ଶ୍ରୀମନ୍ଦିର ପରିକ୍ରମା ଯୋଜନା ବିଧାନସଭାରେ ଉପସ୍ଥାପିତ

ଭୁବନେଶ୍ୱର : ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖି କହିଛନ୍ତି, ଓଡିଆ ଜାତିର ସବୁଠାରୁ ବଡ ପରିଚୟ ହେଉଛନ୍ତି ଶ୍ରୀଜଗନ୍ନାଥ । ଆମ ଇତିହାସ, ସଂସ୍କୃତି, ପରମ୍ପରା ଓ ଆମ ବିଶ୍ୱାସ ସବୁ କିଛି ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢି ଉଠିଛି । ସେ ହେଉଛନ୍ତି ଓଡିଆ ଅସ୍ମିତାର ପ୍ରତୀକ ।  ଆମର ସୌଭାଗ୍ୟ ଯେ ଆମ ସମୟରେ ହିଁ ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ସେ ଆମକୁ ସୁଯୋଗ ଦେଇଛନ୍ତି ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବାସବୁ ଭକ୍ତ/ ତଥାଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା ଥାଏ ଯେ ସେମାନେ କିପରି ଏକ ଶାନ୍ତ, ସୁନ୍ଦର ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ।  ଜଗନ୍ନାଥ ମନ୍ଦିରକୁ ଜୀବନକାଳ ମଧ୍ୟରେ ଥରୁଟିଏ ଆସିବା ଏବଂ ମହାପଭୁଙ୍କ ଟିକିଏ ଝଲକ ପାଇବା ହେଉଛି ଲକ୍ଷ ଲକ୍ଷ ଭକ୍ତଙ୍କର ଜୀବନର ଏକମାତ୍ର ପ୍ରାର୍ଥନା।ସବୁ ଭକ୍ତ ଯେଭଳି ଏକ ଦିବ୍ୟ ଅନୁଭବ ନେଇ ଫେରିବେ ତାହା ଆମ ସମସ୍ତଙ୍କର ଦାୟୀତ୍ୱ ।

ଏହି ପରିପ୍ରେକ୍ଷୀରେ ଯେତେବେଳେ ଜଷ୍ଟିସ ବି.ପି. ଦାସ କମିଟି ଶ୍ରୀମନ୍ଦିର ନିରାପତ୍ତା କରିଡର ପାଇଁ ସୁପାରିଶ କଲେ, ସେତେବେଳେ ତିନୋଟି ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ଯୋଜନା ବିଷୟ ଚିନ୍ତା କରାଯାଇଥିଲା । ସେଗୁଡିକ ହେଲା : ଶ୍ରୀମନ୍ଦିରର ନିରାପତ୍ତା, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତମାନଙ୍କର ନିରାପତ୍ତା ଏବଂ ଭକ୍ତମାନଙ୍କ ପାଇଁ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ।

ଗଜପତି ମହାରାଜାଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିଭିନ୍ନ ଷ୍ଟେକ ହୋଲ୍ଡର ମାନଙ୍କ ସହିତ ବହୁବାରଆଲୋଚନା ପରେ  ଶ୍ରୀମନ୍ଦିର ପରିକ୍ରମା ଯୋଜନା ପ୍ରସ୍ତୁତ କରିଛି । ଏହି ଯୋଜନା କେବଳ ସରକାରଙ୍କର କି ଶ୍ରୀମନ୍ଦିର ପ୍ରଶାସନର ନୁହେଁ  । ଏହି ଯୋଜନା ହେଉଛି ସାଢେ ଚାରିକୋଟି ଓଡିଶାବାସୀଙ୍କର ନିଜ ଯୋଜନା ଏବଂ ଏହି ପବିତ୍ର ଗୃହ ସାଢେ ଚାରିକୋଟି ଓଡିଆଙ୍କର ପ୍ରତିନିଧିତ୍ୱ କରୁଛି । ଏହା ହେଉଛି ଓଡିଆ ଜାତି ପାଇଁ ତଥା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ମୂହୁର୍ତ୍ତ। ଏଭଳି ସୁଯୋଗ ବହୁତ କମ୍‌ ଆସେ । ପୁରୁଷ ପୁରୁଷ ପରେ, ବହୁ ଯୁଗ ପରେ ଏଭଳି ମୂହୁର୍ତ୍ତ ଆସେ । ଆମେ ସମସ୍ତେ, ସାରା ଓଡିଶାବାସୀ ମିଳିତ ଭାବରେ ଆଜି ଏହି ଅନନ୍ୟ ମୂହୁର୍ତ୍ତର ଅଂଶ ପାଲଟି ଯାଇଛେ ।

ଶ୍ରୀମନ୍ଦିର ହେଉଛି ଆମର ଅଧ୍ୟାତ୍ମିକ ଐତିହ୍ୟର କେନ୍ଦ୍ର ଯାହାକି ପୁରୁଷ ପୁରୁଷ ଧରି ଉତ୍ତରାଧିକାରୀ ସୂତ୍ରରେ ଆମେ ପାଇଛେ । ଏହି ଅମୂଲ୍ୟ ସମ୍ପଦକୁ ଆମେ ଉତ୍ତରାଧିକାରୀ ସୂତ୍ରରେ ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ସାଇତି ରଖିଛୁ। ଏହି ଦୃଢ ବିଶାସକୁ ନେଇ ଆମକୁ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ଦେଖିବାକୁ ହେବ ଏବଂ ମିଳିତ ଭାବରେ କାମ କରି ତାକୁ ସାକାର କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତେ ସଂକଳ୍ପ ନେଇ କାମ କରିବା ଓ ଶୀଘ୍ର ଶେଷ କରିବାକୁ ନିଷ୍ଠାର ସହ ଉଦ୍ୟମ କରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦେଶ ବିଦେଶରେ ରହୁଥିବା ଜଗନ୍ନାଥପ୍ରେମୀଙ୍କ ହୃଦୟରେ ଗୋଟିଏ ଇଚ୍ଛା ମହାପ୍ରଭୁଙ୍କ ଏହି ଯୋଜନାରେ ସାମିଲ ହେବା ସହ ଏଥିରେ ନିଜର କିଛି ଅବଦାନ ରଖିବା । ଏଥିପାଇଁ ସମସ୍ତଙ୍କୁ ସୁଯୋଗ ଦେବା । ଏଥିସହ ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ନବୀନ ।

Leave A Reply

Your email address will not be published.

ବ୍ରେକିଂ