ପାର୍କିଂକୁ ନେଇ ୨ ପରିବାର ମଧ୍ୟରେ ମାରପିଟ; ଜଣେ ମୃତ, ୩ ଗୁରୁତୁର

ଆଠଗଡ଼ : ସାମାନ୍ୟ ବାଇକ୍ ପାର୍କିଂ ପାଇଁ ଗଲା ଜଣକ ଜୀବନ । ଗାଡ଼ି ରଖିବାକୁ ନେଇ ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ହୋଇଛନ୍ତି । କଟକ ଜିଲ୍ଲା ବଡ଼ମ୍ବା ଥାନା ମୁଗଗହୀର ଗାଁରେ ଏହି ଘଟଣା ଘଟିଛି । ସମସ୍ତ ଗୁରୁତରଙ୍କୁ ପ୍ରଥମେ ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ଼ ଡାକ୍ତରଖାନାକୁ ପଠାଇଦିଆଯାଇଛି ।

ସୂଚନା ମୂତାବକ କଟକରେ ଡ୍ରାଇଭର ଭାବେ କାମ କରନ୍ତି ଦିଲ୍ଲୀପ ଖଟୁଆ । ଦୀପାବଳି ଛୁଟିରେ ନିଜ ଘରକୁ ଫେରି ଘର ପାଖରେ ଥିବା ବାସେଳୀ ମନ୍ଦିର ନିକଟରେ ନିଜର ବାଇକ୍ ରଖି ଘରକୁ ଯିବା ସମୟରେ ସେହି ଗ୍ରାମର ଚରଣ ରାଉତ ଦିଲ୍ଲୀପଙ୍କୁ ବାସେଳୀ ଠାକୁରାଣୀଙ୍କ ମନ୍ଦିର ନିକଟରେ ଗାଡି ଥୋଇବାକୁ ବାରଣ କରିଥିଲେ । ଦିଲ୍ଲୀପ ଖଟୁଆ ତାଙ୍କ କଥା ନଶୁଣିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ପରେ ଦିଲ୍ଲୀପ ତାଙ୍କ ଘରକୁ ଚାଲି ଆସିଥିଲେ। ସେହି ସମୟରେ ଚରଣ ଓ ତାଙ୍କ ପରିବାର ଦିଲ୍ଲୀପଙ୍କ ଘରକୁ ଆସି ମାଡ଼ ପିଟ କରିଥିଲେ। ଦିଲ୍ଲୀପଙ୍କ ସମେତ ତାଙ୍କ ସାନ ଭାଇ, ବାପା, ମା ଓ ଭଉଣୀଙ୍କୁ ଚରଣ ରାଉତଙ୍କ ପରିବାର ଠେଙ୍ଗା, ବାଡ଼ି, ଇଟା ଓ ଶୀଳପୁଆରେ ମାରିଥିଲେ। ଫଳରେ ଦିଲ୍ଲୀପଙ୍କ ପରିବାର ୪ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ପ୍ରଥମେ ବଡମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ସେଠାରେ ଡାକ୍ତର ଦିଲ୍ଲୀପଙ୍କୁ ମୃତ ଘୋଷଣା କରିଥିବା ବେଳେ ଦିଲ୍ଲୀପଙ୍କ ବାପା, ମା ଓ ସାନ ଭାଇ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ବଡମ୍ବା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.

ବ୍ରେକିଂ