ଏକା ଏକା ଦିଲ୍ଲୀରୁ ଭୁବନେଶ୍ଵର

By Samahit Bal

ପଢ଼ିବାକୁ ବହୁତ ଭଲ ପାଏ। ଲେଖାଲେଖି କରିବାକୁ ମଧ୍ୟ ଭଲ ଲାଗେ। କିନ୍ତୁ ସମୟ ବୋଧହୁଏ ଲେଖାଲେଖି ପାଇଁ ମୋତେ ଯଥେଷ୍ଟ ସୁଯୋଗ ଦିଏ ନାହିଁ। ଏମିତି ଏକ ଖିଆଲି ଧାରାରେ ୧୯୯୬ ମସିହାରେ ମୋର ଦିଲ୍ଲୀରୁ ଭୁବନେଶ୍ବର ଏକା ଏକା ଆସିବାର ଅନୁଭୂତିକୁ ନେଇ ଏହି ଲେଖାଟି ଲେଖିଥିଲି। ‘ପ୍ରଗତିବାଦୀ’ରେ ଏହାର ପ୍ରକାଶନ ଲାଗି ସେତେବେଳେ ଅନୁମତି ମିଳିଥିଲା ଓ ଏହା ପ୍ରକାଶିତ ହୋଇଥିଲା।

ଇତିମଧ୍ୟରେ ୨୫ ବର୍ଷ ଅତିବାହିତ ହୋଇଛି। ସେଦିନର ଚିତ୍ର ଓ ଚରିତ୍ର ବଦଳିଛନ୍ତି। ତଥାପି କାହିଁକି କେଜାଣି ପୁଣିଥରେ ସେହି ଲେଖାଟିକୁ ଅଳ୍ପ କିଛି ପରିବର୍ତ୍ତନରେ ପ୍ରକାଶିତ କରିବାକୁ ଭାବିଲି। ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସଂପାଦକଙ୍କ ସମ୍ମତି ପାଇଲା ପରେ ପ୍ରକାଶ ପାଇଁ ଦେଇଛି। ଅବିକଳ ନହେଲେ ବି ସେଦିନର ସେହି ଲେଖାଟି ଏବେ ପରିବର୍ତ୍ତିତ ସ୍ଥିତିକୁ ନେଇ ରହିଛି। ଏକ ନୂଆ ମାରୁତି କାର କିଣିବା ପାଇଁ ଦିଲ୍ଲୀ ଯିବା ଓ ସେଠାରୁ କାରଟିକୁ ଧରି ଭୁବନେଶ୍ବର ଫେରିବାର ଅନୁଭୂତି ହିଁ ଲେଖାର ଆଧାର।

ଅଜଣା ପଥରେ ଲଙ୍ଗ ଡ୍ରାଇଭରେ ଟ୍ରାଭେଲିଂ ଏବେ ସ୍ବାଭାବିକ  ହୋଇଗଲାଣି। ପଥ ମଧ୍ୟ ଆଉ ଅଜଣା ହୋଇ ରହୁନାହିଁ। ଗୁଗଲ ଲୋକେସନ ସର୍ଚ୍ଚ ଅଜଣା ପଥକୁ ଜଣାଶୁଣା କରି ଦେଉଛି। ହଁ, ଲଙ୍ଗ ଡ୍ରାଇଭର ମଜା ଏବେ ସେତେବେଳ ଅପେକ୍ଷା ଅନେକ ଗୁଣ ବଢ଼ିଛି। କାରଣ ଏବେ ଆଉ ସେଦିନ ଭଳି ଖାଲଖମାର ଅଙ୍କା ବଙ୍କା ରାସ୍ତା ନାହିଁ। ଲଙ୍ଗ ଡ୍ରାଇଭର ରାସ୍ତା ଚକାଚକ୍- ଷ୍ଟ୍ରେଟ ହାଇୱେ ହୋଇଛି। ଖାଇବା, ରହିବା ଲାଗି ସେତେବେଳର ସମସ୍ୟା ଆଜି ନାହିଁ। ସେ ଯାହାହେଉ, ସେହି ଅଜଣା ପଥରେ ଲଙ୍ଗ ଡ୍ରାଇଭରେ ଦିଲ୍ଲୀରୁ ଭୁବନେଶ୍ବର ଆସିବାକୁ ହୋଇଥିଲା।

ସେତେବେଳେ ଶସ୍ତା ଓ ସହଜରେ ତଥା ଶୀଘ୍ର କାରଟିଏ କିଣିବା ପାଇଁ ଦିଲ୍ଲୀ ଯାଇଥିଲି ଏବଂ ମୋର ଫ୍ରେଣ୍ଡକୁ ସୁଇଟ ସରପ୍ରାଇଜ ଦେବା ଲାଗି ସେହି କାର ଡ୍ରାଇଭ କରି ମୁଁ ଦିଲ୍ଲୀରୁ ଭୁବନେଶ୍ବର ଆସିଥିଲି। ୧୯୫୮ କିଲୋମିଟର ରାସ୍ତା ମୋତେ ଅତିକ୍ରମ କରିବାକୁ ୪୯ ଘଣ୍ଟା ସମୟ ଲାଗିଥିଲା। ୧୦୯ ଲିଟର ପେଟ୍ରୋଲ ମଧ୍ୟରୁ ଭୁବନେଶ୍ବରରେ ପହଞ୍ଚିଲା ବେଳକୁ ପ୍ରାୟ ୨୦ ଲିଟର ବାକିଥିଲା। ଏହି ଟ୍ରାଭେଲିଂ କଷ୍ଟଦାୟକ ଥିଲା କିନ୍ତୁ ସ୍ମରଣୀୟ ହୋଇ ରହିଗଲା। ଅବଶ୍ୟ ମଧ୍ୟପ୍ରଦେଶ-ରାୟପୁର ବଦଳରେ କାନପୁର-ହଜାରିବାଗ ରାସ୍ତାରେ ଆସିବା ମୋତେ ଯେମିତି ଅଧିକ କଷ୍ଟ ଦେଇଥିଲା।

ଦିଲ୍ଲୀରେ ନୂଆ ମାରୁତି କାର ୮ ହଜାର ଟଙ୍କା ଶସ୍ତାରେ ଓ ଶୀଘ୍ର ମିଳୁଛି ବୋଲି ଶୁଣି ଆମେ ଯାଇଥିଲୁ। ଜଣେ ବିଜେପି ନେତା ସେତେବେଳେ ଆମକୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସବୁ ରାଜନେତାଙ୍କ ପରି ଆମେ ଦିଲ୍ଲୀରେ ପହଞ୍ଚିଲା ବେଳକୁ ସେ ଧରାଛୁଆଁ ଦେଲେନାହିଁ। ଅଶୋକ ଖଣ୍ଡୁଜା ନାମକ ଆଉ ଜଣେ ବ୍ୟକ୍ତି ସାହାଯ୍ୟ କଲେ ଓ କ୍ଲାସିକ ମୋଟର୍ସରେ ଆମେ ଗାଡି ବୁକିଂ କରାଇଲୁ। ସେତେବେଳେ କାଟାଲିଟିକ କନଭର୍ଟର ଏବଂ ଅନଲୋଡେଡ ପେଟ୍ରୋଲ ମାରୁତି କାରରେ ବ୍ୟବହୃତ ହେଉଥିଲା। ଫଳରେ ଗାଡିରୁ କମ ଧୁଆଁ ବାହାରୁଥିଲା ଓ ପରିବେଶ ପ୍ରଦୂଷଣ କମ ରହୁଥିଲା। ଭୁବନେଶ୍ବରରେ ଅନଲୋଡେଡ ପେଟ୍ରୋଲ ଓ କାଟାଲିଟିକ କନଭର୍ଟର ବ୍ୟବସ୍ଥା କିଛି ନଥିଲା।

ଗାଡି କିଣିବା ପୂର୍ବରୁ କ୍ଲାସିକ ମୋଟର୍ସର ଡିଲରସିପ କଟିଗଲା। ନିରାଶା ଭିତରେ ପୁଣି ଆମକୁ ବିକାଶ ମୋଟର୍ସକୁ ଯିବାକୁ ହେଲା ଏବଂ ସେଠାରେ ଆମ ପାଳି ଆସିଲା ବେଳକୁ ୯ ମାସ ବିତିଯାଇଥିଲା। ସେହି ୯ ମାସ ଭିତରେ ମାରୁତି କାର ଦାମ୍ ୩ ଥର ବଢ଼ିଗଲା। ଅତଏବ ଗାଡି କିଣିଲା ବେଳକୁ ପ୍ରାୟ ୮ ହଜାର ଟଙ୍କା ଅଧିକ ଦେବାକୁ ହେଲା। ତା’ ପରେ ପୁଣି ଭୁବନେଶ୍ବରକୁ ଗାଡି ପଠାଇବା ଲାଗି ୮ ହଜାର ଟଙ୍କା ଭଡା। ସେହି ଭଡା ୮ ହଜାର ଟଙ୍କାରୁ ରକ୍ଷା ପାଇବାକୁ ମୁଁ ନିଷ୍ପତ୍ତି କଲି ଗାଡି ଡ୍ରାଇଭ କରି ଦିଲ୍ଲୀରୁ ଭୁବନେଶ୍ବର ଯିବି। କାରଣ ଟ୍ରାନ୍ସପୋର୍ଟରେ ଗାଡି ପଠାଇ ମୋର ସେହି ଫ୍ରେଣ୍ଡକୁ ଅଧିକ ଖର୍ଚ୍ଚାନ୍ତ କରିବାକୁ ମୁଁ ଚାହିଁଲିନି। ଏହାଛଡା ତାକୁ ସରପ୍ରାଇଜ ଦେବା ମଧ୍ୟ ମୋର ଲକ୍ଷ୍ୟ ଥିଲା।

ରାସ୍ତା ବିଷୟରେ କିଛି ଧାରଣା ନାହିଁ କିମ୍ବା ସାହାଯ୍ୟ କରିବାକୁ କେହି ନାହାନ୍ତି। ନିଃସଙ୍ଗତାରେ ଏକା ଏକା ଲଙ୍ଗ ଡ୍ରାଇଭରେ ବାହାରିଲି। ଟେମ୍ପରାରି ରେଜିଷ୍ଟ୍ରେସନ ନମ୍ବରଟିକୁ ସାଲୋଟେପରେ କାଚରେ ଲଗାଇ ଦେଇ ଗାଡିରେ କିଛି ଅଙ୍ଗୁର ଓ ଫ୍ରୁଟି ପ୍ୟାକେଟ ରଖି କାନରେ ୱାକମ୍ୟାନ ଦେଇ ଯାତ୍ରା ଆରମ୍ଭ କଲି। ହଁ, ପୂର୍ବରୁ ଜଣେ ସାଙ୍ଗର ଭଉଣୀ ନୂଆ ଗାଡି ଚକ ତଳେ ଲେମ୍ବୁ ଥୋଇ ପୂଜା କରାଇଥିଲା। ଦିଲ୍ଲୀ ଛାଡିଲା ବେଳକୁ ଅପରାହ୍ନ ସାଢ଼େ ୪ଟା ହୋଇଥିଲା। କାନପୁରରେ ନାଇଟ ହଲ୍ଟ ଲକ୍ଷ୍ୟରେ ମୁଁ ଆଗକୁ ଚାଲିଲି। ସେଠାରେ ପହଞ୍ଚିଲା ବେଳକୁ ରାତି ୨ଟା। ସେତେବେଳେ ହୋଟେଲ ମୟୂରର ସିଙ୍ଗଲ ରୁମ ଭଡା ୨୭ଶହ ଟଙ୍କା। ଏକଥା ବୁଝିଲା ପରେ ଚୁପଚାପ ଫେରିଆସିଲି।

ପରଦିନ ସକାଳୁ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲି। ଯେତେ ଲୋକଙ୍କୁ ରାସ୍ତାରେ ଦେଖିଲି ପ୍ରାୟତଃ ସମସ୍ତଙ୍କ ହାତରେ ବନ୍ଧୁକ ରହିଥିଲା। ଆଶ୍ଚର୍ଯ୍ୟ ତ ଲାଗିଲା ଓ ପଚାରିବାରୁ ଜାଣିଲି ଯେ, ଉତ୍ତରପ୍ରଦେଶରେ ଏହା ସାଧାରଣ କଥା। ପ୍ରତ୍ୟେକ ପରିବାର ପାଖରେ ପ୍ରାୟତଃ ବନ୍ଧୁକ ଥାଏ। ସେଦିନ ସେହି ବନ୍ଧୁକ ଲାଇସେନ୍ସର ନବୀକରଣ ଦିନ ହୋଇଥିବାରୁ ଗ୍ରାଣ୍ଡ ଟ୍ରଙ୍କ ରୋଡରେ ଯେମିତି ବେସାମରିକ ଲୋକଙ୍କର ସାମରିକ ପଟୁଆର ଲାଗିଥିଲା। କାନପୁରଠାରୁ ରାସ୍ତା ଅବସ୍ଥା ବେଶ ଖରାପ ହୋଇଯାଇଥିଲା। ୧୫ କିଲୋମିଟର ରାସ୍ତାକୁ ଅତିକ୍ରମ କରିବାକୁ ଅଢ଼େଇ ଘଣ୍ଟା ଲାଗିଗଲା। ଭୁବନେଶ୍ବରରେ ପହଞ୍ଚିମୋର ସେହି ଫ୍ରେଣ୍ଡକୁ ସରପ୍ରାଇଜ ଦେବାର ନିଶା ମୋତେ ଏହି ଟ୍ରାଭେଲିଂ କଷ୍ଟକୁ ଯେମିତି କମାଇ ଦେଇଥିଲା।

ମୋଗଲସରାଇରୁ ବାରହି ପର୍ଯ୍ୟନ୍ତ ୪୫୦ କିଲୋମିଟର ଏକ ଲମ୍ବା ଷ୍ଟ୍ରେଚ। ଆଗକୁ ବିପଦପୂର୍ଣ୍ଣ ଶେର ଘାଟୀ ସଂପର୍କରେ ସାଇନବୋର୍ଡ ସୂଚାଉଥାଏ। ଶୁନଶାନ ଅନ୍ଧକାର ରାସ୍ତାରେ କେଉଁଠି ଢ଼ାବାଟିଏ ମଧ୍ୟ ନଥିଲା। ସାମ୍ନା ପଟୁ ଗୋଟେ ଅଧେ ଗାଡି ପାସ କଲାବେଳେ ଯେମିତି ରାସ୍ତା ଅଛି  ବୋଲି ଲାଗୁଥିଲା। ରାତିରେ ସେହି ରାସ୍ତାରେ ଏକା ଏକା ନଯିବା ପାଇଁ ଜଣେ ଅପରିଚିତ ଶୁଭେଚ୍ଛୁ ସତର୍କ କରାଇଥିଲେ। ମୁଁ କିନ୍ତୁ ସେକଥାକୁ ଭ୍ରୁକ୍ଷେପ ନକରି କହିଥିଲି ‘ହଁ, ଗାଡିଟା ତ ନେବେ, ଆଉ କ’ଣଟା କରିବେ ଯେ ଏଥିପାଇଁ ଏତେ ଡର? ମୋ କଥା ଶୁଣି ସେ କହିଥିଲେ ‘ନେହିଁ ସାବ୍, ଆପ୍ ଜାନତେ ନେହିଁ। ୟହାଁ ପେହେଲେ ଡ୍ରାଇଭର କୋ ଗୋଲି ମାରତେ ହେଁ, ବାଦ୍ ମେ ଗାଡି ଲେତେ ହେଁ’। ମୋର ସୌଭାଗ୍ୟ ସେମିତି କିଛି ହେଲାନାହିଁ। ହଜାରିବାଗରେ ପହଞ୍ଚି ଭୁବନେଶ୍ବରର ସେହି ଫ୍ରେଣ୍ଡକୁ ଫୋନ କଲି ଓ ନିଜେ ଡ୍ରାଇଭ କରି ଆସୁଥିବା କଥା ଲୁଚାଇ ଦିଲ୍ଲୀରୁ ଫୋନ କରୁଥିବା କହିଲି। ଗାଡି ଟ୍ରାନ୍ସପୋର୍ଟରେ ପଠାଇ ଫ୍ଲାଇଟରେ ପଳାଇ ଆସିବାକୁ ସେ କହିଲେ।

ରାଞ୍ଚି ନିକଟରେ କୁକିଂ ଗ୍ୟାସ ନେଇ ଯାଉଥିବା ଟ୍ୟାଙ୍କରଟିଏ ରାସ୍ତା ମଝିରେ ଓଲଟି ପଡି ହୁତ୍ ହୁତ୍ ହୋଇ ଜଳୁଥିଲା। ମଝିରେ ମଝିରେ ବିସ୍ଫୋରଣ ମଧ୍ୟ ହେଉଥିଲା। ଆଶ୍ଚର୍ଯ୍ୟ କଥା ଦେଖଣାହାରୀ ନିଆଁ ଲିଭାଇବା ପାଇଁ କୌଣସି ପ୍ରୟାସ ନକରି ସେହି ଦୃଶ୍ୟକୁ ଉପଭୋଗ କରୁଥିଲେ। ଓଡ଼ିଶା ସୀମାରେ ପ୍ରବେଶ କଲା ପରେ ଟିକିଏ ଆଶ୍ବସ୍ତି ଆସିଲା। ଗାଡି ସ୍ପିଡ କରି ଭଦ୍ରକରେ ପହଞ୍ଚିଲା ବେଳକୁ ପ୍ରବଳ ବର୍ଷା ହେଉଥିଲା। ଦିଲ୍ଲୀରୁ ଗରମରେ ସିଝି ସିଝି ଆସିବା ପରେ ବର୍ଷା ଦେଖି ମୁଁ ସିଧା ଗାଡିରୁ ଓହ୍ଲାଇ ପଡିଥିଲି। ବର୍ଷାରେ ବହେ ନାଚି ଯାଇଥିଲି। ପାଖରେ ଗଛ ତଳେ ଆଶ୍ରା ନେଇଥ।ବା ଲୋକେ ମୋତେ ପାଗଳଟିଏ ବୋଲି ଭାବିଥିବେ ନିଶ୍ଚୟ।

ଭଦ୍ରକରୁ ଭୁବନେଶ୍ବର ପହଞ୍ଚିଲା ବେଳକୁ ଧୁଳି ଧୁସର ହୋଇ ଯାଇଥିବା କାରଟିକୁ ଦେଖି କେହି ବିଶ୍ବାସ କରିପାରିଲେନି ଯେ ଏହା ନୂଆ ମାରୁତି କାର ଏବଂ ମୁଁ ଏହାକୁ ଦିଲ୍ଲୀରୁ ଆଣି ଆସିଛି। ମୋ ସରପ୍ରାଇଜ କିନ୍ତୁ ସଫଳ ହେଲା। ସେହି ଫ୍ରେଣ୍ଡ ଜଣକର ବିସ୍ମୟ କହିଲେ ନସରେ। କିନ୍ତୁ ଏତେ ବାଟ ଏକା ଏକା ଆସିବାକୁ ନେଇ ଘରେ ବାବା-ମା’ ସାମାନ୍ୟ ବିରକ୍ତ  ହେଲେ। ନୂଆ ଗାଡି ଦେଖି ଆଶ୍ବସ୍ତ ବି ହେଲେ। ମଧ୍ୟପ୍ରଦେଶ-ରାୟପୁର ରାସ୍ତାରେ ଆସିଥିଲେ ହୁଏତ ଏତେ କଷ୍ଟ ହୋଇନଥାନ୍ତା। ଯାହାହେଉ ଓଡ଼ିଶାରେ ଗାଡି ଚଳାଇଲା ବେଳେ ପୋଲିସ ଜୁଲମ ଓ ଚାନ୍ଦା ଆଦାୟକାରୀଙ୍କ ଦୌରାତ୍ମ୍ୟ ଯେପରି ସାଧାରଣ ଘଟଣା ହୋଇଥାଏ ଦିଲ୍ଲୀରୁ ଭୁବନେଶ୍ବର ରାସ୍ତାରେ ସେମିତି କିଛି ନଥିଲା।

ଆଜି ୨୫ ବର୍ଷ ପରେ ମୋର ସେହି ଫ୍ରେଣ୍ଡ ଏବେ ଯେଉଁଠି ଅଛି ଭଲରେ ଅଛି। ଘଟଣା ଚକ୍ରରେ ମୋର ତା’ ସହ ସଂପର୍କ ନାହିଁ। କିନ୍ତୁ ତା’ ସ୍ତ୍ରୀ ଓ ପୁଅ ସହ ସଂପର୍କ ବେଶ ଭଲ।  ତା’ ସ୍ତ୍ରୀ ମୋତେ ପ୍ରତିବର୍ଷ ରାକ୍ଷୀ ବାନ୍ଧନ୍ତି। ୨୦୨୦ ରେ ମଧ୍ୟ ପୁଅ ସହ ଆସିଥିଲେ ଓ ରାକ୍ଷୀ ବାନ୍ଧିଥିଲେ। ଫ୍ରେଣ୍ଡ ସହ ସଂପର୍କ ନଥିଲେ ବି ତା’ର କିଛି ଅସୁବିଧା ହେଲେ ମୁଁ ନିଶ୍ଚୟ ପହଞ୍ଚିବି ଓ ମୋର କିଛି ଅସୁବିଧା ହେଲେ ସେ ପହଞ୍ଚିବ ଏ ବିଶ୍ବାସ ଅଛି।

ଆଉ ଗୋଟିଏ କଥା ନଲେଖିଲେ ହୁଏତ କିଛି ରହିଯିବ। ସେତେବେଳେ ଦିଲ୍ଲୀକୁ ଯାଇ ସେହି ଫ୍ରେଣ୍ଡଙ୍କ ପାଇଁ ଗାଡି ଆଣି ଆସିଲା ବେଳେ ମୋର ନିଜର ଗାଡି ନଥିଲା। ସେତେବେଳେ ମଧ୍ୟ ମୋର ବାହାଘର ହୋଇନଥିଲା। ତେଣୁ ସ୍ବାଭାବିକଭାବେ କୌଣସି କଥାକୁ ଡର ନଥିଲା। ଏବେ ମୋ ପରିବାର ଅଛନ୍ତି, ସ୍ତ୍ରୀ-ପିଲା ଅଛନ୍ତି। ସେ ଫ୍ରେଣ୍ଡ ଜଣକ ବିଦେଶରେ ଅନେକ ଗାଡି କିଣିବେଣି। ମୁଁ ମଧ୍ୟ ଅନେକ ଅନେକ ଗାଡି କିଣିଲିଣି-ଚଢ଼ିଲିଣି।ଆଉ ମଧ୍ୟ ଗାଡି କିଣି ଲଙ୍ଗ ଡ୍ରାଇଭ କରିବାର ଲୋଭ ନାହିଁ। ଏବେ ଯାହା ଯେମିତି ଅଛି ତାହା ଜୀବନକୁ ଆଗକୁ ନେଇଯିବ।

ସେମିତି ଆଉ ଜଣେ ଫ୍ରେଣ୍ଡ ଟେମ୍ପୋ ଟ୍ରାଭଲର କିଣିବାର କଥା ହୋଇଥିଲା। ସେହି ଟେମ୍ପୋ ଟ୍ରାଭଲର ଗାଡି ନେଇ ଓଡ଼ିଶାରୁ ଲଦାଖ ଯିବାକୁ ଆମେ କଥା ହୋଇଥିଲୁ। ପରେ ସେ ଟେମ୍ପୋ ଟ୍ରାଭଲର କିଣିଥିଲେ। କିନ୍ତୁ ମୋତେ ଆଉ ସାଙ୍ଗରେ ନେଇନଥିଲେ କିମ୍ବା ପରବର୍ତ୍ତୀ ସମୟରେ ମୁଁ ତାଙ୍କ ଟେମ୍ପୋ ଟ୍ରାଭଲର ନେଇ ଆଉ ଲଦାଖ ଯାଇନଥିଲି। ଏବେ ମଧ୍ୟ ଆଉ ଲଦାଖ ଯିବାର କିଛି ବିଶେଷ ଆଗ୍ରହ ନାହିଁ। ତେବେ ସେହି ଫ୍ରେଣ୍ଡଙ୍କ ସହ ମୋର ବନ୍ଧୁତା ଆଜି ବି ଅତୁଟ ରହିଛି। ତାଙ୍କ ସହ ବନ୍ଧୁତା ପ୍ରାୟ ୨୮ ବର୍ଷର। ମୋତେ ୧୨ ବର୍ଷ ବୟସ ହୋଇଥିଲା ବେଳେ ସେ ଆମ ଘରକୁ ଆସିବା ସମୟରୁ ମୁଁ ତାଙ୍କୁ ଜାଣିଥିଲି। ପରେ ଆମର ବନ୍ଧୁତ୍ବ ବଢ଼ିଲା। ସେ ଜଣେ ରାଜନେତା, ଜଣେ ଆଇଡଲ। ତାଙ୍କ ପାଖକୁ ମୁଁ ପ୍ରଥମେ ଏକ ପ୍ରିଣ୍ଟିଂ ପ୍ରେସ ବିଷୟରେ ବୁଝିବା ପାଇଁ ଯାଇଥିଲି। ସେବେଠାରୁ ଆମର ବନ୍ଧୁତା ବଢ଼ିଥିଲା।

ଅନେକ ସମୟରେ ଲୋକେ ଭାବନ୍ତି ତାଙ୍କ ସହ ମୋର ଶତ୍ରୁତା ରହିଛି। କିନ୍ତୁ ସେମିତି କିଛି ନାହିଁ। ଆମର ବନ୍ଧୁତ୍ବ ରହିଛି। ଆମେ ସମୟ ମିଳିଲେ ଏକାଠି ବସୁଛୁ-ଗପୁଛୁ। ଶୁକ୍ରବାର ସଂଧ୍ୟାରେ ଏମିତି ବସି ଗପିଲା ବେଳେ ସେହି ଟେମ୍ପୋ ଟ୍ରାଭଲର କଥା ଉଠିଥିଲା। ସୁଇଟ ମେମୋରି ବା ମିଠା ସ୍ମୃତି ଭାବରେ ଏହି କଥା ସବୁ ମନକୁ ଆସିଥିଲା। ‘ପ୍ରଗତିବାଦୀ’ରେ ମୋର ଫଟୋ କେବେ ପ୍ରକାଶ ପାଇବାକୁ ମୁଁ ଦିଏ ନାହିଁ। କିନ୍ତୁ ଏହି ଲେଖାଟି ବ୍ୟକ୍ତିଗତ ଅନୁଭୂତିର ହୋଇଥିବାରୁ ସେହି ଫ୍ରେଣ୍ଡଙ୍କ ପତ୍ନୀ ଓ ତାଙ୍କ ପୁଅ ଏବଂ ଅନ୍ୟ ଫ୍ରେଣ୍ଡ ଓ ତାଙ୍କ ପୁଅ ସହ ମୋର ଫଟୋ ଏହି ଲେଖାରେ ଦେବା ପାଇଁ ଅନୁମତି ନେଇଛି।

Click here to read in English

Leave A Reply

Your email address will not be published.

ବ୍ରେକିଂ