ନିଯୁକ୍ତିକୁ ଅଗ୍ରାଧିକାର ଦିଆଯାଉ

କରୋନାର ଦ୍ବିତୀୟ ଲହରରେ ପୁନର୍ବାର ବିପର୍ଯ୍ୟସ୍ତ ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଉଦ୍ଦୀପକ ପ୍ୟାକେଜ ଆକାରରେ କେତେଗୁଡିଏ ପଦକ୍ଷେପ ଘୋଷଣା କରିଛନ୍ତି। ଗତବର୍ଷ ପ୍ରଥମ ଲହର ଜନିତ ଲକଡାଉନ ଅର୍ଥନୀତିକୁ ସ୍ଥାଣୁ କରିଦେଇଥିଲା ଓ ସଂକ୍ରମଣ କମିବା ପରେ କଟକଣା କୋହଳ କରାଯିବାରୁ ଅର୍ଥନୈତିକ ସକ୍ରିୟତା ଆରମ୍ଭ ହୋଇଥିଲା। ତଦ୍ଦ୍ବାରା ଏବର୍ଷ ଜାନୁଆରୀରୁ ମାର୍ଚ୍ଚ ତ୍ରୈମାସିକ ବେଳେ ଦେଶର ମୋଟ ଆଭ୍ୟନ୍ତରୀଣ ଉତ୍ପାଦନ ବା ଜିଡିପି ୧.୬ ପ୍ରତିଶତ ବଢିଥିଲା। କିନ୍ତୁ ଦ୍ବିତୀୟ ଲହର ଆରମ୍ଭ ହେବାରୁ ଏବର୍ଷ ଏପ୍ରିଲ-ମେ ମଧ୍ୟରେ ତାହା ନିମ୍ନଗତି ଆଡକୁ ଗଲା। ଏବେ ଦ୍ବିତୀୟ ଲହରର ସଂକ୍ରମଣ କମି ଦିନକୁ ୪୦ ହଜାରରୁ କମ ଲୋକ ସଂକ୍ରମିତ ହେଉଛନ୍ତି ଏବଂ ପ୍ରତିଦିନ ଅଧିକରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଉଛି।

ଏହାକୁ ଅର୍ଥନୀତିକୁ ପୁନଜ୍ଜୀବିତ କରିବା ପାଇଁ ସୁଯୋଗ ଆକାରରେ ବ୍ୟବହାର କରାଯିବା ଉଚିତ। ଅର୍ଥନୈତିକ କ୍ଷେତ୍ରରେ ଅସଲ ଲକ୍ଷ୍ୟ ହେଲା ପ୍ରାକ କରୋନା ସ୍ଥିତିକୁ ଦେଶକୁ ଫେରାଇବା। ସରକାର ଅର୍ଥନୀତିକୁ ପୁନଜ୍ଜୀବିତ କରିବା ପାଇଁ ପ୍ରତ୍ୟକ୍ଷ ସାହାଯ୍ୟ ପରିବର୍ତ୍ତେ ଋଣଦାନକୁ ହିଁ ଗୁରୁତ୍ବ ଦେଉଛନ୍ତି। କରୋନା ପ୍ରଥମ ଲହର ବେଳୁ ଏଯାଏଁ ଏହି ଆଭିମୁଖ୍ୟ ନିଆଯାଇଛି। ଏବେ ସରକାର କରୋନା ପ୍ରଭାବିତ ଉଦ୍ୟୋଗଗୁଡ଼ିକ ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ସ୍କିମ ଘୋଷଣା କରିଛନ୍ତି। ତନ୍ମଧ୍ୟରେ ସବୁଠାରୁ ଅଗ୍ରାଧିକାର ପାଉଥିବା ସ୍ବାସ୍ଥ୍ୟ ଉଦ୍ୟୋଗ ଲାଗି ୫୦ ହଜାର କୋଟି ଟଙ୍କା ରହିଛି। ଏହାଦ୍ବାରା ଯେଉଁ କ୍ଷେତ୍ରକୁ ନଗଦ ଅର୍ଥ ଦରକାର ତାହା ଦିଆଯାଇପାରିବ। କିନ୍ତୁ ଭାରତ ପରି ପୃଥିବୀର ଦ୍ବିତୀୟ ଜନବହୁଳ ଦେଶରେ ଅର୍ଥନୀତିର ପୁନରୁଦ୍ଧାର ଉଦ୍ୟମ ନିରର୍ଥକ ହେବ ଯଦି ନିଯୁକ୍ତି ସୃଷ୍ଟି ଓ ଜୀବିକା ଯୋଗାଇବାକୁ ଯଥେଷ୍ଟ ଧ୍ୟାନ ଦିଆନଯାଏ ତେବେ ମାନବସମ୍ବଳର ସଦୁପଯୋଗ ବିନା ଆର୍ଥିକ ଅଗ୍ରଗତିର ପ୍ରଭାବ ଆଂଶିକ ହେବ।

ଦେଶରେ ୫୦ ପ୍ରତିଶତ ଜନସଂଖ୍ୟାର ବୟସ ୨୫ବର୍ଷ ମଧ୍ୟରେ ଓ ୬୫ପ୍ରତିଶତ ଲୋକସଂଖ୍ୟାର ବୟସ ୩୫ ବର୍ଷରୁ କମ। ଅର୍ଥାତ ଅନ୍ୟ ଦେଶଗୁଡ଼ିକ ଅପେକ୍ଷା ଭାରତରେ ଯୁବକଯୁବତୀଙ୍କ ସଂଖ୍ୟା ବେଶୀ। ସେହି ବୟସ ହିଁ ଉତ୍ପାଦନକାରୀ ମାନବସମ୍ବଳ। ତା’ର ସଦୁପଯୋଗ ବିନା ଅର୍ଥନୀତିରେ ଦ୍ରୁତତର ଅଭିବୃଦ୍ଧି ସମ୍ଭବ ନୁହେଁ ଓ ଯାହାକିଛି ଆର୍ଥିକ ପ୍ରଗତି ହେବ ତାକୁ ଛାଡି ସାମାଜିକ ସ୍ଥିରତା ମଧ୍ୟ ଆଣିହେବନାହିଁ। ତେଣୁ ଯୁବଶ୍ରେଣୀର ନିଯୁକ୍ତିକୁ ଗୁରୁତ୍ବ ଦେବାକୁ ପଡ଼ିବ।

କେନ୍ଦ୍ର ସରକାରଙ୍କ ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ନିଯୁକ୍ତିଦାତା ମାନଙ୍କ ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା ରଖିଛି। ଯେଉଁମାନେ ନୂଆ ନିଯୁକ୍ତି ସୃଷ୍ଟି କରିବା ସହ କରୋନା ମହାମାରୀ ବେଳେ ସାମାଜିକ ସୁରକ୍ଷା ଉପକାର ଏବଂ ଚାକିରିରେ ପୁନଃନିଯୁକ୍ତିକୁ ଗୁରୁତ୍ବ ଦେବେ ସେମାନଙ୍କୁ ପ୍ରୋତ୍ସାହନ ମିଳିବ। ଏହି କାର୍ଯ୍ୟକ୍ରମ ଏବେ ବି ସାକାର ରୂପ ନେବା ସ୍ଥିତିରେ ରହିଛି। କିନ୍ତୁ ତଳସ୍ତରରେ ସ୍ଥିତି ଖରାପ। ଦେଶର ନିଯୁକ୍ତି ହାରକୁ ଶ୍ରମବଜାର ଶ୍ରେଷ୍ଠ ମାପକ ଭାବେ ଧରାଯାଏ। ଏହା ଏବେ ବି ବଢିବାକୁ ଚେଷ୍ଟା କରୁଛି। ୨୦୨୦ ଜୁଲାଇରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଏହି ହାର ପ୍ରାୟତଃ ୩୭ ପ୍ରତିଶତ ଠାରୁ ସାମାନ୍ୟ ଉପରେ ଥିଲା।

ଗତ ଏପ୍ରିଲରେ ଏହା ୨୫.୮ପ୍ରତିଶତକୁ ଖସିବା ପରେ ମେ’ରେ ୩୫.୩ ପ୍ରତିଶତକୁ ଖସିଆସିଛି। ଅବଶ୍ୟ ତା’ପରେ ଜୁନରେ ଏହା ବଢିଥିଲେ ବି ଏହି ହାର ୩୬ ପ୍ରତିଶତ ମଧ୍ୟରେ ସୀମିତ ରହୁଛି। ଏବର୍ଷ ଏପ୍ରିଲରେ ଦେଶରେ ୭୩.୫ ଲକ୍ଷ ଦରମାପ୍ରାପ୍ତ ଓ ଅଣ ଦରମାପ୍ରାପ୍ତ ବ୍ୟକ୍ତି ଚାକିରି ହରାଇଛନ୍ତି ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିକ କହିଛି। ଗୋଟିଏ ଆଶାର ସଙ୍କେତ ହେଲା ମେ’ ପରେ ବେକାରୀ ହାର କମିବା ଦେଖାଯାଉଛି।  ଏଣୁ ଆଶା ଦେଖାଯାଉଛି ଯେ,କରୋନାର ଦ୍ବିତୀୟ ଲହର ପ୍ରଭାବ କମିବା ସାଙ୍ଗକୁ ଅର୍ଥନୈତିକ ସକ୍ରିୟତା ବଢୁଛି ଯାହା ନିଯୁକ୍ତି କ୍ଷେତ୍ରକୁ ପ୍ରଭାବିତ କରିବ। ସେ କ୍ଷେତ୍ରରେ ବେକାରୀ ହାର କମିବ ଓ ନିଯୁକ୍ତି ସୃଷ୍ଟି ହେବ । ତଥାପି କରୋନାର ତୃତୀୟ ଲହର ଭୟ ଥିବାରୁ ଅଧିକ ଆଶାବାଦୀ ହେବା ଯୁକ୍ତିଯୁକ୍ତ ନୁହେଁ।

ଦେଶର ଗରିବ ଓ ନିମ୍ନ ଆୟକାରୀଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଣଆନୁଷ୍ଠାନିକ ଉଦ୍ୟୋଗରେ ନିୟୋଜିତ ଥିବା ଯୋଗୁଁ ସେମାନଙ୍କ ପ୍ରତି ଅଧିକ ବେଶୀ ଧ୍ୟାନ ଦେବାକୁ ପଡ଼ିବ। ସେହି ଶ୍ରେଣୀରେ ପ୍ରବାସୀ ଶ୍ରମିକମାନେ ଗତବର୍ଷର କରୋନା ପ୍ରଥମ ଲହର ବେଳେ ଦେଶବ୍ୟାପୀ ଲକଡାଉନ ଯୋଗୁଁ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ। ଏବର୍ଷର ଦ୍ବିତୀୟ ଲହରରେ ଗରିବଙ୍କଠାରୁ ମଧ୍ୟବିତ୍ତ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ସଂକ୍ରମିତ ହେଲେ,ସେମାନେ ମୃତ୍ୟୁ ଓ ନିଯୁକ୍ତ ହରାଇବା ସବୁ ସମସ୍ୟାର ସମ୍ମୁଖୀନ ହେଲେ। ଅଧିକ ସଂକ୍ରମଣ ଓ ମୃତ୍ୟୁହାର ଯୋଗୁଁ ଖାଉଟି ସାମଗ୍ରୀ ବ୍ୟବହାର ଓ ଉପଭୋକ୍ତାଙ୍କ ବିଶ୍ବାସ ବିଶେଷ ଭାବେ ଯଥେଷ୍ଟ ପ୍ରଭାବିତ ହେଲା।

ଗରିବଙ୍କୁ ଉଭୟ ପ୍ରଥମ ଓ ଦ୍ବିତୀୟ ଲହର ବେଳେ ମାଗଣା ଖାଦ୍ୟସାମଗ୍ରୀ ରାସନ ପ୍ରଦାନ ସ୍ବଳ୍ପମିଆଦୀ ଭାବେ ସହାୟକ ହୋଇଛି। କିନ୍ତୁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ସମସ୍ତଙ୍କ ପାଇଁ ନିଯୁକ୍ତି ଦରକାର। ଲୋକେ ଚାକିରି ପାଇ ନିୟମିତ ସନ୍ତୋଷଜନକ ଦରମା ଆଣିଲେ ହିଁ ସେମାନଙ୍କ ଘର ଚଳିବ।ତାହା ଖାଉଟି ସାମଗ୍ରୀ ବିକ୍ରି ବଢାଇ ବଜାରକୁ ଚଳଚଞ୍ଚଳ କରିବ। ମୋଟାମୋଟି ଭାବେ ଅର୍ଥନୀତିର ଊର୍ଦ୍ଧ୍ବଗତି ତଦ୍ଦ୍ବାରା ସମ୍ଭବ ହେବ। କାରଣ ଭାରତରେ ଲୋକସଂଖ୍ୟା ଅଧିକ ଥିବାରୁ ଆଭ୍ୟନ୍ତରୀଣ ବଜାରର ଆକାର ବଡ଼। ଏଣୁ ସରକାର ନିଯୁକ୍ତି ସୃଷ୍ଟିକୁ ଅଗ୍ରାଧିକାର ଦିଅନ୍ତୁ।

Leave A Reply

Your email address will not be published.

ବ୍ରେକିଂ