ଆଜି ପବିତ୍ର ଶାମ୍ବ ଦଶମୀ, ଜାଣନ୍ତୁ ଏହାର ବିଶେଷତ୍ୱ

ଭୁବନେଶ୍ୱର : ଆଜି ପବିତ୍ର ଶାମ୍ବ ଦଶମୀ । ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ଏହି ଦିନ ସୂର୍ଯ୍ୟ ଦେବଙ୍କୁ ଭୋରରୁ ଉଠି ପୂଜା କରାଯାଏ। ମୁଖ୍ୟତଃ ଓଡ଼ିଶାର ପୂର୍ବ ଭାଗରେ ଏହି ପୂଜା ବେଶ ଧୁମ୍ ଧାମରେ ପାଳନ କରାଯାଇଥାଏ।

ନାରୀମାନେ ନିଜ ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା କରି ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରନ୍ତି । ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ । ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ । ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତ ହୋଇ ଏହି ମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବାଢ଼ନ୍ତି । ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜାନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟପୁରାଣ ପାରାୟଣ କରିଥାନ୍ତି । ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ । ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ । ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ନିମିତ୍ତ । ଏହି ଧୂପରେ ମଧ୍ୟ ଏଣ୍ଡୁରି, କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ ।

କିମ୍ବଦନ୍ତୀ ଅନୁଯାୟୀ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରେ ପୀଡ଼ିତ ଥିଲେ। ଏହି ରୋଗରୁ ମୁକ୍ତି ପାଇବା ପାଇଁ ସେ କୋଣାର୍କର ସୂର୍ଯ୍ୟ ମନ୍ଦିରରେ କଠିନ ତପସ୍ୟା କରିଥିଲେ। ଶାମ୍ବଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ସୂର୍ଯ୍ୟଦେବ ତାଙ୍କୁ ରୋଗମୁକ୍ତ କରିଥିଲେ। ଯେଉଁ ଦିନଠାରୁ ଶାମ୍ବଙ୍କର କୁଷ୍ଠ ରୋଗ ଭଲ ହୋଇଥିଲା ସେହିଦିନ ଠାରୁ ସେହି ତିଥିକୁ ଶାମ୍ବ ଦଶମୀ ଭାବେ ପାଳନ କରାଯାଉଛି।   ତେଣୁ ଏହି ଦିନ ମା’ ମାନେ ନିଜର ପିଲାଙ୍କର ସୁସ୍ଥତା କାମନା କରି ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ସୂର୍ଯ୍ୟଙ୍କ ନିକଟରେ ପୂଜା କରିଥାନ୍ତି।

Leave A Reply

Your email address will not be published.

ବ୍ରେକିଂ