ଅନ୍ତର୍ଯାତୀୟ କ୍ରିକେଟରୁ ଉପୁଲ ଥରଙ୍ଗାଙ୍କ ଅବସର

ନୂଆଦିଲ୍ଲୀ: ଅବସର ନେଲେ ଉପୁଲ ଥରଙ୍ଗା ।  ଶ୍ରୀଲଙ୍କାର ଓପନର ବ୍ୟାଟସମ୍ୟାନ୍‌ ଉପୁଲ ଥରଙ୍ଗା ଅନ୍ତର୍ଯାତୀୟ କ୍ରିକେଟରୁ ଅବସର ନେଇଛନ୍ତି  । ଏନେଇ ସେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି  ।

୩୬ ବର୍ଷିୟ ବାମହାତୀ ବ୍ୟାଟ୍ସମ୍ୟାନ ଥରଙ୍ଗା ଶେଷଥର ପାଇଁ ୨୦୧୯ ମାର୍ଚ୍ଚ ମାସରେ ଅନ୍ତର୍ଯାତୀୟ ମ୍ୟାଚ୍‌ ଖେଳିଥିଲେ । ସେ ଶ୍ରୀଲଙ୍କା ପକ୍ଷରୁ ୩୧ଟି ଟେଷ୍ଟ, ୨୩୫ଟି ଦିନିକିଆ ଓ ୨୬ଟି ଟି-୨୦ ଅନ୍ତର୍ଯାତୀୟ ମ୍ୟାଚ୍‌ ଖେଳିଛନ୍ତି ।

ଥରଙ୍ଗା ୩୧ଟି ଟେଷ୍ଟ ମ୍ୟାଚ୍‌ ଖେଳି ୩୧.୮୯ ଆଭେରେଜରେ ମୋଟ ୧୭୫୪ ରନ୍‌ କରିଛନ୍ତି । ସେ ଟେଷ୍ଟ କ୍ୟାରିୟରରେ ତିନିଟି ଶତକ ଓ ୮ଟି ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଛନ୍ତି । ଥରଙ୍ଗା ୨୦୦୫ରେ ଟେଷ୍ଟ କ୍ରିକେଟରେ ଭାରତ ବିପକ୍ଷରେ ପଦାର୍ପଣ କରିଥିଲେ । ଏଥିସହିତ ଶେଷ ଟେଷ୍ଟ ମ୍ୟାଚ୍‌ ଭାରତ ବିପକ୍ଷରେ ୨୦୧୭ ମସିହାରେ ଖେଳିଥିଲେ ।

୨୦୦୫ ମସିହାରେ ଉପୁଲ ଥରଙ୍ଗା ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ମ୍ୟାଚରେ ପଦାର୍ପଣ କରିଥିଲେ । ସେ ୱାଣ୍ଡେ କ୍ରିକେଟରେ ୨୩୫ଟି ମ୍ୟାଚ୍‌ ଖେଳି ୬୯୫୧ ରନ୍‌ ସ୍କୋର କରିଛନ୍ତି । ଦିନିକିଆ କ୍ରିକେଟରେ ୧୫ଟି ଶତକ ଓ ୩୭ଟି ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଛନ୍ତି । ସେହିପରି ସେ ୨୬ଟି ଟି-୨୦ ମ୍ୟାଚ୍‌ ଖେଳି ୪୦୭ ରନ୍‌ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ