ଦାୟିତ୍ଵରୁ ପଛଘୁଞ୍ଚା

ଦେଶରେ ଏବେ ଯେପରି ହତାଶାଭାବ ଦେଖାଦେଇଛି ତାହା ଅତୀତରେ କେବେ ପରିଲକ୍ଷିତ ହୋଇନଥିଲା। କାରଣ ହେଲା ଉଗ୍ରରୂପ ନେଇଥିବା କରୋନା ମହାମାରୀର ଦ୍ବିତୀୟ ଲହରୀ। ଗତବର୍ଷ ଏହାର ପ୍ରଥମ ଲହରୀ ବେଳେ ଟିକା ଉଦ୍ଭାବିତ ନହୋଇ ମଧ୍ୟ ଦେଶରେ ଯେତିକି ଭୟ ସୃଷ୍ଟି ହୋଇନଥିଲା ଏବେ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟରେ ଦ୍ବିତୀୟ ଲହରୀର ଦ୍ରୁତ ସଂକ୍ରମଣ ବୃଦ୍ଧି ଓ ତାକୁ ପରିଚାଳନା କରିବାରେ ଭାରତର ବିଫଳତା ସ୍ବାଭାବିକ ଭାବେ ଜନସାଧାରଣଙ୍କ ଅସହାୟତାକୁ ବଢାଇ ଦେଇଛି। ଏହି ଅବସ୍ଥାରେ ସର୍ବାଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର ସରକାର କହିଲେଣି ଯେ,ସେଠାରେ କରୋନାର ତୃତୀୟ ଲହରୀ ଆସନ୍ନ।

ବିଭିନ୍ନ ରାଜ୍ୟରୁ ଆସୁଥିବା ରିପୋର୍ଟ ଅନୁସାରେ ରାଜଧାନୀ ଦିଲ୍ଲୀ ସମେତ ଅଧିକାଂଶ ରାଜ୍ୟରେ କରୋନା ରୋଗୀ ହାସପାତାଳ ଶଯ୍ୟା ଓ ଅକ୍ସିଜେନ ନପାଇ ମୃତ୍ୟୁବରଣ କରୁଛନ୍ତି। ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ଯେ, ଯେକୌଣସି ଲୋକ ହୁଏତ କରୋନାରେ ସଂକ୍ରମିତ ହୋଇପାରନ୍ତି। କାରଣ ଏଥର ଅଧିକ ସଂଖ୍ୟକ ଯୁବକଯୁବତୀ ଓ ମହିଳା ଏବଂ ଏପରିକି ଟିକା ପାଇଁ ଯୋଗ୍ୟ ବୋଲି ଧରାଯାଇନଥିବା କିଶୋରକିଶୋରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ସମଗ୍ର ଦେଶରେ ଗତବର୍ଷ ପରି ଲକଡାଉନ ଜାରି କରିବା ପାଇଁ କେନ୍ଦ୍ର ସରକାର ଚାହାଁନ୍ତିନାହିଁ ବା ରାଜ୍ୟଗୁଡ଼ିକ ମଧ୍ୟ ଏଥିଲାଗି ଅନିଚ୍ଛୁକ।

ଗତବର୍ଷର ଲକଡାଉନର ତିକ୍ତ ଅଭିଜ୍ଞତା ଅର୍ଥନୀତିକୁ ଯେପରି ସ୍ଥାଣୁ କରିଦେଲା ସେହି ଭୟରେ ସରକାରୀ କର୍ତ୍ତୃପକ୍ଷ ଏହି କଠୋର କଟକଣାକୁ ଲାଗୁ କରିବାକୁ ଚାହାଁନ୍ତିନାହିଁ। କିନ୍ତୁ ଏହା ଅଳ୍ପ ବହୁତେ ଅଧିକାଂଶ ରାଜ୍ୟରେ ଆଂଶିକଭାବେ ଲାଗୁ ହେଲାଣି। ସହରଗୁଡ଼ିକରେ କର୍ଫ୍ୟୁ ପରି ପରିସ୍ଥିତି ଅର୍ଥନୈତିକ କାର୍ଯ୍ୟକ୍ରମକୁ ଅଚଳ କରିଦେଇଛି। ଅଧିକାଂଶ ସହରରୁ ଅଣଆନୁଷ୍ଠାନିକ ଉଦ୍ୟୋଗରେ ନିୟୋଜିତ ଲୋକେ ନିଯୁକ୍ତି ହରାଇ ଅଥବା ଛୋଟ ବ୍ୟବସାୟକୁ ବନ୍ଦ କରି ଗତବର୍ଷ ପରି ଗାଁକୁ ଫେରିଗଲେଣି। ଏଥରର କରୋନା ପୂର୍ବଥର ଠାରୁ ଅଧିକ ଭୟଙ୍କର ବୋଲି ଦର୍ଶାଯାଉଥିବାରୁ ଏବଂ ଟିକା ନେବା ପରେ ବି ବେଶ କିଛି ଲୋକ କରୋନାରେ ଆକ୍ରାନ୍ତ ହେଉଥିବାରୁ ଭୟ ବଢିଯାଇଛି।

ଏପରି ଅଦ୍ଭୁତପୂର୍ବ ପରିସ୍ଥିତିରେ ସବୁଠାରୁ ବଡ କଥା ହେଲା କେନ୍ଦ୍ର ସରକାର ଯେପରି କରୋନା ବିରୋଧୀ ଲଢେଇକୁ ସିଧାସଳଖ ସାମ୍ନା କରିବା ପରିବର୍ତ୍ତେ ପଛେଇ ଯାଇଛନ୍ତି ବୋଲି ଧାରଣା ଉପୁଜିଛି। ଗତବର୍ଷର ପ୍ରଥମ ଲହରୀ ବେଳେ କେନ୍ଦ୍ର ସରକାରଙ୍କ କ୍ଷେତ୍ରରେ ଏପରି ମାନସିକତା ଦେଖାଦେଇନଥିଲା। କେନ୍ଦ୍ରର ଏପରି ଦୃଷ୍ଟିଭଙ୍ଗୀ ସାଧାରଣ ଲୋକଙ୍କ ମଧ୍ୟରେ କ୍ଷୋଭ ଓ ବିରକ୍ତିକୁ ତୀବ୍ରତର କରିଛି ଯାହା ଶାସକ ବିଜେପିର ବିଶ୍ବସନୀୟତାକୁ ସମ୍ପୂର୍ଣ୍ଣ ନିମ୍ନମୁଖୀ କରିଛି।

ଦେଶର ଦୁଇଟି ହାଇକୋର୍ଟ ଦିଲ୍ଳୀ ଓ ମାଡ୍ରାସ କରୋନା ସଙ୍କଟରେ ଯେପରି ମତବ୍ୟକ୍ତ କରିଛନ୍ତି ତାହା କେବଳ ଆଇନ କ୍ଷେତ୍ର ସହ ସଂଶ୍ଳିଷ୍ଟ ସମସ୍ତଙ୍କୁ ନୁହେଁ, ସଚେତନ ଶ୍ରେଣୀକୁ ନିଶ୍ଚିତ ଭାବେ ଚକିତ କରିଥିବ।  ଦିଲ୍ଲୀ ହାଇକୋର୍ଟ କହିଲେ ଯେ, ଅକ୍ସିଜେନ ଚାଲାଣରେ ଯେଉଁମାନେ ବାଧା ଦେଉଥିବେ ସେମାନଙ୍କୁ ଫାଶୀ ଦିଆଯିବ। ମାଡ୍ରାସ ହାଇକୋର୍ଟ କହିଲେ ଯେ, ଦ୍ବିତୀୟ ଲହରୀ ପାଇଁ ନିର୍ବାଚନ କମିଶନର ଦାୟୀ ଓ ଏହାର ଅଧିକାରୀମାନଙ୍କ ବିରୋଧରେ ହତ୍ୟା ଆରୋପ ଲଗାଯିବା ଉଚିତ। ଉଭୟଙ୍କର ମତ ଦେଶର ପ୍ରଚଳିତ ଆଇନର ଅଂଶ ନୁହେଁ ତଥାପି ସେମାନଙ୍କର ବକ୍ତବ୍ୟରେ ସାଧାରଣ ଲୋକଙ୍କର କ୍ଷୋଭ ପ୍ରତିଫଳିତ । ସାଧାରଣ ଲୋକଙ୍କର ବିରକ୍ତିକୁ ରାଜନୈତିକ ଶ୍ରେଣୀ ଓ ସରକାରୀ ଅଫିସରମାନେ ପ୍ରଥମେ ବୁଝିବା କଥା କିନ୍ତୁ ଦେଶରେ କ୍ଷମତାସୀନ ରାଜନେତା ଓ ସରକାରୀ କର୍ମକର୍ତ୍ତାମାନେ ବୋଧହୁଏ ଏହାକୁ ବୁଝି ମଧ୍ୟ ନବୁଝିଲା ପରି ଆଚରଣ ପ୍ରଦର୍ଶନ କରୁଛନ୍ତି।

ଦୁଇଟି ହାଇକୋର୍ଟଙ୍କର ପ୍ରତିକ୍ରିୟା ସେମାନଙ୍କର ଦୃଶ୍ୟଭଙ୍ଗୀକୁ ଯେ ବଦଳାଇବ ତା’ର ସୂଚନା ମିଳୁନାହିଁ। କରୋନା ଦେଶରେ ନୂଆ ନୁହେଁ ଗତ ପ୍ରାୟ ୧୫ ମାସ ଧରି ଭାରତ ଏହା ସହ ରହିଛି। କିନ୍ତୁ ଜନସ୍ବାସ୍ଥ୍ୟ ଓ ସାମାଜିକ, ଅର୍ଥନୈତିକ ବ୍ୟବସ୍ଥା ପ୍ରତି ଏହାର ବିପଦକୁ ମୁକାବିଲା କରିବା ସକାଶେ ଦେଶ କିଛି ଶିକ୍ଷା ଲାଭ କରିଛି ବୋଲି ଜଣାପଡୁନାହିଁ। ହୁଏତ ଗତବର୍ଷ ଯେପରି ହ୍ୟାଣ୍ଡ ସାନିଟାଇଜର ଓ ପିପିଇ କିଟର ଅଭାବ ଥିଲା ତାହା ହୁଏତ ଏଥର ନାହିଁ। କାରଣ ସେସବୁର ଉତ୍ପାଦନ କ୍ଷମତା ବଢିଯାଇଛି। କିନ୍ତୁ କରୋନା ରୋଗୀଙ୍କୁ ଚିକିତ୍ସା କରିବା ଲାଗି ହାସପାତାଳ ଶଯ୍ୟାଠାରୁ ଆରମ୍ଭ କରି ଅକ୍ସିଜେନ , ଭେଣ୍ଟିଲେଟର ଓ ଔଷଧ ଆଦି ଯେତିକି ଆବଶ୍ୟକ ତା’ର ଯୋଗାଣ ବ୍ୟବସ୍ଥା କରାଯାଇନାହିଁ। ଯଦିଓ ବିପର୍ଯ୍ୟୟ ପରିଚାଳନା ନୀତି ଅପରିବର୍ତ୍ତିତ ରହିଛି ଯେଉଁଥିରେ ଏସବୁ ରହିବା କଥା। ଆଉ ଏକ ଦୁଃଖଦାୟକ ଦିଗ ହେଲା ମୃତକଙ୍କ ସଂସ୍କାର ପାଇଁ ଶ୍ମଶାନ ଅଭାବ ଯାହାକୁ ବଢାଇବାରେ ଅସୁବିଧା ନଥିଲା।

ଭାରତ ପୃଥିବୀର ଅନ୍ୟତମ ବୃହତ ଔଷଧ ଶିଳ୍ପ ଥିବାଦେଶ କିନ୍ତୁ ଦେଶ ଚାହିଦା ଅନୁସାରେ ଟିକା ବା ଔଷଧ ଯୋଗାଇ ପାରୁନାହିଁ। ଚିକିତ୍ସା ପାଇଁ ଆବଶ୍ୟକ ରେମଡେସିଭିର କଳାବଜାରୀ ହେଉଛି ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କର ଘୋର ଅଭାବ ରହିଛି। ଗତ ବର୍ଷକ ମଧ୍ୟରେ ସାମାଜିକ କର୍ମୀ ଓ ବେକାର ଯୁବକଯୁବତୀଙ୍କୁ ସଂକ୍ଷିପ୍ତ ତାଲିମ ଦିଆଯାଇ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ କରାଯାଇ ପାରିଥାନ୍ତା। କେନ୍ଦ୍ର ସରକାର ଯଦି ଅନ୍ୟ ଟିକାଦାନ ପରି କରୋନା ଟିକା ଖର୍ଚ୍ଚକୁ ପୁରା ବହନ କରିବେ ତେବେ ସେ ବାବଦ ବ୍ୟୟ ଦେଶର ଜିଡିପିର ଏକ ପ୍ରତିଶତ ମଧ୍ୟ ଟପିବନାହିଁ। ଦୁଃଖଦାୟକ ବିଷୟ ଯେ, କେନ୍ଦ୍ର କରୋନାର ଦ୍ବିତୀୟ ଲହରୀ ବେଳେ ଅଗ୍ରଣୀ ଭୂମିକା ନନେଇ ରାଜ୍ୟଗୁଡ଼ିକ ଉପରେ ଯେଭଳି ସମଗ୍ର ଦାୟିତ୍ବ ଛାଡି ଦେଉଛି, ଏ କ୍ଷେତ୍ରରେ କେନ୍ଦ୍ରର ଦାୟିତ୍ବ ହେଲା ରାଜ୍ୟଗୁଡିକୁ ସାଙ୍ଗରେ ନେଇ ସମସ୍ତ ଦାୟିତ୍ବ ସହ ମହାମାରୀକୁ ଲଢିବା।

Leave A Reply

Your email address will not be published.

ବ୍ରେକିଂ