ଜାମିନରେ ଦୃଷ୍ଟାନ୍ତ ପ୍ରତିଷ୍ଠା

ସମ୍ପାଦକୀୟ: ଦୁଇଟି ସଦ୍ୟ ଜାମିନ ମିଳିବା ଘଟଣା ଦେଶରେ ଗଣତନ୍ତ୍ର ପ୍ରେମୀମାନଙ୍କୁ ଆଶ୍ୱସ୍ତ କରିଛି। ଉଭୟ କ୍ଷେତ୍ରରେ ସମ୍ବିଧାନ ପ୍ରଦତ୍ତ ବ୍ୟକ୍ତି ସ୍ୱାଧୀନତାକୁ ନ୍ୟାୟପାଳିକା ପୁନର୍ବାର ସାବ୍ୟସ୍ତ କରିଛନ୍ତି।  ଗୋଟିକରେ ଜଣେ ୨୨ ବର୍ଷୀୟା ଯୁବତୀ ଓ ଅନ୍ୟଟିରେ ଜଣେ ୮୨ ବର୍ଷର ବୟୋବୃଦ୍ଧ କୋର୍ଟଙ୍କ ଠାରୁ ଏହି ନ୍ୟାୟ ପାଇଛନ୍ତି। ଉଭୟଙ୍କୁ ଦେଶର ଆଇନ ଲାଗୁକାରୀ ସଂସ୍ଥା ରାଷ୍ଟ୍ର ପାଇଁ ବିପଦ ବୋଲି ବିବେଚନା କରିଥିଲେ। ଉଭୟ ରାଷ୍ଟ୍ରର ସାମର୍ଥ୍ୟକୁ ଚାଲେଞ୍ଜ କରୁଥିଲେ ବୋଲି ଆସିଥିବା ଆରୋପ ନେଇ ପ୍ରଶ୍ନବାଚୀ ରହିଛି।

କିନ୍ତୁ ଏବେ ସ୍ୱୀକାର କରିବାକୁ ହେବ ଯେ,ସେମାନଙ୍କୁ ଜାମିନ ପ୍ରଦାନ ଦେଶରେ ଆଇନକୁ ସୁଦୃଢ କରିଛି। ଯେଉଁ ବିଚାରପତିମାନେ  ଜାମିନ ଦେଲେ ସେମାନେ ଉଭୟଙ୍କୁ  ମୁକ୍ତ କରିବା ପାଇଁ ଅଲଗା ଅଲଗା କାରଣ ଦର୍ଶାଇଛନ୍ତି। କିନ୍ତୁ ଉଭୟ ରାୟରେ  ଆପାତତଃ ସମାନ ସୂତ୍ର ରହିଛି। ଦୁଇଟି ଯାକରେ ରାଷ୍ଟ୍ରର ଏକଛତ୍ରବାଦୀ ପ୍ରତିଶୋଧ ପରାୟଣତା ବିରୋଧରେ ଜଣେ ବ୍ୟକ୍ତିଙ୍କର ସୁରକ୍ଷା ପାଇବାର ଅଧିକାରକୁ ଗ୍ରହଣ କରାଯାଇଛି। ସମ୍ପ୍ରତି ଦେଶରେ କ୍ରମାଗତ ଭାବେ ଅଭିଯୋଗ ହୋଇଆସୁଛି ଯେ,ଭାରତ ପୃଥିବୀର ବୃହତମ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇ ବି ଏଠାରେ ମୌଳିକ ଅଧିକାର ଓ ସାଧାରଣ ସ୍ୱାଧୀନତା ବିପଦର ସମ୍ମୁଖୀନ। ଏବେ ମୁମ୍ବାଇ ଓ ଦିଲ୍ଲୀରୁ ନ୍ୟାୟପାଳିକାର ଜାମିନ ଆଦେଶ ଆଶା ସୃଷ୍ଟି କରିଛି ଯେ, ଅନ୍ତତଃ ବିଚାରାଳୟ ସ୍ତରରେ ଜନସାଧାରଣଙ୍କର  ସାମ୍ବିଧାନିକ  ହକ୍‌ ସୁରକ୍ଷିତ ରହିବ।

ଚର୍ଚ୍ଚାକୁ ଆସିଥିବା ଦିଶା ରବି ଦିଲ୍ଲୀ ପୋଲିସ ଦ୍ୱାରା ବେଙ୍ଗାଲୁରୁରୁ ଗିରଫ ହୋଇ କିଛିଦିନ ଜେଲରେ କଟାଇବା ପରେ ଦିଲ୍ଳୀ ସେସନ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ତୁଚ୍ଛ ପ୍ରମାଣ ଉପରେ ଏହି ତରୁଣୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳକୋଡର ସବୁଠାରୁ ଗୁରୁତର ଦଫା ଲଗାଯାଇଥିଲା । ତାଙ୍କୁ ଜାମିନ ଦେଇ କୋର୍ଟ ଦେଇଥିବା ରାୟରେ ରାଷ୍ଟ୍ରର ଶକ୍ତି ବିରୋଧରେ ଜଣେ ନାଗରିକର ଅଧିକାରକୁ ସ୍ୱୀକାର କରାଯାଇଛି। କୋର୍ଟଙ୍କ ଆଦେଶରେ ଏହି ସକ୍ରିୟ କର୍ମୀଙ୍କର ଗିରଫଦାରୀ ଓ ତାଙ୍କୁ ଜେଲରେ ରଖାଯିବାର ସମସ୍ତ ଯୁକ୍ତିକୁ  ଅଗ୍ରାହ୍ୟ କରି ଦିଆଯାଇଛି। ଏଥିରେ କୋର୍ଟ ଦେଇଥିବା ମତକୁ ଭବିଷ୍ୟତରେ ପ୍ରଶାସନର ପ୍ରତ୍ୟେକ କାର୍ଯ୍ୟାନୁଷ୍ଠାନ ଓ ସବୁ ନ୍ୟାୟାଳୟଙ୍କର ଆଦେଶ ବିଚାରକୁ ନେବ ବୋଲି ଆଶା କରିବା କଥା।  କାରଣ ଯେଉଁ ପ୍ରସଙ୍ଗ ଉପରେ ଉକ୍ତ ମାମଲା ଆଧାରିତ ତାହା ଗଣତାନ୍ତ୍ରିକ ଭାରତରେ ଏବେକାର ସମୟରେ ବାରମ୍ବାର ଉତଥାପିତ ହେବାର ସମ୍ଭାବନା ରହିଛି।

ଗଣତାନ୍ତ୍ରିକ ଭାରତ ପ୍ରତି ଏବେ ଯେପରି ଚାଲେଞ୍ଜ ବଢୁଛି  ଓ ବ୍ୟକ୍ତି  ସ୍ୱାଧୀନତା  ଯେଭଳି ଭାବେ ଚାପର ସମ୍ମୁଖୀନ ହେଉଛି ସେ କ୍ଷେତ୍ରରେ ଉଭୟ ପ୍ରଶାସନିକ ଅଧିକାରୀମାନଙ୍କୁ ଓ କୋର୍ଟଗୁଡିକୁ ନିଜର ଆଇନଗତ ଦାୟିତ୍ବକୁ ଅଧିକ ସତର୍କତାର ସହ ପାଳନ କରିବାକୁ ହେବ । ଅବଶ୍ୟ ଶାସନକଳ କ୍ଷମତାରେ ଥିବା ରାଜନୈତିକ କର୍ତ୍ତୃପକ୍ଷଙ୍କର ଇଙ୍ଗିତରେ କାମ କରିବା ସ୍ୱାଭାବିକ। ସେଥିରେ ଅଫିସରମାନେ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେବାର ଆଶଙ୍କା ମଧ୍ୟ ଅଧିକ । କିନ୍ତୁ କୋର୍ଟ ଗୁଡିକ ନିଜର ନିରପେକ୍ଷତା ପ୍ରଦର୍ଶନ କରିବାରେ କୌଣସି  ଅସୁବିଧା ନାହିଁ । ତଥାପି ଉପରୋକ୍ତ ମାମଲାରେ ଜାମିନ ମଞ୍ଜୁର ଆଦେଶରେ କୋର୍ଟ ଯାହା କହିଛନ୍ତି ତାହା  ପ୍ରଶାସକ ଓ ବିଚାରପତିମାନଙ୍କ ପାଇଁ ଦିଗଦର୍ଶକ ଭାବେ କାମ ଦେବ।  କୋର୍ଟ କହିଛନ୍ତି ଯେ,ନାଗରିକମାନେ ସହମତ ହେଲେ ନାହିଁ ବୋଲି ସରକାର ସେମାନଙ୍କୁ ଜେଲ ପଠାଇ ପାରିବେନାହିଁ । ସରକାରଙ୍କର  ଅହମିକା ଆଘାତପ୍ରାପ୍ତ  ହେଲା ବୋଲି ତାକୁ ସନ୍ତୁଷ୍ଟ  କରିବା ପାଇଁ  ଦେଶଦ୍ରୋହ ଅପରାଧ ତା’ ବିରୋଧରେ ଲଗାଯାଇ ପାରିବନାହିଁ। ବାକ୍‌ ସ୍ବାଧୀନତା ମଧ୍ୟରେ ବିଶ୍ବର ଦୃଷ୍ଟି ଆକର୍ଷଣ କରିବାର ଅଧିକାର ରହିଛି। ସନ୍ଦେହଯୁକ୍ତ ପରିଚୟ ଥିବା ବ୍ୟକ୍ତିମାନଙ୍କ ସହ ସାଧାରଣ ଭାବେ ଯୋଗାଯୋଗକୁ ଅପରାଧ ଭାବେ ଧରାଯାଇ ପାରିବନାହିଁ।

ଏକ ହ୍ୱାଟସଆପ ଗୋଷ୍ଠୀ ସୃଷ୍ଟି  ବା  ସାଧାରଣ ଭାବେ ଧରାଯାଉଥିବା ଏକ ଟୁଲ କିଟ୍‌ର ସମ୍ପାଦକ ହେବା ଏକ ଦୋଷ ନୁହେଁ । ଏଭଳି ରାୟ ଜରିଆରେ କୋର୍ଟ ଦିଶା ରବିଙ୍କ ବିରୋଧରେ  ଅଣାଯାଇଥିବା ଆରୋପ ଯାହା ଏକ ଜାତୀୟ ପ୍ରସଙ୍ଗ ହୋଇଛି ତାକୁ ହାଲକା  କରିଦେଇଛନ୍ତି । ବରବରା  ରାଓଙ୍କୁ  ଏଲଗାର ପରିସର ମାମଲାରେ ବମ୍ବେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିବା ସ୍ୱାଗତଯୋଗ୍ୟ। ଯଦିଓ ଏହା ବିଳମ୍ବରେ ଆସିଛି ଓ ଏଥିରେ କଡା ସ୍ୱାର୍ଥସବୁ ରଖାଯାଇଛି ତଥାପି ପୂର୍ବରୁ ନକ୍ସଲମାନଙ୍କର ବୌଧିକ ସମର୍ଥକଭାବେ ପରିଚିତ ରାଓଙ୍କୁ ଜାମିନ ଦେଇ କୋର୍ଟ ସ୍ୱାସ୍ଥ୍ୟ ପ୍ରତି ଅଧିକାରକୁ ଗୁରୁତ୍ୱ ଦେଇଛନ୍ତି। ଏହି ଭିତ୍ତିରେ ଜାମିନ ମଞ୍ଜୁର ଭବିଷ୍ୟତ ପାଇଁ ଏକ ଉଦାହରଣ ହୋଇ ରହିବ। କିନ୍ତୁ ଏଥିରେ ଅସୁସ୍ଥ କବି ରାଓ ଯେଉଁ କାରଣରେ ଗିରଫ ହୋଇ ଜେଲଗଲେ ତା’ଉପରେ ପ୍ରଶ୍ନ ଉଠାଇନାହାନ୍ତି । କିନ୍ତୁ ଦୁଇଟିଯାକ ଜାମିନ ଆଦେଶ ମାନବିକ ଅଧିକାର ଗୋଷ୍ଠୀ ଗୁଡିକୁ ଖୁସି କରିଛି ।

ଆଶା  ଉଭୟ କ୍ଷେତ୍ରରେ କୋର୍ଟଙ୍କ ରାୟ  ଅନୁରୂପ ମାମଲା ଗୁଡ଼ିକ ପାଇଁ  ଦୃଷ୍ଟାନ୍ତ ହୋଇରହିବ। କାରଣ ଏବେ ବି ଏହି ଧରଣର କେସ ସବୁ ବିଭିନ୍ନ ରାଜ୍ୟରେ ରହିଥାଇପାରେ।  ଭବିଷ୍ୟତରେ ମଧ୍ୟ  ଅନୁରୂପ କାର୍ଯ୍ୟାନୁଷ୍ଠାନର ଆଶଙ୍କା ରହିଛି। ଗଣତାନ୍ତ୍ରିକ ଅଧିକାର ପାଇଁ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନେ ଯୁକ୍ତିଯୁକ୍ତ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରୁଥିବା ବେଳେ  ସରକାରୀ ସ୍ତରରୁ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନର ଆଶଙ୍କା ସବୁବେଳେ ରହିବ । ଉପରୋକ୍ତ ଦୁଇଟି ରାୟ ସେମାନଙ୍କ ପାଇଁ ଆଶାର ଢାଙ୍କୁଣି ହେବ ।

Leave A Reply

Your email address will not be published.

ବ୍ରେକିଂ