ଆତ୍ମସମର୍ପଣ କରିଥିବା ମହିଳା ନକ୍ସଲଙ୍କ ଆତ୍ମହତ୍ୟା

ମାଲକାନଗିରି: ଆତ୍ମସମର୍ପଣ କରିଥିବା ମହିଳା ନକ୍ସଲ କଲେ ଆତ୍ମହତ୍ୟା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡ଼ା ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ଜଣେ ମହିଳା ନକ୍ସଲ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଛତିଶଗଡ ପୋଲିସ ଦ୍ୱାରା ଆରମ୍ଭ କରାଯାଇଥିବା ‘ଲୋନ ବରାଟୁ’ ଅଭିଯାନରେ ବହୁ ନକ୍ସଲ ଆତ୍ମସମର୍ପଣ କରୁଛନ୍ତି ।  ଏହି ଅଭିଯାନରେ ପ୍ରଭାବିତ ହୋଇ ଗତ ୧୯ ତାରିଖରେ ସିଏନଏ‌ମ୍‌ ସଦସ୍ୟା ପାଣ୍ଡେ କାବାସି ନାମକ ମହିଳା ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ ପରେ ସେ କିଛି ମହିଳା ନକ୍ସଲଙ୍କ ସହ ଶାନ୍ତିକୁଞ୍ଜର ପୋଲିସ ଲାଇନରେ ରହୁଥିଲେ ।

ତେବେ ଗତକାଲି ରାତିରେ ଶୌଚ କରିବାକୁ ଯିବାକୁ କହି ବାଥରୁମରେ ନିଜର ଓଢଣୀକୁ ବେକରେ ଦେଇ ଆତ୍ମହତ୍ୟା କରିଛନ୍ତି । ଏହି ମୃତ୍ୟୁ ପରେ ପୋଲିସ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଆତ୍ମସମର୍ପଣ କରିଥିବା ମହିଳା ନକ୍ସଲ କାହିଁକି ମୃତ୍ୟୁବରଣ କଲେ ତାହା ଜଣାପଡିନଥିବା ବେଳେ ଜିଲ୍ଲା ଡାକ୍ତରଖାନାରେ ମହିଳାଙ୍କ ଶବ ବ୍ୟବଛେଦ କରାଯାଇଥିବା ଏସପି‌ ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି ।

‘ଲୋନ ବରାଟୁ’  ଅଭିଯାନରେ ଛତିଶଗଡରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି । ପୁଲିସ ଲାଇନରେ ଏତେ ଯବାନ ରହୁଥିବା ଏବଂ ସବୁବେଳେ ଗହଳି ଚହଳି ରହିଥିଲେ ମଧ୍ୟ କିପରି କେହି ଜାଣିପାରିଲେ ନାହିଁ ବୋଲି କୁହାଯାଉଛି ।

ଏସ୍ପି‌ ପଲ୍ଲବ ଏହି ଘଟଣା ବାବଦରେ କହିଛନ୍ତି ଯେ, ମାଜିଷ୍ଟ୍ରେଟ ଏହାର ତଦନ୍ତ କରୁଛନ୍ତି । ପୋଲିସ ତରଫରୁ ପରିବାରକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପାଣ୍ଡେ କାବାସୀ ଘରକୁ ଯିବାକୁ ଚାହୁଁନଥିଲେ । ଗ୍ରାମବାସୀ ଏବଂ ପରିବାର ଲୋକେ ବାରମ୍ବାର ଆସି ଘରକୁ ଯିବାକୁ ତାଙ୍କୁ ବାଧ୍ୟ କରୁଥିଲେ । ହୁଏତ ମୃତ୍ୟୁର କାରଣ ଏହା ମଧ୍ୟ ହୋଇପାରେ ବୋଲି କୁହାଯାଇଛି ।

Leave A Reply

Your email address will not be published.

ବ୍ରେକିଂ