ପ୍ରଧାନମନ୍ତ୍ରୀ କରୋନା ଟିକାର ଦ୍ଵିତୀୟ ଡୋଜ ନେଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀର ଏମ୍ସ ହସ୍ପିଟାଲରେ କରୋନା ଟିକାର ଦ୍ଵିତୀୟ ଡୋଜ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।  ମାର୍ଚ୍ଚ ୧ରେ ମୋଦି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ପ୍ରଥମ ଡୋଜ ନେଇଥିଲେ। ଏବେ ମାସେ ପରେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଟିକା ନେଇଛନ୍ତି।

ଟିକା ନେବା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ” ଆଜି ମୁଁ ଏମ୍ସରେ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଲି ।  କରୋନାକୁ ପରାସ୍ତ କରିବାକୁ ଥିବା କିଛି ଉପାୟ ମଧ୍ୟରୁ ଗୋଟିଏ ହେଉଛି ଟିକାକରଣ ହେଉଛି ।  ଯେଉଁମାନେ ଟିକା ନେବାକୁ ଯୋଗ୍ୟ ସେମାନେ ଟିକା ନେବା ଆବଶ୍ୟକ। ”

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରୋନା ଟିକା ଦେଇଥିବା ଦୁଇଜଣ ନର୍ସ ହେଉଛନ୍ତି ପୁଡୁଚେରୀର ପି ନିବେଦା  ଏବଂ ପଞ୍ଜାବର ନିଶା ଶର୍ମା। ମୋଦିଙ୍କୁ ପ୍ରଥମ ଡୋଜ ମଧ୍ୟ ନର୍ସ ପି ନିବେଦା ଦେଇଥିଲେ।

ଦେଶରେ ଏପର୍ଯ୍ୟନ୍ତ ୯ କୋଟିରୁ ଅଧିକ ଡୋଜ ଟିକା ଦିଆଯାଇଛି। ଗତ କିଛି ସପ୍ତାହ ମଧ୍ୟରେ, ଭାରତରେ କରୋନା ସଂକ୍ରମଣ ବୃଦ୍ଧି ଘଟିଥିବା ବେଳେ ଟିକାକରଣକୁ ପ୍ରାଥମିକତା ଭିତ୍ତିରେ କରାଯାଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି  । ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଏପ୍ରିଲ ୧ ରୁ ଆରମ୍ଭ ହୋଇଥିଲା, ଯେଉଁଥିରେ ୪୫ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯାଉଛି ।

Leave A Reply

Your email address will not be published.

ବ୍ରେକିଂ