ବସ୍ତର ବିଫଳତା 

ମାତ୍ର ୧୦ଦିନ ମଧ୍ୟରେ ଛତିଶଗଡର ବସ୍ତର ଅଞ୍ଚଳରେ ମାଓବାଦୀମାନେ ଦୁଇଟି ବଡଧରଣର ଆକ୍ରମଣ କରିବା ପରେ ସ୍ପଷ୍ଟ ହୋଇଯାଇଛି ଯେ, ଦେଶରେ ନକ୍ସଲ ସମସ୍ୟା କମିଯାଇଥିବା ଧାରଣା ଭୁଲ ଏବଂ ନକ୍ସଲପନ୍ଥୀମାନେ ନିରାପତ୍ତାବାହିନୀ ପାଇଁ ବିପୁଳ କ୍ଷତି ଆଣିଦେବା ଲାଗି ସକ୍ଷମ । ଗତ ମାର୍ଚ୍ଚ ୨୩ ତାରିଖରେ ଛତିଶଗଡର ନାରାୟଣପୁର ଜିଲ୍ଲାରେ ନିରାପତ୍ତା କର୍ମଚାରୀମାନଙ୍କୁ ନେଇ ଯାଉଥିବା ଏକ ବସ ଉନ୍ନତ ବିସ୍ଫୋରକ (ଆଇଇଡି)ଦ୍ବାରା  ଧ୍ବଂସ ହୋଇଯିବାରୁ ସେଥିରେ ୫ ଜଣ ଜିଲ୍ଲା ପୋଲିସ  ମୃତ୍ୟୁବରଣ କଲେ । ତା’ପରେ ଏପ୍ରିଲ ୩ ତାରିଖ ଦିନ ସୁକମା  ଜିଲ୍ଲାରେ ନିରାପତ୍ତା କର୍ମଚାରୀଙ୍କୁ ମାଓବାଦୀମାନେ  ଆକ୍ରମଣ କରିବାରୁ ସେଥିରେ ୨୨ ଜଣ ଯବାନ   ମୃତ୍ୟୁବରଣ କରିଥିବା ବେଳେ  ୩୨ ଜଣ ଆହତ ହୋଇଛନ୍ତି ଓ ଜଣଙ୍କର ପତ୍ତା ମିଳୁନାହିଁ। ଏହି  ମୃତ୍ୟୁସଂଖ୍ୟା ବଢିପାରେ ।

ଏହି ହମଲା ୪୦୦ଜଣ ମାଓବାଦୀ ଘଟାଇଥିବା କୁହାଯାଉଛି। ଯାହାକୁ ସେମାନଙ୍କର ଏକ ଯୁଦ୍ଧ ଅଭିଯାନ ଆଖ୍ୟା ଦିଆଯାଇପାରେ । ଉଭୟ ପକ୍ଷ ମଧ୍ୟରେ  ଗୋଳା ବିନିମୟରୁ ଜଣାଗଲା ଯେ, ଯବାନଙ୍କ ଅପେକ୍ଷା ସଶସ୍ତ୍ର ମାଓବାଦୀଙ୍କ ସଂଖ୍ୟା ଅଧିକ ଥିଲା, ଯେଉଁ କାରଣରୁ ଅଧିକ ନିରାପତ୍ତାରକ୍ଷୀ ନିହତ ହେଲେ । ଏହି ବିପର୍ଯ୍ୟୟର ସବିଶେଷ ତଥ୍ୟ ବାହାରୁଥିବା ବେଳେ ଜଣାପଡୁଛି ଯେ, ମାଓବାଦୀଙ୍କ ଏକନମ୍ବର ବାଟାଲିୟନର କମାଣ୍ଡର ହିଡମା ସେହି ଅଞ୍ଚଳରେ ଥିବା ଖବର ପାଇ ତାକୁ ଧରିବା ଲାଗି ନିରାପତ୍ତାବାହିନୀ ପକ୍ଷରୁ ଏକ ଅଭିଯାନ ହୋଇଥିଲା । ଏଥିରେ ପ୍ରାୟ ଏକହଜାର ନିରାପତ୍ତାବାହିନୀ ଯବାନ ଓ ସହାୟକ ବାହିନୀ କର୍ମଚାରୀମାନେ ଅଭିଯାନରେ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ସେମାନେ ମାଓବାଦୀଙ୍କ ପାଲଟା ଆକ୍ରମଣ ଜାଲରେ ଛନ୍ଦି ହୋଇଯାଇଥିଲେ। ନିଶ୍ଚିତ ଭାବେ ଏହା ନିରାପତ୍ତା ବାହିନୀର ଏକ ବଡ ବିଫଳତା। ଏଥିଯୋଗୁଁ ଶକ୍ତିହ୍ରାସ ସତ୍ତ୍ବେ ଛତିଶଗଡରେ ତଥା ଅନ୍ୟ ମାଓପ୍ରବଣ ରାଜ୍ୟଗୁଡିକରେ ନକ୍ସଲ ପୁଣି ସକ୍ରିୟ ହୋଇପାରନ୍ତି।

ନକ୍ସଲ ଓ ମାଓ ହିଂସାକାଣ୍ଡରେ ପ୍ରାୟ ଦୁଇଦଶନ୍ଧିରେ  ଦେଶରେ ୧୨ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି । ତନ୍ମଧ୍ୟରେ ୨୭ଶହ ନିରାପତ୍ତାରକ୍ଷୀ ଯବାନ ଅନ୍ତର୍ଭୁକ୍ତ। ଗତ କିଛିବର୍ଷରେ ମାଓବାଦୀ ଆକ୍ରମଣ ସଂଖ୍ୟା କମିଛି। ସେମାନେ ଦେଶର ଯେଉଁ ଯେଉଁ ଅଞ୍ଚଳରେ ପ୍ରଭାବ ବିସ୍ତାର କରିଥିଲେ ତାହା ମଧ୍ୟ ସଙ୍କୁଚିତ ହୋଇଯାଇଛି। କିନ୍ତୁ ଛତିଶଗଡର ବସ୍ତର ଇଲାକାରେ ସେମାନଙ୍କ ସଂଗଠନ ବେଶ ସକ୍ରିୟ ଥିବା କୁହାଯାଉଛି। ଛତିଶଗଡର ପୂର୍ବ ବିଜେପି ସରକାର ଓ ଏବେକାର କଂଗ୍ରେସ ଶାସନ ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ମିଶି ବସ୍ତର ଇଲାକାକୁ ମାଓବାଦୀଙ୍କ ଠାରୁ  ମୁକ୍ତ କରିବା ପାଇଁ  ମିଳିତ ଅଭିଯାନ ଚାଲୁ ରହିଛି। ଏଥରର ଆକ୍ରମଣରୁ ଜଣାପଡୁଛି ଯେ, ମାଓବାଦୀମାନେ ପୋଲିସକୁ ଫସାଇବା ପାଇଁ ଆଗୁଆ ଗୁଇନ୍ଦା ଖବର  ଦେଇ ଶେଷରେ ପୋଲିସ ବାହିନୀକୁ ନିଜ ଜାଲକୁ ଟାଣିନେଲେ।

ନିରାପତ୍ତାବାହିନୀ ଚତୁରତାର ସହ ମାଓବାଦୀଙ୍କୁ ମୁକାବିଲା ନକରି ସେମାନେ ଅଭିଯାନ ପରି  ଜଙ୍ଗଲ ଭିତରେ ପ୍ରବେଶ କରୁଥିବାରୁ ମାଓବାଦୀମାନେ ସେମାନଙ୍କ ଉପରେ ଆକ୍ରମଣ କରିବା ସହଜ ହେଉଛି। ଏକ ସମୟରେ ହଜାର ହଜାର ଯବାନଙ୍କୁ ଜଙ୍ଗଲ ନପଠାଇ ଯଦି ଉପଯୁକ୍ତ ଗୁଇନ୍ଦା ରିପୋର୍ଟ ଭିତ୍ତିରେ ଛୋଟ ଛୋଟ ନିରାପତ୍ତାରକ୍ଷୀ ଗୋଷ୍ଠୀଙ୍କୁ ପଠାଯାଇଥା’ନ୍ତା ହୁଏତ  ସେଥିରେ ଅଧିକ ସଫଳତା ମିଳିଥା’ନ୍ତା। ବସ୍ତରରେ ହିଡମା ପୋଲିସ ପାଇଁ ନୂଆ ଚାଲେଞ୍ଜ ହୋଇଛି। ଗତ ଦୁଇ ତିନି ସପ୍ତାହ ମଧ୍ୟରେ ତାକୁ ଧରିବା ପାଇଁ ବରିଷ୍ଠ ପୋଲିସ ଓ ଅର୍ଦ୍ଧ ସାମରିକମାନେ   ହେଲିକପ୍ଟରରେ ସେ ଅଞ୍ଚଳରେ ପହଞ୍ଚିଥିଲେ ନିଶ୍ଚିତ ଭାବେ ତାହା  ମାଓବାଦୀଙ୍କୁ ସତର୍କ କରିଦେଇଥିବ।

ଉଗ୍ରବାଦୀମାନେ  ତା’ପରେ ପୋଲିସ ମୁକାବିଲାର ଯୋଜନା ପ୍ରସ୍ତୁତ କରିଥିବେ । ଉଭୟ ପକ୍ଷ ମଧ୍ୟରେ ୫ ଘଣ୍ଟାରୁ ଅଧିକ ସମୟ ଧରି ଗୁଳିବିନିମୟ ଚାଲିଥିଲା। ଏହା ଭିତରେ ମାଓ ଆକ୍ରମଣର ଶିକାର  ହୋଇଥିବା ଯବାନମାନଙ୍କୁ ସାହାଯ୍ୟ କରିବା ପାଇଁ ଅଧିକ ସଶସ୍ତ୍ର ପୋଲିସ ପଠାଯାଇପାରିଥାନ୍ତା। କାରଣ ବସ୍ତରରେ ସବୁବେଳେ ଯଥେଷ୍ଟ ସଂଖ୍ୟକ ନିରାପତ୍ତା ରକ୍ଷୀ ଅଛନ୍ତି। ଏହା ଏକ ଯୋଗାଯୋଗ ବିଫଳତା କି କ’ଣ ତାହା ତା’ର ଅନୁସନ୍ଧାନ ହେବା ଉଚିତ। ନକ୍ସଲ ଉପଦ୍ରୁତ ଇଲାକାରେ ସଠିକ ଗୁଇନ୍ଦା ତଥ୍ୟ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ବସ୍ତରରେ  ଏପରି ଖବର  ସବୁବେଳେ ଠିକଭାବେ ପହଞ୍ଚୁନାହିଁ। ବୋଧହୁଏ ପ୍ରଶାସନ  ଏଯାଏଁ ସ୍ଥାନୀୟ ଲୋକଙ୍କୁ ପୁରା ବିଶ୍ବାସକୁ ନେଇପାରିନାହିଁ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବସ୍ତର ଆଦିବାସୀମାନଙ୍କୁ ବିକାଶର ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ସେସବୁ ଯୋଜନାର ଉପକାର ଲୋକଙ୍କ ପାଖରେ ପହଞ୍ଚୁଛି କି ନା ତାହା ସରକାର ଦେଖିବା ଉଚିତ। ଏବେକାର ହିଂସାକାଣ୍ଡରେ ରାଜନୈତିକ କାରଣରୁ କେନ୍ଦ୍ର ଓ ରାଜ୍ୟ ପରସ୍ପରକୁ ଦୋଷାରୋପ ନକରି ଉଗ୍ରବାଦର ମୂଳୋତ୍ପାଟନ ପାଇଁ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି କାମ କରିବା ଦରକାର। ୬୦ଦଶକର ଶେଷ ଭାଗରୁ ଆରମ୍ଭ ହୋଇଥିବା ନକ୍ସଲ ଆନ୍ଦୋଳନ ପରବର୍ତ୍ତୀ ଦଶନ୍ଧିଗୁଡ଼ିକରେ ମାଓବାଦର ନାମ ନେଇ ବହୁ ରାଜ୍ୟକୁ ବ୍ୟାପି  ଯାଇଥିଲା। ଏଣୁ ଦେଶରେ ଏହାକୁ ସବୁଠାରୁ ସାଂଘାତିକ ଆଭ୍ୟନ୍ତରୀଣ ହିଂସାତ୍ମକ ବିପଦ ବୋଲି କୁହାଯାଉଥିଲା। ଛତିଶଗଡରେ ଏହାର ସର୍ବଶେଷ ସ୍ଥିତି ରହିଥିବା କୁହାଯାଉଛି। ଏଣୁ ସେଠାରୁ ଏହାର ମୂଳୋତ୍ପାଟନ ହେଲେ ଦେଶରେ ମାଓ ହିଂସାକାଣ୍ଡ ଏକପ୍ରକାର ଲୋପ ପାଇବ। କିନ୍ତୁ  ବସ୍ତର ଏବେକାର ଦୁଇଟି ଆକ୍ରମଣ ଆଶଙ୍କା ସୃଷ୍ଟି କରିଛି ଯେ, କେବଳ ଛତିଶଗଡ ନୁହେଁ ଓଡ଼ିଶା ସମେତ ମାଓ ସମସ୍ୟା ଥିବା ଅନ୍ୟ ରାଜ୍ୟଗୁଡ଼ିକରେ ବି କେତେବେଳେ ମାଓ ହିଂସାର ପୁନରାବୃତ୍ତି ଘଟିପାରେ ।

Leave A Reply

Your email address will not be published.

ବ୍ରେକିଂ