ଡ୍ରଗ୍ସ ବିପଦର ଅସଲ ଦିଗ

ନିଶା ସାମଗ୍ରୀ କାରବାର ବିରୋଧରେ ଗତକିଛି ଦିନ ମଧ୍ୟରେ ଅଧିକ ସକ୍ରିୟ ହୋଇଥିବା କେନ୍ଦ୍ର ସରକାରଙ୍କ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ଏକ କ୍ରୁଇଜ ଜାହାଜରୁ ଖୁବ କମ ପରିମାଣର ଡ୍ରଗ୍ସ ଜବତ କରିିଥିଲେ ସୁଦ୍ଧା ତାହା ଗଣମାଧ୍ୟମରେ ମାତ୍ରାଧିକ ଚର୍ଚ୍ଚାକୁ ଆସିଛି୤ ଯେହେତୁ ହିନ୍ଦୀ ଚଳଚ୍ଚିତ୍ରର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ ଖାନ ଅନ୍ୟ କେତେକଙ୍କ ସହ ଏ ସଂକ୍ରାନ୍ତରେ ଗିରଫ ହୋଇଛନ୍ତି ସେଥିଲାଗି ଏହା ବେଶୀ ଆଲୋଚିତ ହେଉଛି୤ ଗିରଫ ବ୍ୟକ୍ତିମାନେ ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରଫିକ ସବଷ୍ଟାନ୍ସ ଏବଂ ଏନଡିପିଏସ ଆଇନରେ କାର୍ଯ୍ୟାନୁଷ୍ଠାନ ପରିସରକୁ ଆସିଛନ୍ତି୤ ଗଣମାଧ୍ୟମର ଅନେକେ  ଏହାକୁ ଖ୍ୟାତନାମା ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିଷୟ ଭାବେ ଘଟଣାକୁ ଅଧିକ ଗୁରୁତ୍ବ ଦେଉଛନ୍ତି୤

ଅବଶ୍ୟ ଏନସିବି କୋର୍ଟକୁ କହିଛି ଯେ, ଘଟଣାଟି ଆଗାଥା କ୍ରିଷ୍ଟି ଓ ସେରଲକ ହୋମସଙ୍କ ଡିଟେକ୍ଟିଭ ଉପନ୍ୟାସ ପରି ପ୍ରତିମୁହୂର୍ତ୍ତରେ ନୂଆ ମୋଡ ନେଉଛି୤ ସେଲିବ୍ରିଟିମାନେ ନିଶା ବା ଡ୍ରଗ୍ସ ବ୍ୟବହାର କରିବା ବା ନିଜ ପାଖରେ ରଖିବା କିଛି ନୂଆ କଥା ନୁହେଁ୤ ସେଥିପାଇଁ ସେମାନେ ଅନେକ ସମୟରେ ଯାଞ୍ଚ ପରିସରକୁ ଆସନ୍ତି୤ ଭାରତରେ ସବୁ ଦିଗରୁ ନିଶା ସମସ୍ୟା ବଢି ବଢି ଚାଲିଥିଲେ ସୁଦ୍ଧା ତାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ବା ରାଜ୍ୟଗୁଡ଼ିକ କୌଣସି ଫଳପ୍ରଦ ପଦକ୍ଷେପ ନେଉନାହାନ୍ତି୤ କିନ୍ତୁ  ମୁମ୍ବାଇର ଚଳଚ୍ଚିତ୍ର ତାରକା ଡ୍ରଗ୍ସ ବ୍ୟବହାର କରିବା ବିବାଦ ଗତ ବର୍ଷାଧିକ କାଳ ହେଲା ଅଧିକ ଆଲୋଚନାକୁ ଆସିଛି, ଯାହା ତଦନ୍ତକାରୀ ସଂସ୍ଥା ଏନସିବିକୁ ଚର୍ଚ୍ଚାରେ ରଖୁଛି୤ ଯଦିଓ ଆଇନ ତା’ବାଟରେ ଯିବା ଉଚିତ ତଥାପି ମୁମ୍ବାଇ ସେଲିବ୍ରିଟିମାନେ ବା ସେମାନଙ୍କ ପରିବାର ଲୋକେ ଡ୍ରଗ୍ସ ସେବନ କରି ଗିରଫ ଅଥବା ସରକାରୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ଦ୍ବାରା ଦେଶର ମୂଳ ନିଶା ପ୍ରସାର ସମସ୍ୟା ଥମୁନାହିଁ୤ ବରଂ ଆଶଙ୍କା ହୋଇପାରେ ଯେ,ଏପରି କାର୍ଯ୍ୟାନୁଷ୍ଠାନ ପ୍ରଚାର ସର୍ବସ୍ବ କିମ୍ବା  କିଛି ନାମୀ ଲୋକଙ୍କୁ ଧରି ସରକାରୀ ଏନଫୋର୍ସମେଣ୍ଟ ସଂସ୍ଥା ଗୋଟିଏ ପଟେ ବାହାଦୂରୀ ନେବା ସାଙ୍ଗକୁ  ଅନ୍ୟପଟେ କୌଣସି ନା  କୌଣସି  କାରଣରୁ କିଛି ଲୋକଙ୍କୁ ତଦନ୍ତ ବଳୟକୁ ଟଣାଯାଉଛି୤

ଭାରତରେ ପାକିସ୍ତାନ ସୀମାକୁ ଲାଗି ରହିଥିବା ଅଞ୍ଚଳକୁ ସୀମା ସେପଟୁ ଡ୍ରଗ୍ସ ଚାଲାଣ ଏକ ଜଣାଶୁଣା ସମସ୍ୟା୤ ନିକଟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ବାଧ୍ୟତାମୂଳକ ପରିସ୍ଥ଄ତିରେ ଅବ୍ୟାହତି ନେଇଥିବା ଅମରିନ୍ଦର ସିଂଙ୍କ ବିରୋଧରେ ମଧ୍ୟ ଏକ ଅଭିଯୋଗ ଥିଲା ଯେ ତାଙ୍କ ସରକାର ପଞ୍ଜାବର ଡ୍ରଗ୍ସ ସମସ୍ୟା ନେଇ ସେପରି କୌଣସି କାର୍ଯ୍ୟାନୁଷ୍ଠାନ କଲେନାହିଁ୤ ତାଙ୍କ ପୂର୍ବରୁ ଶାସନରେ ଥିବା ଅକାଳୀ ଦଳ ବିରୋଧରେ ବି ସେହି ଅଭିଯୋଗ ହେଉଥିଲା୤ ଆଫଗାନିସ୍ତାନରୁ ପାକିସ୍ତାନ ଦେଇ ଭାରତ ଭିତରକୁ ନିଶା ସାମଗ୍ରୀ ସବୁବେଳେ ଚାଲାଣ ହୁଏ୤ ଡ୍ରଗ୍ସର  ପ୍ରସାର କେବଳ  ପଞ୍ଜାବରେ ଆଉ ସୀମିତ ନାହିଁ୤ ଗତ ତିନିଚାରି ବର୍ଷ ଧରି ୫ଟି ସୀମାନ୍ତ ରାଜ୍ୟ ମିଳିତ ଭାବେ ଡ୍ରଗ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ସକାଶେ ବାରମ୍ବାର ସମନ୍ବୟ ବୈଠକ କରିଆସିଛନ୍ତି୤ ଭାରତର ସବୁ ରାଜ୍ୟକୁ ଡ୍ରଗ୍ସ ବ୍ୟାପିଲାଣି୤ ଓଡ଼ିଶାରେ ବି ଏହି ସମସ୍ୟା ବଢୁଛି୤ ଅନ୍ୟାନ୍ୟ ନିଶାସାମଗ୍ରୀ ବ୍ୟତୀତ ଡ୍ରଗ୍ସର ପ୍ରସାର ଦେଶର ଯୁବସମାଜକୁ ନଷ୍ଟ କରୁଛି୤ ଏନସିଆରବି ଏ ସମ୍ପର୍କରେ କି ପଦକ୍ଷେପ ନେଉଛି ତାହା କେହି ଜାଣନ୍ତିନାହିଁ୤ କିନ୍ତୁ କେତେକ ଚଳଚ୍ଚିତ୍ର  ଷ୍ଟାରଙ୍କୁ ନିଶା ବ୍ୟବହାର ସମ୍ପର୍କରେ ଜେରା କରି ଏନସିଆରବି ବାରମ୍ବାର ନିଜର କୃତିତ୍ବ ପ୍ରଦର୍ଶନ କରୁଥିବା ଜଣାଶୁଣା୤ ଗତ ମାସରେ ଗୁଜରାଟର କଚ୍ଛ ଜିଲ୍ଲାର ମୁନ୍ଦ୍ରା ବନ୍ଦରରେ ୩ହଜାର କିଲୋଗ୍ରାମ ହେରୋଇନ ଜବତ ହୋଇଥିଲା୤

ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ପ୍ରାୟ ୨୧ ହଜାର କୋଟି ଟଙ୍କା ହେବ୤ ଏହା ନିଶ୍ଚିତ ଭାବେ ବିଶ୍ବ ସ୍ତରରେ ଏକ ବଡ ଡ୍ରଗ୍ସ ଜବତ ଘଟଣା୤ କିନ୍ତୁ ଭାରତରେ ଗଣମାଧ୍ୟମ ବା ଅନ୍ୟ କେହି ଏହାକୁ ଆଶା କରାଯାଉଥିବା ଗୁରୁତ୍ବ ଦେଇନାହାନ୍ତି୤ ବୋଧହୁଏ  ଏଥିରେ କୌଣସି ଫିଲ୍ମଷ୍ଟାର ଅନ୍ୟ ସେଲିବ୍ରିଟି ସମ୍ପୃକ୍ତ ଥିଲେ ଏହା ଠିକ ଚର୍ଚ୍ଚା ପାଇଥାନ୍ତା୤କିନ୍ତୁ ଏହି ଜବତ ସମ୍ପର୍କିତ ତଦନ୍ତରୁ ଜଣାପଡିଛି ଯେ ଆଫଗାନିସ୍ତାନରୁ ଇରାନ ଦେଇ ଭାରତକୁ ଡ୍ରଗ୍ସ ଚାଲାଣର ଏକ ଆନ୍ତର୍ଜାତିକ ରାକେଟ ଏଥିସହ ସମ୍ପୃକ୍ତ୤ ନିଶ୍ଚିତ ଭାବେ ଏହା ଅତ୍ୟନ୍ତ ସାଂଘାତିକ୤ ପ୍ରକୃତରେ ଏପରି ଡ୍ରଗ୍ସ ଯୋଗାଣ ବ୍ୟବସ୍ଥା ଉପରେ ଏନସିଆରବି ଓ ଅନ୍ୟ କର୍ତ୍ତୃପକ୍ଷ ଅଧିକ ଗୁରୁତ୍ବ ଦେବା ଉଚିତ୤ ସାମୟିକ ଭାବେ କେହି ଗଞ୍ଜେଇ ବା ଚରସ ବ୍ୟବହାର କରି ଧରାପଡିଲେ ତାକୁ ଅଧିକ ଆଲୋଚନା କରିବା ଅପେକ୍ଷା ଦେଶ ଭିତରେ କିପରି ନିଶା ଚାଲାଣ ରାକେଟ ବନ୍ଦ ହେବ ସେଥିପ୍ରତି ଅଧିକ ଧ୍ୟାନ ଦିଆଯିବା ଉଚିତ୤

ଯେଉଁମାନେ ସିନ୍ଥେଟିକ୍ସ ଡ୍ରଗ୍ସ ବେପାରରେ ଅଛନ୍ତି ସେମାନଙ୍କୁ ନିର୍ମୁଳ କରାଯିବା ଉଚିତ୤ କାରଣ ସେହି ନିଶା ଖାଉଥିବା ଯୁବଶ୍ରେଣୀ କେବଳ ଯେ ନିଶାଖୋର  ହୋଇଯାଉଛନ୍ତି ତାହା ନୁହେଁ ତଦ୍ଦ୍ବାରା ସେମାନଙ୍କ ଜୀବନ ଦିନକୁ ଦିନ ଅଧିକ ବିପଦ ସଙ୍କୁଳ ହେଉଛି୤ କୁହାଯାଏ ଯେ ୧୯୮୫ରେ ଭାରତ ଆମେରିକା ଚାପରେ ଏନଡିପିଏସ ଆଇନ ପ୍ରଣୟନ କରିଥିଲା୤ ବିଡମ୍ବନାର ବିଷୟ ଯେ ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ହାଲକା ମନୋରଞ୍ଜନ ପାଇଁ ବ୍ୟବହୃତ କେତେକ ସାମଗ୍ରୀକୁ ଆଇନଗତ ସ୍ବୀକୃତି ଦେଇଥିବା ବେଳେ ଓ ସେସବୁକୁ ବୟସ୍କ ଲୋକେ  ବ୍ୟବହାର କରିପାରିବେ ଓ ଅଳ୍ପ ପରିମାଣରେ ରଖିପାରିବେ ବୋଲି ଅନୁମତି ଦେଇଥିବା ସ୍ଥଳେ ଏନଡିପିଏସରେ ଏସବୁ ବେଆଇନ ତାଲିକାରେ ରହିଛି୤ ଏ କାରଣରୁ ଭାରତୀୟ ଆଇନରେ ସଂଶୋଧନ ଲୋଡା୤ କେତେକ ହାଲକା ନିଶା ସାମଗ୍ରୀର ବ୍ୟବହାରକୁ ଅପରାଧ ଭାବେ ଧରାନଯାଇ ମୁଖ୍ୟ ଡ୍ରଗ୍ସ ବିପଦର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବା ଆବଶ୍ୟକ୤

 

 

Leave A Reply

Your email address will not be published.

ବ୍ରେକିଂ