ଡ୍ରୋନ ଆକ୍ରମଣର ବିପଦ

ଗତ ରବିବାର ଭୋର ବେଳେ ଜାମ୍ମୁ ବିମାନବନ୍ଦରର ଭାରତୀୟ ବିମାନବାହିନୀ ଘାଟିରେ ଦୁଇଟି ଡ୍ରୋନ ଆକ୍ରମଣ ଦେଶ ଲାଗି ନିରାପତ୍ତା କ୍ଷେତ୍ରରେ ନୂଆ ଚିନ୍ତା ଆଣି ଦେଇଛି। ଏଥିରୁ ସୂଚୀତ ହୋଇଛି ଯେ ଆଗାମୀ ଦିନରେ ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ ଶତ୍ରୁମାନେ ଡ୍ରୋନକୁ ବ୍ୟବହାର କରି ଦେଶରେ ସାଙ୍ଘାତିକ କ୍ଷୟକ୍ଷତି ଘଟାଇ ପାରନ୍ତି। ଏପର୍ଯ୍ୟନ୍ତ ଗ୍ରେନେଡ, ଗୁଳିଗୁଳା, ବୋମା, ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ଏବଂ ବିସ୍ଫୋରକ ସାମଗ୍ରୀ ଥିବା ଗାଡ଼ିକୁ ଉଗ୍ରବାଦୀମାନେ ଭାରତ ବିରୋଧରେ ବ୍ୟବହାର କରୁଥିଲେ।

ଏବେ ଭାରତ ବିରୋଧୀ ଉଗ୍ରବାଦୀମାନେ ଲକ୍ଷ୍ୟସ୍ଥଳରେ ବୋମା ପକାଇବାକୁ ଡ୍ରୋନକୁ ବ୍ୟବହାର କରୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ନିରାପତ୍ତାବାହିନୀ ନିୟନ୍ତ୍ରଣ ରେଖା ଓ ଆନ୍ତର୍ଜାତିକ ସୀମାକୁ ଅତିକ୍ରମ କରି ଡ୍ରୋନ ଗୁଡ଼ିକ ଭାରତ ଭିତରକୁ ଅସ୍ତ୍ରଶସ୍ତ୍ର ଓ ନିଶାସାମଗ୍ରୀ ବା ଡ୍ରଗ୍ସ ଆଣୁଥିବା ଧରିଛନ୍ତି। ଏବେ ଆଶଙ୍କା ହେଉଛି ଯେ, ଡ୍ରୋନର ଅପବ୍ୟହାର ଯଦି ଏକ ଧାରା ହୁଏ ତେବେ ତାହା ଅତ୍ୟନ୍ତ ବିପଦଜନକ ହେବ ।

ଏବେ ଡ୍ରୋନକୁ ସିଧାସଳଖ ଆକ୍ରମଣ ପାଇଁ ବ୍ୟବହାର କରାଯାଉଛି। ଜାମ୍ମୁରେ ତାହା ଦେଖାଗଲା। ଯଦିଓ ଜାମ୍ମୁ ବିମାନ ଘାଟିରେ ଡ୍ରୋନ ଆକ୍ରମଣରେ କୌଣସି ଜୀବନହାନି ଘଟିନାହିଁ ତଥାପି ସେଥିରେ ଗୋଟିଏ କୋଠା କ୍ଷତିଗ୍ରସ୍ତ ହୋଇଛି। ପାଖରେ ଥିବା ହେଲିକପ୍ଟର ଗୁଡିକ କ୍ଷତିରୁ ବର୍ତ୍ତି ଯାଇଛନ୍ତି। ଜାମ୍ମୁ ବିମାନଘାଟି ଆନ୍ତର୍ଜାତିକ ସୀମାଠାରୁ ୧୨ରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ। ଏହାର ସୁରକ୍ଷା ବ୍ୟବସ୍ଥା ଅତି ସୁଦୃଢ। ସାଧାରଣ ଭାବେ ଉଗ୍ରବାଦୀମାନେ ଏହା ଭିତରକୁ ପ୍ରବେଶ କରିବା କଷ୍ଟକର ହୋଇଥାନ୍ତା। କିନ୍ତୁ ସେମାନେ ସହଜରେ ଡ୍ରୋନ ଜରିଆରେ ବିମାନଘାଟି ଉପରେ ଆକ୍ରମଣ କଲେ।

ଏପରି ଆକ୍ରମଣକୁ ଆଗୁଆ ଠାବ କରିବା ସହଜ ନୁହେଁ। ମନେ ରଖିବାକୁ ହେବ ଯେ, ଡ୍ରୋନକୁ କେବଳ ପାକିସ୍ତାନ ପଟୁ ପଠାଇବା ଦରକାର ନାହିଁ। ଉଗ୍ରବାଦୀମାନେ ଭାରତୀୟ ଇଲାକାରେ ଯେକୌଣସି ଗୋପନ ସ୍ଥାନରୁ ବୋମା ସଂଯୁକ୍ତ ଡ୍ରୋନକୁ ପଠାଇ ପାରିବେ। ପାକିସ୍ତାନ ସୀମାବର୍ତ୍ତୀ ଇଲାକା ଏହି ସମସ୍ୟା ଯୋଗୁଁ ଅଧିକ ବିପଦ ପ୍ରବଣ ହେବ। ଜାମ୍ମୁକାଶ୍ମୀରରେ ବା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏଣିକି ଡ୍ରୋନ ଆକ୍ରମଣର ଅଧିକ ପୁନରାବୃତ୍ତି ଦେଖିବାକୁ ମିଳିପାରେ। ଯଦି ଜାମ୍ମୁରେ ରବିବାରର ଆକ୍ରମଣ ସେପରି କୌଣସି କ୍ଷୟକ୍ଷତି ଘଟାଇ ପାରିନାହିଁ ତେବେ ଆକ୍ରମଣକାରୀମାନେ ପୁନର୍ବାର ଅଭିଯାନକୁ ସଫଳ କରିବାକୁ ଚେଷ୍ଟା କରିପାରନ୍ତି।

ରବିବାର ଆକ୍ରମଣ ପରେ ସୋମବାର ଦିନ ଆଉଦୁଇଟି ଡ୍ରୋନ ରତ୍ନୋଚକ- କାଲୁଚକ ସାମରିକ ଇଲାକାରେ ଦେଖାଯାଇଥିଲା। ଡ୍ରୋନ ଚିହ୍ନଟ କରିବା କଷ୍ଟକର ଓ ତା’ର ବ୍ୟବହାର ଶସ୍ତା। କିନ୍ତୁ ଭାରତ ବିରୋଧୀ ଉଗ୍ରବାଦୀମାନେ ଯଦି ଏହାକୁ ଲଗାତର ଭାବେ ଆକ୍ରମଣର ମାଧ୍ୟମ ଭାବେ ବ୍ୟବହାର କରିବେ ତେବେ ତାହା ଦେଶ ଲାଗି ମହଙ୍ଗା ହେବ। ଏଣୁ ଭାରତୀୟ ସୁରକ୍ଷା ସଂସ୍ଥା ସବୁ ଡ୍ରୋନ ମୁକାବିଲା କାରୀ ଆୟୁଧ ହାସଲ କରିବା ଦରକାର। ଦୁଇବର୍ଷ ତଳେ ଡ୍ରୋନ ମୁକାବିଲାକାରୀ ନିର୍ଦ୍ଦେଶାବଳୀକୁ ଚୂଡାନ୍ତ କରାଯାଇଥିଲା। କିନ୍ତୁ ତା’ର କାର୍ଯ୍ୟାନ୍ବୟନ ନେଇ ଏଯାଏଁ ଶିଥିଳତା ପ୍ରଦର୍ଶିତ ହୋଇଆସିଛି।

ଏକ୍ଷେତ୍ରରେ ଅଧିକ ବିଳମ୍ବ କ୍ଷତିକାରକ ହେବ। ଜାମ୍ମୁ ଆକ୍ରମଣର ଉତ୍ସ ସମ୍ପର୍କରେ ଚାଲିଥିବା ଅନୁସନ୍ଧାନ ନିଶ୍ଚିତ ଭାବେ ଅଧିକ ତଥ୍ୟ ଦେବ। କିନ୍ତୁ ତାହାପଛରେ ପାକିସ୍ତାନର ଭୂମିକାକୁ ଏଡାଯାଇନପାରେ। ଏଣେ ଭାରତ ଓ ପାକିସ୍ତାନ ମଧ୍ୟରେ ପରୋକ୍ଷ ଭାବେ ପଛୁଆ ଚାନେଲରେ କଥାବାର୍ତ୍ତା ଚାଲିଛି। ଏହା ମଧ୍ୟରେ କେନ୍ଦ୍ର ସରକାର କାଶ୍ମୀର ନେତାମାନଙ୍କ ସହ କଥାବାର୍ତ୍ତା କଲେଣି। ପାକିସ୍ତାନ ସରକାରରେ ଅନେକ ଭାରତ ସହ ସ୍ବାଭାବିକ ସମ୍ପର୍କ ପ୍ରତିଷ୍ଠା ଚାହାଁନ୍ତିନାହିଁ।

ଭାରତରେ ମଧ୍ୟ ଅନୁରୂପ ଅନେକ କଠୋରପନ୍ଥୀ ରହିଛନ୍ତି। ସେମାନେ ପାକିସ୍ତାନ ପ୍ରତି କଠୋର ଆଭିମୁଖ୍ୟ ବଜାୟ ରଖାଯିବା ଚାହାଁନ୍ତି। କିନ୍ତୁ ନୂଆଦିଲ୍ଲୀ ଓ ଇସଲାମାବାଦ ଏପରି ପ୍ରତିବନ୍ଧକକୁ ଏଡାଇ କୂଟନୈତିକ ବୁଝାମଣା ପାଇଁ ଆଗେଇବା ଦରକାର। ପାକିସ୍ତାନ ବେଶୀ ବୁଝିବା ଆବଶ୍ୟକ ଯେ, ଭାରତ ଓ ତା’ମଧ୍ୟରେ ବ୍ୟବଧାନ ଯଥେଷ୍ଟ ବଢିଗଲାଣି। ଭାରତ ସହ ଶତ୍ରୁତା ପାକିସ୍ତାନ ପାଇଁ କ୍ଷତିକାରକ। କିନ୍ତୁ ସେଠାରେ ସାମରିକବାହିନୀ ଓ ମୌଳବାଦୀମାନେ ନଚାହିଁଲେ ଭାରତ ସହ ଶାନ୍ତିପ୍ରତିଷ୍ଠା ହୋଇ ପାରିବନାହିଁ। ଚୀନ ମଧ୍ୟ ଭାରତକୁ ଅସୁବିଧା ସ୍ଥିତିରେ ରଖିବା ପାଇଁ ପାକିସ୍ତାନକୁ ବ୍ୟବହାର କରିବ। ଏସବୁ ଦିଗ ସମ୍ପର୍କରେ ନୂଆଦିଲ୍ଲୀ ସଚେତନ। ଏଣୁ ପଡୋଶୀଙ୍କ ସହ ସ୍ବାଭାବିକ ସମ୍ପର୍କ ପ୍ରତିଷ୍ଠା ଲାଗି ଉଦ୍ୟମ କଲା ବେଳେ ସୁରକ୍ଷା ସୂତ୍ର ଗୁଡିକୁ ପାଳନ କରିବାକୁ ହେବ।

ସୀମାରେ ତୀକ୍ଷ୍ଣ ନଜର ରଖି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହ ନରେନ୍ଦ୍ର ମୋଦି ସରକାର ପାକିସ୍ତାନର ଇମ୍ରାନ ଖାନ ଶାସନ ସହ ଯୋଗାଯୋଗ ପ୍ରତିଷ୍ଠା କରନ୍ତୁ। ପାକିସ୍ତାନ ସେନାବାହିନୀରେ ଥିବା ବିଶୃଙ୍ଖଳିତ ଗୋଷ୍ଠୀ ବା ଅନ୍ୟ କେହି ଯଦି ଡ୍ରୋନ ଆକ୍ରମଣ ଜରିଆରେ ଦୁଇପକ୍ଷ ମଧ୍ୟରେ ଉତ୍ତେଜନା ବଢାଉଛନ୍ତି ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ନୂଆଦିଲ୍ଲୀ ଇସଲାମାବାଦ କହୁ। କାରଣ ଡ୍ରୋନ ଅପବ୍ୟବହାର ଭାରତ-ପାକ ସୀମାରେ ଅଧିକ ସମସ୍ୟା ସୃଷ୍ଟି କରିପାରେ। ଯେହେତୁ ଡ୍ରୋନ ଆକ୍ରମଣ ବ୍ୟୟସାପେକ୍ଷ ନୁହେଁ ଓ ସେଥÒରେ ଆକ୍ରମଣକାରୀଙ୍କର ଧନଜୀବନ କ୍ଷତି ହେବାରନାହିଁ। ସେ କାରଣରୁ ତା’ର ଅପପ୍ରୟୋଗ ବଢିପାରେ।  ପାକିସ୍ତାନ ପ୍ରତି କଠୋର ଆଭିମୁଖ୍ୟ ସତ୍ତ୍ବେ କୂଟନୈତିକଯୋଗାଯୋଗ ଅବ୍ୟାହତ ରହିବା ଉଚିତ।

Leave A Reply

Your email address will not be published.

ବ୍ରେକିଂ