ପୁଡୁଚେରୀ ପରିବର୍ତ୍ତନ 

ଆଗରୁ ଏବେକାର ଏନଡିଏ ସରକାର ସମୟରେ କେତେକ ଅଣବିଜେପି ଶାସିତ ରାଜ୍ୟରେ ଯେଉଁପରି ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି ତା’ର ପୁନରାବୃତ୍ତି ପୁଡୁଚେରୀରେ ଘଟିଛି । ଉତ୍ତର ପୂର୍ବାଞ୍ଚଳର କ୍ଷୁଦ୍ର ରାଜ୍ୟଗୁଡିକଠାରୁ ଆରମ୍ଭ କରି  ଦେଶର ବଡ ରାଜ୍ୟ ଭାବେ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ଯେପରି ସରକାରର ପତନ ଘଟିଥିଲା ସେହିଭଳି ପୁଡୁଚେରୀରେ କଂଗ୍ରେସ-ଡିଏମକେ ସରକାରର ପତନ ଘଟିଛି। ଉଭୟ କଂଗ୍ରେସ ଓ ଡିଏମକେର ଜଣକ ପରେ ଜଣେ ବିଧାୟକ ଇସ୍ତଫା ଦେବା ପରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହରାଇ  ମୁଖ୍ୟମନ୍ତ୍ରୀ ଭି.ନାରାୟଣ ସ୍ବାମୀ ସୋମବାର ଦିନ ଇସ୍ତଫା ଦେଇଛନ୍ତି । ପୁଡୁଚେରୀରେ ଏହା ଘଟିବ ବୋଲି ଗତକିଛି ଦିନର ଘଟଣାବଳୀରୁ ଜଣାପଡୁଥିଲା । ଏହି କ୍ଷୁଦ୍ର କେନ୍ଦ୍ରଶାସିତ ଅଞ୍ଚଳର ସାମ୍ପ୍ରତିକ ରାଜନୀତି ବେଶ ନାଟକୀୟ ମୋଡ ନେଇ ଶେଷରେ  ତାର୍କିକ ଉପସଂହାରରେ ପହଞ୍ଚିଲା।

ଗତ ସପ୍ତାହରେ ପୁଡୁଚେରୀର ଉପରାଜ୍ୟପାଳ ପଦରୁ  ଅବସରପ୍ରାପ୍ତ ମହିଳା ଆଇପିଏସ ଅଫିସର କିରଣ ବେଦୀଙ୍କୁ  ହଟାଯାଇ ଦାୟିତ୍ବ ନେଇଥିବା  ତାମିଲ ସାଇ ସୁନ୍ଦରରାଜନ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଆସ୍ଥା ଭୋଟର ସମ୍ମୁଖୀନ ହେବା ପାଇଁ ନିର୍ଦ୍ଦେଶ  ଦେବା ବେଳଠାରୁ ଫଳାଫଳ କ’ଣ ହେବ ସ୍ପଷ୍ଟ ହୋଇଯାଇଥିଲା। ସ୍ବାଭାବିକ ଭାବେ ବିରୋଧୀଦଳ ଶାସକ ବିଧାୟକମାନଙ୍କର ଇସ୍ତଫା ପରେ ଗୃହରେ ସରକାରର ଶକ୍ତିପରୀକ୍ଷା ଦାବି କରିଥିଲେ । ମାତ୍ର ୩୦ ସଭ୍ୟ ବିଶିଷ୍ଟ ବିଧାନସଭାରେ ସରକାରୀ ପକ୍ଷର ଅନେକ ବିଧାୟକ ଇସ୍ତଫା ଦେବାରୁ ଜଣାପଡୁଥିଲା ଯେ, କେନ୍ଦ୍ରରେ ଶାସନରେ ଥିବା ବିଜେପି ପୁଡୁଚେରୀରୁ କଂଗ୍ରେସ-ଡିଏମକେ ସରକାରକୁ ହଟାଇବାକୁ ଚାହୁଁଛି। ସ୍ବାଭାବିକ ଭାବେ ବିଧାନସଭାରେ ଥିବା ତିନିଜଣ ମନୋନୀତ ସଭ୍ୟ ବିଜେପିକୁ ସମର୍ଥନ କରିବାରୁ ମୁଖ୍ୟମନ୍ତ୍ରୀ ନାରାୟଣ ସ୍ବାମୀଙ୍କ ସଂଖ୍ୟା ନ୍ୟୂନ ହୋଇଗଲେ। ସେ କହିଛନ୍ତି ଯେ,କେନ୍ଦ୍ର ସରକାର ଏବଂ ବିରୋଧୀ ଏନଆର କଂଗ୍ରେସ ତଥା ଆନ୍ନା ଡିଏମକେ ମନୋନୀତ ବିଧାୟକମାନଙ୍କ ସହାୟତାରେ ତାଙ୍କୁ ଗାଦିଚ୍ୟୁତ କରିଛନ୍ତି।

ବାଚସ୍ପତିଙ୍କ ରୁଲିଂ ଅନୁସାରେ ମନୋନୀତ ବିଧାୟକମାନଙ୍କର ଭୋଟ ଦେବାର ଅଧିକାର ରହିଲା। କିନ୍ତୁ ନାରାୟଣ ସ୍ବାମୀ ଓ ତାଙ୍କ ଦଳ ଯେ, ନିଜ ବିଧାୟକମାନଙ୍କୁ ଏକାଠି ରଖିପାରିଲେ ନାହିଁ ତାହା ସ୍ବୀକାର କରିବାକୁ ହେବ। ଦେଶର ଅନ୍ୟାନ୍ୟ କେତେକ ରାଜ୍ୟରେ କଂଗ୍ରେସ ନିଜ ବିଧାୟକମାନଙ୍କୁ ସାଙ୍ଗରେ ରଖିନପାରି କ୍ଷମତାଚ୍ୟୁତ ହୋଇଛି ବା କ୍ଷମତା ପାଇବା ସୁଯୋଗ ହରାଇଛି। ଏହା  କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ ବୋଲି ଜଣାଶୁଣା। ୨୦୧୪ରୁ ଏଯାଏଁ କଂଗ୍ରେସ ଦୁଇଟି ଲୋକସଭା ନିର୍ବାଚନ ଶୋଚନୀୟ ଭାବେ ହାରିବା ସାଙ୍ଗକୁ ରାଜ୍ୟଗୁଡିକରେ ମଧ୍ୟ ତା’ର ସ୍ଥିତି ଦୁର୍ବଳ ହୋଇଚାଲିଛି। ଅଧିକାଂଶ ରାଜ୍ୟରେ ନିର୍ବାଚିତ ତଥା ପୂର୍ବତନ ବିଧାୟକମାନେ ଦଳ ଛାଡିଛନ୍ତି। ସେହିପ୍ରକ୍ରିୟା ଯେ ଅବ୍ୟାହତ ରହିଛି ପୁଡୁଚେରୀ ତା’ର ଉଦାହାରଣ। ପୁଡୁଚେରୀ କ୍ଷେତ୍ରରେ ମନୋନୀତି ବିଧାୟକମାନେ ଅନ୍ୟ ସଭ୍ୟମାନଙ୍କ ପରି ସମସ୍ତ କ୍ଷମତାର ଅଧିକାରୀ। କିନ୍ତୁ ବିଧାନସଭାରେ ଆସ୍ଥା ଭୋଟ ବେଳେ ସେମାନେ ଭୋଟ ଦେଇ ପାରିବେ କି ନା ତାହା ଏକ ବିବାଦୀୟ ପ୍ରସଙ୍ଗ। କାରଣ ସେମାନେ ଯେ, କେନ୍ଦ୍ରର ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ସମର୍ଥନରେ ବିଧାନସଭାରେ ମନୋନୀତ ହୋଇଛନ୍ତି  ଏବଂ ସେ କାରଣରୁ ଯେକୌଣସି ଆସ୍ଥା ଭୋଟ ବେଳେ ସେମାନେ ବିଜେପି ଧାରାକୁ ସମର୍ଥନ କରିବେ ଏହା ନେଇ କାହାର ସନ୍ଦେହ ନଥିଲା।

ଏହି ଯୁକ୍ତି ଉପରେ ପରସ୍ପର ବିରୋଧୀ ମତ ରହିଛି। କିନ୍ତୁ ତା’ଉପରେ ରୁଲିଂ ରହିଛି। ଏସମ୍ପର୍କରେ ଏକ ସୁପ୍ରିମକୋର୍ଟଙ୍କ ରୁଲିଂ ମଧ୍ୟ ରହିଛି। ଏଥିରେ କୁହାଯାଇଛି ଯେ, ଜଣେ ମନୋନୀତ ବିଧାୟକ ବଜେଟ ଉପରେ ବା ଅନାସ୍ଥା ଭୋଟରେ ଯେ ଭୋଟ ଦେଇ ପାରିବେନାହିଁ ଏପରି କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ନୀତିଗତ ଦୃଷ୍ଟିରୁ ଏହା କେତେଦୂର ଠିକ ତାହା ବିଚାରର ବିଷୟ। ଏକ ଗୁରୁତ୍ବପୂର୍ଣ୍ଣ ଆସ୍ଥା ପରୀକ୍ଷାରେ ମନୋନୀତ ସଭ୍ୟଙ୍କର ମତ ଯଦି ସରକାରର ସ୍ଥିତିକୁ ଏପଟସେପଟ କରିଦେବ ତେବେ ତାହା କ’ଣ ହେବ ଆସ୍ଥା ଭୋଟ ଆଗରୁ ସ୍ପଷ୍ଟ ହୋଇଯାଇଥିବ। ତା’ର ଅର୍ଥ କେନ୍ଦ୍ରର ନିର୍ଦ୍ଦେଶରେ ଏକ ନିର୍ବାଚିତ ବିଧାନସଭାକୁ ବିଧାୟକ ମନୋନୟନ କରୁଥିବା ଜଣେ ରାଜ୍ୟପାଳ ରାଜନୈତିକ ଚିତ୍ରକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇପାରିବେ। ଯେଉଁଠାରେ ସରକାର କମ ସଂଖ୍ୟା ଗରିଷ୍ଠତାରେ ଗଢା ହୋଇଥିବ ଓ ବିରୋଧୀଦଳ କେନ୍ଦ୍ରରେ ମଧ୍ୟ ଶାସନରେ ଥିବ ସେଠାରେ ସେହି ରାଜ୍ୟ ସରକାରକୁ ସହଜରେ ଭାଙ୍ଗି ଦିଆଯାଇପାରିବ।

ସେଥିରେ ବିଧାନସଭା ଭୋଟରେ ରାଜ୍ୟବାସୀଙ୍କ ମତର କୌଣସି ଅର୍ଥ ରହିବନାହିଁ। ପୁଡୁଚେରୀରେ ବିଜେପି ଯେଉଁ ୩ଜଣ ବିଧାୟକଙ୍କୁ ମନୋନୀତ କରାଇଥିଲା ସେମାନଙ୍କୁ କଂଗ୍ରେସ ବିରୋଧ କରିଥିଲା।କିନ୍ତୁ କୋର୍ଟ ମନୋନୟନକୁ ଅନୁମୋଦନ କରିଥିଲା। ନାରାୟଣ ସ୍ବାମୀ ସରକାରର ପତନ ପରେ ଦକ୍ଷିଣ ଭାରତରେ କଂଗ୍ରେସର ଶେଷ ଦୁର୍ଗ ଭାଙ୍ଗିଗଲା। ରାଜ୍ୟ ବିଧାନସଭାର ମିଆଦ ଆଉ କେଇ ସପ୍ତାହ ବାକି ଅଛି ଓ ଖୁବଶୀଘ୍ର ସେଠାରେ ନିର୍ବାଚନ ହେବ। ତା’ପୂର୍ବରୁ ସେଠାରେ ଏନଆର କଂଗ୍ରେସ ଓ ଆନ୍ନା ଡିଏମକେକୁ ନେଇ ବିରୋଧୀଦଳ ଅବଶିଷ୍ଟ ସମୟ ସକାଶେ ଏକ ନୂଆ ସରକାର ଗଢିବାକୁ ଉଦ୍ୟମ କରୁଛି। ବିଦାୟୀ ଉପରାଜ୍ୟପାଳ କିରଣ ବେଦୀ ନାରାୟଣ ସ୍ବାମୀ ସରକାରକୁ ସବୁବେଳେ ଅସୁବିଧାରେ ରଖିଥିଲେ।  ତାଙ୍କର ଉତ୍ତରାଧୀକାରୀ ନିଶ୍ଚିତ ଭାବେ କେନ୍ଦ୍ରର ନିର୍ଦ୍ଦେଶରେ ନୂଆ ସରକାର ଗଠନ ପାଇଁ ସାହାଯ୍ୟ କରିପାରନ୍ତି। କାରଣ ଆନ୍ନା ଡିଏମକେ ବିଜେପି ସହ  ରହିଛି। ନାରାୟଣ ସ୍ବାମୀ ହୁଏତ କେନ୍ଦ୍ରର ଅସ୍ଥ଄ରତା ସୃଷ୍ଟି ଯୋଜନାର ଶିକାର ବୋଲି ଲୋକଙ୍କ ସହାନୁଭୂତି ଯୋଡି ପାରନ୍ତି। ସେଥିପାଇଁ ଆଗାମୀ ନିର୍ବାଚନ ଫଳାଫଳକୁ ଅପେକ୍ଷା କରିବାକୁ ହେବ।

 

 

Leave A Reply

Your email address will not be published.

ବ୍ରେକିଂ