ୍ପାନୀଗୁଡ଼ିକ ବିଶେଷ ଭାବେ ଷ୍ଟାଟଅପ ସବୁ ଏହି ଉଦ୍ୟୋଗରେ ବେପାର କରିପାରିବେ। ସେମାନେ ଏଥିରେ ଆଗେଇବାର ପରିସର ରହିଛି। ତଦ୍ଦ୍ବାରା ଅନେକ କ୍ଷେତ୍ରରେ ଅଭିନବତ୍ବର ପ୍ରସାର ଘଟିବ। ବିଶ୍ବସ୍ତରରେ କାରିଗରୀ କୌଶଳର ବିକାଶ  ଓ ତଥ୍ୟ ମିଳିବା ସରକାରଙ୍କର ପୂର୍ବ କଟକଣାକୁ ଅପ୍ରାସଙ୍ଗିକ କରିଦେଇଥିଲା। ଭିତ୍ତିଭୂମିର ବିକାଶ ଏବଂ ସାମାଜିକ ଓ ଅର୍ଥନୈତିକ ଉଦ୍ୟୋଗର ଅଭିବୃଦ୍ଧି ପାଇଁ ବିସ୍ତୃତ ତଥା  ସଠିକ ତଥ୍ୟ ଆବଶ୍ୟକ। ସରକାର ଏକାକୀ ଦରକାର ପଡୁଥିବା ସବୁ ତଥ୍ୟ  ସଂଗ୍ରହ କରି ଯୋଗାଇବା ସମ୍ଭବ ନୁହେଁ । ଘରୋଇ ଉଦ୍ୟୋଗକୁ ସୁଯୋଗ ମିଳିଲେ  ସେମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ରହିବ । ତଦ୍ଦ୍ବାରା ପ୍ରକ୍ରିୟା ଦ୍ରୁତତର ହେବ ଏବଂ ସଠିକ ତଥ୍ୟ ମିଳିବା ସହଜ ହେବ। ଏବେ ନୂଆ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେବାକୁ ଯାଉଥିବା ବେଳେ ପୁଙ୍ଖାନୁପୁଙ୍ଖ ବିବରଣୀ ଥିବା ସ୍ଥାନୀୟ ମାନଚିତ୍ର ମିଳିବା ସହଜ ହେବ ବୋଲି ଆଶା କରାଯାଇପାରେ। ଏହି କ୍ଷେତ୍ରରେ  ଥିବା ଏକ ଭାରତୀୟ କମ୍ପାନୀ ନୂଆ ମାନଚିତ୍ର ସୃଷ୍ଟି ପାଇଁ ଇସ୍ରୋ ସହ ବୁଝାମଣା ଘୋଷଣା କରିଛି। ଆଗାମୀ ବର୍ଷଗୁଡ଼ିକରେ ଏହି ଉଦ୍ୟୋଗ ଯଥେଷ୍ଟ ପୁଞ୍ଜି ଆକୃଷ୍ଟ କରିବା ସହ ରପ୍ତାନୀର ସୁଯୋଗ ବଢାଇବ ବୋଲି ଆଶା କରାଯାଏ।

 

Leave A Reply

Your email address will not be published.

ବ୍ରେକିଂ