ପରିବାର ଲୋକେ ମୋବାଇଲ ଛଡ଼ାଇ ନେବାରୁ ଛାତ୍ରର ଆତ୍ମହତ୍ୟା

କୋରାପୁଟ: କୋରାପୁଟରେ ଘଟିଛି ଅଭାବନୀୟ ଘଟଣା । ପରିବାର ଲୋକେ ମୋବାଇଲ ଛଡ଼ାଇ ନେବାରୁ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି କୋରାପୁଟ ସହରର ଗୌତମ ନଗରରୁ । ମୃତ ନାବାଳକ ଜଣକ ହେଲେ ଶ୍ରୀନିବାସଙ୍କର ପୁଅ ବି. ମନୋହର । ତାଙ୍କୁ ୧୩ ବର୍ଷ ହୋଇଥିଲା । ସେ କୋରାପୁଟ ସ୍ଥିତ ଏକ ଘରୋଇ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ ।

ସୂଚନାଯୋଗ୍ୟ କରୋନା ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ଅନଲାଇନରେ କ୍ଲାସ୍ ହେଉଛି। ତେବେ ଅନ୍‌ଲାଇନ୍ କ୍ଲାସ୍ ବେଳେ ସେ ଅଧିକାଂଶ ସମୟରେ ମୋବାଇଲ୍‌ରେ ଗେମ୍ ଖେଳୁଥିଲେ। ପରିବାର ଲୋକେ ଏଥିରୁ ନିବୃତ୍ତ ରହିବାରୁ ତାଙ୍କୁ ବହୁଥର କହିଥିଲେ । ହେଲେ ସେ ଶୁଣୁ ନଥିଲେ। ଗତକାଲି ଅନ୍‌ଲାଇନ୍‌ କ୍ଲାସ୍ ବେଳେ ବି ସେ ମୋବାଇଲ୍‌ରେ ଗେମ୍ ଖେଳିଥିଲେ। ଏହା ଦେଖି ପରିବାର ଲୋକେ ତାଙ୍କ ଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲେ। ଏହା ପରେ ମନୋହର ଖୁବ୍ ରାଗି ଯାଇ ଏକ ରୁମରେ ଭିତର ପଶି ବେକରେ ଶାଢ଼ି ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ପରିବାର ଲୋକେ ବହୁ କଷ୍ଟରେ କବାଟ ଖୋଲି ତାଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

କୋରାପୁଟ ଟାଉନ୍ ଥାନା ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଘଟଣାକୁ ନେଇ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ