ଟିକାଦାନର ଗତି ବଢୁ 

କେନ୍ଦ୍ର ସରକାର ଦାବି କରିଛନ୍ତି ଯେ, ଏକ କୋଟି କରୋନା ଟିକାଦାନ ସଫଳତା ହାସଲ କରିବାରେ ଭାରତ ପୃଥିବୀର ଦ୍ବିତୀୟ ଦ୍ରୁତତମ ଦେଶ। ସଂଖ୍ୟା ଦୃଷ୍ଟିରୁ ଏହା ବଡ। କିନ୍ତୁ  ଦେଶର ମୋଟ ଜନସଂଖ୍ୟାକୁ ବିଚାରକୁ ନେଲେ ଏହାକୁ ସଫଳତା କୁହାଯାଇପାରିବନାହିଁ। କାରଣ ୧୩୦ କୋଟିରୁ ଊର୍ଦ୍ଧ୍ବ ଜନସଂଖ୍ୟାରେ ମାତ୍ର ୦.୭ ପ୍ରତିଶତ ଲୋକଙ୍କୁ କରୋନା ଟିକା ଦିଆଯାଇଛି। ସେ ଦୃଷ୍ଟିରୁ ବିଚାର କଲେ ଦେଶରେ ଟିକାକରଣ ଅଭିଯାନ ମନ୍ଥର ଗତିରେ ଚାଲିଛି। ମେଡିକାଲ ବୃତ୍ତିଧାରୀମାନଙ୍କ ପରେ ଏବେ କରୋନା ମୁକାବିଲାରେ କାମ କରିଆସିଥିବା ଆଗଧାଡିର କର୍ମୀମାନଙ୍କୁ  ପ୍ରଥମ ଟିକା ଦିଆଯିବା କଥା। କିନ୍ତୁ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ଅର୍ଦ୍ଧେକ ପୂରଣ ହୋଇଛି। ଅଗ୍ରାଧିକାର ଶ୍ରେଣୀରେ ଟିକାକରଣ ପାଇଁ ତତ୍ପରତା କାରଣରୁ ଏହା ଘଟିଛି। ତରବରିଆ ଭାବେ ଟିକାଦେବାକୁ ହେଉଥିବା ଉଦ୍ୟମ ପଛରେ ଏକ ଆଶଙ୍କା ବିଚାରକୁ ନିଆଯାଉଛି।

ଟିକାର ଦୀର୍ଘମିଆଦୀ ପ୍ରଭାବ କ’ଣ ହେବ ସେହି ଚିନ୍ତା ସମସ୍ତଙ୍କ ମଧ୍ୟରେ ଅଛି। ସାଧାରଣତଃ ଯେକୌଣସି ରୋଗ ପାଇଁ ଟିକା ବାହାର କରିବାକୁ ସମୟ ଲାଗେ। କିନ୍ତୁ କରୋନା ଏକ ଅଦ୍ଭୁତପୂର୍ବ ଆନ୍ତର୍ଜାତିକ ସଙ୍କଟ ଭାବେ ଦେଖାଦେଲା ଯାହା ୧୦୦ ବର୍ଷରେ ଘଟିନଥିଲା। ଏଥିପାଇଁ ତୁରନ୍ତ ଟିକା ବାହାର କରିବାକୁ ବିଶ୍ବସ୍ତରରେ ଉଦ୍ୟମ ହେଲା। ବର୍ଷେ ନପୁରୁଣୁ ଯେ,  ଟିକା ବାହାରିଲା ତାହା ଚିକିତ୍ସା ଗବେଷଣାରେ ସାମିଲ ଶ୍ରେଣୀର ସଫଳତା। ବାହାରିଥିବା ଟିକାକୁ ଜରୁରୀ ଭିତ୍ତିରେ ଅନୁମୋଦନ କରାଗଲା। ଏପରିକି ସେଥିରେ ସବୁ ପରୀକ୍ଷା ପୂର୍ବରୁ ଏବଂ ତଥ୍ୟ ଗୁଡ଼ିକୁ ବିଚାରକୁ ନିଆଯିବା ଆଗରୁ ଟିକାକୁ ମଞ୍ଜୁରୀ ଦିଆଗଲା। ଭାରତରେ  ବାହାରିଥିବା ଟିକା ଉପରେ ସରକାର କହିଲେ ଯେ,ଏସବୁ ନିରାପଦ ଓ ଦକ୍ଷ। ତଥାପି  ଅନେକଙ୍କ ମନରେ ଏପରିକି ସ୍ବାସ୍ଥ୍ୟକର୍ମୀମାନଙ୍କ ଭିତରେ ଟିକାର ସଫଳତା ନେଇ ସନ୍ଦେହ ରହିଛି। ଏହି କାରଣରୁ ଅନେକ ବିଳମ୍ବରେ ଟିକା ନେବାକୁ ଚାହୁଁଛନ୍ତି।

ଭାରତ  ନିଜ ଟିକାକୁ  ଅନ୍ୟ ଦେଶକୁ ପଠାଇ ଟିକା କୂଟନୀତି କରୁଥିବା ବେଳେ ଟିକା ପାଇଥିବା ଦେଶଗୁଡ଼ିକ ବି ଭିନ୍ନ ପ୍ରତିକ୍ରିୟା ଦେଖାଉଛନ୍ତି। ଗୁଜବ ଏପରି ବ୍ୟାପିଛି ଯେ, ଭାରତରୁ ଯାଇଥିବା ଏକ ନିୟୁତ ଟିକାକୁ ଦକ୍ଷିଣ ଆଫ୍ରିକା ଫେରାଇ ଦେବାକୁ ନିଷ୍ପତ୍ତି ନେଇ  ତାକୁ ପୁଣି ଅସ୍ବୀକାର କରିଛି। ଏହା ପ୍ରସଙ୍ଗକୁ  ଆହୁରି ଜଟିଳ  କରିଦେଇଛି। ଦେଶରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ କେରଳ, ମହାରାଷ୍ଟ୍ରରେ ଏହା ବଢିଥିବାରୁ ମୋଟାମୋଟି ଭାବେ ଭୟ ରହୁଛି। ତଥାପି ସାଧାରଣ ଲୋକଙ୍କ ମଧ୍ୟରେ ଆଶ୍ବସ୍ତି ସୃଷ୍ଟି ହୋଇଛି ଯେ, କରୋନା ସଙ୍କଟ ବୋଧହୁଏ ଚାଲିଗଲା। ଏଣୁ ଆଉ ଟିକା ନେବା ଆବଶ୍ୟକ ନୁହେଁ ବୋଲି କେତେକ ଭାବୁଛନ୍ତି। ଟିକା ବାହାରିବା ପରେ କେତେକ ଦେଶରେ ଭିନ୍ନ ଧରଣର କରୋନା ଦେଖା ଦେବାରୁ ଯୁକ୍ତି  ହେଉଛି ଯେ, ବଜାରକୁ ଆସିଥିବା ଟିକା ସବୁ ପ୍ରକାରର କରୋନାକୁ ମୁକାବିଲା କରିପାରିବ କି ନା ବିଚାର କରାଯିବା ଉଚିତ। ସେ କ୍ଷେତ୍ରରେ ନୂଆ ଟିକା ଆବଶ୍ୟକ ପଡିପାରେ ।

ବିଦେଶରେ କେତେକ କ୍ଷେତ୍ରରେ  ଯୁକ୍ତି ହେଲାଣି ଯେ, ଫାଇଜର ଆଣି ଥିବା ଟିକା ୮୦ ପ୍ରତିଶତ ଯାଏ ସବୁପ୍ରକାରର କରୋନାକୁ ଅଟକାଇପାରିବ। ଆଉ କେତେକ କ୍ଷେତ୍ରରେ ଟିକା ନେବାକୁ  ସଙ୍କୋଚ ପଛରେ ଏକ କାରଣ ଭାବେ କୁହାଯାଉଛି ଯେ, ଟିକା ନେବା ପରେ ଅନ୍ୟୁନ ତିନିମାସ ଯାଏ ମଦ୍ୟପାନରୁ ବିରତ ରହିବାକୁ ହେବ । ସ୍ବାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରୁ କେତେକ ଟିକା ନେବାକୁ ପଛାଉ ଥିବାରୁ ସରକାରୀ ସ୍ତରରେ ସେମାନଙ୍କୁ ତାଗିଦ କରାଗଲାଣି। ଟିକା ନେଉଥିବା ସ୍ବାସ୍ଥ୍ୟ କର୍ମଚାରୀମାନେ କରୋନା ସୁବିଧାରୁ ବଞ୍ଚିତ ହେବେ ବୋଲି କୁହାଯାଇଛି। କିନ୍ତୁ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ କୁଣ୍ଠା ସାଧାରଣ ଲୋକଙ୍କୁ ଟିକା ନେବାରୁ ପଛାଇବ। ତଥାପି କରୋନା ସମ୍ପର୍କରେ ସତର୍କ ଅନେକ ଲୋକ ଟିକା ନେବାକୁ ଆଗ୍ରହୀ। ସେମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକମାନେ ରହିଛନ୍ତି। ଅନେକ ବୟୋଜ୍ୟେଷ୍ଠ ଲୋକଙ୍କର ଅନ୍ୟାନ୍ୟ ରୋଗଜନିତ ଦୁର୍ବଳତା ଥିବାରୁ ସେମାନେ କରୋନାରୁ ସୁରକ୍ଷିତ ରହିବାକୁ ଚାହୁଁଛନ୍ତି। ଏଣୁ  ସରକାର ତୁରନ୍ତ ଟିକା ଯୋଗାଇବା ଉଚିତ। ଏବେ ଚାହିଦା କମ ଥିବା  ବେଳେ ମହଜୁତ ଥିବା ଟିକାର ବ୍ୟବହାର ମିଆଦ    ମେ’ ରେ ସରିଯିବ।

ଅଧିକ ଟିକା ଉତ୍ପାଦନ ପାଇଁ ବିଶିଷ୍ଟ ଶିଳ୍ପପତି  ଅଜିଜ ପ୍ରେମଜୀଙ୍କ ପରି ଯେଉଁ ଉଦ୍ୟୋଗପତିମାନେ  ଟିକା ଉତ୍ପାଦନରେ ଘରୋଇ ଉଦ୍ୟୋଗକୁ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି ତାହା ଯଥାର୍ଥ। ୬୦ ଦିନ ମଧ୍ୟରେ ୫୦କୋଟି ଲୋକଙ୍କୁ ଟିକା ଦେବା ସକାଶେ  ଘରୋଇ ଉଦ୍ୟୋଗର ସମ୍ପୃକ୍ତି ଆବଶ୍ୟକ ବୋଲି ସେମାନଙ୍କ ମତ ଗ୍ରହଣ ଯୋଗ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏବେ ଘରୋଇ ଉଦ୍ୟୋଗକୁ  ଅଧିକ ଗୁରୁତ୍ବ ଦେଇଛନ୍ତି। କରୋନା ଟିକାରେ ସେମାନଙ୍କୁ ସାମିଲ କରିବାରେ କୌଣସି ଅସୁବିଧାନାହିଁ। ପ୍ରେମଜୀ କହିଛନ୍ତି ଯେ, ସରକାର ଟିକାର ସର୍ବୋଚ୍ଚ ମୂଲ୍ୟ ୪୦୦ ଟଙ୍କାରେ  ସୀମିତ ରଖିବା ଆବଶ୍ୟକ। ତଦ୍ଦ୍ବାରା ଘରୋଇ ହାସପାତାଳଗୁଡ଼ିକ ଅଧିକ ଲାଭ ଉଠାଇପାରିବେନାହିଁ। କରୋନା ଟିକାଦାନର ମାଗଣା ବ୍ୟବସ୍ଥା ହେବା ସାଙ୍ଗକୁ  ଘରୋଇ କ୍ଷେତ୍ରରେ ଯେଉଁମାନେ ଟିକା ଦେବେ ସେମାନେ ଯେପରି ଅତ୍ୟଧିକ ଫାଇଦା ନଉଠାଇବେ ସେଥିପ୍ରତି ସରକାର ଦୃଷ୍ଟି  ଦେବାକୁ ହେବ। ଭାରତ କରୋନା ସଙ୍କଟ ଆରମ୍ଭ ଦିନଠାରୁ ଭୁଲ ତ୍ରୁଟି ମଧ୍ୟରେ ପ୍ରାୟତଃ ସକ୍ରିୟଭାବେ ଏହାର ମୁକାବିଲା କରିଛି। କେନ୍ଦ୍ର ସରକାର ଏଥିପାଇଁ ବାହାଦୁରି ନେଇ ଆସିଛନ୍ତି। ଟିକାକରଣ ଶିଥିଳ ହୋଇଗଲେ କରୋନା ଆଶଙ୍କା ଲାଗି ରହିବ ଓ ତାହା ଦେଶର ସାମଗ୍ରୀକ ସ୍ଥିତିକୁ ପ୍ରଭାବିତ କରିବ।

 

 

Leave A Reply

Your email address will not be published.

ବ୍ରେକିଂ