ପ୍ରେମ ପାଇଁ ସ୍ୱିଗି ବୟଙ୍କ ଅପହରଣ ନାଟକ

ଭୁବନେଶ୍ୱର: ନିଜେ ରଚିଥିଲେ ନିଜ ଅପହରଣର ନାଟକ। ମିଳିଲା ଡେଲିଭରୀ ବୟ ପତିତପାବନଙ୍କ ସନ୍ଧାନ । ମଧ୍ୟପ୍ରଦେଶ ରେଲୱେ ପୋଲିସ ପତିତପାବନ ଓରଫ ଚିକୁନକୁ ଅଟକ ରଖିଥିବା ସୂଚନା ମିଳିଛି । ଚିକୁନ ସହ ଜଣେ ଯୁବତୀ ମଧ୍ୟ ଅଟକଥିବା ଜଣାପଡ଼ିଛି । ଚିକୁନ ଓ ଯୁବତୀଙ୍କୁ ଆଣିବାକୁ ପୋଲିସର ଏକ ଟିମ୍ ଯିବା ନେଇ ଜଣାପଡିଛି । ପତିତପାବନକୁ ପଚରା ଉଚାର ପରେ ଅପହରଣ ଘଟଣା ଉପରୁ ପରଦା ହଟିବ । ଏନେଇ ଭୁବନେଶ୍ୱର ଡ଼ିସିପି ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଧଉଳିରୁ ଡେଲିଭରୀ ବୟ ପତିତପାବନ ପୃଷ୍ଟି ଅପହରଣ ଘଟଣାରେ ପୁରୀ ଜିଲା ଗୋପ ଥାନା ବେଦପୁର ଗାଁର ଜଣେ ଯୁବତୀଙ୍କୁ ପତିତପାବନ ଅପହରଣ କରିଥିବା ଅଭିଯୋଗ ଆସିଛି । ସମ୍ପୃକ୍ତ ଯୁବତୀଙ୍କ ପରିବାର ଏନେଇ ଗୋପ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ନିଖୋଜ ଯୁବତୀଙ୍କର ପତିତପାବନଙ୍କ ସହ ସମ୍ପର୍କ ଥିବା ସୂଚନା । ତେବେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ହାସଲ ହୋଇନାହିଁ । ଖୁବଶୀଘ୍ର ସ୍ୱିଗି ବୟକୁ ଓଡିଶା ଅଣାଯିବ ବୋଲି ପୋଲିସ ସୂଚନା ଦେଇଛି।

ସୂଚନାନୁସାରେ, ପ୍ରେମ ପାଇଁ ଅପହରଣ ନାଟକ ରଚିଥିଲା ଡେଲିଭରୀ ବୟ । ଟ୍ରେନ୍ ଯୋଗେ ରାଜ୍ୟ ବାହାରକୁ ପଳାଇଥିଲା ।ସିସିଟିଭି ଆଧାରରେ ପୋଲିସ ଛାନଭିନ କରିବା ପରେ ନିଜ ଅପହରଣର ନାଟକ ନିଜେ ସ୍ୱିଗି ବୟ ରଚିଥିବା ପୋଲିସ ସନ୍ଦେହ କରିଥିଲା। ପରେ ତା ଫୋନକୁ ଟ୍ରାକ୍ କରି ପୋଲିସ ସ୍ୱିଗିବୟଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇଥିଲା।

ସୂଚନାଯୋଗ୍ୟ, ଗତ ୧୧ ତାରିଖ ରାତିରେ ସ୍ବିଗି ଡେଲିଭରି ବୟ ପତିତପାବନଙ୍କୁ ଅପହରଣ କରି ନିଆଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ତାଙ୍କ ପରିବାର ଲୋକଙ୍କ ସୂଚନା ଆଧାରରେ ଧଉଳି ଥାନା ଅଧୀନ ଦୟାବ୍ରିଜ ଲିଙ୍ଗିପୁର ସ୍ଥିତ ଏକ ନିକାଞ୍ଚନ ଜାଗାରୁ ତାଙ୍କ ଚିରାଗଞ୍ଜି, ଏକ ଛୁରି, ବ୍ୟାଗ, ଚପଲ, ପାଣି ବୋତଲ ଆଦି ଜବତ କରିଥିଲା ।

Leave A Reply

Your email address will not be published.

ବ୍ରେକିଂ