ସେଲ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ରେକର୍ଡ ଏକ ଦିବସୀୟ ଏଚଆର କଏଲ ଉତ୍ପାଦନ ହାସଲ

ରାଉରକେଲ : ସେଲ ରାଉରକେଲା ଇସ୍ପାତ କାରଖାନା ଏହାର ଉତ୍କୃଷ୍ଟ ପ୍ରଦର୍ଶନର ଧାରାକୁ ବଜାୟ ରଖି ଜାନୁଆରୀ ୨୦ ତାରିଖରେ ରେକର୍ଡ ଏକ ଦିବସୀୟ ଏଚଆର କଏଲ ଉତ୍ପାଦନ ହାସଲ କରିଛି । ଇସ୍ପାତ କାରଖାନାର ହଟ ଷ୍ଟ୍ରିପ ମିଲ-୧ ବିଭାଗ ୯୨୬୯ ଟନ ସ୍ଲାବ ରୋଲିଙ୍ଗ ପୂର୍ବକ ୯୦୬୭ ଟନ ଏଚଆର କଏଲ ପ୍ରସ୍ତୁତ କରି ସର୍ବକାଳୀନ ଶ୍ରେଷ୍ଠ ଏକଦିବସୀୟ ଉତ୍ପାଦନ ରେକର୍ଡ ହାସଲ କରିଛି।

ଏହା ପୂର୍ବରୁ ୨୦୧୪ ଜାନୁଆରୀ ୩୧ ତାରିଖରେ ୮୯୮୩ ସ୍ଲାବ ରୋଲିଙ୍ଗ ପୂର୍ବକ ୮୮୦୪ ଟନ ଏଚଆର କଏଲ ଉତ୍ପାଦନ କାରଖାନାର ପୂର୍ବ ସର୍ବଶ୍ରେଷ୍ଠ ଏକ ଦିବସୀୟ ପ୍ରଦର୍ଶନ ରହିଥିଲା। ଏହି ଅବସରରେ ଆରଏସପିର ସିଇଓ ଦୀପକ ଚଟ୍ଟରାଜ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପଙ୍କଜ କୁମାର, ସାମଗ୍ରୀ ପରିଚାଳନା ଆଣ୍ଡ ମାର୍କେଟିଂ ବିଭାଗର ଭାରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ, ସି ଆର ମହାପାତ୍ର ଏବଂ ବିତ୍ତ ଓ ଲେଖା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣ ନିଗମଙ୍କ ଗହଣରେ ହଟ ଷ୍ଟ୍ରିପ ମିଲ-୧ ପରିଦର୍ଶନ କରି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସାମୂହିକଙ୍କୁ ଅଭିନନ୍ଦନ ଜଣାଇଥିଲେ । ସିଇଓ ଦୀପକ ଚଟ୍ଟରାଜ କର୍ମଚାରୀମାନଙ୍କୁ ମିଷ୍ଟାନ୍ନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ।

ସିଇଓ ଦୀପକ ଚଟ୍ଟରାଜ ଜ କହିଥିଲେ ଯେ,  ଏହି ଚମତ୍କାର ପ୍ରଦର୍ଶନ ସାମୁଦାୟିକଙ୍କର ଉତ୍ସାହ, ନିଷ୍ଠା ଏବଂ ପେଶାଦାର ମନୋଭାବକୁ ଦର୍ଶାଉଛି। ଏହା ମଧ୍ୟ ସୂଚାଉଛି ଯେ ଯଦି ଇଚ୍ଛା ପୋଷଣ ପୂର୍ବକ ଯୋଜନା ପ୍ରସ୍ତୁତି ଓ ଏହାର ରୂପାୟନ କରାଯାଏ, ତେବେ ଲକ୍ଷ୍ୟ ନିଶ୍ଚିତ ଭାବରେ ଉପଲବ୍ଧ ହୋଇପାରିବ । ଆସନ୍ତୁ ସଫଳତାର ନୂତନ ଶିଖରକୁ ପହଞ୍ଚିବା ପାଇଁ  ଉତ୍କର୍ଷତାର ଧାରାକୁ ବଜାୟ ରଖିବା। ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ସୁନ୍ଦର ପ୍ରଦର୍ଶନ ନିମନ୍ତେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଆହୁରି ଭଲ କରିବାକୁ ଉତ୍ସାହିତ କରିଥିଲେ।

ମୁଖ୍ୟ ମହାପ୍ରବନ୍ଧକ ଦେବବ୍ରତ ଦତ୍ତଙ୍କ ନେତୃତ୍ୱରେ ହଟ ସ୍ଟ୍ରିପ ମିଲ  ଏବଂ ସଂପୃକ୍ତ ବିଭାଗ ସାମୂହିକ, କାରଖାନାକୁ ସଫଳତାର ଶିଖରରେ ପହଞ୍ଚାଇବା ନିମନ୍ତେ ନିଜର ସର୍ବଶ୍ରେଷ୍ଠ ଯୋଗଦାନ ଦେବା ନିମନ୍ତେ ସିଇଓଙ୍କୁ ପ୍ରତିଶୃତି ଦେଇଥିଲେ।

 

Leave A Reply

Your email address will not be published.

ବ୍ରେକିଂ