ରିଲିଫ ପ୍ୟାକେଜର ପ୍ରଭାବ ସୀମିତ

କେନ୍ଦ୍ର ସରକାରଙ୍କର ନୂଆ କରୋନା ରିଲିଫ ପ୍ୟାକେଜ ଦେଶର ମାନ୍ଦା ଅର୍ଥନୀତିକୁ ଉପରକୁ ଉଠାଇ ସୃଷ୍ଟି ହୋଇଥିବା ଅବସରନତାକୁ ଦୂର କରିବା ଲାଗି ଉଦ୍ଦିଷ୍ଟ ଥିଲେ ମଧ୍ୟ ସେହି ଲକ୍ଷ୍ୟ କେତେଦୂର ହାସଲ ହେବ ସେ ସମ୍ପର୍କରେ ମୂଳରୁ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଘୋଷିତ ଉଦ୍ଦୀପକ ପ୍ୟାକେଜ ଓ ସହାୟତା ଯୋଜନା ଖୁବ ସାମାନ୍ୟ, ବେଶ ବିଳମ୍ବିତ, ଭୁଲ ମାର୍ଗରେ ନିର୍ଦ୍ଦେଶିତ ବୋଲି ଜଣାପଡୁଛି। ଏସବୁ ନକାରାତ୍ମକ ତର୍ଜମା ସତ୍ୟ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ସୋମବାରର ଘୋଷଣା ସୁଫଳ ଦେବ ବୋଲି ଆଶା କରିବା ବୃଥା। ନିଯୁକ୍ତି ଫାଇଦା ଓ କରୋନା ଆକ୍ରାନ୍ତ ଉଦ୍ୟୋଗଗୁଡ଼ିକ ସକାଶେ ଋଣ ଗ୍ୟାରେଣ୍ଟି ଥିବା ୮ଟି ସହାୟତା ଯୋଜନା ନିର୍ମଳାଙ୍କର ନୂଆ ପ୍ୟାକେଜରେ ସ୍ଥାନିତ ହୋଇଛି।

ଏହି ପ୍ୟାକେଜରେ ସ୍ପର୍ଶକାତର ଉଦ୍ୟୋଗଗୁଡ଼ିକ ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ସ୍କିମ ରହିଛି। ଏଥିରେ ସ୍ବାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ବ ଦିଆଯିବା ସହ ନୂଆ ପ୍ରକଳ୍ପ ବା ସମ୍ପ୍ରସାରଣ ପାଇଁ ଗ୍ୟାରେଣ୍ଟି ଯୋଜନା ରହିଛି। ଜରୁରୀ ଋଣ ଗ୍ୟାରେଣ୍ଟି ଯୋଜନା(ଇସିଏଲଜିଏସ)ର ସୀମାକୁ ବଢାଇ ଦିଆଯାଇଛି। କରୋନାରେ ପର୍ଯ୍ୟଟନ ଉଦ୍ୟୋଗ ସମ୍ପୂର୍ଣ୍ଣ ଅଚଳାବସ୍ଥାକୁ ଆସି ଯାଇଥିବା ବେଳେ ସରକାର ଏହାକୁ ଚଳଚଞ୍ଚଳ କରିବାକୁ ଚାହାଁନ୍ତି। ଏଥିଲାଗି ୫ ଲକ୍ଷ ପର୍ଯ୍ୟଟକଙ୍କୁ ମାଗଣା ଟିକା ମିଳିବ। ଏଥିସହ ୧୧ ହଜାରରୁ ଊର୍ଦ୍ଧ୍ବ ରେଜିଷ୍ଟ୍ରିକୃତ ପର୍ଯ୍ୟଟନ ଗାଇଡ ଓ ଉଦ୍ୟୋଗରେ ପକ୍ଷଭୁକ୍ତ ଅନ୍ୟମାନଙ୍କୁ ଆର୍ଥିକ ସହାୟତା ଦିଆଯିବ।

ଅବଶ୍ୟ କରୋନା ଭୟ କମିବା ପରେ ହିଁ ଏହାର ସୁପ୍ରଭାବ ଆଶା କରାଯାଇପାରେ। କାରଣ କେବଳ ଭାରତ ନୁହେଁ ସମଗ୍ର ବିଶ୍ବରେ ମହାମାରୀ ଆତଙ୍କ ଲୋକଙ୍କୁ ନିଜ ଘରେ ଆବଦ୍ଧ କରି ରଖିଥିବା ବେଳେ ଆମୋଦପ୍ରମୋଦ ପାଇଁ ବାହାରକୁ ଯିବାର ମାନସିକତା ସୃଷ୍ଟି ହେବା ସକାଶେ ସମୟ ଲାଗିପାରେ । ବିଦେଶୀ ପର୍ଯ୍ୟଟକଙ୍କ କଥା ଦୂରେ ଥାଉ,ଦେଶ ଭିତରର ଆଭ୍ୟନ୍ତରୀଣ ପର୍ଯ୍ୟଟକମାନେ ବି ଟିକାଦାନ ସତ୍ତ୍ବେ ଏହି ମାରକ ରୋଗଦ୍ବାରା ଭୟଭୀତ ଅବସ୍ଥାରେ ଅଛନ୍ତି। ତଥାପି ସରକାରଙ୍କ ପଦକ୍ଷେପ ପଛରେ କରୋନା କମିବା ବେଳକୁ ପର୍ଯ୍ୟଟନ ଉଦ୍ୟୋଗକୁ ସକ୍ରିୟ କରିବାର ଇଚ୍ଛା ଥାଇପାରେ।

କିନ୍ତୁ ଉପରୋକ୍ତ ପ୍ୟାକେଜ ବ୍ୟତୀତ ଅଚଳ ହୋଟେଲ ଗୁଡିକୁ ସକ୍ରିୟ କରିବା ପାଇଁ ସରକାର ସହାୟତା ଦେବା ଦରକାର। ଏଥିରେ କେବଳ ଋଣ ସହାୟତା ଯଥେଷ୍ଟ ହେବନାହିଁ। କାରଣ ଯାହା ଦେଖାଯାଉଛି ଦେଶର ହୋଟେଲ ଗୁଡ଼ିକ ପ୍ରାୟ ୨ ବର୍ଷ ଧରି ତାଲାବନ୍ଦ ଅବସ୍ଥାରେ ରହିବାକୁ ଯାଉଛନ୍ତି। ହୋଟେଲ ଉଦ୍ୟୋଗୀମାନଙ୍କର ଆର୍ଥିକ ଅବସ୍ଥା ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି। ଅଧିକାଂଶ ହୋଟେଲର ଋଣ ପରିଶୋଧ, ଷ୍ଟାଫ ପେମେଣ୍ଟ ଆଦି ନିୟମିତ ଖର୍ଚ୍ଚ ବନ୍ଦ ହୋଇଯାଇଛି। ସରକାର ପର୍ଯ୍ୟଟନ କ୍ଷେତ୍ର ସହ ସଂଶ୍ଳିଷ୍ଟ ସବୁ ଘରୋଇ ଉଦ୍ୟୋଗୀମାନଙ୍କର ମତାମତକୁ ବିଚାରକୁ ନେଇ ବାସ୍ତବବାଦୀ ପ୍ୟାକେଜ ଘୋଷଣା କରିବା ଦରକାର।

ନିର୍ମଳାଙ୍କର ଉଦ୍ଦୀପକ ପ୍ୟାକେଜରେ କରୋନା ଦ୍ବାରା କ୍ଷତିଗ୍ରସ୍ତ ଉଦ୍ୟୋଗଗୁଡ଼ିକୁ ଋଣ ଦେବା ପାଇଁ ବ୍ୟାଙ୍କ ଓ ମାଇକ୍ରୋଫାଇନାନ୍ସ ଅନୁଷ୍ଠାନଗୁଡିକୁ ସରକାରୀ ଗ୍ୟାରେଣ୍ଟି ବ୍ୟବସ୍ଥା ରହିଛି। ଏଥିରୁ ଜଣାପଡୁଛି କରୋନା ଆରମ୍ଭରୁ କେନ୍ଦ୍ର ସରକାର କେବଳ ଋଣଦାନ କୌଶଳକୁ ଗୁରୁତ୍ବ ଦେଉଛନ୍ତି। ଏଥିରେ ଆମେରିକା ଓ ଅନ୍ୟାନ୍ୟ ଦେଶ ଭଳି ସିଧାସଳଖ ଆର୍ଥିକ ସହାୟତା ସ୍କିମ ନାହିଁ। ଏତିକି ଯେ ଭାରତରେ ପ୍ରତ୍ୟକ୍ଷ କରୋନା ସାହାଯ୍ୟ ଏଯାଏଁ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ସାମଗ୍ରୀ ଦିଆଯାଇଛି। ଏଥିସହ ଚାଷ ଲାଗି ଅତିରିକ୍ତ ସାର ସବସିଡି ଦିଆଯାଇଛି।

ପୁରୁଣା ଓ ନୂଆ ପ୍ୟାକେଜଗୁଡିକୁ ମିଶାଇଲେ ମୋଟ ସାହାଯ୍ୟର ପରିମାଣ ୬.୨୯ଲକ୍ଷ କୋଟି ଟଙ୍କା ହେବ। ସାହାଯ୍ୟର ମୁଖ୍ୟ ଅଂଶ ହେଲା ଅଧିକ ଋଣ ଗ୍ୟାରେଣ୍ଟି, ସ୍ବାସ୍ଥ୍ୟ ଓ ପର୍ଯ୍ୟଟନ ଉଦ୍ୟୋଗରେ ପ୍ରତ୍ୟକ୍ଷ ପଦକ୍ଷେପ ଓ ଦୁର୍ବଳ ଶ୍ରେଣୀକୁ ସହାୟତା। କରୋନା ଆରମ୍ଭ ଦିନଠାରୁ ସବୁ ଉଦ୍ୟୋଗ ଓ ପକ୍ଷଭୁକ୍ତ ସମସ୍ତେ ସାହାଯ୍ୟ ଓ ରିଲିଫ ଦାବି କରିଆସୁଛନ୍ତି। ଅଧିକାଂଶଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି। ମହାମାରୀର ପ୍ରଥମ ଲହର ବେଳେ ବିପର୍ଯ୍ୟସ୍ତ ଶ୍ରେଣୀ ସରକାରୀ ସାହାଯ୍ୟ ନପାଇ ନିଜର ପୂର୍ବ ଆୟ ଓ ଆର୍ଥିକ ସ୍ଥିତି ଉପରେ ନିର୍ଭର କରି ତିଷ୍ଠି ରହିଲେ।

କରୋନା ପ୍ରଶମିତ ହେବାରୁ ସେମାନେ ପୁଣି ମୁଣ୍ଡ ଟେକିବାକୁ ଉଦ୍ୟମ କଲା ବେଳେ ଦ୍ବିତୀୟ ଲହର ଆସିଗଲା। ଏଥରର ବିଶେଷତ୍ବ ହେଲା କେନ୍ଦ୍ର ସରକାରଙ୍କ ସ୍ତରରେ ନିଷ୍କ୍ରିୟତା ଓ ନିଷ୍ପତ୍ତି ନେବା କ୍ଷେତ୍ରରେ ସ୍ଥାଣୁତା ଯାହା ଅଧିକ ହତାଶା ଆଣିଦେଲା। ଏପରିକି ଏବେ ଘୋଷଣା କରାଯାଇଥିବା ପ୍ୟାକେଜ କିଛିଟା ଆଗରୁ ଆସିଥିଲେ ଉପକାର ମିଳିଥା’ନ୍ତା। ଅନେକ ଏବେ ଘୋଷିତ ପ୍ରୋତ୍ସାହନର ବ୍ୟବହାର କରିବା ଅବସ୍ଥାରେ ନାହାଁନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଋଣ ଓ ଗ୍ୟାରେଣ୍ଟି ପ୍ୟାକେଜ ଋଣ ଦେବା ପାଇଁ ବ୍ୟାଙ୍କଗୁଡ଼ିକର ଆଗ୍ରହ ଉପରେ ନିର୍ଭରଶୀଳ। ଆଗରୁ ବ୍ୟାଙ୍କଗୁଡ଼ିକ ଋଣ ଦେବାକୁ ଉତ୍ସାହୀ ନଥିଲେ । କାରଣ ହେଲା ଋଣ ପରିଶୋଧ ହେବାର ଭୟ। ଏଥର ସେହି ବିପଦ ବେଶୀ ଥିବାରୁ ପରିସ୍ଥିତି ବଦଳିବ ବୋଲି ଆଶା କରାଯାଇନପାରେ। ଅର୍ଥନୀତି ଏବେ ରୁଗଣ। ପାରମ୍ପରିକ ପଦ୍ଧତିରେ ଏହାକୁ ସଜାଡି ହେବ ବୋଲି ବିଶ୍ବାସ କମ। ଏଥିଲାଗି ସରକାରଙ୍କର ପ୍ରତ୍ୟକ୍ଷ ଆର୍ଥିକ ସହାୟତା ଆବଶ୍ୟକ।

କିନ୍ତୁ ସରକାର ତାହା କରିବାକୁ ଅନିଚ୍ଛୁକ। ଅର୍ଥନୀତିରେ ଚାହିଦା ସୃଷ୍ଟି ଲାଗି ସରକାର ଲୋକ ହାତକୁ ଅର୍ଥ ପହଞ୍ଚାଇବା ଦରକାର। ଏହା ପ୍ରତ୍ୟକ୍ଷ ଦାନ ବା ମଜୁରୀ ଜରିଆରେ ହୋଇପାରିବ। ଇନ୍ଧନ ଦର ବୃଦ୍ଧି ସାମଗ୍ରୀକ ଭାବେ ଜିନିଷପତ୍ରର ଦରଦାମ ବଢାଇ ଦେଇଛି। ଏଣୁ ଟିକସ କମାଇ ଲୋକଙ୍କ ହାତରେ ଖର୍ଚ୍ଚ କରିବା ପାଇଁ କିଛି ଅର୍ଥ ଛଡାଯିବା ଆବଶ୍ୟକ। କିନ୍ତୁ ସରକାର ତାହା ମଧ୍ୟ କରିବାକୁ ଚାହୁଁ ନାହାଁନ୍ତି। ସରକାରଙ୍କ ପ୍ୟାକେଜର କେତେକ ନୀତି ଓ ନିଷ୍ପତ୍ତି ମଧ୍ୟମ ଓ ଦୀର୍ଘମିଆଦୀ ପ୍ରଭାବ ସୃଷ୍ଟି କରିପାରେ। କିନ୍ତୁ ତୁରନ୍ତ ଉପକାର ପାଇଁ ସରକାର ପଦକ୍ଷେପ ନେବା ଦରକାର।

Leave A Reply

Your email address will not be published.

ବ୍ରେକିଂ