କାବୁଲରେ ନୂଆ କର୍ମକର୍ତ୍ତା

ତାଲିବାନ ତା’ର ଗୋପନୀୟତା ରଖିବା ପାଇଁ ଜଣାଶୁଣା। ଦୁଇବର୍ଷ କାଳ ସଂଗଠନ ନିଜର ପୂର୍ବତନ ମୁଖ୍ୟଙ୍କର ମୃତ୍ୟୁକୁ ଲୁଚାଇ ରଖିଥିଲା। ଏବେ ଆଫଗାନିସ୍ତାନକୁ ପୁଣି କ୍ଷମତାକୁ ଫେରିଥିବା ତାଲିବାନ ବଦଳିଛି ବୋଲି କୁହାଯାଉଥିଲେ ସୁଦ୍ଧା ଗୋପନୀୟତା ବଜାୟ ରଖିବାର ତା’ର ପରିଚୟ ଅପରିବର୍ତ୍ତିତ ରହିଛି। ଏଯାଏଁ  ଆଫଗାନିସ୍ତାନର ଜାତୀୟ ସଂଗୀତ କ’ଣ ହେବ ସେ ସମ୍ପର୍କରେ ସାଧାରଣ ଆଲୋଚନା ହୋଇନାହିଁ। ସମ୍ବିଧାନ ପରି ଓଜନିଆ ପ୍ରସଙ୍ଗ ବା ଜାତୀୟ ପତାକା ବହୁ ଦୂର କଥା। ଗତ ସପ୍ତାହରେ କାନ୍ଦାହାରରେ ତାଲିବାନ କର୍ମକର୍ତ୍ତାମାନଙ୍କର ଆଲୋଚନାରୁ ସରକାରର ମୌଳିକ ଢାଞ୍ଚା ସମ୍ପର୍କରେ ସବିଶେଷ ତଥ୍ୟ ମିଳିନାହିଁ। ନୂଆ  ଆଫଗାନିସ୍ତାନ ଏକ ଏମିରେଟ ହେବ  ନା ଇସଲାମୀୟ ସାଧାରଣତନ୍ତ୍ର ହେବ ତାହା ସ୍ପଷ୍ଟ ହୋଇନାହିଁ । ଏତିକି ଯେ, ସରକାରରେ ଅଣ ପାସ୍ତୁଲମାନଙ୍କୁ ଓ ଆଦର୍ଶଗତ ବିରୋଧୀମାନଙ୍କୁ କଥାବାର୍ତ୍ତା ଜରିଆରେ ସାମିଲ କରାଯିବାର ସୂଚନା ମିଳୁଛି। ତଦ୍ଦ୍ବାରା ଅନ୍ତର୍ଭୁକ୍ତୀକରଣକୁ ନୂଆ ଶାସନ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ଆଶାବାଦୀମାନେ କହିବେ। ତାହାହେଲେ ଦେଶରେ ସ୍ଥିରତା ଆସିବା ସହଜ ହେବ। ଆଫଗାନିସ୍ତାନ ଦଶନ୍ଧି  ଦଶନ୍ଧି ଧରି ଗୃହଯୁଦ୍ଧ ଓ ଅସ୍ଥିରତା ମଧ୍ୟ ଦେଇ ଗତି କରିଆସିଛି।

ବିଦେଶୀ ଶକ୍ତିମାନେ ଦେଶକୁ ସଜାଡିବା ପାଇଁ ବିଭିନ୍ନ ସମୟରେ ହସ୍ତକ୍ଷେପ କରିଥିଲେ ସୁଦ୍ଧା ତାହା ବିଶେଷ ଫଳପ୍ରଦ ହୋଇନାହିଁ। ୨୦ ବର୍ଷର ଆମେରିକା ରାଜୁତି ପରେ ଯେ, ଖୁବ କମ ସମୟ ମଧ୍ୟରେ ଦେଶ ଅନିଶ୍ଚୟତା ଭିତରକୁ ଠେଲି ହୋଇଗଲା, ସେଥିରୁ ସ୍ବାଭାବିକ ଭାବେ ଧାରଣା ସୃଷ୍ଟି ହେବ ଯେ ଏହି ନଷ୍ଟ ରାଷ୍ଟ୍ର ଅପରିବର୍ତ୍ତନୀୟ। ତଥାପି କେତେକ ମହଲରେ ଆଶା ରହୁଛି ଯେ ତାଲିବାନମାନେ ନିଜର ପୂର୍ବ ଅଭିଜ୍ଞତାକୁ ଦେଖି ନୂଆ କୌଶଳରେ ଦେଶକୁ ସୁଧାରିବାକୁ ଚେଷ୍ଟା କରିବେ। ତାହା ହେଲେ ପ୍ରମାଣିତ ହେବ ଯେ, ଆଫଗାନବାସୀ  ଆଭନ୍ତରୀଣ ବ୍ୟବସ୍ଥା ଦ୍ବାରା  ନିଜ ଭାଗ୍ୟକୁ ଗଢିବାକୁ ଯାଉଛନ୍ତି। କାରଣ ତାଲିବାନ ଉଗ୍ରବାଦ ପରିଚୟରେ ବଢିଥିଲେ ବି ତାହା  ଆଫଗାନିସ୍ତାନର ଦେଶୀୟ ବ୍ୟବସ୍ଥା।

ଏବେକାର ସ୍ଥିତିକୁ ଦେଖିଲେ ଆଫଗାନିସ୍ତାନରେ ସମସ୍ତଙ୍କୁ ନେଇ ସରକାର ଗଢିବାର ସମ୍ଭାବନା ସେତେଟା ଉଜ୍ଜ୍ବଳ ନୁହେଁ। ବିଦ୍ରୋହୀ ପଞ୍ଜସିରବାସୀଙ୍କୁ ସାମରିକ ମୁକାବିଲା ଜରିଆରେ ନିୟନ୍ତ୍ରଣ କରିବା ପାଇଁ ତାଲିବାନ ନେତୃତ୍ବ ମାତ୍ର ତିନିଘଣ୍ଟାର ବୁଝାମଣା ବୈଠକ ପରେ ନିଷ୍ପତ୍ତି ନେବା ଏକ କଠୋର ଆଭିମୁଖ୍ୟ। ତା’ର ଅର୍ଥ ବିରୋଧୀମାନଙ୍କୁ ଆଲୋଚନା ଦ୍ବାରା ନିଜ ପକ୍ଷକୁ ଆଣିବା ପାଇଁ ତାଲିବାନ ଗୋଷ୍ଠୀର ଆନ୍ତରିକତା ନାହିଁ। କାବୁଲକୁ ଦଖଲ କଲାପରେ ପୂର୍ବରୁ ରାଷ୍ଟ୍ରମୁଖ୍ୟ ଥିବା ହମିଦ କାର୍ଜାଇ ଓ ଅବଦୁଲ୍ଲା ଅବଦୁଲ୍ଲାଙ୍କ ସହ ତାଲିବାନ ନେତାମାନେ କଥାବାର୍ତ୍ତା କରିଥିଲେ। ସେଥିରୁ ଆଶା ସୃଷ୍ଟି ହୋଇଥିଲା ଯେ ନୂଆ ସରକାରରେ ସମସ୍ତଙ୍କୁ ସାମିଲ କରାଯିବାକୁ ଉଦ୍ୟମ ହେଉଛି। କିନ୍ତୁ ଏବେ ସେହି ଆଭିମୁଖ୍ୟ ବଦଳି ଗଲାଣି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ ପାକ କର୍ମକର୍ତ୍ତାମାନେ କାବୁଲ ଗସ୍ତ କରିଛନ୍ତି। ଏଥିରୁ ସୂଚୀତ ହେଉଛି  ଯେ, ନିଜ ମଧ୍ୟରେ କ୍ଷମତା ବଣ୍ଟନରେ ତାଲିବାନ ନେତୃବୃନ୍ଦ ବୁଝାମଣାରେ ପହଞ୍ଚିବା କଷ୍ଟକର ହେଉଛି।

ଅନ୍ୟ ଏକ ଯୁକ୍ତି ହେଉଛି ଯେ, ପାକିସ୍ତାନ ଉପରେ ବୋଧହୁଏ ଆନ୍ତର୍ଜାତିକ ଶକ୍ତିଗୁଡ଼ିକ ଆଫଗାନିସ୍ତାନ ସମ୍ପର୍କରେ ଚାପ ପକାଉଛନ୍ତି। ଆଫଗାନିସ୍ତାନର ନୂଆ ସରକାର କିପରି ସବୁ ପକ୍ଷକୁ ନେଇ ଗଠିତ ହେବ ସେଥିଲାଗି ପାକିସ୍ତାନ ତାଲିବାନ ନେତୃବୃନ୍ଦଙ୍କୁ ଖବର ଦେବ ବୋଲି ବିଦେଶୀ ରାଷ୍ଟ୍ରଗୁଡିକ ପାକିସ୍ତାନକୁ କହିଥାଇପାରନ୍ତି। ଆଫଗାନିସ୍ତାନରେ ତାଲିବାନ ଗୋଷ୍ଠୀ ୧୯୯୬ରୁ ୨୦୦୧ ଯାଏ କ୍ଷମତାରେ ଥିଲେ। ସେ ସମୟର ସ୍ଥିତି ଓ ଏବେକାର ଅବସ୍ଥା ମଧ୍ୟରେ ବହୁତ ପରିବର୍ତ୍ତନ ହେଲାଣି। ବୋଧହୁଏ ଏବେକାର ତାଲିବାନ ନେତୃତ୍ବ ବୁଝୁଥିବ ଯେ ପୂର୍ବ ଢାଞ୍ଚାରେ ଚଳିଲେ ସେମାନେ ଆଫଗାନିସ୍ତାନରେ ବେଶୀ ତିଷ୍ଠିବା କଷ୍ଟକର ହୋଇପାରେ। ପୂର୍ବଥର ପରି ପାକିସ୍ତାନ ଯେପରି ଆଫଗାନିସ୍ତାନ ବ୍ୟାପାରକୁ ପରିଚାଳନା କରୁଥିଲା ତାହା ହେଲେ ଅବସ୍ଥା ଆହୁରି ଖରାପ ହେବ। ଆଫଗାନିସ୍ତାନ ପାଇଁ ବିଦେଶୀ ରାଷ୍ଟ୍ରଗୁଡିକରୁ ସମସ୍ତ ସାହାଯ୍ୟ ମିଳିବା ଦରକାର। ଆମେରିକା, ୟୁରୋପ ଓ ଭାରତ ହୃଦୟଙ୍ଗମ କରିବା ଦରକାର ଯେ ଆଫଗାନିସ୍ତାନରେ ଗଭୀର ଅସନ୍ତୋଷର ଅଞ୍ଚଳ ସବୁ ନାହିଁ। ତାଜିକସ୍ତାନ ରାଷ୍ଟ୍ରପତିଙ୍କର ଆତ୍ମୀୟମାନେ ଆଫଗାନିସ୍ତାନରେ ଦ୍ବିତୀୟ ବୃହତ୍ତମ ଗୋଷ୍ଠୀ। ଦୁଇ ପଡୋଶୀ ଦେଶରେ ସମାନ ଜାତି ଗୋଷ୍ଠୀର ଲୋକେ ଅଛନ୍ତି। ତାଜିକ ରାଷ୍ଟ୍ରପତି ତାଲିବାନମାନଙ୍କର ବିଜୟରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିବା ଉଲ୍ଲେଖନୀୟ।

ଆଫଗାନିସ୍ତାନର ଅର୍ଥନୀତି ଏବେ ସାମ୍ପ୍ରତିକ ପରିସ୍ଥିତିରେ ଅନିଶ୍ଚୟତା ଭିତରକୁ ଠେଲି ହୋଇଯାଇଛି। ଦେଶର ଅର୍ଥନୀତିର ପୁନରୁଦ୍ଧାର ଓ ସମର୍ଥନୀୟତା ବିଭିନ୍ନ ଦିଗ ଉପରେ ନିର୍ଭରଶୀଳ। ତନ୍ମଧ୍ୟରେ ଗ୍ୟାସ ପାଇପ ଲାଇନ ଚାଲାଣ ଫିସ୍‌ ଓ ପ୍ରାକୃତିକ ସମ୍ପଦର ଯଥାର୍ଥ ବ୍ୟବହାର ଅନ୍ୟତମ। କାବୁଲରେ ଯେଉଁମାନେ ଏବେ ଶାସନ କରିବେ ସେମାନଙ୍କୁ ବିଶ୍ବ ସମ୍ପ୍ରଦାୟର ଆସ୍ଥାଭାଜନ ହେବାକୁ ପଡ଼ିବ। ସେଥି ସକାଶେ ସେମାନେ କେଉଁ ଢାଞ୍ଚାରେ ଶାସନ କରିବେ ଓ ସବୁଶ୍ରେଣୀକୁ କିପରି ପ୍ରତିନିଧିତ୍ବ ଦେବେ ତା’ଉପରେ ବିଦେଶୀ ନଜର ରହିବ। ଯେହେତୁ ତାଲିବାନର ରକ୍ଷଣଶୀଳ ପରିଚୟ ରହିଛି ସେ କାରଣରୁ ନୂଆ ବ୍ୟବସ୍ଥାରେ ମହିଳାଙ୍କୁ ସୁଯୋଗ ମିଳିବା ନେଇ  ସନ୍ଦେହ ସୃଷ୍ଟି  ହେଲାଣି। ସରକାର ତଥା ସାଧାରଣ ଜୀବନରେ ମହିଳାଙ୍କୁ ଗୁରୁତ୍ବ ଦିଆଯିବା ଯେ ନିତାନ୍ତ ଆବଶ୍ୟକ ତାହା ତାଲିବାନ ନେତୃତ୍ବକୁ ପ୍ରମାଣ କରିବାକୁ ପଡ଼ିବ। କେବଳ ଗୋଷ୍ଠୀଗତ ସଂଖ୍ୟାଲଘୁଙ୍କୁ ମନ୍ତ୍ରୀ ଭାବେ ମନୋନୀତ କରିବା ବିଶ୍ବ ସମ୍ପ୍ରଦାୟକୁ ସନ୍ତୁଷ୍ଟ କରିବନାହିଁ।

 

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ