ଦ୍ଵିତୀୟ ଲହରୀ ସାଂଘାତିକ 

ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଅତ୍ୟନ୍ତ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ସୋମବାର ଦିନ ଏହା ୧ ଲକ୍ଷ ଟପିବା ପରେ ପ୍ରଥମ ଲହରୀଠାରୁ ଯେ ଏଥରର ଅବସ୍ଥା ଆହୁରି ସାଂଘାତିକ ତାହା ନେଇ ସନ୍ଦେହ ନାହିଁ। ଯଦିଓ ପ୍ରଥମ ଥର ପରି ଏଯାଏଁ ଦେଶରେ ଲକଡାଉନ କଟକଣା କରାଯାଇନାହିଁ। ପୂର୍ବଥରର  କରୋନା ସଂକ୍ରମଣ ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ସର୍ବୋଚ୍ଚ ୯୭, ୮୯୪ଟି ସଂକ୍ରମଣରେ ପହଞ୍ଚି ଥିବା ବେଳେ ଏଥର ସେହି ରେକର୍ଡ ଭାଙ୍ଗିଯାଇଛି। ବଡକଥା ହେଲା, ପୂର୍ବଥର ଅପେକ୍ଷା ଏଥର ଦୈନିକ ସଂକ୍ରମଣ  ସଂଖ୍ୟା  ଦ୍ରୁତତର ହାରରେ ବଢୁଛି।

ଗଲା ଶନିବାର ଭାରତରେ  ୨୪ ଘଣ୍ଟା ମଧ୍ୟରେ ୯୩,୦୭୭ଟି ନୂଆ କରୋନା କେସ ବାହାରିବା ଯୋଗୁଁ ଦୈନିକ ସଂକ୍ରମଣ କ୍ଷେତ୍ରରେ ଭାରତ ସେଦିନ ବିଶ୍ବରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଭାରତର ସ୍ଥିତି ଏବେ ଆମେରିକା ଓ ବ୍ରାଜିଲଠାରୁ ଖରାପ। ପ୍ରଥମଥର ସହ ତୁଳନା କଲେ ଭାରତରେ ଦ୍ବିତୀୟ ଲହରୀରେ ଯେ କମ ଦିନ ମଧ୍ୟରେ ସଂକ୍ରମଣ  ଅଧିକ ହୋଇଛି ତାହା ଜଣାପଡୁଛି। ଗତବର୍ଷ ଦୈନିକ ସଂକ୍ରମଣ ସଂଖ୍ୟା ୨୦ ହଜାରରୁ ସର୍ବୋଚ୍ଚ ୯୭,୮୯୪ରେ ପହଞ୍ଚିବାକୁ ୭୬ଦିନ ଲାଗିଥିଲା। କିନ୍ତୁ ଏଥର ଦ୍ବିତୀୟ ଲହରୀରେ ମାତ୍ର ୨୫ଦିନ ମଧ୍ୟରେ ଅର୍ଥାତ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ଭିତରେ  ଦୈନିକ ସଂକ୍ରମଣ ବଢି ୧ ଲକ୍ଷକୁ ଟପିଯାଇଛି।

କ୍ରମାଗତ ଭାବେ ୨୬ ଦିନ ଧରି ଏଥର କରୋନା ସଂକ୍ରମଣ ବଢି ୭ଲକ୍ଷ ୪୧ ହଜାର ୮୩୦ରେ ପହଞ୍ଚିଛି, ଯାହା  ମୋଟ ସଂକ୍ରମଣର ୫.୮୯ ପ୍ରତିଶତ। ଅଥଚ ଆରୋଗ୍ୟ ହାର ଆହୁରି ଖସି ୯୨.୮୦ ପ୍ରତିଶତକୁ ଆସିଛି। ମୃତ୍ୟୁହାର କମୁଥିଲେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ଅତ୍ୟନ୍ତ ଚିନ୍ତାଜନକ, ଯାହା ଟିକା ଦାନ ଭିତରେ ବଢୁଛି। ଜଣାଶୁଣା ଭାବେ ସବୁଠାରୁ ଖରାପ ସ୍ଥିତି ମହାରାଷ୍ଟ୍ରର,  ଯେଉଁଠାରେ ଦୈନିକ ୫୦ ହଜାର ନୂଆ ସଂକ୍ରମଣ ବାହାରୁଛି।

ଦ୍ବିତୀୟ ଲହରୀରେ କେବଳ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ଚିନ୍ତଜନକ ନୁହେଁ । ବିଶେଷଜ୍ଞମାନେ କହୁଛନ୍ତି ଯେ କରୋନାର ଏକ ନୂଆ ଭୂତାଣୁ ‘ଡବଲ ନ୍ୟୁଟାଣ୍ଟ’ ବାହାରିଛି ଯେଉଁଥିରେ ସମାନ ଭୂତାଣୁରେ ଦୁଇଟି ନ୍ୟୁଟେସନର ମିଳନ ଘଟିଛି। ତା’ସାଙ୍ଗକୁ ବ୍ରିଟେନରୁ ଆସିଥିବା କରୋନାର ଟେଣ୍ଟ ଭୂତାଣୁ ଦ୍ବିତୀୟ ସଂକ୍ରମଣ ହାରକୁ ବଢାଇ ଥାଇପାରେ। ବୈଜ୍ଞାନିକମାନଙ୍କ ମତ ହେଲା ଏସବୁ ନୂଆପ୍ରକାର ଭୂତାଣୁ ମଣିଷ ଶରୀରକୁ ସହଜରେ ସଂକ୍ରମିତ କରିପାରନ୍ତି। ଏଥିରେ ଲୋକ ମଧ୍ୟ ପୁନଃ ସଂକ୍ରମିତ ହୋଇପାରନ୍ତି। ଉଦବେଗର ବିଷୟ ହେଲା ଏଥର ଶିଶୁମାନେ ବହୁ ସଂଖ୍ୟାରେ କରୋନାରେ ସଂକ୍ରମିତ ହୋଇଛନ୍ତି। ଅଥଚ ସେମାନେ ଟିକା ନେବେ କି ନା ତାହା ଏଯାଏ ଜଣାନାହିଁ। କାରଣ ବାହାରିଥିବା ଟିକା ଶିଶୁମାନଙ୍କୁ ଦିଆଯାଇପାରିବ କି ନା ତାହା ଏକ ପ୍ରଶ୍ନ। ଦ୍ବିତୀୟ ଲହରୀରେ ସଂକ୍ରମଣ ବଢୁଥିଲେ ସୁଦ୍ଧା ଜନସାଧାରଣଙ୍କ ମଧ୍ୟରେ ସେତିକି ଚିନ୍ତା ସୃଷ୍ଟି ହୋଇନାହିଁ।

ବୋଧହୁଏ ପ୍ରାୟ ବର୍ଷେ କାଳ କରୋନା ଆକ୍ରାନ୍ତ  ଦେଶବାସୀ ଦୀର୍ଘଦିନ ଧରି ଲକଡାଉନ ଓ ଅନ୍ୟାନ୍ୟ କଟକଣା ମଧ୍ୟରେ ରହିବା ପରେ ଦ୍ବିତୀୟ ଲହରୀ ପୂର୍ବରୁ ପାଇଥିବା ଆଶ୍ବସ୍ତି ଓ ସ୍ବାଧୀନତାକୁ  ହାତଛଡା କରିବାକୁ ଚାହୁଁନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ ଆଲୋଚନା କରିବା ସାଙ୍ଗକୁ ମହାମାରୀ ମୁକାବିଲା  ଉପରେ ଜୋର ଦେଉଥିଲେ ସୁଦ୍ଧା ତାର ପ୍ରଭାବ ଏଯାଏଁ ଲୋକଙ୍କ ଉପରେ ପଡିନାହିଁ। କମ ସଂଖ୍ୟକ ଲୋକ ସାଧାରଣ ସ୍ଥାନରେ ମୁଖା ବ୍ୟବହାର କରୁଛନ୍ତି। ରାଜନେତାମାନେ ଅନେକ ସ୍ଥାନରେ ମୁଖା ନପିନ୍ଧି ବୁଲୁଛନ୍ତି। ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଓ ପୁଡୁଚେରୀର ବିଧାନସଭା ନିର୍ବାଚନ ରାଜନୈତିକ ଶ୍ରେଣୀକୁ ବେପରୁଆ କରିଦେଲା। ସତର୍କତା ଉପରେ ଯେତେ ଗୁରୁତ୍ବ ଦିଆଗଲେ ବି ନିର୍ବାଚନ ରାଜନୀତିରେ ତାହା ସମ୍ଭବ ନୁହେଁ । ଅନେକ ଲୋକ ମୁଖା ନପିନ୍ଧି ତାକୁ ବେକରେ ଝୁଲାଇ ବୁଲୁଥିବା ମଧ୍ୟ ଦେଖାଯାଉଛି।

ସରକାର ପୁନର୍ବାର ମୁଖା କଟକଣା ଉପରେ ଗୁରୁତ୍ବ ଦେବା ସହ ସାମାଜିକ ଦୂରତ୍ବକୁ ଦୋହରାଇଛନ୍ତି। ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକରେ ଲୋକଙ୍କ ସମାଗମକୁ ନିୟନ୍ତ୍ରଣ କରିବାପାଇଁ ପଦକ୍ଷେପ ନିଆଗଲାଣି। ଏହାକୁ ପ୍ରକୃତରେ ବେଶୀ ଗୁରୁତ୍ବ ଦିଆଯିବା କଥା। ନିର୍ବାଚନୀ ସଭା ସମେତ ଧାର୍ମିକ ସମାଗମ, ସଭାସମିତି, କ୍ରୀଡା କାର୍ଯ୍ୟକ୍ରମ ଆଦିରେ କଟକଣା ଲଗାଇବାକୁ ହେବ । ଗତବର୍ଷ ଦୀର୍ଘ ଲକଡାଉନ ଯୋଗୁଁ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ତାକୁ ଏଡାଇବାକୁ ସରକାର  ଚାହୁଁଥିଲେ ମଧ୍ୟ ଯେପରି ଢଙ୍ଗରେ ସଂକ୍ରମଣ ବଢୁଛି ତାକୁ ଦେଖିଲେ ଅପ୍ରିୟ ହେଉ ପଛେ ସତର୍କତାମୂଳକ ପଦକ୍ଷେପ ନେବାକୁ ପଡ଼ିବ। ଗତବର୍ଷ ପ୍ରବାସୀ ଶ୍ରମିକମାନେ ଯେଉଁ ସମସ୍ୟା ଭୋଗିଥିଲେ ତା’ର ପୁନରାବୃତ୍ତିର ଆଶଙ୍କା ମହାରାଷ୍ଟ୍ରରୁ ପରିଲକ୍ଷିତ ହେଲାଣି। ଯେଉଁ ପ୍ରବାସୀ ଶ୍ରମିକମାନେ କର୍ମକ୍ଷେତ୍ରକୁ ଫେରିଯାଇଥିଲେ  ସେମାନଙ୍କ ମଧ୍ୟରେ ଗତବର୍ଷର ଭୟ  ପୁନର୍ବାର ସୃଷ୍ଟି ହେବା ସ୍ବାଭାବିକ। ଏହି ପରିସ୍ଥିତିକୁ କେନ୍ଦ୍ର ଓ ସମ୍ପୃକ୍ତ ରାଜ୍ୟଗୁଡିକ ଏବେଠାରୁ ବିଚାରକୁ ନେଇ ନିବାରଣ ମୂଳକ ପଦକ୍ଷେପ ନିଅନ୍ତୁ।

ଅର୍ଥାତ କର୍ମକ୍ଷେତ୍ରକୁ ଫେରିଥିବା ପ୍ରବାସୀ ଶ୍ରମିକମାନେ ଯେପରି ପୁନର୍ବାର ନିଜ ରାଜ୍ୟକୁ ନଫେରି କର୍ମସ୍ଥଳୀରେ ରହିବେ ସେଥିପାଇଁ ଆଗୁଆ ବ୍ୟବସ୍ଥା କରାଗଲେ ଅସୁବିଧାକୁ ଏଡାଯାଇପାରିବ। ସରକାର କରୋନାର ଦ୍ବିତୀୟ ଲହରୀର ମୁକାବିଲା ଅଭିଯାନର ନେତୃତ୍ବ ନେଇ ଜନସାଧାରଣଙ୍କୁ ପୂର୍ବ ଅଭିଜ୍ଞତା ଦୃଷ୍ଟିରୁ ସହଜରେ ବିଶ୍ବାସକୁ ନେଇପାରିବେ। ତା’ସହ ଟିକାଦାନକୁ ବୟସ ନିର୍ବିଶେଷରେ ତ୍ବରାନ୍ବିତ କରାଯିବା ଉଚିତ।

 

Leave A Reply

Your email address will not be published.

ବ୍ରେକିଂ