ଟିକା ନୀତି ଅଯୌକ୍ତିକ

ଆସନ୍ତା ମେ’ପହିଲାରୁ ୧୮ବର୍ଷରୁ ୪୪ ବର୍ଷ ଯାଏ ବୟସର ଜନସଂଖ୍ୟାକୁ କରୋନା ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ଅନୁମତି ଦେବା ପରେ ଏବାବଦ ଖର୍ଚ୍ଚ କିଏ ବହନ କରିବ ତାହା ବିଚାରର ବିଷୟ।  ଯାହା ଜଣାପଡୁଛି ଏହି ଖର୍ଚ୍ଚ ରାଜ୍ୟଗୁଡିକ ବହନ କରିବେ ଅଥବା ସାଧାରଣ ଲୋକଙ୍କୁ ଟିକା କିଣିବାକୁ ପଡ଼ିବ।  ଓଡ଼ିଶା ସରକାର ଏହି ବର୍ଗର ଲୋକଙ୍କୁ ମାଗଣା ଟିକା ଦେବା ପାଇଁ ଘୋଷଣା କରି ସେ ବାବଦରେ ୨ ହଜାର କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି ଓ ଟିକା ଉତ୍ପାଦନକାରୀ କମ୍ପାନୀଗୁଡିକୁ ଟିକା ଯୋଗାଣ ଲାଗି ଅର୍ଡର ଦିଆଯାଇଛି।  ଦିଲ୍ଲୀ ରାଜ୍ୟ ସରକାର ସେଠାରେ ଏହି ବୟସର ଲୋକଙ୍କୁ ମାଗଣା ଟିକା ଦେବେ ବୋଲି କହିଲେଣି।  ଅନ୍ୟ କେତେକ ରାଜ୍ୟ ମଧ୍ୟ ଏହି ମାର୍ଗରେ ଯାଉଥିବାରୁ ଜଣାପଡୁଛି ବୋଧହୁଏ ରାଜ୍ୟ ସରକାରମାନେ ୪୫ ବର୍ଷ ତଳକୁ ଯେଉଁମାନେ କରୋନା ଟିକା ନେବେ ସେ ବବାଦ ଖର୍ଚ୍ଚ ବହନ କରିବେ।  କାରଣ କେନ୍ଦ୍ର ସରକାର ୪୫ବର୍ଷ ବୟସ ତଳର ଜନସଂଖ୍ୟା ପାଇଁ ମାଗଣା ଟିକା ଦେବା ବ୍ୟବସ୍ଥା କରିନାହାନ୍ତି।  ଏଣୁ ରାଜ୍ୟ ସରକାର ଟିକା ଖର୍ଚ୍ଚ ବହନ ନକଲେ ସାଧାରଣ ଲୋକଙ୍କୁ ଟିକା ପାଇଁ ହାତରୁ ଖର୍ଚ୍ଚ ବହନ କରିବାକୁ ପଡ଼ିବ।

ଯେଉଁଥିରେ ଅନେକ ରାଜି ନହୋଇ ଟିକାକରଣ କାର୍ଯ୍ୟକ୍ରମ ବାହାରେ ରହିଯିବେ ।  କେନ୍ଦ୍ରର କରୋନା ଟିକା ସମ୍ପର୍କିତ ଏହି ନୀତି ଅତୀତର ଅନ୍ୟ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ସହ ଖାପଖୁଆଉନାହିଁ।  ତା’ସାଙ୍ଗକୁ ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡିକ ଟିକା ଲାଗି ଅଲଗା ଅଲଗା ଦର ଘୋଷଣା କରିଥିବାରୁ ସାମଗ୍ରୀକ କରୋନା ଟିକା ଅଭିଯାନରେ ପକ୍ଷପାତିତା ସ୍ପଷ୍ଟ ବାରି ହୋଇପଡୁଛି।  ଏହା ପରୋକ୍ଷରେ କେନ୍ଦ୍ର ସରକାରଙ୍କ କରୋନା ଲଢେଇ ଅଭିଯାନ ସମ୍ପର୍କରେ ଆନ୍ତରିକତା ଆଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମୂଳରୁ ଦେଖିବାକୁ ଗଲେ ବର୍ଷ ବର୍ଷ ଧରି ବିଭିନ୍ନ ରୋଗ ପାଇଁ ଦେଶରେ ଯେଉଁ ଟିକା ଦିଆଯାଏ ତାହା ସରକାର ମାଗଣା ଦେବାର ବ୍ୟବସ୍ଥା କରନ୍ତି।  କରୋନା ଯଦିଓ ଶତାଦ୍ଦୀର ଅଦ୍ଭୁତପୂର୍ବ ମହାମାରୀ ଓ ଏହାର ପ୍ରଥମ ଲହରୀ ବେଳେ ପ୍ରତିଷେଧକ ଟିକା ବାହାରିଲେ ହିଁ କରୋନାର ସ୍ଥାୟୀ ପ୍ରତିକାର କରିହେବ ବୋଲି ଯୁକ୍ତି କରାଯାଉଥିଲା, ସେ ଦୃଷ୍ଟିରୁ ଟିକା ବାହାରିବା ପରେ ଯେ, ଆଶା କରିବା କଥା ଯେ, କେନ୍ଦ୍ର ସରକାର ଦେଶରେ ସମସ୍ତଙ୍କୁ ମାଗଣା କରୋନା ଟିକା ଦେବେ।  ଏଯାଏଁ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକେ ଟିକା ପାଇଁ ହକଦାର ହୋଇଛନ୍ତି ଓ ସେହି ବୟସର ପ୍ରତ୍ୟେକଙ୍କୁ ଦୁଇଟି ଡୋଜ ଟିକା ଦେବାର ବ୍ୟବସ୍ଥା କରାଯାଇଛି।  ସରକାରୀ ହାସପାତାଳରେ ଟିକା ନେଉଥିବା ଲୋକେ ଏହାକୁ ମାଗଣା ନେଉଥିବା ବେଳେ ଘରୋଇ ହସ୍ପିଟାଲରେ ଏଥିପାଇଁ ଅର୍ଥ ଦେବାକୁ ପଡ଼ୁଛି।  ଏପର୍ଯ୍ୟନ୍ତ ରାଜ୍ୟମାନଙ୍କୁ ଟିକା ବଣ୍ଟନ କେନ୍ଦ୍ର ସରକାର କରୁଛନ୍ତି।  କିନ୍ତୁ ମେ’ ପହିଲାରୁ ୪୪ବର୍ଷ ତଳକୁ ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କୁ ମାଗଣା ଟିକା ଦିଆଯିବ ବୋଲି କୁହାନଯିବାରୁ ଓଡ଼ିଶା ପରି ରାଜ୍ୟମାନେ ସେ ବାବଦ ଖର୍ଚ୍ଚ ନିଜେ ବହନ କରିବାକୁ କହିଲେଣି।

ଏହି ସ୍ଥିତିରେ ଟିକା କମ୍ପାନୀଗୁଡିକ ଯେଭଳି ଅଲଗା ଅଲଗା ଦରରେ ଟିକା ଯୋଗାଇବେ ବୋଲି କହିଛନ୍ତି ତାହା ଅଯୌକ୍ତିକ ବା ମନୋମୁଖୀ ବୋଲି ଧରାଯିବ। ଏହା ଜନସ୍ବାର୍ଥ ବିରୋଧୀ।  କାରଣ ଅଲଗା ଅଲଗା ଦରରେ ଟିକା ମିଳିଲେ ଅନେକ ଲୋକେ ବିଶେଷ ଭାବେ ଗରିବ ଶ୍ରେଣୀ ଟିକା ନେଇପାରିବେନାହିଁ।  ବୋଧହୁଏ ଏହି କାରଣରୁ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟ ନିଜେ ଟିକାକୁ ଖର୍ଦ୍ଦି କରି ଲୋକଙ୍କୁ ମାଗଣା ଦେବା ପାଇଁ ଆଗଭର ହୋଇଛନ୍ତି ଯାହା ପ୍ରଶଂସନୀୟ। କିନ୍ତୁ ତଦ୍ଦ୍ବାରା କେନ୍ଦ୍ର ସରକାର ନିଜ ଦାୟିତ୍ବ ଖସାଇ ଦେଇ ପରୋକ୍ଷରେ ରାଜ୍ୟଗୁଡିକୁ ଟିକା ଖର୍ଚ୍ଚ ବୋଝ ବହନ କରିବାକୁ ବାଧ୍ୟ କରୁଛନ୍ତି।  ଟିକା କମ୍ପାନୀଗୁଡିକ ଯେଭଳିଭାବେ ଅଲଗା ଅଲଗା ଦର ଦର୍ଶାଇଛନ୍ତି ସେଥିରୁ ସନ୍ଦେହ ହେଉଛି ଯେ, ବୋଧହୁଏ କେନ୍ଦ୍ର ଓ ସମ୍ପୃକ୍ତ କମ୍ପାନୀଗୁଡ଼ିକ ରାଜ୍ୟ ଗୁଡିକର ଖର୍ଚ୍ଚକୁ ଜାଣିଶୁଣି ବଢାଇ ଦେଉଛନ୍ତି।

ଟିକାର ଦର ଯୋଜନା ମୂଲ୍ୟ ପରିଚାଳନା ନୀତିର ସମସ୍ତ ସର୍ତ୍ତାବଳୀକୁ ଉଲ୍ଲଂଘନ କରୁଛି।  ମୁଖ୍ୟତଃ ଏହା କରୋନା ଟିକା ଯାହା ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ।  ଏହାକୁ ଏକ ବ୍ୟବସାୟିକ ସାମଗ୍ରୀ ବୋଲି ଧରାଯିବା ଉଚିତ ନୁହେଁ।  ଦେଶର ଦୁଇ କରୋନା ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ସେମାନଙ୍କର ଅଧା ଟିକାକୁ କେନ୍ଦ୍ର ସରକାରଙ୍କୁ ଦେବେ ଓ ଅନ୍ୟ ଅଧାକୁ ରାଜ୍ୟ ସରକାର ଓ ଘରୋଇ ଉଦ୍ୟୋଗକୁ ଦେବେ।  ସେରମ ଉତ୍ପାଦନ କରୁଥିବା କୋଭିସିଲ୍ଡ ଟିକା ଏବେ ଦେଶର ପ୍ରଧାନ ଟିକା।  ତାକୁ ୧୫୦ ଟଙ୍କା ଦରରେ କେନ୍ଦ୍ରକୁ, ୪୦୦ ଟଙ୍କାରେ ରାଜ୍ୟ ସରକାରଙ୍କୁ ଓ ୬୦୦ ଟଙ୍କାରେ ଘରୋଇ ଉଦ୍ୟୋଗକୁ ଦିଆଯିବ।  ଭାରତ ବାୟୋଟେକ କେନ୍ଦ୍ରକୁ ୧୫୦ ଟଙ୍କାରେ, ରାଜ୍ୟଗୁଡିକୁ ୬୦୦ ଟଙ୍କାରେ ଓ ଘରୋଇ ହାସପାତାଳଗୁଡିକୁ ୧୨୦୦ ଟଙ୍କାରେ ଟିକା ଦେବ।

ଟିକା କ୍ଷେତ୍ରରେ ତିନିପ୍ରକାର ଦରର କୌଣସି ଯଥାର୍ଥତା ନାହିଁ। ରାଜ୍ୟ ସରକାର ଏହାଦ୍ବାରା ଅଧିକ ଖର୍ଚ୍ଚାନ୍ତ ହେବେ।  ଘରୋଇ ହାସପାତାଳ ରୋଗୀଙ୍କ ଠାରୁ ଅଧିକ ଦାମ ଆଦାୟ କରିବେ।  ଏହା ମଧ୍ୟରେ କେନ୍ଦ୍ର ସରକାର ଉଭୟ ଟିକା କମ୍ପାନୀର ଉତ୍ପାଦନ ବଢାଇବାକୁ ୪,୫୦୦ କୋଟି ଟଙ୍କା ଦେଲେଣି ଯାହାକି ସାଧାରଣ ଲୋକଙ୍କ ଅର୍ଥ।   ସେରମ କହିଛି ୧୫୦ ଟଙ୍କା ଦରରେ ଟିକା ଦେଇ ତା’ର ସ୍ବାଭାବିକ ଲାଭ ହେଉଛି।  ତେବେ ଆହୁରି ଅଧିକ ଦରରେ ଟିକା ଦେଲେ ତା’ର ଲାଭ ବହୁତଗୁଣିତ ହେବ।  ରାଜ୍ୟ ସରକାର ମାନଙ୍କର ଆର୍ଥିକ ଅବସ୍ଥା ଭଲ ନୁହେଁ।  ସେମାନଙ୍କ ଉପରେ ଟିକା ଖର୍ଚ୍ଚ ବୋଝ ଲଦିବା ଅନୁଚିତ।  ଯଦିଓ ସେମାନେ ନିଜ ଲୋକଙ୍କ ସ୍ବାର୍ଥ ରକ୍ଷା ଲାଗି ନିଜ ହାତରୁ ଟିକା ଖର୍ଚ୍ଚ ଦେବାକୁ ବାଧ୍ୟ ହେଉଛନ୍ତି।  ଏଣୁ ଟିକା ଦରରେ ତାରତମ୍ୟ ଦୂର କରାଯାଇ ବୟସ ନିର୍ବିଶେଷରେ ସମସ୍ତଙ୍କୁ ଟିକା ଦେବାର ଖର୍ଚ୍ଚ କେନ୍ଦ୍ର ବହନ କରିବା ଉଚିତ।

Leave A Reply

Your email address will not be published.

ବ୍ରେକିଂ