କୋଭିଡ଼ ପରିଚାଳନା ଓ ଚିକିତ୍ସା ସମସ୍ୟାକୁ ନେଇ ଜନ ଅସନ୍ତୋଷ, ଧାରଣାରେ ସ୍ବେଚ୍ଛାସେବୀ

ବରଗଡ :  ବରଗଡ଼ ଜିଲ୍ଲାରେ କରୋନା  ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜିଲ୍ଲାରେ କୋଭିଡ୍‌ ପରିଚାଳନା ଅବ୍ୟବସ୍ଥିତ ହୋଇ ପଡିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ବରଗଡ଼ ଗାନ୍ଧୀ ଛକଠାରେ ବିଭିନ୍ନ ସ୍ବେଚ୍ଛାସେବୀମାନେ ଅନଶନକୁ ଓହ୍ଲାଇଛନ୍ତି । ପଶ୍ଚିମ ଓଡିଶା ଯୁବାମଚ ଓ ସଂକଳ୍ପ ପରିବାର ଅନଶନରେ ବସିଥିବା ବେଳେ ବହୁସଂଖ୍ୟକ ସ୍ବେଛାସେବୀ ସମର୍ଥନ ଜଣାଇ ସେଠାରେ ଉପସ୍ଥିତ ଅଛନ୍ତି।

ଜିଲ୍ଲା ପ୍ରଶାସନ ଏଥର ଦ୍ବିତୀୟ ଲହରରେ କୌଣସି କରୋନା ପ୍ରତିକାର ଆଗୁଆ ପଦକ୍ଷେପ ନେଇନାହିଁ । ଗତଥର କୋଭିଡ଼ ସମୟରେ ଯେଉଁଭଳି ସ୍ବାସ୍ଥ୍ୟ ସେବା ମଜବୁତ କରି ଶତପ୍ରତିଶତ କାମକରୁଥିଲା ଏହା ଦ୍ବିତୀୟ ଲହରୀରେ କରାଯାଉନାହିଁ । ଗତଥର ଶହେ ପ୍ରତିଶତ ସ୍ବାସ୍ଥ୍ୟ କର୍ମଚାରୀ, ଡାକ୍ତର, ଷ୍ଟାଫ କାମକରୁଥିଲେ ହେଲେ ଏଥର ଅଧା ସ୍ବାସ୍ଥ୍ୟ କର୍ମଚାରୀ ମଧ୍ୟ ନିୟୋଜିତ ନାହାନ୍ତି । କେବଳ ଚାପକୁ ଦୂର କରିବା ପାଇଁ ଜିଲ୍ଲାପାଳ କାମଚଳୁ କାରବାର କରୁଥିବାର ଅଭିଯୋଗ ହୋଇଛି ।

କୋଭିଡ଼ ସମୟରେ ପ୍ରଶାସନ ଚୁପ ରହୁଥିବାରୁ ଜନ ଅସନ୍ତୋଷ ବଢ଼ି ଏବେ ଆନ୍ଦୋଳନର ରୂପ ନେଇଛି । ଜିଲ୍ଲା ଚିକିତ୍ସା ଖେତ୍ରରେ ଅବହେଳା ଓ ଅସନ୍ତୋଷ ମଧ୍ୟରେ ଗୁରୁତର ଆକ୍ରାନ୍ତଙ୍କ ତୁରନ୍ତ ଚିକିତ୍ସା ଆରମ୍ଭ କରିବା, ଭେଷଜ, ନିଶ୍ଚେତକ, ଆଇସିୟୁ ବିଶେଷଜ୍ଞ, ନର୍ସ, ଫାର୍ମାସିଷ୍ଟ, ସହାୟକ, ସଫେଇ କର୍ମଚାରୀ ନିଯୁକ୍ତି, ସିଟି ସ୍କାନ, ଇସିଜି ସ୍ଥାପନ ସହିତ ୨୪ ଘଣ୍ଟିଆ ରକ୍ତଦାନ ବ୍ୟବସ୍ଥା, ଶଯ୍ୟା ସଂଖ୍ୟା ବୃଦ୍ଧି, ପ୍ଲାଜମା ବ୍ୟାଙ୍କ ଖୋଲିବା, କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କୁ ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବା ଏବଂ ଏଥିପାଇଁ ପଦସ୍ଥ ଅଧିକାରୀଙ୍କୁ ନିଯୁକ୍ତି କରିବା ପାଇଁ ଦାବି ହୋଇଛି।

ସେହିପରି କରୋନା ଆକ୍ରାନ୍ତଙ୍କ ପରିଜନଙ୍କୁ ସୂଚନା ଦେବାକୁ ହସ୍ପିଟାଲରେ ସିସିଟିଭି ସଂଲଗ୍ନ ସହିତ ଏଲସିଡି ମାଧ୍ୟମରେ ସୂଚନା ବ୍ୟବସ୍ଥା, ଆକ୍ରାନ୍ତଙ୍କ ପରିଜନ ପାଇଁ ହସପିଟାଲ ପରିସରରେ ଆଶ୍ରୟସ୍ଥଳୀ, ଟିକାକରଣକୁ ସରଳୀକରଣ ଏବଂ ତଳିଆ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ସ୍ବେଚ୍ଛାସେବୀମାନେ ଦାବି କରି ଅନଶନକୁ ଓହ୍ଲାଇଛନ୍ତି । ଦିନେ ଦୁଇଦିନ ଭିତରେ ଦାବି ସମାଧାନ ନହେଲେ ଆନ୍ଦୋଳନ ଜିଲ୍ଲା ବ୍ଯାପି ଭୟଙ୍କର ରୂପ ନେବାର ସମ୍ଭାବନା ଦେଖା ଦେଇଛି ।

Leave A Reply

Your email address will not be published.

ବ୍ରେକିଂ