ପୋଲିସର ମାନବିକତା: ପ୍ରସବାଙ୍କୁ ଗାଡ଼ିରେ ପଠାଇଲେ ଏଏସଆଇ

ଦେବଗଡ଼ : ଖଇରପାଲି ଫାଣ୍ଡିର ପୋଲିସ ଏ .ଏସ. ଆଇଙ୍କ ମାନବିକତା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ରାସ୍ତା ନଥିବା ଗାଁ’ରୁ ପ୍ରସବ ଯନ୍ତ୍ରଣାରେ ଛଟପଟ ଜଣେ ମହିଳାଙ୍କୁ ଉଦ୍ଧାର କରି ଫାଣ୍ଡି ଗାଡ଼ିରେ ଆଣି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଛନ୍ତି କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଯୁବ ଏସଆଇ ବିଜୟ କୁମାର ଦେହୁରୀ ।

ସୂଚନା ଅନୁସାରେ, କୌଣସି ଏକ ମାମଲାର ତଦନ୍ତ ପାଇଁ ଫାଣ୍ଡି ଅନ୍ତର୍ଗତ ଖଣ୍ଡାଧୂଆଁ ରାସ୍ତାଦେଇ ହରିହରପୁର ଗ୍ରାମକୁ ଏଏସ ଆଇ ଦେହୁରୀ ଯାଇଥିଲେ। ସେଠାରୁ କାମ ସାରି ନିକଟସ୍ଥ ବରଖୋଲ ଗ୍ରାମକୁ ବେଆଇନ ରନ୍ଧା ମଦ କାରବାର ସନ୍ଧାନରେ ବାହାରିଥିଲେ । ପ୍ରାୟ ୧୦ଟି ଆଦିବାସୀ ପରିବାର ବିଶିଷ୍ଟ ଉକ୍ତ ଗ୍ରାମକୁ ଯିବା ପାଇଁ ପାଦ ଚଲା ରାସ୍ତା ବ୍ୟତୀତ କୌଣସି ଅନ୍ୟ ରାସ୍ତା ନଥିଲେ ସୁଦ୍ଧା ଫାଣ୍ଡି ଗାଡ଼ିରେ ସେଠାରେ ପହଞ୍ଚିଥିଲେ । ଉକ୍ତ ଗ୍ରାମରେ ପହଞ୍ଚିବା ପରେ ସେଠାରେ ପୂର୍ଣ୍ଣଚନ୍ଦ୍ର ଭଦ୍ରାଙ୍କ ସ୍ତ୍ରୀ ସୁଶୀଳା ଭଦ୍ରା(୨୨) ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ଉକ୍ତ ଗ୍ରାମରେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିବା ଅସମ୍ଭବ ଥିଲା । ଏହା ଦେଖ୍ ଶ୍ରୀଦେହୁରୀ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେବା ସହ ଫାଣ୍ଡି ଗାଡ଼ିରେ ତାଙ୍କୁ ବସାଇ ୪ କିଲୋମିଟର ପାହାଡିଆ ଓ ହିଙ୍ଗୁଳା ନାଳ ଅତିକ୍ରମ କରିଥିଲେ ।

ସୂଚନା ପାଇ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସ ଗ୍ରାମର ମୁଖ୍ୟ ରାସ୍ତା ନିକଟକୁ ପହଞ୍ଚିବା ପୂର୍ବରୁ ଫାଣ୍ଡି ଗାଡିରେ ପୁଲିସ ବାବୁ ସୁଶୀଳାଙ୍କୁ ସେଠାକୁ ନେଇ ପହଞ୍ଚାଇଥିଲେ। ଆମ୍ବୁଲାନ୍ସ ପହଞ୍ଚିବା ପରେ ଫାଣ୍ଡି ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ପ୍ରସବ ବେଦନାରେ ଥିବା ସୁଶୀଳାଙ୍କୁ ଆମ୍ବୁଲାନ୍ସରେ ବସାଇ ଛତାବର ଡାକ୍ତରଖାନାକୁ ପହଞ୍ଚାଇଥିଲେ । ପୋଲିସର ଏହି ମହତ କାର୍ଯ୍ୟ ପାଇଁ ଜିଲ୍ଲାର ଉଚ୍ଚ ଅଧିକାରୀ ଙ୍କ ସମେତ ବିଭିନ୍ନ ବ୍ୟକ୍ତି ବିଶେଷ ସାଧୁବାଦ ଜଣାଇ ଛନ୍ତି ।

Leave A Reply

Your email address will not be published.

ବ୍ରେକିଂ