ଡିଆରଡିଓ ଗୁପ୍ତତଥ୍ୟ ଲିକ୍ ଘଟଣା: ହନି ଟ୍ରାପ୍ ଲିଙ୍କ ଆଶଙ୍କା

ବାଲେଶ୍ଵର:  ବାଲେଶ୍ଵର ଚାନ୍ଦିପୁର ଡିଆରଡିଓର ତଥ୍ୟ ପାକିସ୍ତାନକୁ ଦେବା ମାମଲାରେ ଆଜି କୋର୍ଟରେ ହାଜର ହୋଇପାରନ୍ତି ୪ ଗିରଫ ଅଭିଯୁକ୍ତ। ଗିରଫ ୪ ଜଣ ଜଣେ ପାକିସ୍ତାନୀ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ। ତେଣୁ ହନି ଟ୍ରାପ୍‌ ଜରିଆରେ ବିଦେଶୀ ଏଜେଣ୍ଟ ତଥ୍ୟ ହାସଲ କରିଥିବା ଆଶଙ୍କା କରାଯାଉଛି ।

ସେପଟେ ଚତୁର୍ଥ ଅଭିଯୁକ୍ତର ନାମ ସାମ୍ନାକୁ ଆସିଛି । ଚତୁର୍ଥ ଅଭିଯୁକ୍ତ ହେଲେ ହେମନ୍ତ ମିସ୍ତ୍ରୀ । ହେମନ୍ତ ଆଇଟିଆରର ଡ଼ିଜି ଅପରେଟର ଭାବେ ଠିକା କର୍ମଚାରୀ ଭାବେ କାମ କରୁଥିଲେ ।

ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ବାଲେଶ୍ବର ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ବାଡ୍‌ ଚାନ୍ଦିପୁର ଅଞ୍ଚଳରୁ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ; ଚାନ୍ଦିପୁର ଥାନା ଝାମ୍ପରାହାଟ ଅଞ୍ଚଳର ବସନ୍ତ ବେହେରା, ଟୁଲୁ ଓରଫ ପ୍ରକାଶ ବେରା, ସେକ୍ ମୁସାକ୍‌ ଓ ହେମନ୍ତ ମିସ୍ତ୍ରୀ ।  ଅଭିଯୁକ୍ତ ବସନ୍ତ ବେହେରା ଆଇଟିଆର୍‌ ୩ ନମ୍ବର ଲଞ୍ଚପ୍ୟାଡ୍, ଯେଉଁଠି ଡିଆର୍‌ଡିଓ ଏକାଧିକ ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥା‌ଏ ସେଠାରେ ଏସି ଅପରେଟର ଭାବେ କାମ କରୁଥିଲେ । ତାଙ୍କ ନିକଟକୁ ଅନ୍ତର୍ଜାତୀୟ କଲ୍ ଆସୁଥିବାବେଳେ ସେ ମଧ୍ୟ ବାହାର ରାଷ୍ଟ୍ରକୁ କଲ୍ କରୁଥିବା ଗୁଇନ୍ଦା ଟ୍ରାକିଂରୁ ଜଣାପଡ଼ିଛି। ବସନ୍ତଙ୍କ ସହ କାମ କରୁଥିବା ସ୍ଥାନୀୟ ଅଞ୍ଚଳର ଅନ୍ୟ ୩ ଜଣ ମଧ୍ୟ ବିଭିନ୍ନ ସମୟରେ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ବାହାର ଦେଶକୁ ଲିକ୍‌ କରୁଥିଲେ ।

ଏହି ୪ ଜଣଙ୍କ ପାଖକୁ ଭାରତ-ପାକ୍‌ ସୀମା ରାଜସ୍ଥାନ ନିକଟରୁ ବାରମ୍ବାର ଅନ୍ତର୍ଜାତୀୟ କଲ୍ ଆସିବା ଏବଂ ସେମାନେ ପାକିସ୍ତାନର ଗୁଇନ୍ଦା ଏଜେଣ୍ଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଫୋନ୍ ମାଧ୍ୟମରେ ପ୍ରଦାନ କରୁଥିବାର ଭାରତୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ତଥ୍ୟପ୍ରମାଣ ପାଇବା ପରେ ଓଡ଼ିଶା ପୁଲିସ ଡିଜିଙ୍କୁ ଅବଗତ କରାଯାଇଥିଲା । ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍‌ ସୁରାକ ପାଇବା ପରେ ଧରିବାକୁ ଆରମ୍ଭ ହୋଇଥିଲା ସିକ୍ରେଟ୍‌ ପ୍ଲାନ୍ । 

Leave A Reply

Your email address will not be published.

ବ୍ରେକିଂ