ସୁଧ ହ୍ରାସ ନେଇ ଖାମଖିଆଲି ଆଭିମୁଖ୍ୟ

ସ୍ବଳ୍ପ ସଞ୍ଚୟ ଜମା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କର ଖାମଖିଆଲି ନୀତି ସର୍ବୋଚ୍ଚ ସ୍ତରରେ ଦୁର୍ଭାଗ୍ୟଜନକ ଦାୟିତ୍ବହୀନତା ବ୍ୟତୀତ ଆଉ କିଛି ନୁହେଁ । ଗତ ବୁଧବାର ଦିନ ସରକାର ସବୁପ୍ରକାର ସ୍ବଳ୍ପ ସଞ୍ଚୟ ଯୋଜନାରେ ସୁଧହାରକୁ ଯଥେଷ୍ଟ କମା ଯାଉଥିବା ଘୋଷଣା କଲେ । ତନ୍ମଧ୍ୟରେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ), ମିଆଦ ଜମା,ବରିଷ୍ଠ ନାଗରିକ,ବାଳିକା ଓ ଚାଷୀଙ୍କ ପାଇଁ ଥିବା ଅନେକ ଗୁଡ଼ିଏ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ଥିଲା। ନୂଆ ସୁଧହାର ଗୁରୁବାରରୁ ଲାଗୁ କରାଯିବା କଥା। କିନ୍ତୁ ଗୁରୁବାର ସକାଳେ ପୂର୍ବ ଦିନର ନିଷ୍ପତ୍ତିକୁ ଅସିଦ୍ଧ କରାଗଲା ଓ ପୁରୁଣା ସୁଧହାରକୁ କାଏମ ରଖାଗଲା।

ବୁଧବାରର ନିଷ୍ପତ୍ତି ପରିଣାମ ମୂଳକ ଥୁଲା ଯେହେତୁ ବିଭିନ୍ନ ସଞ୍ଚୟ ଯୋଜନାରେ ସୁଧହ୍ରାସର ହାର ୦.୪ରୁ ୧.୧ ପ୍ରତିଶତ ହୋଇଥୁଲା। ପିପିଏଫ କ୍ଷେତ୍ରରେ ସୁଧହାର ୧୯୭୪ ମସିହା ପରଠାରୁ ପରେ ସବୁଠାରୁ କମ କରାଯାଇଥିଲା। ଭାରତରେ ସ୍ବଳ୍ପ ସଞ୍ଚୟ ଯୋଜନା ମଧ୍ୟବିତ୍ତ ଶ୍ରେଣୀ ପାଇଁ ଏକ ଜୀବନରେଖା ସଦୃଶ୍ୟ। ବିଶେଷ ଭାବରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢୁଥିବା ବେଳେ ସେମାନେ ନିଜର କଷ୍ଟୋପାର୍ଜିତ ଅର୍ଥକୁ ପରିଣତ ବୟସ ସକାଶେ ବିଭିନ୍ନ ସଞ୍ଚୟ ଜମାରେ ଖଟାଇ ତା’ର ସୁଧ ଉପରେ ନିର୍ଭର କରନ୍ତି। ସମ୍ପ୍ରତି ନିମ୍ନଆୟକାରୀ ଲୋକେ ବି ସଞ୍ଚୟ ସ୍କିମରେ ଖଟାଇ ତା’ର ସୁଧ ଉପରେ ନିର୍ଭର କରୁଛନ୍ତି।

ଦେଶରେ ସୁଧହାର ହ୍ରାସ ପାଇଥିଲେ ମଧ୍ୟ ସାଧାରଣ ଲୋକଙ୍କ ସକାଶେ ସୁଧରୁ ଆୟ ବ୍ୟତୀତ ଅନ୍ୟ କିଛି ନିର୍ଭରଯୋଗ୍ୟ ବିକଳ୍ପ ନାହିଁ। କରୋନା ବେଳେ ଯେଉଁ ଅନିଶ୍ଚୟତା ସୃଷ୍ଟି ହେଲା ସେଥିରେ ଲୋକଙ୍କ ମାନସିକତା ନିର୍ଭରଯୋଗ୍ୟ ସରକାରୀ ସଞ୍ଚୟ ଜମା ଆଡକୁ ଅଧିକ ମୁହାଁଇଛି। ତା’ସତ୍ତ୍ବେ କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷର ଶେଷ ଦିନରେ ସୁଧ ହ୍ରାସର ଯେଉଁ ନିଷ୍ପତ୍ତି ନେଲେ ତାହା ଅଧିକାଂଶ ଲୋକଙ୍କୁ ଅତ୍ୟନ୍ତ ବିବ୍ରତ କରିଦେଲା। ଯଦିଓ ଦିନକ ପରେ ତାହା ପ୍ରତ୍ୟାହୃତ ହୋଇଛି ତଥାପି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ଯେ, ସରକାର ସ୍ବଳ୍ପ ସଞ୍ଚୟ ଜମାଗୁଡିକର ସୁଧହାର କମାଇ ଦେବାକୁ ଚାହାଁନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁଧହ୍ରାସ ଆଦେଶକୁ ଅମନଯୋଗିତାର ଭ୍ରମ ବୋଲି ଉଲ୍ଲେଖ କରିଛନ୍ତି। ସରକାରଙ୍କର ନିଷ୍ପତ୍ତି ନେବା ବ୍ୟବସ୍ଥା ସମ୍ପର୍କରେ ଏହାଠାରୁ ବଳି ଅଧିକ ଦାରୁଣ ମନ୍ତବ୍ୟ ଆଉ କିଛିନାହିଁ। ଅମନଯୋଗିତା ହେତୁ ସୁଧହ୍ରାସର ଘୋଷଣା କ’ଣ ପ୍ରକୃତରେ ସମ୍ଭବ ? ତେବେ ଏହା କେଉଁ ସ୍ତରରେ ହୋଇଥିଲା ? ଏପରି ନିଷ୍ପତ୍ତି ଯେ, ବିପୁଳ ସଂଖ୍ୟକ ଲୋକଙ୍କ ପାଇଁ ଏକ ବଡ ଆଘାତ ହେବ ତାହା କ’ଣ ବିଭାଗୀୟ ମନ୍ତ୍ରୀ ଓ ଅଫିସରମାନେ ମୂଳରୁ ବୁଝିନଥିଲେ ? ଅନ୍ୟ ନିଷ୍ପତ୍ତି ଗୁଡିକ କ’ଣ ଏପରି ଢଙ୍ଗରେ ନିଆଯାଏ । ଉଦାହରଣ ସ୍ବରୂପ ୨୦୧୬ର ବିମୁଦ୍ରୀକରଣ ନିଷ୍ପତ୍ତି କ’ଣ ଅମନଯୋଗିତାର ଏକ ପରିଣାମ ଥିଲା।ଏବେ ବାସ୍ତବ କଥା ହେଲା ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଥିବା ବେଳେ ତଥାକଥିତ ଅମନଯୋଗିତାର ଭ୍ରମ ଭୋଟ ଫଳାଫଳକୁ ପ୍ରଭାବିତ କରିବାର ଆଶଙ୍କା ଦେଖା ଦେଇଥିବାରୁ ସରକାର ନିଷ୍ପତ୍ତିରୁ ଓହରିଲେ ।

ସରକାର ଯେତେବେଳେ ଉପଲବ୍ଧି କଲେ ଯେ,ସୁଧହ୍ରାସ ନିଷ୍ପତ୍ତି ବିଜେପିର କ୍ଷତିକରିବ ସେତେବେଳେ ନିଷ୍ପତ୍ତିକୁ ବଦଳାଇଲେ। ପ୍ରଥମ କଥା ହେଲା ସରକାରଙ୍କୁ ବଜାରରୁ ସହଜରେ ଋଣ କରିବା ପାଇଁ ସୁଧହାର କମାଯାଇଥିଲା। ଏବର୍ଷ ସରକାର ୧୨ ଲକ୍ଷ କୋଟି ଟଙ୍କା ଋଣ ଉଠାଇବାର ପ୍ରସ୍ତାବ ରହିଛି। ସ୍ବଳ୍ପ ସଞ୍ଚୟ ସୁଧହାର ଉଚ୍ଚ ରହିଲେ ସରକାରଙ୍କ ପାଇଁ ଏହା ମହଙ୍ଗା ପଡ଼ିବ। କିନ୍ତୁ ଭୋଟ ଫଳାଫଳ ଉପରେ ନିଷ୍ପତ୍ତିର ପ୍ରଭାବ ଭୟ ସୃଷ୍ଟି କରିବାରୁ ପୁନର୍ବିଚାର ପାଇଁ ସରକାର ବାଧ୍ୟ ହେଲେ। ଦୁଃଖର ବିଷୟ ଯେ, ସାଧାରଣ ଲୋକଙ୍କ ଜୀବନ ଉପରେ ମୂଳ ନିଷ୍ପତ୍ତିର କୁପ୍ରଭାବକୁ ସରକାର ବୋଧେ ଉପଲବ୍ଧି କରିନାହାନ୍ତି। ବିଶେଷ ଭାବରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏହା କେତେ କ୍ଷତି ଆଣିଦେବ ତାହା ଅବର୍ଣ୍ଣନୀୟ।

ବହୁ ସଂଖ୍ୟକ ବରିଷ୍ଠ ନାଗରିକ ସ୍ବଳ୍ପ ସଞ୍ଚୟ ଜମା ଉପରେ ନିର୍ଭରଶୀଳ। ଗତ ବର୍ଷକର କରୋନା ସମୟରେ ଲକଡାଉନ ଯୋଗୁଁ ସେମାନଙ୍କର ସ୍ଥିତି ଆହୁରି ଖରାପ ହୋଇଯାଇଛି। ସରକାର ନିଜର ଋଣ ଉଠାଣକୁ ସହଜ କରିବା ପାଇଁ ଖାମଖିଆଲି ଭାବେ ସେମାନଙ୍କ ଆୟକୁ କାଣ୍ଟଛାଣ୍ଟ କରିବାକୁ ପଦକ୍ଷେପ ନେଉଥିଲେ । ମଧ୍ୟବିତ୍ତ ଶ୍ରେଣୀ ଲୋକେ ମଧ୍ୟ ସ୍ବଳ୍ପ ସଞ୍ଚୟ ଜମା ଉପରେ ନିର୍ଭର କରୁଛନ୍ତି। ସରକାର ବାଳିକାଙ୍କ ଭବିଷ୍ୟତ ଓ ଚାଷୀଙ୍କ କଲ୍ୟାଣ ବିଷୟରେ କହୁଥିବା ବେଳେ ଉକ୍ତ ନିଷ୍ପତ୍ତି ନେଲା ବେଳେ ସେ ବିଷୟ ବିଚାରକୁ ଆସିଥିଲା କି ନା ଏକ ପ୍ରଶ୍ନ। ପ୍ରତ୍ୟାହାର ନିଷ୍ପତ୍ତି ମଧ୍ୟ ସୁବିଧାବାଦୀ ଆଭିମୁଖ୍ୟକୁ ପଦାରେ ପକାଇଛି।ଏହି କାରଣରୁ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଅଥବା ପୁଣି ସୁଧ କାଟ ନିଷ୍ପତ୍ତି ଘୋଷିତ ହେବାର ଆଶଙ୍କାକୁ ଏଡା ଯାଇନପାରେ ।

ଦେଶରେ କରୋନା ଯୋଗୁଁ ବିପର୍ଯ୍ୟସ୍ତ ଅର୍ଥନୀତି ପୁନରୁଦ୍ଧାର ପଥରେ ବି ପ୍ରାକ କରୋନା ସ୍ଥିତି ଫେରିବାକୁ ସମୟ ଲାଗିବ। କରୋନା ବର୍ଷରେ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କୁ ସରକାର ଆଉ ଅସୁବିଧାରେ ପକାଇବା ଅନୁଚିତ। ମଧ୍ୟବିତ୍ତ ଶ୍ରେଣୀ ଓ ବରିଷ୍ଠ ନାଗରିକମାନେ କିପରି ସୁରକ୍ଷିତ ଆୟସ୍ତରରେ ରହିବେ ସେ ଦିଗଟିକୁ ସରକାର ଦୃଷ୍ଟିରେ ରଖିବା ଦରକାର। ସୁଧହାର ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିଲେ ସେମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତେ।ସରକାରଙ୍କ ମନରେ ଯେ ଏହି ବିଚାର ଥିଲା ସେ ଦୃଷ୍ଟିରୁ ଜଣାପଡିଯାଉଛି ଯେ,ସବୁ ଦୁର୍ବଳବର୍ଗଙ୍କ ଆବଶ୍ୟକତାକୁ ସରକାର ଠିକ ଭାବେ ବିଚାର କରୁନାହାନ୍ତି।

Leave A Reply

Your email address will not be published.

ବ୍ରେକିଂ