ପ୍ରବାସୀଙ୍କ ଦୁର୍ଦ୍ଦଶା

କେନ୍ଦ୍ର ସରକାର ଆଗାମୀ ନଭେମ୍ବର ଯାଏ ୮୦ କୋଟି ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାସକୁ ୫କିଲୋଗ୍ରାମ ଖାଦ୍ୟଶସ୍ୟ ଦେବା ପାଇଁ ୯୩ ହଜାର ୮୬୯ କୋଟି ଟଙ୍କାର ଖର୍ଚ୍ଚ ବ୍ୟବସ୍ଥା ଘୋଷଣା କରିବାର ଦିନକ ପରେ ସୁପ୍ରିମକୋର୍ଟ ଅସଙ୍ଗଠିତ କର୍ମଜୀବୀମାନଙ୍କର ଜାତୀୟ ତଥ୍ୟାବଳୀ ପ୍ରସ୍ତୁତ ସମ୍ପର୍କରେ ସରକାରଙ୍କ ଅନାଗ୍ରହ ଓ ଉଦାସୀନତାକୁ ଅକ୍ଷମଣୀୟ ବୋଲି ବର୍ଣ୍ଣନା କରିଛନ୍ତି। ଚଳିତ ଜୁଲାଇ ୩୧ ସୁଦ୍ଧା ଏହି ତଥ୍ୟାବଳୀକୁ କାର୍ଯ୍ୟକ୍ଷମ କରିବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି।  ତଦ୍ଦ୍ବାରା ସବୁ ପ୍ରବାସୀ ଶ୍ରମିକ ଏବର୍ଷ ରେଜିଷ୍ଟ୍ରିଭୁକ୍ତ ହୋଇପାରିବେ। ସମାନ ସମୟସୀମା ମଧ୍ୟରେ ଶିଥିଳ ରାଜ୍ୟଗୁଡ଼ିକ ଲାଗି ଗୋଟିଏ ରାଷ୍ଟ୍ର ଗୋଟିଏ ରେସନ କାର୍ଡ ସ୍କିମ କାର୍ଯ୍ୟକାରୀ କରିବା ସକାଶେ ବାଧ୍ୟ ହୋଇଛି।

ଗତବର୍ଷ କରୋନାର ପ୍ରଥମ ଲହର ବେଳେ ପ୍ରବାସୀ ଶ୍ରମିକମାନଙ୍କର ଦୁରାବସ୍ଥା ଭାରତ ପାଇଁ ଆନ୍ତର୍ଜାତିକ ବଦନାମ ଆଣି ଦେଇଥିଲେ ସୁଦ୍ଧା ଏଯାଏଁ ସେମାନଙ୍କୁ ସରକାରଙ୍କ କଲ୍ୟାଣମୂଳକ ଯୋଜନା ଗୁଡିକର ଉପକାର ପହଞ୍ଚା ଯାଇନାହିଁ। ଗତବର୍ଷ ଲକଡାଉନ ହେବା ପରେ ବିଭିନ୍ନ ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ କେନ୍ଦ୍ର ବା ରାଜ୍ୟଗୁଡ଼ିକର ସୁରକ୍ଷା ପାଇଲେନାହିଁ। ସେମାନେ ନିଜ ରାଜ୍ୟକୁ କଷ୍ଟରେ ଫେରି ଦୁର୍ଦ୍ଦିନରେ କାଳ କାଟିବା ପରେ ପ୍ରଥମ ଲହର ଥମି ଯିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଜୀବିକା ପାଇଁ କର୍ମକ୍ଷେତ୍ରର ରାଜ୍ୟକୁ ଫେରିଗଲେ।

ସେମାନେ ନିଜ ଜୀବନକୁ ସଜାଡୁଥିବା ଅବସ୍ଥାରେ ଦ୍ବିତୀୟ ଲହର ଆସିଗଲା। ତେଣୁ ସେହି ଶ୍ରେଣୀ ଓ ଅସଙ୍ଗଠିତ ଉଦ୍ୟୋଗରେ କାମ କରୁଥିବା ଅନ୍ୟମାନେ ଦ୍ବିତୀୟ ଲହରର କଟକଣା ଯୋଗୁଁ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଗତବର୍ଷ କରୋନା ଲକଡାଉନ ପରେ କୁହାଗଲା ଯେ ଭାରତରେ ବିପୁଳ ସଂଖ୍ୟକ ଲୋକ ପୁନର୍ବାର ଦାରିଦ୍ର୍ୟ ସୀମାରେଖା ଦଳକୁ ଖସିଆସିଛନ୍ତି। ଯଦିଓ ତା’ପୂର୍ବରୁ କିଛି ବର୍ଷ ମଧ୍ୟରେ ଦେଶର ବେଶ ସଂଖ୍ୟକ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିପାରିଥିଲେ। ପିୟୁ ଗବେଷଣା କେନ୍ଦ୍ର ପକ୍ଷରୁ ହୋଇଥÒବା ଅନୁଧ୍ୟାନ ଅନୁସାରେ କରୋନା ଆରମ୍ଭ ପରେ ଭାରତରେ ସାଢେ ୭କୋଟି ଲୋକ ଦରିଦ୍ର ହୋଇଯାଇଛନ୍ତି।କିନ୍ତୁ ଏହି ଅଟକଳ ଦେଖିଲେ କୁହାଯିବ ଯେ ବାସ୍ତବ ସ୍ଥିତିକୁ ନ୍ୟୂନ କରାଯାଉଛି।

ପ୍ରକୃତରେ ଦରିଦ୍ର ହୋଇଯାଇଥିବା ଲୋକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ୨୦୧୭-୧୮ରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଏକ ସର୍ଭେ କରି କହିଥିଲା ଯେ, ଭାରତରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ଏକ ଚତୁର୍ଥାଂଶ। ସେମାନେ ଯେହେତୁ ଅସଙ୍ଗଠିତ ଉଦ୍ୟୋଗରେ କାମ କରନ୍ତି ସେଥିଲାଗି ସେମାନଙ୍କର ଏକ ଜାତୀୟ ତଥ୍ୟାବଳୀ ପ୍ରସ୍ତୁତ କରାଗଲେ ପ୍ରକୃତ ହିସାବ ଉପରେ ସେମାନଙ୍କ ସକାଶେ ସାହାଯ୍ୟ ପ୍ୟାକେଜ ଚୂଡାନ୍ତ କରିହେବ।

ସବୁ ଶ୍ରମିକଙ୍କ ତଥ୍ୟ ପ୍ରସ୍ତୁତ କରାଯାଇ ନଥିବାରୁ ସେମାନେ ନିଜର ହକ ଦାବି ହାସଲ କରିପାରୁନାହାଁନ୍ତି। ସରକାର ବୁଝିବା ଉଚିତ ଯେ, ଦୁର୍ବଳ ଶ୍ରେଣୀ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଥିଲେ ସୁଦ୍ଧା ହିତାଧିକାରୀମାନଙ୍କ ସଠିକ ତଥ୍ୟ ନଥÒଲେ ସେମାନଙ୍କ ଲାଗି ଉଦ୍ଦିଷ୍ଟ ଯୋଜନାଗୁଡ଼ିକ ଫଳପ୍ରଦ ହୋଇ ପାରିବନାହିଁ। ଆଶ୍ଚର୍ଯ୍ୟର କଥା ଯେ ଏହି ତଥ୍ୟ ପ୍ରସ୍ତୁତ ପାଇଁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କର ତାଗିଦ ଯାଏଁ ଅପେକ୍ଷା କରିବାକୁ ପଡୁଛି।ଏହାଠାରୁ ବଳି ଲଜ୍ଜାର ବିଷୟ ଆଉ କିଛିନାହିଁ।

ଗୋଟିଏ ରାଷ୍ଟ୍ର ଗୋଟିଏ ରେସନକାର୍ଡ ଯୋଜନା ଦ୍ବାରା ପ୍ରବାସୀ ଶ୍ରମିକଗଣ ଓ ସେମାନଙ୍କ ପରିବାର ଯେଉଁ ରାଜ୍ୟକୁ ଯାଇ କାମ କଲେ ବି ରେସନକାର୍ଡରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରିହାତି ଖାଦ୍ୟ ସାମଗ୍ରୀ ପାଇପାରିବେ। ଅନେକ ରାଜ୍ୟରେ ଏହା ପୂରାପୂରି ଲାଗୁ ହୋଇନାହିଁ। ଯେହେତୁ ବିପୁଳ ଲୋକ ସଂଖ୍ୟାର ଏ ଦେଶରେ ଗରିବ ଓ ନିମ୍ନ ଆୟକାରୀ ଜନସଂଖ୍ୟା ବେଶୀ ଏବଂ କରୋନାରେ ସେମାନଙ୍କ ସଂଖ୍ୟା ବଢିଯାଇଛି ସେ ଦୃଷ୍ଟିରୁ ଏହି ରେସନ କାର୍ଡ ଯୋଜନାର ପ୍ରାସଙ୍ଗିକତା ଅଧିକ ହୋଇଛି।

ଖାଦ୍ୟ ସୁରକ୍ଷା ନଥିବାରୁ ଉଦ୍ଦିଷ୍ଟ ହିତାଧିକାରୀମାନେ କରୋନା ଜନିତ ବାରମ୍ବାର ଲକଡାଉନରେ ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନେ ଆଗରୁ ଏହି ସୁବିଧା ପାଇଥିଲେ ଓ ଏହା ଠିକ ଭାବେ ସବୁ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିଲେ ହୁଏତ ସେମାନଙ୍କର ଖାଦ୍ୟାଭାବ ଚାପ କମିଯାଇଥାନ୍ତା। ଅନେକ ପ୍ରବାସୀ ଶ୍ରମିକ କର୍ମକ୍ଷେତ୍ରରେ ମାଗଣା ରେସନ ସୁବିଧା ନଥିବାରୁ ନିଜ ରାଜ୍ୟକୁ ଫେରିଯିବାକୁ ପସନ୍ଦ କରୁଛନ୍ତି। କାରଣ କରୋନା ଜନିତ ଅସ୍ଥିରତାରେ ବ୍ୟବସାୟୀ ସଂସ୍ଥା ଗୁଡିକର ଉତ୍ପାଦନ କମିଯାଇଛି।

ସେଥିଯୋଗୁଁ ସେଗୁଡିକରେ କାମ କରୁଥିବା ଶ୍ରମିକମାନଙ୍କର ଆୟ ହ୍ରାସ ପାଇଛି ଓ ଅନେକ ନିଯୁକ୍ତି ହରାଇଛନ୍ତି। ଦୁଃଖର ବିଷୟ ଯେ, କରୋନା ସମସ୍ୟା ବର୍ଷାଧିକକାଳ ଲାଗୁ ରହିଥିଲେ ବି କେନ୍ଦ୍ର ଓ ରାଜ୍ୟଗୁଡିକ ଅସଙ୍ଗଠିତ ଉଦ୍ୟୋଗର କର୍ମଜୀବୀ ଯେଉଁଥିରେ ପ୍ରବାସୀ ଶ୍ରମିକମାନେ ବେଶୀ ସେମାନଙ୍କର ଖାଦ୍ୟ ନିରାପତ୍ତା ଓ ଅନ୍ୟାନ୍ୟ ସାହାଯ୍ୟକୁ ସୁଙ୍ଗଠିତ କରିନାହାଁନ୍ତି ସେହି ସମୟ ମଧ୍ୟରେ ଏକ୍ଷେତ୍ରରେ ଥିବା ଦୁର୍ବଳତା ଗୁଡିକୁ ସଂଶୋଧନ କରାଯାଇ ପାରିଥାନ୍ତା। କୋର୍ଟଙ୍କ ହସ୍ତକ୍ଷେପ ହେଉ ବା ନହେଉପଛେ ଏହି ସମସ୍ୟାର ସମାଧାନ କରିବା ଦାୟିତ୍ବ ସରକାରଙ୍କର। ଅବଶ୍ୟ ଗୋଟିଏ ରାଷ୍ଟ୍ର ଗୋଟିଏ ରେସନକାର୍ଡ ବିଚାରଧାରା ରାମବିଳାସ ପାଶ୍ବାନ କେନ୍ଦ୍ର ଖାଦ୍ୟମନ୍ତ୍ରୀ ଥିବା ବେଳୁ ଆସିଥିଲା। ଏବେ କରୋନାର ଅବସାନ କେବେ ହେବ ଜଣାନଥିବାରୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ପ୍ରବାସୀ ଶ୍ରମିକଙ୍କର ସମସ୍ୟାକୁ ଦୂର କରିବା ପାଇଁ ବିଧିବଦ୍ଧ ପଦକ୍ଷେପ ନିଅନ୍ତୁ।

Leave A Reply

Your email address will not be published.

ବ୍ରେକିଂ