କ୍ୟାବିନେଟ ବ୍ୟବସ୍ଥା ଅକାମୀ

୨୦୧୪ରୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ ସରକାରରେ କେନ୍ଦ୍ରୀକରଣ ବ୍ୟବସ୍ଥା ଅଧିକ ଅନୁଭୂତ ହୋଇଛି। ଯଦିଓ ପିଏମଓ ବା ପ୍ରଧାନମନ୍ତ୍ରୀଙ୍କ ଦପ୍ତର ସବୁଠାରୁ ଅଧିକ ଶକ୍ତିଶାଳୀ ହେବା କଂଗ୍ରେସ ସରକାର ବେଳୁ ରହିଆସିଛି ତଥାପି ବିଜେପିରେ ମୋଦିଙ୍କର ଶକ୍ତି ବୃଦ୍ଧି ଯୋଗୁଁ ତାଙ୍କ ଅଫିସ ପୂର୍ବାଧିକାରୀମାନଙ୍କ ସମୟ ଅପେକ୍ଷା ଅଧିକ କ୍ଷମତାଶାଳୀ ବୋଲି ଜଣାଶୁଣା। ତାହା ଏକଛତ୍ରବାଦୀ ବ୍ୟବସ୍ଥା ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଅଫିସ ଆଗରେ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀମାନେ ଗୌଣ ହୋଇଯାଆନ୍ତି ଯାହା ଇନ୍ଦିରାଗାନ୍ଧୀଙ୍କ ବେଳେ ଦେଖାଯାଇଥିଲା। କିନ୍ତୁ କ୍ୟାବିନେଟ ଶାସନ ବ୍ୟବସ୍ଥାରେ ସମାନ ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଥିବା ପ୍ରଧାନମନ୍ତ୍ରୀ ସହଯୋଗୀମାନଙ୍କୁ ପରାମର୍ଶ କରି ଓ ବିଶ୍ବାସକୁ ନେଇ ସରକାର ଚଳାଇବା କଥା।

ମୋଦିଙ୍କ ପ୍ରଧାନମନ୍ତ୍ରିତ୍ବରେ ବିମୁଦ୍ରୀକରଣ ପରି ଐତିହାସିକ ନିଷ୍ପତ୍ତିଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅନେକ ପଦକ୍ଷେପରେ ବରିଷ୍ଠମନ୍ତ୍ରୀମାନେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗୁଡିକ ସମ୍ପର୍କରେ ଯେକୌଣସି ସୁରାକ ପାଇନାହାଁନ୍ତି ତାହା ଜାତୀୟ ରାଜନୀତିରେ ଜଣାଶୁଣା ବିଷୟ। ସେହି ଧାରା ଏବେ କରୋନା ବେଳେ ଅବ୍ୟାହତ ରହୁଥିବାରୁ ଦ୍ବିତୀୟ ଲହରର ମୁକାବିଲାରେ ସରକାରଙ୍କ ବିଫଳତାର ତାହା ଅନ୍ୟତମ କାରଣ ବୋଲି କୁହାଯାଉଛି। ବିଜେପିର ପୂର୍ବତନ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏକ ସାଧାରଣ ମଞ୍ଚରେ ଦେଶରେ ଅଭାବ ପଡୁଥିବା କରୋନା ଟିକା ଉତ୍ପାଦନ ବଢାଇବା ଲାଗି କ’ଣ କରାଯିବା ଦରକାର ସେହି ପରାମର୍ଶ ଜଣେ ସହଯୋଗୀ ମନ୍ତ୍ରୀଙ୍କୁ ଦେବା ପରେ ଆହୁରି ସ୍ପଷ୍ଟ ହୋଇଯାଇଛି ଯେ, କେନ୍ଦ୍ର ସରକାରଙ୍କ ସ୍ତରରେ କ୍ୟାବିନେଟ ବ୍ୟବସ୍ଥା କାମ କରୁନାହିଁ। ଅର୍ଥାତ ପ୍ରଧାନମନ୍ତ୍ରୀଙ୍କର ଦଳର ଓ ସରକାରର ବରିଷ୍ଠ ନେତାମାନଙ୍କ ସହ ସଠିକ ଯୋଗାଯୋଗ ନାହିଁ ଯେଉଁଥିରେ ଏହି ମହାମାରୀ ପରି ଅଦ୍ଭୁତପୂର୍ବ ସଙ୍କଟରେ ଅଭିଜ୍ଞ ନେତାମାନଙ୍କର ଉପଯୁକ୍ତ ପରାମର୍ଶ କରୋନା ମୁକାବିଲା କୌଶଳକୁ ଶାଣିତ କରିପାରିଥା’ନ୍ତା।

ଗଡକରୀଙ୍କ ମନ୍ତବ୍ୟ ଚର୍ଚ୍ଚାକୁ ଆସିବା ପରେ ତାହା ଯେ ବିସ୍ମୟ ସୃଷ୍ଟି କରିଛି ତାହା ନୁହେଁ କାରଣ ସମସ୍ତେ ଜାଣନ୍ତି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଦ୍ବାରା ସମ୍ପୂର୍ଣ୍ଣ ଭାବେ ପରିଚାଳିତ।

ସମ୍ପ୍ରତି କରୋନା ବେଳେ ପିଏମଓ ଅର୍ଥାତ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଓ ସିଏମଓ ଯାହା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବୋଲି ପରିଚିତ ସେହି ବେଶୀ ଚର୍ଚ୍ଚାକୁ ଆସିଛି। ଜାତୀୟ ସ୍ତରରେ କରୋନାର ପ୍ରଥମ ଲହର ବେଳୁ ପ୍ରଧାନମନ୍ତ୍ରୀ ମୋଦି ନିଜେ ମହାମାରୀ ବିରୋଧୀ ଲଢେଇର ନେତୃତ୍ବ ନେଇଛନ୍ତି। ସେହି ରାଜ୍ୟ ଗୁଡିକରେ ମୁଖ୍ୟମନ୍ତ୍ରୀମାନେ କରୋନା ବିରୋଧୀ ଲଢେଇରେ ସେନାପତି ଭାବେ କାମ କରୁଛନ୍ତି। ପ୍ରକୃତରେ ଦେଖିବାକୁ ଉଭୟ କ୍ଷେତ୍ରରେ ସେମାନଙ୍କ ଦପ୍ତର ଅର୍ଥାତ ପିଏମଓ ଓ ସିଏମଓ କରୋନା ପରିଚାଳନା କରୁଛନ୍ତି। ଉଭୟ ଅଫିସ ବ୍ୟୁରୋକ୍ରାଟମାନଙ୍କୁ ନେଇ କରୋନା ସମ୍ପର୍କିତ ସମସ୍ତ ନିଷ୍ପତ୍ତି ନେବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି।

ସେଥିରେ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କର ଭୂମିକା ପ୍ରାୟତଃ ଗୌଣ ହୋଇଯାଇଛି। ବୋଧହୁଏ କେବଳ କେରଳରେ ମୁଖ୍ୟମନ୍ତ୍ରୀ ପିନାରୀ ବିଜୟନଙ୍କର ଗତ କ୍ୟାବିନେଟର ମହିଳା ସ୍ବାସ୍ଥ୍ୟମନ୍ତ୍ରୀ କରୋନା ପରିଚାଳନାରେ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିଲେ ଏବଂ ନୂଆ ମନ୍ତ୍ରିମଣ୍ଡଳ ଗଠନରେ ଅଧିକ ବୟସ କାରଣରୁ ସେ ବାଦ ପଡିଥିବା କୁହାଯାଉଥିଲେ ସୁଦ୍ଧା ତାଙ୍କର ପୂର୍ବ ସଫଳତାକୁ ମନେ ପକାଯାଉଛି। ଜାତୀୟ ସ୍ତରରେ କରୋନା ପରିଚାଳନା ବିଫଳତା ପ୍ରଧାନମନ୍ତ୍ରୀ ତଥା ବିଜେପି ପାଇଁ ଭାବମୂର୍ତ୍ତି ସଙ୍କଟ ଆଣି ଦେଇଛି ବୋଲି ସମସ୍ତେ ଅନୁଭବ କରୁଛନ୍ତି। ଏହି ସ୍ଥିତିରେ ଗଡକରୀଙ୍କର ପରାମର୍ଶ ପଛରେ ଯେଉଁ ଉଦ୍ଦେଶ୍ୟ ଥାଉ ପଛେ ତାକୁ ଗୁରୁତର ସହ ବିଚାର କରିବାକୁ ହେବ।

ଟିକା ଉତ୍ପାଦନ ବଢାଇବାକୁ ସବୁ ମ୍ୟାନୁଫାକଚରୀ ୟୁନିଟଗୁଡିକୁ ବ୍ୟବହାର କରାଯିବା ଲାଗି ଗଡକରୀ ତାଙ୍କର ପରାମର୍ଶକୁ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ସକାଶେ ଜଣେ ସହଯୋଗୀ ମନ୍ତ୍ରୀଙ୍କୁ କହିବା ତାତ୍ପର୍ଯ୍ୟପୂର୍ଣ୍ଣ। ବହୁ ବିଳମ୍ବରେ ଏପରି ପରାମର୍ଶ ଏକ ବେସରକାରୀ କାର୍ଯ୍ୟକ୍ରମରେ ଦିଆଯିବା ବିଷୟକୁ ବିଚାର କଲେ କୁହାଯିବ ଯେ, ବିଜେପି ବା ସାତବର୍ଷର ଏନଡିଏ ସରକାର ବେଳେ ସବୁ କିଛି ସୁରୁଖୁରୁରେ ଚାଲୁନାହିଁ। ନଚେତ ଗଡକରୀଙ୍କ ପରି ଦଳର ଜଣେ ପୂର୍ବତନ ସଭାପତି ଯେ କି, ବିଜେପିର ଦିଗଦର୍ଶକ ଆରଏସଏସର ମୁଖ୍ୟ ଦପ୍ତର ଥିବା ନାଗପୁରରୁ ଆସିଛନ୍ତି ଓ ସେ ନିଜେ ସଂଘ ନେତୃତ୍ବର ଘନିଷ୍ଠ ବୋଲି ବିଚାର କରାଯାଏ ଏ ସମଗ୍ର ବିଷୟଟି ଗୁଡିଏ ଜଟିଳ ପ୍ରଶ୍ନ ଉତ୍ଥାପନ କରୁଛି।

ଅବଶ୍ୟ ଏହି ବାଦାନୁବାଦ ପରେ ଗଡକରୀଙ୍କୁ ବକ୍ତବ୍ୟରୁ ଓହରିବାକୁ ବା ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଯେପରି ପଡିଲା ସେଥିରୁ ଜଣାପଡିଲା ଯେ,ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତବ୍ୟରେ ଖୁସିନଥିଲେ । ଗଡକରୀ ବା ଆଗରୁ ଦଳର ସଭାପତି ଥିବା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ବରିଷ୍ଠ ମନ୍ତ୍ରୀମାନଙ୍କର ସ୍ଥିତି କ’ଣ ତାହା କାହାକୁ ଅଜ୍ଞାତ ନାହିଁ। କିନ୍ତୁ କରୋନା ବିଫଳତାରେ ଯେ ଆରଏସଏସ ଓ ବିଜେପି ନେତୃବୃନ୍ଦ ବାସ୍ତବସ୍ଥିତକୁ ଦେଖିଲେ ତାହା ସେମାନଙ୍କ ବକ୍ତବ୍ୟରୁ ସ୍ପଷ୍ଟ ଜଣାପଡୁଛି । ଆରଏସଏସ ମୁଖ୍ୟ ମୋହନ ଭଗୱତଙ୍କ ମନ୍ତବ୍ୟ ଓ ସଂଘର ଅନ୍ୟତମ ମୁଖିଆ ରାମମାଧବଙ୍କ ଲେଖାରୁ ତାହା ଜଣାପଡୁଛି।

ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଓ ବିଜେପିର ମୁଖ୍ୟ ଭିତ୍ତି ଉତ୍ତର ଭାରତରେ ଦେଶର ସଂସ୍କୃତି ଓ ପରମ୍ପରାର ପ୍ରଧାନ ପ୍ରତୀକ ଗଙ୍ଗାନଦୀରେ କରୋନାରେ ମୃତ ବ୍ୟକ୍ତିମାନଙ୍କର ଶବ ଭାସିବା ଦଳର ରାଜନୈତିକ ଆଧାରକୁ ଆଘାତ ଦେଇଛି। ରାଜନୈତିକ ଦୃଷ୍ଟିରୁ ବିଜେପି ଓ ଆରଏସଏସ କ’ଣ କରିବେ କହିବା କଷ୍ଟକର। କିନ୍ତୁ ଏକଥା ସତ ଯେ, ଜଣେ ବ୍ୟକ୍ତି ବିଶେଷଙ୍କୁ ନେଇ ସରକାର ଓ ଦଳ ଚାଲିବାରୁ ଏବଂ ପରାମର୍ଶଭିତ୍ତିକ କ୍ୟାବିନେଟ ବ୍ୟବସ୍ଥାକୁ ପଛରେ ପକାଇ ଦିଆଯିବା ଯୋଗୁଁ ଦେଶର ବିପୁଳ କ୍ଷତିଘଟିଲା।

Leave A Reply

Your email address will not be published.

ବ୍ରେକିଂ