ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ : ଓଡ଼ିଶା ଦ୍ୱିତୀୟ

ନୂଆଦିଲ୍ଲୀ: ଶ୍ରମିକମାନଙ୍କର ପଞ୍ଜୀକରଣ ଲାଗି କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଇ-ଶ୍ରମ ପୋର୍ଟାଲକୁ ଖୁବ କମ୍ ଦିନରେ ଉତ୍ସାହପ୍ରଦ ସମର୍ଥନ ମିଳିଛି। ଅଗଷ୍ଟ ୨୬ ତାରିଖରେ ଏହି ପୋର୍ଟାଲର ଉନ୍ମୋଚନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଅଧିକ ଶ୍ରମିକ ଏଥିରେ ପଞ୍ଜୀକରଣ କରିସାରିଲେଣି।

ସାରା ଦେଶର ୧ କୋଟି ୩ ଲକ୍ଷ ୧୨ ହଜାର ୯୫ ଜଣ ଶ୍ରମିକ ଆଜିସୁଦ୍ଧା ପଞ୍ଜୀକରଣ କରିସାରିଛନ୍ତି।  ଓଡ଼ିଶାର ୨୧ ଲକ୍ଷ ୬୯ ହଜାର ୫୫୪ଜଣ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଇ-ଶ୍ରମ ପୋର୍ଟାଲରେ ସର୍ବାଧିକ ସଂଖ୍ୟକ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ପଞ୍ଜୀକରଣ କରିଥିବା ଶ୍ରେଷ୍ଠ ପ୍ରଦର୍ଶନକାରୀ ୧୬ଟି ରାଜ୍ୟ ମଧ୍ୟରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି।

ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିଥିବା ଶ୍ରମିକମାନଙ୍କ ମଧ୍ୟରେ ୪୩ ପ୍ରତିଶତ ହିତାଧିକାରୀ ମହିଳା ଏବଂ ୫୭ ପ୍ରତିଶତ ଶ୍ରମିକ ପୁରୁଷ ରହିଛନ୍ତି।  ସଦ୍ୟତମ ତଥ୍ୟ ଅନୁଯାୟୀ, ବିହାର ଶ୍ରମିକମାନଙ୍କ ପଞ୍ଜୀକରଣ କ୍ଷେତ୍ରରେ ପ୍ରଥମ ସ୍ଥାନ ହାସଲ କରିଛି। ଓଡ଼ିଶା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଏହା ପଛକୁ ରହିଛନ୍ତି। ତେବେ କମ ଶ୍ରମିକଙ୍କ ସଂଖ୍ୟା ଥିବା ଛୋଟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ମଧ୍ୟ ଉତ୍ସାହଜନକ ପ୍ରଦର୍ଶନ କରିଛନ୍ତି।

ଅସଂଗଠିତ ଶ୍ରମିକମାନଙ୍କର ଏକ ବିସ୍ତୃତ ଡାଟାବେସ ପ୍ରସ୍ତୁତ କରିବା ଦିଗରେ ଦେଶରେ ପ୍ରଥମ ଥର ପାଇଁ ପ୍ରୟାସ କରାଯାଇଛି। ନିର୍ମାଣ, ପୋଷାକ ଉତ୍ପାଦନ, ମତ୍ସ୍ୟଚାଷ, ଜିଗ ଓ ପ୍ଲାଟଫର୍ମ କାମ, ଉଠାଦୋକାନୀ, ଘରୋଇ କାମ, କୃଷି ଓ ଆନୁସଙ୍ଗିକ କାର୍ଯ୍ୟ, ପରିବହନ କ୍ଷେତ୍ର ଆଦିରେ ନିୟୋଜିତ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ପଞ୍ଜୀକରଣ ଲାଗି ଅଗଷ୍ଟ ୨୬ ତାରିଖରେ ଇ-ଶ୍ରମ ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ଶ୍ରମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଏହାକୁ ଉନ୍ମୋଚନ କରିଥିଲେ।

ଅସଂଗଠିତ କ୍ଷେତ୍ରରେ ବହୁସଂଖ୍ୟକ ପ୍ରବାସୀ ଶ୍ରମିକ କାର୍ଯ୍ୟ କରିଥାନ୍ତି। ୨୦୧୯-୨୦ ଆର୍ଥିକ ସମୀକ୍ଷାର ତଥ୍ୟ ଅନୁଯାୟୀ ଦେଶରେ ଆନୁମାନିକ ୩୮ କୋଟି ଅସଂଗଠିତ ଶ୍ରମିକ ରହିଛନ୍ତି, ଯେଉଁମାନଙ୍କୁ ଏହି ପୋର୍ଟାଲରେ ପଞ୍ଜୀକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ ଫଳରେ ଏହି ପ୍ରବାସୀ ଶ୍ରମିକମାନେ ବିଭିନ୍ନ ସାମାଜିକ ସୁରକ୍ଷା ଏବଂ ନିଯୁକ୍ତି ଭିତ୍ତିକ ଯୋଜନାର ଲାଭ ପାଇପାରିବେ।

Leave A Reply

Your email address will not be published.

ବ୍ରେକିଂ