ଦିଲ୍ଲୀ ବଜେଟରେ ଅଭିନବତ୍ଵ 

ବଜେଟ ଗୁଡିକ ହେଲା ସରକାରଙ୍କର ଆୟବ୍ୟୟ ତଥ୍ୟ ସମ୍ବଳିତ ଦଲିଲ।  କିନ୍ତୁ ପ୍ରାୟତଃ ବଜେଟକୁ ଏକ ରାଜନୈତିକ ବକ୍ତବ୍ୟ ଭାବେ ଧରାଯାଏ। ନିର୍ବାଚିତ ସରକାର ଗୁଡ଼ିକ ନିର୍ବାଚନ ପୂର୍ବରୁ ଲୋକଙ୍କ ଆଗରେ ରଖିଥିବା ଇସ୍ତାହାରକୁ ବଜେଟରେ କାର୍ଯ୍ୟକାରୀ କରନ୍ତି  ଓ କ୍ଷମତାରେ ରହିବା ମଧ୍ୟରେ ଯେଉଁସବୁ ନୂଆ ପଦକ୍ଷେପ ନିଅନ୍ତି ତଥା ସେ ବାବଦରେ ଅର୍ଥ ବରାଦ କରନ୍ତି ସେସବୁ ପରବର୍ତ୍ତୀ ନିର୍ବାଚନ ବେଳେ ଇସ୍ତାହାରର ଅଂଶହୁଏ।

ବେ ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରଙ୍କର କ୍ଷମତାକୁ ସଙ୍କୁଚିତ କରିଦେବା ଲାଗି କେନ୍ଦ୍ର ସରକାର ଆଇନଗତ ପରିବର୍ତ୍ତନ ଜରିଆରେ ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ଦେଇଥିବା ସତ୍ତ୍ବେ ଅରବିନ୍ଦ କେଜ୍ରିୱାଲ ସରକାର ଉକ୍ତ ସହର ରାଜ୍ୟ ଲାଗି  ଆଣିଥିବା ବଜେଟରେ କିଛିଟା ଅଭିନବତ୍ବ   ପ୍ରବର୍ତ୍ତନ କରିବା ସାଙ୍ଗକୁ  ବିରୋଧୀ ବିଜେପିର ରାଜନୈତିକ  କୌଶଳକୁ  ଅନୁକରଣ କରିବାକୁ ଚେଷ୍ଟା କରିଛନ୍ତି। ତାଙ୍କ ଦଳ ଦେଶର ରାଜଧାନୀ ସହରରେ  କ୍ଷମତାରେ ଥିବାରୁ ଓ ଅବକ୍ଷୟମୁଖୀ କଂଗ୍ରେସର ସ୍ଥାନକୁ ଜାତୀୟ ସ୍ତରରେ ଦଖଲ କରିବା ସକାଶେ  ଅଭିଳାଷ  ରଖିଥିବାରୁ ଏଥରର ଦିଲ୍ଲୀ ବଜେଟକୁ ଅନ୍ୟ ରାଜନୈତିକ ଦଳଗୁଡ଼ିକ ଦେଖିବା ଉଚିତ।

ଆମ ଆଦମୀ ପାର୍ଟି ସରକାର ଦିଲ୍ଲୀରେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ବ୍ୟବସ୍ଥାର ଗୁରୁତ୍ବକୁ ବଢାଇଥୁବା ଜଣାଶୁଣା। ଏ ଦୁଇଟି ବିଷୟ ସାମାଜିକ ଉଦ୍ୟୋଗର ମୁଖ୍ୟ ଅଂଶ। ଭାରତ ପରି ଜନବହୁଳ ଦେଶରେ ଯେକୌଣସି ରାଜ୍ୟରେ ଏ ଦୁଇଟି ବାବଦରେ ଲୋକଙ୍କ ହାତରୁ ଅଧିକ ଅର୍ଥ ଖର୍ଚ୍ଚ ହେଉଥିବା ଜଣାଶୁଣା। ଯଦିଓ ସ୍କୁଲ ଠାରୁ ଡାକ୍ତରଖାନା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଟିକସଦାତାଙ୍କ ଅର୍ଥ ବିପୁଳ ପରିମାଣରେ ଖର୍ଚ୍ଚ ହେଉଛି। ଆପ ସରକାର ଦିଲ୍ଲୀରେ ଏ ଦୁଇଟିର ପରିଚାଳନାକୁ ଉନ୍ନତ କରିବାକୁ ଚେଷ୍ଟା କରିଆସିଛି। ଅବଶ୍ୟ କରୋନା ବେଳେ ମହାମାରୀର ସଂକ୍ରମଣ ବୃଦ୍ଧି ଯୋଗୁଁ ସାମଗ୍ରୀକ ଭାବେ ସମଗ୍ର ଦେଶରେ ଶିକ୍ଷା ଓ ସ୍ବାସ୍ଥ୍ୟର ପରିଚାଳନାକୁ ଧ୍ୟାନ ଦିଆଯାଇପାରିଲାନାହିଁ ଏବଂ  ସ୍ବାସ୍ଥ୍ୟକ୍ଷେତ୍ରରେ କେବଳ ସବୁ ସରକାର କରୋନା ମୁକାବିଲାକୁ  ଅଗ୍ରାଧିକାର ଦେଲେ।

ଦିଲ୍ଲୀ ବଜେଟରେ ଏଥର କେଜ୍ରିୱାଲ ସରକାର ସାମାଜିକ କଲ୍ୟାଣକୁ ଅଧୁକ ଗୁରୁତ୍ବ ଦେଇଛି। ବଜେଟରେ ଶିକ୍ଷା ଲାଗି ୨୩.୭୪ ପ୍ରତିଶତ ଓ ସ୍ବାସ୍ଥ୍ୟ ବାବଦରେ ୧୪ ପ୍ରତିଶତ ଅର୍ଥ ବ୍ୟବସ୍ଥା କରାଯାଇଛି। ମହଲା କ୍ଲିନିକ ଜରିଆରେ ସାହିବସ୍ତିରେ ସ୍ବାସ୍ଥ୍ୟ ସେବାକୁ ପହଞ୍ଚାଇଥିବା ଆପ ସରକାର ଏପରି କ୍ଲିନିକ ସଂଖ୍ୟା ଦ୍ବିଗୁଣିତ କରିବାକୁ ଲକ୍ଷ୍ୟ ରଖିଛି। ଏପରି ୧୦୦ଟି କ୍ଲିନିକ ଖୋଲାଯିବ ଓ ସେଗୁଡିକ ମୁଖ୍ୟତଃ ମହିଳାଙ୍କ ପାଇଁ ହେବ।ସରକାର ୨୦୪୭ ସୁଦ୍ଧା ଦିଲ୍ଲୀ ସହରରେ ଆଶା କରାଯାଉଥିବା ୩.୨୮କୋଟି ଜନସଂଖ୍ୟା ପାଇଁ ଭିତ୍ତିଭୂମି ନିର୍ମାଣ କରିବା ସାଙ୍ଗକୁ  ପ୍ରତ୍ୟେକ ଦିଲ୍ଲୀ ବାସିନ୍ଦାଙ୍କର ମୁଣ୍ଡପିଛା ଆୟ ସେ ସମୟରେ ସିଙ୍ଗାପୋରବାସୀଙ୍କ ସହ ସମାନ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି।

ଆପ କିପରି ବିଜେପିର ସୂତ୍ରକୁ ଗ୍ରହଣ କରୁଛି ତାହା ଦିଲ୍ଲୀର ଏଥର ବଜେଟରେ  ଦେଶପ୍ରେମ ପ୍ରତି ପ୍ରାଧାନ୍ୟରୁ ସୂଚୀତ ହୋଇଛି। କେଜ୍ରିୱାଲ ସରକାର ନିଜ ବଜେଟକୁ ‘ଦେଶଭକ୍ତି’ ବଜେଟ ବୋଲି ବର୍ଣ୍ଣନା କରିଛନ୍ତି। ଏଥିରେ ନାଗରିକଙ୍କ ମଧ୍ୟରେ ଜାତୀୟତାର ଜାଗରଣ ଉପରେ ଜୋର ଦିଆଯାଇ ନାଗରିକଙ୍କ ଦାୟିତ୍ବ ସମ୍ପର୍କରେ ସଚେତନ କରିବାକୁ ଉଦ୍ୟମ ହୋଇଛି। ବଡକଥା ହେଲା ଦିଲ୍ଲୀ ସହରରେ ପାଞ୍ଚଶହଟି ଅତି ଉଚ୍ଚ ଖମ୍ବରେ ଜାତୀୟ ପତାକା ବିଭିନ୍ନ ସ୍ଥାନରେ ସବୁବେଳେ ଉଡାଇବା ପାଇଁ ୪୫ କୋଟି ଟଙ୍କା ବରାଦ କରାଯାଇଛି। କୁହାଯାଇଛି ଯେ, ପ୍ରତି ୨ କିଲୋମିଟର ବ୍ୟବଧାନରେ ଏପରି ହାଇମାକ୍ସ ଜାତୀୟ ପତାକା ଲଗାଯିବ, ଯାହାକୁ ସମସ୍ତେ ଦେଖୁପାରିବେ  ।

 ଲୋକଙ୍କର ଦେଶପ୍ରେମ ବଢାଇବା ପାଇଁ ଓ ସେମାନଙ୍କ ମଧ୍ୟରେ ଜାତୀୟତାର ଗର୍ବ ଉଦ୍ରେକ କରିବା ସକାଶେ ଏହା ଉଦ୍ଦିଷ୍ଟ  ବୋଲି କୁହାଯାଇଛି। ସହରର ସ୍କୁଲ ଗୁଡ଼ିକରେ ଦେଶ ପ୍ରେମ ପାଠ୍ୟକ୍ରମ ପ୍ରବର୍ତ୍ତନ କରାଯିବ। ଭଗତ ସିଂଙ୍କଠାରୁ ଆରମ୍ଭ କରି ବି.ଆର.ଆମ୍ବେଦକରଙ୍କ ପର୍ଯ୍ୟନ୍ତ  ବିଶିଷ୍ଟ ବ୍ୟକ୍ତିମାନଙ୍କର ଜୀବନୀକୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପଢାଯିବ। ବିଜେପିର ମନ୍ଦିର ରାଜନୀତିକୁ ପରୋକ୍ଷରେ ମୁକାବିଲା କରିବା ଲାଗି ଆପ ସରକାର କହିଛନ୍ତି ଯେ,  ଦିଲ୍ଲୀର ବରିଷ୍ଠ ନାଗରିକମାନଙ୍କୁ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ସରିବା ପରେ ସେଠାକୁ ପରିଦର୍ଶନ ପାଇଁ ନିଆଯିବ। କେଜ୍ରିୱାଲ କହିଛନ୍ତି ଯେ, ରାମରାଜ୍ୟ ତାଙ୍କ ସରକାରଙ୍କର ଆଦର୍ଶ। ସ୍ବାସ୍ଥ୍ୟ, ଗୃହନିର୍ମାଣ, ଶିକ୍ଷା ଓ ନିରାପତ୍ତା ଆଦି  ସରକାରଙ୍କର ପ୍ରାଥମିକ ଦାୟିତ୍ବକୁ ସେ ରାମରାଜ୍ୟର ୧୦ଟି ନୀତି ମଧ୍ୟରେ ସ୍ଥାନ ଦେଇଛନ୍ତି।

ଦେଶରେ ବିଜେପିକୁ ଅନୁକରଣ କରି ଅନ୍ୟ ଦଳଗୁଡ଼ିକ ନମ୍ର ହିନ୍ଦୁତ୍ବକୁ ଗ୍ରହଣ କରୁଥୁବା ଜଣାଶୁଣା। ଆପ ମଧ୍ୟ ସେଥିରେ ସାମିଲ ହୋଇଛି। ଧର୍ମ ଏକ ଘରୋଇ ବିଷୟ ହୋଇଥିଲେ ହେଁ ଭାରତରେ ଏହାକୁ ସବୁବେଳେ ରାଜନୀତିରେ ଯୋଡାଯାଇଛି। ରାଜସ୍ଥାନର କଂଗ୍ରେସ ସରକାର ମଧ୍ୟ ଏବେ ଅଯୋଧ୍ୟାର ରାମମନ୍ଦିର ପାଇଁ ପଥର ଯୋଗାଇବାକୁ ଖଣିଖନନର ବୈଧିକରଣ କରିଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନ ବେଳେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିର୍ବାଚନ ସଭାରେ ଚଣ୍ଡୀପାଠ କଲେ। ସମ୍ପ୍ରତି ହିନ୍ଦୁତ୍ବକୁ ନେଇ ଯେଉଁ ପ୍ରତିଦ୍ବନ୍ଦ୍ବିତା ଚାଲିଛି ତାହା ଭବିଷ୍ୟତରେ ଦେଶର ସାମାଜିକ ଓ ରାଜନୀତି କ୍ଷେତ୍ରରେ କଠୋରପନ୍ଥୀଙ୍କୁ ଓ ମୌଳବାଦକୁ ଅଧିକ ସ୍ବୀକୃତି ଦେବ। କିନ୍ତୁ ରାଜନୈତିକ ଦଳଗୁଡ଼ିକ ଭୋଟକୁ ନଜରରେ ରଖି ନିଜର କୌଶଳ ସ୍ଥିର କରୁଥିବାରୁ ସେମାନଙ୍କୁ ଧର୍ମନିରପେକ୍ଷତାର ଶୃଙ୍ଖଳା ଶିଖାଇବା କଷ୍ଟକର।

Leave A Reply

Your email address will not be published.

ବ୍ରେକିଂ