ଭୁବନେଶ୍ୱର ସହିଦନଗରରେ ଖୋଲିଲା ପବ୍ଲିକ୍ ଲାଇବ୍ରେରୀ

ଭୁବନେଶ୍ୱର: ଆଜିର ଦିନରେ ବି ସାମୁହିକ ପାଠାଗାର ଏବଂ ସିଧାସଳଖ ବହି ପଢାର ଅଭ୍ୟାସ ଚାଲୁରହିଛି । ଏହି ଅଭ୍ୟାସକୁ ପ୍ରୋତ୍ସାହନ ଦେବାପାଇଁ ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼୍(ବି ଏସ୍ ସି ଏଲ୍)ର ମିଳିତ ପ୍ରୟାସରେ ସ୍ଥାପନ ହୋଇଛି ଏକ ସାମୁହିକ ପାଠାଗାର ।

ସହିଦନଗର ସ୍ଥିତ ଇଂଟିଗ୍ରେଟେଡ଼୍ ପବ୍ଲିକ୍ ସର୍ଭିସ୍ ସେଂଟର (ଆଇପିଏସସି) ଠାରେ ଏହି ପାଠାଗାର ସ୍ଥାପନ କରାଯାଇଅଛି । ବର୍ତ୍ତମାନ ପ୍ରାରମ୍ଭିକ ଅବସ୍ଥାରେ ୨୦ ଗୋଟି ଖବରକାଗଜ, ୧୫ ଗୋଟି ମାଗାଜିନରୁ ଏହି ପାଠାଗାର ଆରମ୍ଭ ହୋଇଛି । ଏହା ସାଙ୍ଗକୁ ଓଡ଼ିଆ ଏବଂ ଇଂରାଜୀ ଭାଷାର ବିଭିନ୍ନ ବହି, କମ୍ପିଟିଟିଭ୍ ଏବଂ ଏନ୍ଟ୍ରାନ୍ସ ପରୀକ୍ଷାର୍ଥୀଙ୍କ ପାଇଁ ବିଭିନ୍ନ ପତ୍ରିକା ଏବଂ ବହ. ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟରକ୍ଷା, ଇତିହାସ, ସମକାଳୀନ ଭାରତୀୟ ସାହିତ୍ୟ, ବିବିଧ ଧର୍ମତତ୍ୱ ସାଙ୍ଗକୁ ଗୀତ କବିତା ଇତ୍ୟାଦିର ବିବିଧ ପୁସ୍ତକ ଏହିଠାରେ ଗଚ୍ଛିତ ଅଛି । ଏହା ସାଙ୍ଗକୁ ଲାଇବ୍ରେରୀ ପାଇଁ ଅଧିକରୁ ଅଧିକ ପାଠ୍ୟ ସମ୍ବଳ ଯୋଗାଡ଼ କରିବାର ପ୍ରୟାସ ଜାରି ରହିଛି ।

ଏହି ସ୍ଥାନରେ ଲାଇବ୍ରେରୀଟି ଖୋଲାଯିବା ହେତୁ ସ୍ଥାନୀୟ ବାସିନ୍ଦା, ବରିଷ୍ଠ ନାଗରିକ ଏବଂ ବିବିଧ ନିଯୁକ୍ତି ପରୀକ୍ଷା ଦେଉଥିବା ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ତଥା ନିକଟରେ ଥିବା ବସ୍ତିର ଆଗ୍ରହୀ ପାଠକ ପାଠିକା ମାନଙ୍କ ପାଇଁ ଏହି ପାଠାଗାର ଏକ ସମ୍ବଳ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ବର୍ତ୍ତମାନ ପରିପ୍ରେକ୍ଷୀରେ ପାଠାଗାରଟି ଦିନ ୧୦ ଘଟିକାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଖୋଲା ରହିବା ବ୍ୟବସ୍ଥା ଥିବାବେଳେ ଆଗାମୀ ଦିନ ମାନଙ୍କରେ ଏହା ଦୁଇବେଳା ଖୋଲାରହିବ ଯାହାକି ପୂର୍ବାହ୍ନ ସହିତ ଅପରାହ୍ନ ୪ ଘଟିକା ଠାରୁ ସଂଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଏହି ପାଠାଗାର ଖୋଲାରହିବ ।

ଏହିଠାରେ ମଧ୍ୟ ମେଡ଼ିକାଲ୍ ଏନଟ୍ରାନ୍ସ ଇତ୍ୟାଦି ସମ୍ବନ୍ଧୀୟ ପୁସ୍ତକ ରଖାଯାଇ ଯୁବ ଆଶାୟୀଙ୍କୁ ପାଠାଗାରକୁ ଆକୃଷ୍ଟ କରିବାର ପଦକ୍ଷେପ ନିଆଯାଇଅଛି । ପାଠାଗାର ସାଧାରଣତଃ କ୍ରମବର୍ଦ୍ଧନଶୀଳ, ତେଣୁ ଏପରି ପଦକ୍ଷେପ ବର୍ତ୍ତମାନ ପାଇଁ ଉପାଦେୟ ହୋଇଥିବାରୁ ସହରାଞ୍ଚଳ କର୍ତୃପକ୍ଷଙ୍କ ତରଫରୁ ନାଗରିକ ସହଯୋଗ ଆଶା କରାଯାଉଅଛି । କମିଶନର ବିଏମସି ତଥା ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରେମଚନ୍ଦ୍ର ଚୌଧରୀ ବାପୁଜୀନଗର ସ୍ଥିତ ଆଇପିଏସସି ରେ ଏହିପରି ଏକ ପାଠାଗାର କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ର ଜେନେରାଲ୍ ମ୍ୟାନେଜର୍ ଆଡ଼ମିନିଷ୍ଟ୍ରେସନ୍ କମଲଜୀତ ଦାସ କହିଛନ୍ତି ଯେ, ସ୍ଥାନୀୟ ଯୁବବର୍ଗ, ବରିଷ୍ଠ ନାଗରିକ, ନିଯୁକ୍ତି ପରୀକ୍ଷାର୍ଥୀ ଏବଂ ପାଖ ବସ୍ତିର ଛାତ୍ରଛାତ୍ରୀମାନେ ଏହି କେନ୍ଦ୍ରର ଉପାଦେୟତାକୁ ବେଶ ଅନୁଭବ କରିପାରିବେ ବୋଲି ଆଶା କରୁଛୁ । ତେବେ ଏଠାକାର ସୁରକ୍ଷା ବ୍ୟବସ୍ଥାକୁ ସ୍ୱତନ୍ତ୍ର ନଜର ଦିଆଯାଇ ଛାତ୍ରୀ ଏବଂ ମହିଳାଙ୍କୁ ପାଠାଗାର ବ୍ୟବହାର ପାଇଁ ଉତ୍ସାହିତ କରାଯାଇଅଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ