କ୍ରିକେଟର ସମସ୍ତ ଫର୍ମାଟରୁ ଶ୍ରୀଲଙ୍କାର ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କ ଅବସର

ନୂଆଦିଲ୍ଲୀ :  ଶ୍ରୀଲଙ୍କାର ଦ୍ରୁତ ବୋଲର ଲସିଥ ମାଲିଙ୍ଗା ମଙ୍ଗଳବାର ଦିନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏଥିସହ ମାଲିଙ୍ଗାଙ୍କର ୧୬ ବର୍ଷର କ୍ରିକେଟ୍ କ୍ୟାରିୟର ସମାପ୍ତ ହୋଇଛି । ପୂର୍ବରୁ ଦିନିକିଆ ଓ ଟେଷ୍ଟ କ୍ରିକେଟକୁ ଅଲବିଦା କରିସାରିଥିବା ମାଲିଙ୍ଗା ଆଜି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନିଷ୍ପତ୍ତି ନେଇଛନ୍ତି। ୩୮ ବର୍ଷୀୟ ଏହି ପେସର୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଶ୍ରୀଲଙ୍କା ପକ୍ଷରୁ ମାଲିଙ୍ଗା ତିନୋଟି ଯାକ ଫର୍ମାଟରେ ୩୦ ଟେଷ୍ଟ, ୨୨୬ ଦିନିକିଆ ଓ ୮୪ ଟି-୨୦ ମ୍ୟାଚ୍ ଖେଳି ମୋଟ ୫୪୬ ୱିକେଟ୍ ନେଇଛନ୍ତି। ତାଙ୍କ ନାଁରେ ଟେଷ୍ଟରେ ୧୦୧ ୱିକେଟ୍, ଦିନିକିଆରେ ୩୩୮ ଏବଂ ଟି-୨୦ରେ ୧୦୭ ୱିକେଟ୍ ରହିଛି।

ମାଲିଙ୍ଗା କହିଛନ୍ତି, ମୁଁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଓ ଟିମର ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇବା ସହ ଆଇପିଏଲ୍ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟ୍ ଟିମ୍ ଓ ଏହାର ଟିମ୍ ସଦସ୍ୟ, ବିଶେଷକରି ଫ୍ରାଞ୍ଚାଇଜି ମାଲିକ ଓ ଅଫିସିଆଲ୍ସଙ୍କୁ ଧନ୍ୟବାଦ ଜଣାଉଛି ।  ଏହାଛଡ଼ା ମେଲମର୍ଣ୍ଣ ଷ୍ଟାର୍ସ, କେଣ୍ଟ କ୍ରିକେଟ୍ କ୍ଲବ୍, ରଙ୍ଗପୁର ରାଇଡର୍ସ, ଗାଏନା ୱାରିୟର୍ସ, ମରାଠା ଆରାବିଆନ୍ସ ଓ ମଣ୍ଟ୍ରିଲ୍ ଟାଇଗର୍ସକୁ ମଧ୍ୟ ସାଧୁବାଦ ଜଣାଉଛି। ଏହି ଟିମ୍ ପାଇଁ ଖେଳି ମୁଁ ଯେଉଁ ଅଭିଜ୍ଞତା ହାସଲ କରିଛି, ତାକୁ ଯୁବ କ୍ରିକେଟରଙ୍କ ସହ ବାଣ୍ଟିବାକୁ ଚାହେଁ ।

ସେହିପରି ୧୨୨ ଟି ଆଇପିଏଲ ମ୍ୟାଚ୍ ଖେଳି ୧୭୭ ୱିକେଟ୍ ହାସଲ କରିଛନ୍ତି । ଟି-୨୦ କ୍ରିକେଟ୍ ଇତିହାସରେ ମାଲିଙ୍ଗା ଦୁନିଆର ଅନ୍ୟତମ ଶ୍ରେଷ୍ଠ ବୋଲର ।

Leave A Reply

Your email address will not be published.

ବ୍ରେକିଂ