ଚୀନର ଧମକ

ଚୀନର ଶାସକ କମ୍ୟୁନିଷ୍ଟ ଦଳର ଶତବାର୍ଷିକୀ ପାଳନ ଉତ୍ସବରେ ମାର୍ଗଦର୍ଶୀ ଅଭିଭାଷଣ ଦେଇ ରାଷ୍ଟ୍ରପତି ସି. ଜିନପିଙ୍ଗ ଯେଭଳି ଢଙ୍ଗରେ ବିଦେଶୀ ରାଷ୍ଟ୍ରଗୁଡିକୁ ଧମକ ଦେଇଛନ୍ତି ତାହା ତାଙ୍କ ଦେଶର ଯୁଦ୍ଧଖୋର ମାନସିକତାକୁ ସ୍ପଷ୍ଟ କରିଦେଇଛି। ନିଜେ ଯେପରି ଅନ୍ୟ ସମସ୍ତଙ୍କ ଠାରୁ ମହତ୍ବ ଓ ସତମାର୍ଗୀ ସେହି ଦୃଷ୍ଟିଭଙ୍ଗୀକୁ ଉପସ୍ଥାପନ କରି ସେ କହିଛନ୍ତି ଯେ,ଯେଉଁସବୁ ଶକ୍ତି ଚୀନକୁ ଡରାଇବାକୁ, ଉତ୍ପୀଡନ ବା ବଶୀଭୂତ କରିବାକୁ ଚେଷ୍ଟା କରିବେ ସେମାନେ ୧୪୦ କୋଟି ଚୀନବାସୀଙ୍କୁ ନେଇ ଗଠିତ ଇସ୍ପାତ ପ୍ରାଚୀରକୁ ମୁକାବିଲା କରିବାକୁ ପଡ଼ିବ ଯେଉଁଥିରେ ସେମାନଙ୍କର ମୁଣ୍ଡପିଟିହୋଇ ଚରମ ଆଘାତ ପାଇବ। ତାଙ୍କର ଏପରି ବାକ୍ୟାଳାଙ୍କାର ହିଂସାତ୍ମକ ଥିଲା।

ସେହି ବାର୍ତ୍ତା ଲୋକ ଦେଖାଣିଆ ଓ ଉଗ୍ର ଥୁଲା। ଅର୍ଥାତ ଚୀନ ସହ ଯିଏ ବିବାଦ କରିବ ତାକୁ ବିପଦ ଘୋଟିଆସିବ। ଅବଶ୍ୟ ଜିନପିଙ୍ଗ ଏଥିସହ କହିଥିଲେ ଯେ, ଚୀନ ସବୁବେଳେ ବିଶ୍ବଶାନ୍ତି ରକ୍ଷା ପାଇଁ କାମ କରିଆସିଛି ଓ ପୃଥିବୀର ବିକାଶ ଲାଗି ସାହାଯ୍ୟ କରିବା ସହ ଆନ୍ତର୍ଜାତିକ ଶୃଙ୍ଖଳା ବଞ୍ଚାଇ ରଖିବାକୁ ଉଦ୍ୟମ କରିଆସିଛି। କିନ୍ତୁ ତାଙ୍କର ଏହି ଉକ୍ତିର ଯେ ବାସ୍ତବତା ସହ ସମ୍ପର୍କ ନାହିଁ ତାହା ଆନ୍ତର୍ଜାତିକ ସମ୍ପ୍ରଦାୟ ଜାଣେ। ନଚେତ ଚୀନ ପ୍ରତି ଅଧିକାଂଶ ଦେଶ ସନ୍ଦେହ ଯୁକ୍ତ ଆଚରଣ ପ୍ରଦର୍ଶନ କରୁନଥାନ୍ତେ। କିନ୍ତୁ ଚୀନର ରାଷ୍ଟ୍ରମୁଖ୍ୟ ଯେ ନିଜ ଦଳର ୧୦୦ ବର୍ଷ ପ୍ରତିଷ୍ଠା ଉତ୍ସବରେ କଳହ ପ୍ରିୟ ସ୍ବରରେ ଅନ୍ୟ ଦେଶଗୁଡ଼ିକୁ କଡା ଭାଷାରେ ସତର୍କବାଣୀ ଶୁଣାଇ ଦେଲେ ତାହା ଦ୍ବିତୀୟ ବିଶ୍ବଯୁଦ୍ଧ ପୂର୍ବରୁ ଜର୍ମାନୀର ଏକଛତ୍ରବାଦୀ ଶାସକ ଆଡଲଫ ହିଟଲରଙ୍କ ମାନସିକତାକୁ ମନେ ପକାଇ ଦେଉଛି।

ଚୀନ କମ୍ୟୁନିଷ୍ଟଦଳର ଶତବାର୍ଷିକୀ ଉତ୍ସବ ଦେଶର ବିପୁଳ ଶକ୍ତି ପ୍ରଦର୍ଶନ ଜରିଆରେ ପାଳନ କରାଯାଇଥିବାରୁ ଓ ସେଥିରେ ଚୀନ ସେନାବାହିନୀ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ବାୟୁସେନା ଦ୍ବାରା ନିଜର ସାମରିକ ସାମର୍ଥ୍ୟକୁ ଉପସ୍ଥାପନ କରିଥିବା କାରଣରୁ ସେଥିରୁ ଯେଉଁ ସନ୍ଦେଶ ମିଳିଛି ତାହା ହେଲା ଚୀନ ବହୁଦଳୀୟ ଗଣତନ୍ତ୍ର ହେବାର ସମ୍ଭାବନା ନାହିଁ ଓ ପୃଥିବୀର ସବୁଠାରୁ ଜନବହୁଳ ଦେଶ ତାର ସାମରିକ ଶକ୍ତି ଜରିଆରେ ବିଶ୍ବକୁ ସବୁ କ୍ଷେତ୍ରରେ ଭୟଭୀତ କରି ରଖିବାକୁ ଚାହିଁବ।

ରାଷ୍ଟ୍ରପତି ସି.ଜିନପିଙ୍ଗ ସ୍ପଷ୍ଟଭାବରେ ଚୀନର କାର୍ଯ୍ୟସୂଚୀକୁ ଉପସ୍ଥାପନ କରିଛନ୍ତି। ଯାହା ଅନେକାଂଶରେ ବିଶ୍ବ ସମ୍ପ୍ରଦାୟ ପ୍ରତି ନିର୍ଦ୍ଦେଶିତ। ତାଇୱାନକୁ ଚୀନ ସହ ମିଶାଇ ଦେଶକୁ ଏକ ବିଶାଳ ଆଧୁନିକ ରାଷ୍ଟ୍ରରେ ପରିଣତ କରାଯିବ ଏବଂ ଚୀନ ସେନାବାହିନୀର ଆଧୁନିକୀକରଣ ହେବ। ଏସବୁ ଲକ୍ଷ୍ୟ ଗୁଡିକ ପରସ୍ପର ସହ ସଂଯୁକ୍ତ। ତାକୁ ଦେଖିଲେ ଚୀନ ପ୍ରତିକୂଳ ଆନ୍ତର୍ଜାତିକ ମତକୁ ଆଉ ଖାତିର କରୁନାହିଁ। କରୋନା ପରବର୍ତ୍ତୀ ବିଶ୍ବରେ ଚୀନ ପ୍ରତି ଆନ୍ତର୍ଜାତିକ ସନ୍ଦେହ ଆହୁରି ଅଧିକ ହୋଇଥିଲେ ସୁଦ୍ଧା ରାଷ୍ଟ୍ରପତି ଜିନପିଙ୍ଗ ଯେ ଏଥିରେ ବିବ୍ରତ ନୁହଁନ୍ତି ତାହା ତାଙ୍କ ଭାଷଣରୁ ସ୍ପଷ୍ଟ।

ପ୍ରଥମ କଥା ହେଲା ଚୀନରୁ କରୋନାର ଉଦ୍ଭବ ହୋଇ ଏହି ଭୂତାଣୁ ସମଗ୍ର ବିଶ୍ବକୁ ଗ୍ରାସ କରିଥିଲେ ବି ଚୀନ ସେଥିରେ ପ୍ରାୟତଃ କ୍ଷତିଗ୍ରସ୍ତ ହୋଇନାହିଁ। ପୃଥିବୀର ସବୁଠାରୁ ଶକ୍ତିଶାଳୀ ଓ ସମୃଦ୍ଧ ଆମେରିକା ସହ ଅନ୍ୟ ଦେଶ ଗୁଡିକରେ ଏହା ମାରକ ମହାମାରୀ ହୋଇଥିବା ବେଳେ ଚୀନ ପାଇଁ କରୋନା ଏକ ସ୍ବାସ୍ଥ୍ୟସଙ୍କଟ ନୁହେଁ। ଚୀନ ଏକ ମୁକ୍ତ ଦେଶ ନୁହେଁ । ଏଣୁ ସେଠାକାର ସତ ଖବର ବାହାରିବା କଷ୍ଟକର। ତଥାପି ଯେତିକି ତଥ୍ୟ ଆସିଛି ସେଥିରୁ ଜଣାପଡୁଛି ଯେ,ଚୀନ କରୋନାକୁ ମୁକାବିଲା କରିବା ସହ ତତ୍‌ଜନିତ ଆର୍ଥିକ କୁପ୍ରଭାବକୁ ବି ଖଣ୍ଡନ କରିପାରିଛି। ସେଥିସହ ଚୀନର ମଙ୍ଗଳ ଅଭିଯାନ ତାକୁ ଆହୁରି ସ୍ବୀକୃତି ଆଣି ଦେଇଛି।

କରୋନା ଯୋଗୁଁ ବିଶ୍ବ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଛି। କିନ୍ତୁ ଚୀନ ଉପରେ ତା’ର ବିଶେଷ ପ୍ରଭାବ ପଡିନାହିଁ। କରୋନା ଭୂତାଣୁ ଚୀନ ଦ୍ବାରା କୃତ୍ରିମ ଉପାୟରେ ସୁସ୍ଥ ବୋଲି ମୂଳରୁ ଥିବା ସନ୍ଦେହ ଉପରୋକ୍ତ କାରଣ ଦ୍ବୟରୁ ଏଯାଏ ବିଶ୍ବାସଯୋଗ୍ୟ ହୋଇରହିଛି। ବିଶ୍ବ ଏଯାଏଁ କରୋନା ସ୍ବାସ୍ଥ୍ୟ ସଙ୍କଟରୁ ମୁକ୍ତ ହୋଇନାହିଁ। ଏଣୁ ସ୍ବାଭାବିକ ଭାବେ ସବୁ ଦେଶଙ୍କୁ ତାର ଅର୍ଥନୈତିକ କୁପ୍ରଭାବକୁ ସାମ୍ନା କରିବାକୁ ପଡୁଛି। ଏହି ଅବସ୍ଥାରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଧମକ ନିଶ୍ଚିତ ଭାବେ ବିଶ୍ବ ନେତୃବୃନ୍ଦଙ୍କୁ ଚକିତ କରିବ। ଆମେରିକା ବା ପଡୋଶୀ ଭାରତ ହେଉ ଚୀନର ଡରାଣ ସବୁ ଶକ୍ତିଶାଳୀ ଦେଶଙ୍କ ଲାଗି ଉଦ୍ଦିଷ୍ଟ। କିନ୍ତୁ ଚୀନବାସୀଙ୍କର ଦାରିଦ୍ର୍ୟ ଓ ଅସହାୟ ସ୍ଥିତିକୁ ଦୂର କରିବା ଲାଗି ୧୦୦ ବର୍ଷ ତଳେ ପ୍ରତିଷ୍ଠିତ ହୋଇଥିବା କମ୍ୟୁନିଷ୍ଟ ଦଳ ଭାରତର ସ୍ବାଧୀନତା ପ୍ରାପ୍ତି ପରେ ପରେ ସ୍ବାଧୀନ ଚୀନ ଗଠନ କରି ଏଯାଏଁ ଶାସନ କରିଆସିଥିବା ବେଳେ ଏକବିଂଶ ଶତାବ୍ଦୀର ବିଶ୍ବକୁ ଶାନ୍ତି ଓ ସ୍ଥିରତାର ବାର୍ତ୍ତା ଦେବା ପରିବର୍ତ୍ତେ ସାମ୍ରାଜ୍ୟବାଦୀ ମଧ୍ୟଯୁଗୀୟ ରାଷ୍ଟ୍ର ପରି ଆଚରଣ ପ୍ରଦର୍ଶନ କରୁଛି।

ବିଶ୍ବର ଏବେ ଦ୍ବିତୀୟ ସମୃଦ୍ଧ ଓ ଶକ୍ତିଶାଳୀ ରାଷ୍ଟ୍ରଭାବେ ଚୀନ ଅଗ୍ରଣୀ ଦିଗଦର୍ଶକ ଭାବେ କାମ କରିପାରିବ। ଜିନପିଙ୍ଗ ଚୀନର ସବୁଠାରୁ ଶକ୍ତିଶାଳୀ ନେତା। ସେ ଏକ ସମୟରେ ଦେଶର ରାଷ୍ଟ୍ରପତି, ଶାସକ କମ୍ୟୁନିଷ୍ଟ ଦଳର ସାଧାରଣ ସମ୍ପାଦକ ଓ କେନ୍ଦ୍ରୀୟ ସାମରିକ କମିଶନର ଅଧ୍ୟକ୍ଷ ଅଛନ୍ତି । ଏ ତିନୋଟିଯାକ ଦାୟିତ୍ବ ଚୀନର ସର୍ବୋଚ୍ଚ ପଦବୀ। ଜିନପିଙ୍ଗ କଠୋର ହସ୍ତରେ ଦେଶକୁ ଶାସକ କରିବା ସହ ବୈଦେଶିକ ନୀତି କ୍ଷେତ୍ରରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଭାରତ ସୀମାରେ ବର୍ଷାଧିକକାଳ ହେଲା ଚୀନ ଯେପରି ଉତ୍ତେଜନା ଲଗାଇ ରଖିଛି ସେଥିରୁ ପୁଣି ସାବ୍ୟସ୍ତ ହୋଇଛି ଯେ, ଚୀନ ସମ୍ପ୍ରସାରଣବାଦୀ ଆଭିମୁଖ୍ୟ ନେଇ କାମକରୁଛି। ଉଭୟ ଅର୍ଥନୈତିକ ଓ ସାମରିକ କ୍ଷେତ୍ରରେ ଚୀନ ନିଜର କର୍ତ୍ତୃତ୍ବ ବଜାୟ ରଖିବା ଲାଗି ଉଦ୍ୟମ ଚଳାଇଛି। ଏବେ ଜିନପିଙ୍ଗ ତାଙ୍କ ଭାଷଣରେ ବିଶ୍ବ ଶୃଙ୍ଖଳା ପ୍ରତି ଯେଉଁ ଧମକ ଦେଇଛନ୍ତି ତାକୁ କିପରି ଆନ୍ତର୍ଜାତିକ ସମ୍ପ୍ରଦାୟ ସାମ୍ନା କରିବ ତାହା ଭବିଷ୍ୟତ କହିବ।

Leave A Reply

Your email address will not be published.

ବ୍ରେକିଂ