ତୈଳଦର ବୃଦ୍ଧିର ମୁଦ୍ରାସ୍ଫୀତି ପ୍ରଭାବ
ପେଟ୍ରୋଲ ଦର ଲିଟର ପ୍ରତି ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ୧୦୦ ଟଙ୍କାରେ ପହଞ୍ଚି ଥିବାରୁ ତାହା ଗୁରୁତ୍ବପୂର୍ଣ୍ଣ ମନୋବୈଜ୍ଞାନିକ ବାଧା ଅତିକ୍ରମ କରିଛି ବୋଲି ପ୍ରକାଶ ପାଇଛି। ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢି ଚାଲିଥିବାରୁ ସ୍ବାଭାବିକ ଭାବେ ଅସନ୍ତୋଷ ସୃଷ୍ଟି ହୋଇଛି। ବିଶ୍ବସ୍ତରରେ କରୋନା ଜନିତ ସ୍ଥାଣୁତା ପରେ ଅର୍ଥନୀତି ମୁଣ୍ଡ ଟେକିବା ବେଳକୁ ଅଶୋଧିତ ତୈଳଦର ବୃଦ୍ଧି ପାଇଛି। ଏହି କାରଣରୁ ଭାରତରେ ଗତ କେଇ ସପ୍ତାହ ଧରି ତୈଳ ଦର ବଢୁଛି।
ଖାଉଟିଙ୍କ ପାଇଁ ପ୍ରକୃତରେ ଚଢା ଦରର କାରଣ ହେଲା କେନ୍ଦ୍ର ଓ ରାଜ୍ୟଗୁଡିକ ପେଟ୍ରୋଲିୟମ ସାମଗ୍ରୀରୁ ଟିକସ ଓ ସେସ ଆକାରରେ ବେଶ ଅର୍ଥ ଉଠାଉଛନ୍ତି। କେହି ଏଥିରୁ ନିଜର ରାଜସ୍ବ ସଂଗ୍ରହ କମାଇବାକୁ ଚାହୁଁନାହାନ୍ତି। ତୈଳ ଦର ବୃଦ୍ଧି ପରିପ୍ରେକ୍ଷୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ଏହା ଉପରେ ମିଳିତ ଭାବେ ପଦକ୍ଷେପ ନେବାକୁ ପଡ଼ିବ। ଦେଖାଯାଉଛି ଯେ, ପେଟ୍ରୋଲର ପ୍ରକୃତ ମୂଲ୍ୟ ଉପରେ ସରକାରୀ ଟିକସ ୬୦ ପ୍ରତିଶତ ଓ ଡିଜେଲ କ୍ଷେତ୍ରରେ ତାହା ୫୪ ପ୍ରତିଶତ।
ଉଭୟ ବିଜେପି ଓ ଅଣବିଜେପି ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ତୈଳ ଟିକସ ହରାଇବାକୁ ନାରାଜ। ଯଦିଓ ରାଜନୈତିକ ଦୃଷ୍ଟିରୁ ସେମାନେ ପରସ୍ପରକୁ ଦୋଷାରୋପ କରୁଛନ୍ତି । ପେଟ୍ରୋଲ ଓ ଡିଜେଲରୁ ଟିକସ ଏବଂ ମଦ ଟିକସ କରୋନାଜନିତ ଅର୍ଥନୈତିକ ସଙ୍କଟ ବେଳେ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ରାଜସ୍ବ ସଂଗ୍ରହରେ ସାହାଯ୍ୟ କଲା। ସବୁବେଳେ ସରକାର ଏଥରୁ ବେଶ ରାଜସ୍ବ ଆୟ କରନ୍ତି। କିନ୍ତୁ ଏବେ ସମସ୍ୟା ହେଉଛି ପେଟ୍ରୋଲ ଓ ଡିଜେଲ ଦର ବଢି ଚାଲିଲେ ବଜାର ଉପରେ ତା’ର ପ୍ରଭାବ ପଡି ମୁଦ୍ରାସ୍ଫୀତି ହେବ। ଏହାକୁ ସରକାର କିପରି ନିୟନ୍ତ୍ରଣ କରିବେ ତାହା ଭାବିବା ଉଚିତ।
ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ହ୍ରାସ ଦାବି ହେବ ବୋଲି ଆଶଙ୍କା କରି ପୂର୍ବ ସରକାରଙ୍କ ଉପରେ ଦୋଷାରୋପ କରିଛନ୍ତି ଯେ, ସେମାନେ ବିଦେଶରୁ ଅଶୌଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ପାଇଁ ବିଶେଷ କିଛି କରିନାହାନ୍ତି। ପ୍ରକୃତରେ ଭାରତର ବଡ ସମସ୍ୟା ହେଲା ଏତେ ବଡ ଦେଶର ଇନ୍ଧନ ଆବଶ୍ୟକତା ପୂରଣ ଲାଗି ବିଦେଶୀ ମାର୍କେଟ ଉପରେ ନିର୍ଭର କରିବାକୁ ପଡୁଛି। ଦେଶର ୮୫ ପ୍ରତିଶତ ଇନ୍ଧନ ବିଦେଶରୁ ଆମଦାନୀ ହେଉଛି। ତୈଳ ଉତ୍ପାଦନକାରୀ ଦେଶଗୁଡ଼ିକ ନିଜର ଉତ୍ପାଦନ କମାଇ ଦର ବଢାଇଥିଲେ ଭାରତ ବିପୁଳ ବୈଦେଶିକ ମୁଦ୍ରା ଦେଇ ତୈଳ କିଣିବାକୁ ପଡୁଛି। ଏ ସମସ୍ୟା କମାଇବାକୁ ଦେଶ ଭିତରେ ଫସିଲ ଇନ୍ଧନ ଠାବ କରି ଉତ୍ପାଦନ ବଢାଇବାକୁ ହେବ ଏବଂ ସୌର, ପବନ, ଜଳ ଓ ଆଣବିକ ବିଦ୍ୟୁତ ପରି ପ୍ରଦୂଷଣ ସମସ୍ୟା ନଥିବା ବିକଳ୍ପ ଇନ୍ଧନ ଉତ୍ପାଦନ କରିବାକୁ ପଡ଼ିବ।
ଦ୍ବିତୀୟୋକ୍ତ ପ୍ରସ୍ତାବ ଜଳବାୟୁ ପରିବର୍ତ୍ତନ ସମସ୍ୟା ଯୁଗରେ ଅଧିକ ଗୁରୁତ୍ବପୂର୍ଣ୍ଣ। ଦେଶରେ ବିଶୁଦ୍ଧ ଅକ୍ଷୟ ଶକ୍ତି ଉତ୍ପାଦନର ପ୍ରଚୁର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ସରକାରୀ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଗତ ୬ବର୍ଷର ତାଙ୍କ ଶାସନ ବେଳେ ସୌର ଓ ପବନ ଶକ୍ତି ଉତ୍ପାଦନ ପାଇଁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ସେ ଆଶା ପ୍ରକାଶ କରିଛନ୍ତି ଯେ, ଦେଶରେ ୨୦୩୦ ସୁଦ୍ଧା ଯେତିକି ଶକ୍ତି ବ୍ୟବହାର ହେବ ତା’ର ୪୦ ପ୍ରତିଶତ ଅକ୍ଷୟ ଶକ୍ତି ଉତ୍ସରୁ ମିଳିବ। ସେ ମଧ୍ୟ କହିଥିଲେ ଯେ, ପେଟ୍ରୋଲରେ ଇଥାନଲ ମିଶ୍ରଣ ବଢାଯିବ। ତାହା ଏବେ ୮.୫ ପ୍ରତିଶତ ଥିବା ବେଳେ ୨୦୨୫ ସୁଦ୍ଧା ତାକୁ ୨୦ ପ୍ରତିଶତରେ ପହଞ୍ଚାଯିବ। ତଦ୍ଦ୍ବାରା ଚାଷୀମାନଙ୍କ ପାଇଁ ବିକଳ୍ପ ଆୟର ବ୍ୟବସ୍ଥା କରାଯାଇପାରିବ। ସେଥିସହ ଦେଶର ଇନ୍ଧନ ବ୍ୟବହାରରେ ପ୍ରାକୃତିକ ଗ୍ୟାସର ଅଂଶ ଏବେ ୬.୩ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯିବ। ପେଟ୍ରୋଲିୟମ ସାମଗ୍ରୀରେ ଟିକସ ଓ ଲେଭିସବୁର ସମ୍ପ୍ରସାରିତ ପ୍ରଭାବକୁ ରୋକିବାକୁ କେନ୍ଦ୍ର ସରକାର ଏସବୁ ସାମଗ୍ରୀକୁ ଜିଏସଟି ପରିସରକୁ ଆଣିବାକୁ ଚାହାଁନ୍ତି। ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡିକ ନିଜ ଉତ୍ପାଦନ ବଢାନ୍ତୁ ବୋଲି ଭାରତ ଚାହେଁ । କରୋନାଜନିତ ସ୍ଥାଣୁତା ପରେ ପୃଥିବୀରେ ଯେଉଁ ଚାହିଦା ବଢୁଛି ସେଥିରେ ତୈଳର ଚାହିଦା ଓ ଯୋଗାଣ ମଧ୍ୟରେ ଭାରସାମ୍ୟ ଆସିବା ଦରକାର। ଏଥିପାଇଁ ସମୟ ଲାଗିପାରେ। ତୈଳ ରପ୍ତାନୀକାରୀ ମଧ୍ୟ କରୋନା ବେଳେ ନିଜର ଆୟ ହ୍ରାସକୁ ଭରଣା କରିବାକୁ ଆଗ୍ରହୀ ଥିବେ। ଏସବୁକୁ ବିଚାରକୁ ନେଲେ ସ୍ଥିରତା ପାଇଁ ଅପେକ୍ଷା କରିବାକୁ ହେବ। ଭାରତରେ ଏବେ ଖାଉଟି ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି। ତଥାପି ତୈଳଦରବୃଦ୍ଧିର ପ୍ରଭାବ ବଜାରରେ ଅସ୍ଥିରତା ସୃଷ୍ଟି କରିବ ଓ ଦରଦାମ ବଢିବ। ପରିବହନ ଖର୍ଚ୍ଚ ବୃଦ୍ଧି ସାଙ୍ଗକୁ ଦୈନନ୍ଦିନ ଖାଦ୍ୟସାମଗ୍ରୀ ଯଥା ପରିବା, ଡାଲି, ଚିନି, ଖାଇବା ତେଲ ଆଦିର ଖୁଚୁରା ଦର ଏଥି ଯୋଗୁଁ ବଢିପାରେ। ବଜାରରେ ଏହା ପ୍ରତିଫଳିତ ହେଲାଣି, ଏହାକୁ ନେଇ ଖାଉଟି ମାନସିକତା ତିକ୍ତ ହେବା ସ୍ବାଭାବିକ। ସରକାର ଏଥିପ୍ରତି ସତର୍କ ଦୃଷ୍ଟି ଦେବା ଲୋଡା।