ରାଫେଲ ପୁଣି ଚର୍ଚ୍ଚାରେ  

ଫ୍ରାନ୍ସର ତଦନ୍ତକାରୀ ସମ୍ବାଦ ପୋର୍ଟାଲ ସଂସ୍ଥା ‘ମିଡିଆ ପାର୍ଟ’ ପ୍ରକାଶ କରିଛି ଯେ ବହୁଚର୍ଚ୍ଚିତ ରାଫେଲ ବିମାନ କାରବାରରେ ପ୍ରକୃତରେ ଜଣେ ମଧ୍ୟସ୍ଥି ଥିଲେ । ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ରାଫେଲ ଖର୍ଦ୍ଦି କାରବାର ସମ୍ପର୍କରେ  ନିଷ୍ପତ୍ତି ନେବା ବେଳେ ବିରୋଧୀଦଳ ଏଥିରେ ଦୁର୍ନୀତି ଅଭିଯୋଗ ଉଠାଇଥିଲେ । ଦୁଇଟି ଇଞ୍ଜିନ ବିଶିଷ୍ଟ ଏହି ମଧ୍ୟମ ଧରଣର ବହୁ ଭୂମିକା ଥିବା ଲଢୁଆ ବିମାନର ଦାମ ଉପରେ ବିରୋଧୀଦଳ ପ୍ରଶ୍ନ ଉଠାଇଥିଲେ। ମୁଖ୍ୟ ବିରୋଧୀଦଳ  କଂଗ୍ରେସର ଅଭିଯୋଗ ଥିଲା ଯେ ୟୁପିଏ ସରକାର ବେଳେ ଉକ୍ତ ବିମାନ ପାଇଁ ଅଧିକ ସନ୍ତୋଷଜନକ ମୂଲଚାଲ ହୋଇଥିଲା।

ବିମାନ ଯୋଗାଣକାରୀ ସଂସ୍ଥା ଫ୍ରାନ୍ସର  ଡାସଲ୍ଟ ଆଭିସେନ ସହ ୟୁପିଏ ସରକାର ଯେଉଁ କଥାବାର୍ତ୍ତା କରିଥିଲା ତଦନୁସାରେ କମ ଦାମରେ ୧୨୬ଟି ରାଫେଲ ଜେଟ ବିମାନ ମିଳିଥାନ୍ତା । ସେହି ପ୍ରକ୍ରିୟାରେ ଭାରତର ସରକାରୀ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡକୁ  ଡାସଲ୍ଟ ବୈଷୟିକ କୌଶଳ ହସ୍ତାନ୍ତର କରିଥାନ୍ତା। ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ପରିଶେଷରେ ୨୦୧୬ରେ ୭.୮୭ ବିଲିୟନ ୟୁରୋ ମୂଲ୍ୟରେ ସିଧାସଳଖ ୩୬ଟି ବିମାନ ଖର୍ଦ୍ଦି କରିବା ଲାଗି ଯେଉଁ ନିଷ୍ପତ୍ତି ନେଲା ତାହା ଅପେକ୍ଷା ପୂର୍ବ ପ୍ରସ୍ତାବ ଯଥେଷ୍ଟ ଶସ୍ତା ଥିଲା ବୋଲି ବିରୋଧୀଦଳ ଯୁକ୍ତି କରିଥିଲା। କିନ୍ତୁ ଏନଡିଏ ସରକାରର ରାଫେଲ ଖର୍ଦ୍ଦି ରାଜିନାମାକୁ କଣ୍ଟ୍ରୋଲ ଓ ଅଡିଟର ଜେନେରାଲ ଅନୁମୋଦନ କରିବା ସାଙ୍ଗକୁ ସୁପ୍ରିମକୋର୍ଟ ଦୁର୍ନୀତି ଅଭିଯୋଗକୁ ଅଗ୍ରାହ୍ୟ କରିଦେଲେ ।

ସର୍ବୋଚ୍ଚ ନ୍ୟାୟାଳୟ ପ୍ରଥମେ ୨୦୧୮ରେ ଓ ପରେ  ୨୦୧୯ଏକ ରିଭ୍ୟୁ ପିଟିସନରେ ରାଫେଲ ଦୁର୍ନୀତି ଅଭିଯୋଗକୁ ଖାରଜ କରି ଦେଇଥିଲେ। କିନ୍ତୁ ଏବେ ମିଡିଆ ପାର୍ଟ ସଂସ୍ଥାର ଅନୁସନ୍ଧାନ ରାଫେଲ କାରବାରରେ ଅଳିଆକୁ ଖୋଳି ବାହାର କରିଛି। ଫଳତଃ ଏଥିରେ ଦୁର୍ନୀତିର ଛାପ ପୁଣି ଚର୍ଚ୍ଚାକୁ ଆସିଛି।

ଉପରୋକ୍ତ  ଅନଲାଇନ ପତ୍ରିକା ଅନୁସାରେ  ଫ୍ରାନ୍ସର ଦୁର୍ନୀତି ବିରୋଧୀ ଜାଗ୍ରତପ୍ରହରୀ ସଂସ୍ଥା ଏଜେନ୍ସ ଫ୍ରାଙ୍କାଇସ ଆଣ୍ଟି କରପ୍ସନ ରାଫେଲ ଚୁକ୍ତିର ରୁଟିନ ଅଡିଟ କରିଥିଲା। ଏଥିରେ ଦେଖାଯାଇଥିଲା ଯେ, ରାଫେଲ ଯୋଗାଣକାରୀ ଡାସଲ୍ଟ ଏକ ଭାରତୀୟ କମ୍ପାନୀକୁ ଅର୍ଥ ଦେବାକୁ ରାଜି ହୋଇଥିଲା।ଏହା ମଧ୍ୟସ୍ଥି ବା ଦଲାଲ ସୁସେନ ଗୁପ୍ତାଙ୍କର ଡିଫସିସ ସଲ୍ୟୁସନ୍ସ। ରାଫେଲ ଜେଟ ବିମାନର ବୃହତ ପ୍ରତିରୂପ ସବୁକୁ ଉତ୍ପାଦନ କରିବା ପାଇଁ ଉକ୍ତ ସଂସ୍ଥାକୁ ଡାସଲ୍ଟ ଏକ ନିୟୁତ ୟୁରୋ ଦେଇଥା’ନ୍ତା। କିନ୍ତୁ ମିଡିଆ ପାର୍ଟ ସଂସ୍ଥାର ରିପୋର୍ଟ ଅନୁସାରେ ଅଡିଟ ବେଳେ ପ୍ରକୃତରେ ରାଫେଲର ପ୍ରତିରୂପ ନିର୍ମାଣର କୌଣସି ପ୍ରମାଣ ମିଳିଲାନାହିଁ। ଏଣୁ ଫ୍ରାନ୍ସର ପବ୍ଳିକ ପ୍ରସିକ୍ୟୁସନ ସର୍ଭିସେସର ଆର୍ଥିକ ଅପରାଧ ଶାଖାର ମୁଖ୍ୟ ଏଲିଆନ ହଉଲେଟ ରାଫେଲ ଦୁର୍ନୀତି ପ୍ରମାଣର  ଅନୁସନ୍ଧାନକୁ ବନ୍ଦ କରିଦେଲେ ।  ଅବଶ୍ୟ ତାଙ୍କ ସହଯୋଗୀମାନେ ଏସଂକ୍ରାନ୍ତରେ ପ୍ରତିକୂଳ ମତ ରଖିଥିଲେ । ଆମେରିକୀୟ ନାଗରିକ ସୁସେନ ଗୁପ୍ତା ୟୁପିଏ ସରକାର ବେଳର ଭିଭିଆଇପି ହେଲିକପ୍ଟର ଖର୍ଦ୍ଦି ଦୁର୍ନୀତିରେ ସମ୍ପୃକ୍ତି ପାଇଁ ଅର୍ଥ ଚାଲାଣ ଅନୁସାରେ ଗିରଫ ହୋଇଥିଲେ,ସେ ଏବେ ଜାମିନରେ  ଅଛନ୍ତି। ରାଫେଲ କାରବାରରେ  ତାଙ୍କ ନାମ  ଯୋଡା ହୋଇ ଥିବାରୁ ପୁନର୍ବାର ଭାରତର  ପ୍ରତିରକ୍ଷା ଉଦ୍ୟୋଗ ଖର୍ଦ୍ଦିରେ ମଧ୍ୟସ୍ଥି ବା ଦଲାଲଙ୍କ ଭୂମିକା ଲୋକଲୋଚନକୁ ଆସିଛି।

ସବୁ ସରକାର ବେଳେ ଭାରତ ସେନାବାହିନୀ ପାଇଁ  ଆବଶ୍ୟକ ସରଞ୍ଜାମ ଓ ଅସ୍ତ୍ରଶସ୍ତ୍ର ବିଦେଶରୁ କିଣିଆସିଛି।ଏସବୁରେ ମଧ୍ୟସ୍ଥିମାନେ କାମ କରୁଥିବା ଜଣାଶୁଣା। ଦିଲ୍ଲୀରେ ପ୍ରତିରକ୍ଷା କାରବାରରେ  ମଧ୍ୟସ୍ଥି ବା ଦଲାଲମାନେ  ସବୁବେଳେ ଚର୍ଚ୍ଚାକୁ ଆସନ୍ତି। ଏଥିରେ ଉଭୟ ବିଦେଶୀ ଓ ଭାରତୀୟ ବା ମଧ୍ୟସ୍ଥି କାମ କରୁଥିବା ଜଣାଶୁଣା। ୮୦ଦଶକର ଦ୍ବିତୀୟ ଭାଗରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବେଳେ ବୋଫର୍ସ କମାଣ କିଣା ଦୁର୍ନୀତି ଭାରତୀୟ ରାଜନୀତିକୁ ଦୋହଲାଇ ଦେଇଥିଲା। ଗାନ୍ଧୀ ପରିବାର ସେଥିରେ ସନ୍ଦେହ ପରିସରକୁ ଆସିବାରୁ ରାଜୀବ ଗାନ୍ଧୀଙ୍କର ପତନ ସେଥିଯୋଗୁଁ ହୋଇଥିଲା ବୋଲି କୁହାଯାଏ। ସେହିଦିନଠାରୁ ଏଯାଏଁ ପ୍ରତିରକ୍ଷା ଖର୍ଦ୍ଦି କାରବାର ଏକ ସ୍ପର୍ଶକାତର ପ୍ରସଙ୍ଗ। ଏଣୁ କୁହାଯାଏ ଯେ, ୟୁପିଏ ସରକାର ବେଳେ ସାଧୁ ଭାବମୂର୍ତ୍ତି ଥିବା ଯୋଗୁଁ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏ.କେ. ଆଣ୍ଟୋନିଙ୍କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କରାଯାଇଥିଲା। କିନ୍ତୁ ଦୁର୍ନୀତି ଭୟରେ ସେ କୁଆଡ଼େ ଖର୍ଦ୍ଦି କାରବାର ସମ୍ପର୍କରେ ନିଷ୍ପତ୍ତି  ନେବାକୁ  ଡରିଥିଲେ । ଏଣୁ ଆବଶ୍ୟକତା ଥିଲେ ମଧ୍ୟ ସେନାବାହିନୀ ପାଇଁ ବିଦେଶରୁ ଅସ୍ତ୍ରଶସ୍ତ୍ର କିଣାଯାଇ ପାରିନଥିଲା।

ଏନଡିଏ ସରକାର ଆସିବା ପରେ  ଚୀନ ଓ ପାକିସ୍ତାନ ଆଡୁ ବିପଦ ବୃଦ୍ଧି ଯୋଗୁଁ ସାମରିକ ବାହିନୀକୁ ସୁଦୃଢ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ  ଦୃଢ ଆଭିମୁଖ୍ୟ ଗ୍ରହଣ କରି ବିଦେଶରୁ ପ୍ରତିରକ୍ଷାବାହିନୀ ପାଇଁ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସରଞ୍ଜାମ କିଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଫେଲ ଲଢୁଆ ବିମାନ ଖର୍ଦ୍ଦି ତା’ର  ଅଂଶବିଶେଷ ।  ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଦଳ ରାଫେଲ ଖର୍ଦ୍ଦିରେ ଅନିୟମିତତା ଭିତ୍ତିରେ ଅଭିଯୋଗ ଉଠାଇ  ଏହାକୁ ମୁଖ୍ୟ ରାଜନୈତିକ ପ୍ରସଙ୍ଗ କରିବାକୁ ଉଦ୍ୟମ କଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ  ମୁଖ୍ୟ ପ୍ରସଙ୍ଗ କରିବାକୁ ଚେଷ୍ଟା କଲେ। ଏଣୁ  ରାଫେଲକୁ ଦ୍ବିତୀୟ ବୋଫର୍ସ ଆଖ୍ୟା ଦିଆଗଲା। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ଦ୍ବିତୀୟ ବିପୁଳ ବିଜୟ  ଏହି ବିବାଦକୁ ପଛକୁ ପକାଇ ଦେଲା। କିନ୍ତୁ ଏବେ ରାଫେଲ କାରବାରରେ ମଧ୍ୟସ୍ଥି ଥିଲେ ବୋଲି ପ୍ରକାଶିତ ରିପୋର୍ଟ ଦିଲ୍ଲୀରେ ପ୍ରତିରକ୍ଷା କାରବାରର ଦଲାଲଙ୍କର ସର୍ବକାଳୀନ ଉପସ୍ଥିତିକୁ ସାବ୍ୟସ୍ତ କରିଛି। ଏଣୁ ମିଡିଆପାର୍ଟ ଅଭିଯୋଗର ସଠିକ ତଦନ୍ତ କରାଗଲେ ଏସମ୍ପର୍କରେ ସନ୍ଦେହ ଦୂର ହେବ ।

Leave A Reply

Your email address will not be published.

ବ୍ରେକିଂ