ପଛୁଆବର୍ଗ ରାଜନୀତି

ରାଜନୀତିରେ କିପରି ନୀତିର ମେଳକ ହୁଏ ତାହା ସଂସଦରେ  ସଦ୍ୟ ଅନୁମୋଦିତ  ପଛୁଆବର୍ଗ ବିଲ୍‌ କ୍ଷେତ୍ରରେ ଦେଖାଯାଇଛି। ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍‌ ଅନୁସାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ  ନିଜ ଅଞ୍ଚଳରେ ପଛୁଆବର୍ଗଙ୍କୁ ଚିହ୍ନଟ କରି ସେମାନଙ୍କର ତାଲିକା ବିଜ୍ଞାପିତ କରିବା ପାଇଁ  କ୍ଷମତା ପୁନଃସ୍ଥାପିତ କରାଯାଇଛି,ଏହା ଆଶା କରାଯାଉଥିଲା। ସଂସଦର ଏଥରର ଅଧବେଶନରେ କ୍ରମାଗତ ଗୋଳମାଳିଆ ପରିସ୍ଥିତି ସତ୍ତ୍ବେ ଏହି ବିଲ୍‌କୁ ସବୁ ଦଳ ସମର୍ଥନ କରିଥିଲେ। ସର୍ବସମ୍ମତି କ୍ରମେ ଏହି ବିଲ୍‌  ଗୃହୀତ ହେବା ବେଳେ ସରକାରୀ ଓ ବିରୋଧିଦଳ ଗୁଡ଼ିକ ମଧ୍ୟରେ ଅତିବିରଳ ସହମତି ପ୍ରକାଶ ପାଇଥିଲା।

ରାଜନୈତିକ ସ୍ବାର୍ଥ ବା ସରଳ ଭାବରେ ଦେଖିବାକୁ ଗଲେ ଭୋଟ ବ୍ୟାଙ୍କ ପ୍ରତ୍ୟେକ ଦଳକୁ ସମାନ ଦୃଷ୍ଟିଭଙ୍ଗୀ ଗ୍ରହଣ କରିବାକୁ ବାଧ୍ୟ କରିଥିଲା। ମହାରାଷ୍ଟ୍ର ସରକାର ମରାଠୀ ସମ୍ପ୍ରଦାୟ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ନେଇଥିବା ନିଷ୍ପତ୍ତିକୁ  ଅସିଦ୍ଧ ଘୋଷଣା କରି ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଥିଲେ ସେହି ପରିପ୍ରେକ୍ଷୀରେ ସଂସଦରେ ଉପରୋକ୍ତ ସଂଶୋଧନ ବିଲ୍‌ ଆବଶ୍ୟକ ପଡିଲା। ଉପରୋକ୍ତ ରାୟରେ ସର୍ବୋଚ୍ଚ ନ୍ୟାୟାଳୟ ଅନ୍ୟ ଦିଗରୁ ଦେଖିବାକୁ ଗଲେ ଏକ ଗୁରୁତ୍ବପୂର୍ଣ୍ଣ ସିଦ୍ଧାନ୍ତ ସ୍ପଷ୍ଟ କରିଥିଲେ ଯେ ପଛୁଆ ବର୍ଗ ଗୋଷ୍ଠୀଗୁଡିକର ଶ୍ରେଣୀକରଣ ଧାର୍ଯ୍ୟ କରିବା କ୍ଷମତା  କେନ୍ଦ୍ର ସରକାରଙ୍କ ପାଖରେ ହିଁ ରହିଛି। ସମ୍ବିଧାନର ୧୦୨ତମ ସଂଶୋଧନକୁ ବିଚାରକୁ ନେଇ କୋର୍ଟ ଏହି ମତ ଦେଇଥିଲେ। ଉକ୍ତ ସଂଶୋଧନ ବିଲ୍‌ ଅନୁସାରେ ପଛୁଆ ବର୍ଗଙ୍କ ପାଇଁ ଜାତୀୟ କମିଶନ (ଏନସିବିସି) ସୃଷ୍ଟି ହୋଇଥିଲା।

ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ କହିଥିଲେ ଯେ, ପ୍ରତି ରାଜ୍ୟ ଲାଗି ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆବର୍ଗଙ୍କର ଗୋଟିଏ ତାଲିକା ପ୍ରସ୍ତୁତ କରାଯିବ ଓ ରାଷ୍ଟ୍ରପତି ତାକୁ ଅଧିସୂଚୀତ କରିବେ।ରାଜ୍ୟଗୁଡ଼ିକ କେବଳ ତାଲିକାରେ ଅନ୍ତର୍ଭୁକ୍ତ ବା ବାଦ ଦେବା ଲାଗି ସୁପାରିଶ କରିପାରିବେ। କିନ୍ତୁ ସଂସଦରେ  ହିଁ ଏ ସମ୍ପର୍କିତ ପରିବର୍ତ୍ତନ କରାଯାଇପାରିବ। କୋର୍ଟଙ୍କର ଅନୁଭବ ହେଲା ତଫସିଲଭୁକ୍ତ ଜାତି, ଜନଜାତିଙ୍କ ପାଇଁ ହୋଇଥିବା ବ୍ୟବସ୍ଥା ଢାଞ୍ଚାରେ  ପଛୁଆବର୍ଗଙ୍କର ଚିହ୍ନଟ ପାଇଁ ଏକ ସ୍କିମ କରିବା ସଂସଦରେ ଗୃହୀତ ୧୦୨ତମ ସମ୍ବିଧାନ ସଂଶୋଧନର ଉଦ୍ଦେଶ୍ୟ। ଏହି ସଂଶୋଧନରେ ପ୍ରବର୍ତ୍ତିତ ତିନୋଟି ଧାରା ଅନୁସାରେ ଏନସିବିସି ଗଠିତ ହୋଇଛି। ପଛୁଆବର୍ଗଙ୍କ ପାଇଁ ଏକ କେନ୍ଦ୍ରୀୟ ତାଲିକା ପ୍ରସ୍ତୁତି ବାଧ୍ୟତାମୂଳକ କରାଯାଇଛି ଏବଂ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆବର୍ଗଙ୍କ ସଂଜ୍ଞା ନିରୁପିତ ହୋଇଛି।

ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଏହି ସଂଶୋଧନ ପରେ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ଶ୍ରେଣୀକୁ ଚିହ୍ନଟ କରିବାର କ୍ଷମତା ରାଜ୍ୟମାନଙ୍କର ନାହିଁ। କୋର୍ଟଙ୍କର ଏହି ରାୟ ନିଶ୍ଚିତ ଭାବେ ଦେଶ ସାରା ପ୍ରଭାବ ପକାଇଥା’ନ୍ତା। ତାହା ରାଜ୍ୟଗୁଡିକର କର୍ତ୍ତୃତ୍ବକୁ  କମାଇ ଦେଇଥା’ନ୍ତା ଯାହା ରାଜନୈତିକ ସମସ୍ୟା ସୃଷ୍ଟି କରିଥା’ନ୍ତା। ଭାରତରେ  ଧର୍ମ ଓ ଜାତିଗତ ରାଜନୀତି ସ୍ବାଧୀନତାର ସାଢେ ସାତଦଶନ୍ଧି ପରେ ବି ବଦଳିନାହିଁ। ସବୁ ରାଜନୈତିକ ଦଳ ଏହାଦ୍ବାରା ପ୍ରଭାବିତ। ମଣ୍ଡଳ ରାଜନୀତିକୁ ଏକସମୟରେ ବିଜେପି ବିରୋଧ କରୁଥିଲା। କିନ୍ତୁ ସେଥିରେ ପଛୁଆବର୍ଗଙ୍କ ମାନ୍ୟତାକୁ ସ୍ବୀକାର କରିବାକୁ ସେହି ଦଳ ବାଧ୍ୟ ହୋଇଛି। ଦେଖିବାକୁ ଗଲେ ଦେଶର ଦୁଇ ପ୍ରଧାନ ଜାତୀୟ ଦଳ କଂଗ୍ରେସ ଓ ବିଜେପି ମୂଳରୁ ଏହା ସପକ୍ଷରେ ନଥିଲେ। ନଚେତ ପଛୁଆବର୍ଗଙ୍କ ପାଇଁ ମଣ୍ଡଳ କମିଶନ ସୁପାରିଶ ବହୁ ବର୍ଷ ଧରି ଅକାମୀ ହୋଇ ପଡିରହିନଥା’ନ୍ତା।

ଓଡ଼ିଶାରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ  ଜାତୀୟ ସ୍ତରରେ ତାଙ୍କର ଜନତାଦଳର ସରକାର ମଣ୍ଡଳ କମିଶନ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଥିଲେ ସୁଦ୍ଧା ସେ ଏହି ଜାତି ରାଜନୀତିକୁ ନାପସନ୍ଦ କରିଥିଲେ। କିନ୍ତୁ ଏବେ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆଗାମୀ ନିର୍ବାଚନରେ ଟିକେଟ ବଣ୍ଟନରେ ପଛୁଆବର୍ଗଙ୍କ ପାଇଁ ୨୭ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିବେ ବୋଲି ନିଷ୍ପତ୍ତି ନେଇଛନ୍ତି,ଯାହା ଜାତୀୟ ସ୍ତରରେ ମଣ୍ଡଳବାଦୀ ଦଳଗୁଡିକ ବି କରିନାହାନ୍ତି। ଅବଶ୍ୟ ସଂସଦରେ ପଛୁଆବର୍ଗ ବିଲ୍‌କୁ ଯେପରି ସବୁଦଳ ସମର୍ଥନ କଲେ ସେଥିରୁ ସ୍ପଷ୍ଟ ହୋଇଗଲା ଯେ, ହରିଜନ ଆଦିବାସୀଙ୍କ ପାଇଁ ସ୍ବାଧୀନତା ପରବର୍ତ୍ତୀ ସମୟରୁ ରହିଥିବା କୋଟାକୁ ଯେପରି ସବୁଦଳ ସମର୍ଥନ କରିଚାଲିଛନ୍ତି,ପଛୁଆବର୍ଗ କ୍ଷେତ୍ରରେ ସମସ୍ତେ ସେହି ଆଭିମୁଖ୍ୟ ନେବେ। ଯଦିଓ ଦୀର୍ଘ ମିଆଦୀ ଭିତ୍ତିରେ ଦେଶର ବୃହତ୍ତର ସ୍ବାର୍ଥ ପାଇଁ ଜାତୀୟ ଓ ଧର୍ମ ଭିତ୍ତିକ ଗୋଷ୍ଠୀବାଦକୁ ପରିହାର କରାଯିବା ଦରକାର। ଦେଶରେ ଏବେ ପ୍ରାୟ ୬୭୧ଟି ପଛୁଆବର୍ଗ ସମ୍ପ୍ରଦାୟ ଅଛନ୍ତି। ଯଦି ରାଜ୍ୟଗୁଡିକ ହାତରୁ ସେମାନଙ୍କ ଚିହ୍ନଟ କରଣ ତାଲିକା କାଢି ନିଆଯାଇଥା’ନ୍ତା ତେବେ ପ୍ରାୟ ଏକପଞ୍ଚମାଂଶ  ପଛୁଆ ଜାତି ସେମାନଙ୍କ ସମ୍ପ୍ରଦାୟ ଲାଗି ସଂରକ୍ଷଣ ସୁବିଧା ହରାଇଥାନ୍ତେ।

ରାଜ୍ୟଗୁଡିକ ମଧ୍ୟ ସେମାନଙ୍କ ହାତରୁ ଗୁରୁତ୍ବପୂର୍ଣ୍ଣ ଜାତି ତାଲିକା ପ୍ରସ୍ତୁତି କ୍ଷମତା ଚାଲିଯିବା ନେଇ ଅସନ୍ତୁଷ୍ଟ ଥିଲେ। କେତେକ ଭାବୁଥିଲେ ଯେ ତାହା ସମ୍ବିଧାନର ସଂଘୀୟ ଚରିତ୍ରର ବିରୁଦ୍ଧାଚରଣ। ପଛୁଆବର୍ଗ ଅବସ୍ଥା ଏକ ଆପେକ୍ଷିକ ସ୍ଥିତି। ସେହି ଭିତ୍ତିରେ ରାଜ୍ୟଗୁଡ଼ିକର ଯୁକ୍ତି ଠିକ। ଗୋଟିଏ ରାଜ୍ୟରେ  ଯେଉଁ ସମ୍ପ୍ରଦାୟ ପଛୁଆ ଅନ୍ୟ ରାଜ୍ୟରେ ତା’ର ଅବସ୍ଥା ଅଲଗା ହୋଇଥାଇପାରେ। ଏଣୁ ପଛୁଆବର୍ଗର କିଏ ରହିବେ ସେହି ନିଷ୍ପତ୍ତି ରାଜ୍ୟ ନେବା ହିଁ ଯଥାର୍ଥ। ଅବଶ୍ୟ ରାଜ୍ୟ ସରକାର ଗୁଡ଼ିକ ଏକ୍ଷେତ୍ରରେ ରାଜନୈତିକ ବିଚାର ଦ୍ବାରା ପ୍ରଭାବିତ ହୋଇପାରନ୍ତି, ଯାହା ମରାଠୀ ସଂରକ୍ଷଣ କ୍ଷେତ୍ରରେ ଦେଖାଗଲା। କିନ୍ତୁ ରାଜନୈତିକ କାରଣରୁ ଓ ନୀତିଗତ ଦୃଷ୍ଟିରୁ ରାଜ୍ୟଗୁଡିକ ଉପରେ ଏହି ଦାୟିତ୍ବ ଛାଡିଦେବା ଭଲ ହେବ।

କେନ୍ଦ୍ର ମଧ୍ୟ ରାଜ୍ୟଗୁଡିକ ହାତକୁ ଏହି କ୍ଷମତା ଫେରାଇ ଦେବା ପଛରେ ଏବଂ ସବୁ ଦଳ ଏହାକୁ ସମର୍ଥନ କରିବାର ରାଜନୈତିକ କାରଣ ରହିଛି। ଆଗକୁ ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। କେନ୍ଦ୍ର ସରକାର ଓ  ବିଭିନ୍ନ  ରାଜନୈତିକ ଦଳ ବିଶେଷ ଭାବରେ ଆଞ୍ଚଳିକ ଦଳଗୁଡ଼ିକପଛୁଆବର୍ଗଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହିଁବେନାହିଁ। ପଛୁଆବର୍ଗଙ୍କ ଚିହ୍ନଟ ସମ୍ପର୍କିତ ନିଷ୍ପତ୍ତି ରାଜ୍ୟସ୍ତରରେ ରହିବା ଏପରି ଏକ ଗୁରୁତ୍ବପୂର୍ଣ୍ଣ କ୍ଷମତା ଯାହାକୁ କୌଣସି ଦଳ ବିରୋଧ କରିବା ବିପଦଜନକ ହେବ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ