ଆଜି ପବିତ୍ର ବସନ୍ତ ପଞ୍ଚମୀ, ଚାଲିଛି ଜ୍ଞାନର ଦେବୀ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା

ଆଜି ପବିତ୍ର ବସନ୍ତ ପଞ୍ଚମୀ ଅର୍ଥାତ ସରସ୍ୱତୀ ପୂଜା । ସରସ୍ୱତୀ ପୂଜା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ । ଛାତ୍ରଛାତ୍ରୀମାନେ ପୂଜାମଣ୍ଡପକୁ ଅତି ମନୋରମ ଭାବେ ସଜାଇ ଥାଆନ୍ତି । ମାତା ସରସ୍ୱତୀଙ୍କର ପୂଜା ଓ ପୁଷ୍ପାଞ୍ଜଳୀ ଦେବା ପର୍ଯ୍ୟନ୍ତ ସେମାନେ ଉପବାସ ରଖିଥାନ୍ତି । ଏଇ ଦିନ ପିଲାମାନେ ଦେବୀ ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ସେମାନଙ୍କର ପାଠ୍ୟପୁସ୍ତକ ଓ କଲମ ଆଦିକୁ ମାତାଙ୍କ ପାଖରେ ସମର୍ପଣ କରିଥାନ୍ତି ।

ମା ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ମା ସରସ୍ୱତୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି । ପ୍ରାଚୀନ କାଳରେ ରାଜା ମହାରାଜାମାନେ ଶ୍ରୀ ପଞ୍ଚମୀକୁ ‘ରତିକାମ ମହୋତ୍ସବ’ ରୂପେ ପାଳନ କରୁଥିଲେ ।

ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ୱତୀଙ୍କ ପୂଜା ଉପଲକ୍ଷେ ପଲ୍ଲୀଠୁ ସହର ଚଳଚଞ୍ଚଳ ହୋଇଉଠିଛି । ସୂର୍ଯ୍ୟୋଦୟ ପୂର୍ବରୁ ବିଦ୍ୟାର୍ଥୀଗଣ ଉଠି ଫୁଲ ତୋଳନ୍ତି । ଘରକୁ ଫୁଲକୁ ଆଣି ଗାଧୋଇପାଧୋଇ ଉପବାସ କରିବା ସଙ୍ଗେସଙ୍ଗେ ନୂଆ ବସ୍ତ୍ର ପରିଧାନ କରି ଫୁଲରେ ମାଳ ଗୁନ୍ଥି ଦେବୀ ସରସ୍ୱତୀଙ୍କ ପୂଜା କରି ପୁଷ୍ପାଞ୍ଜଳି ଦିଅନ୍ତି । ପୁଷ୍ପମାଳା ସୁଶୋଭିତ ଦେବୀଙ୍କ ମୂର୍ତ୍ତି ଘଣ୍ଟ, ଘଣ୍ଟା ଏବଂ ଶଙ୍ଖ ଆଦି ବାଦ୍ୟ ବାଦନ ମଧ୍ୟରେ ପୂଜିତ ହୁଅନ୍ତି ।

କୁନ୍ଦପୁଷ୍ପ ଦେବୀ ସରସ୍ୱତୀଙ୍କର ଅତି ପ୍ରିୟ । ଭୋଗ ଭାବେ ଖଇ, ଉଖୁଡ଼ା, ନଡ଼ିଆ ଆଦି ବଢ଼ାଯାଇଥାଏ । ପଞ୍ଚାମୃତ ରୂପରେ ଦୁଧ, ଘିଅ, ଦହି, ମହୁ ଓ ଶର୍କରା ଏକତ୍ର କରି ଦେବୀଙ୍କୁ ପ୍ରଦାନ କରାଯାଏ । ଦେବୀଙ୍କ ଆଗରେ ହୋମ ମଧ୍ୟ କରାଯାଏ । ସରସ୍ୱତୀ ପୂଜା ଦିନ ପୁରାଣ ଗ୍ରନ୍ଥ ସହ ନିଜର ପୁସ୍ତକାଦି ପୂଜା କରିବା ବିଧେୟ । ଏହି ଦିନ ଧଳାବସ୍ତ୍ର, ଧଳାଫୁଲ, ଫଳ ମା’ଙ୍କୁ ଅର୍ପଣ କରାଯାଏ । ସରସ୍ୱତୀ ଯନ୍ତ୍ର ପୂଜା କରନ୍ତୁ । ଲାଲ କାଳିରେ ଲେଖି ଚନ୍ଦନ ଲଗାଇ ଧଳା ଫୁଲ ଚଢାଇ ମା’ଙ୍କୁ ପୂଜା କରାଯାଏ । ମା’ ସରସ୍ୱତୀଙ୍କ ଆରାଧନା, ପୂଜାରେ ଦହି, ଧଳା ଫୁଲ, ଚନ୍ଦନ, ଆଖୁ, ଖିରୀ, ଧଳା ବସ୍ତ୍ର, ମୋତି, ରୂପା, ଧଳାମାଳି ଅଳଙ୍କାର ,ଅଦା, ଅଁଳା, ଘିଅ, ନଡ଼ିଆ, ଋତୁଫଳ ସ୍ୱରୂପ ବରକୋଳି ଅର୍ପଣ କରାଯାଏ ।

ପୂର୍ବେ ସରସ୍ୱତୀ ପୂଜା ଦିନ ନଡ଼ିଆ ଖୋଜା ଓ ଦାଣ୍ଡ ମାଗୁଣି ପରମ୍ପରା ଥିଲା । ନଡ଼ିଆ ଖୋଜାରେ, ପୋଖରୀରେ ପୋତାଯାଇଥିବା ଗୋଟିଏ ନଡ଼ିଆକୁ ପିଲାମାନେ ଖୋଜୁଥିଲେ । ଦାଣ୍ଡ ମାଗୁଣିରେ, ନଡ଼ିଆ ପାଇଥିବା ପିଲାଟି ବେକରେ ଗେଣ୍ଡୁହାର ପକାଇ ଅନ୍ୟ ପିଲାଙ୍କ ମେଳରେ ଆଗେ ଆଗେ ଯାଉଥିଲା ଓ ଗୀତ ବୋଲି ଅବଧାଙ୍କ ନିମନ୍ତେ ଦକ୍ଷିଣା ଓ ବସ୍ତ୍ର ସଂଗ୍ରହ କରୁଥିଲେ । ମେଲାଣି ଶେଷରେ ଅବଧାନଙ୍କ ଘରକୁ ଯାଇ ସମସ୍ତ ସଂଗୃହିତ ପଇସା ଓ ଜିନିଷ ପହଞ୍ଚାଉଥିଲେ ।

ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ହୁଏ ଓ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ କରାଯାଏ ।

ପୌରାଣିକ ମତରେ ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ପୁଷ୍ପ ଆଭରଣ ମଣ୍ଡିତ ପୂର୍ବକ ଫଗୁ ବା ଚାଚେରୀ ଖେଳୁଥିବାର ସ୍ମୃତି ସ୍ୱରୂପ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ । ମାଘ ଶୁକ୍ଳ ପଞ୍ଚମୀରେ ଶ୍ରୀଜୀଉମାନଙ୍କର ଘୋଡ଼ବସ୍ତ୍ର କଢ଼ାଯାଇ ‘ଜାମାଲାଗି’ ବସ୍ତ୍ର ପିନ୍ଧାଯାଏ । ଉକ୍ତ ତିଥିରେ ଶ୍ରୀଜଗନ୍ନାଥଙ୍କର ପାରମ୍ପରିକ ରଥଯାତ୍ରାର ରଥ ନିର୍ମାଣ ନିମନ୍ତେ ପ୍ରଥମ କରି ରଥକାଠ ବନବିଭାଗରୁ ଶ୍ରୀକ୍ଷେତ୍ରକୁ ଆସି ରାଜନଅର ସମ୍ମୁଖରେ ତିନିବାଡ଼ର ତିନିରଥ ନିର୍ମାଣ ନିମନ୍ତେ ତିନିଗୋଟି କାଠକୁ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରାଯାଇ ଶୁଭ ଦିଆଯାଇଥାଏ । ସେହି ତିନିଗୋଟି କାଠଗଣ୍ଡିରେ ତିନିରଥର କୋଣଗୁଜ ନିର୍ମାଣ କରାଯାଇ ନୃସିଂହଙ୍କ ମୂର୍ତ୍ତି ଖୋଦେଇ କରାଯାଏ ।

ଶ୍ରୀ ଜୀଉ ମାଘ ଶୁକ୍ଳପଞ୍ଚମୀ ତିଥିରୁ ନିଜର ଶୀତବସ୍ତ୍ରକୁ ପରିହାର କରି ଗୈରିକ ବର୍ଣ୍ଣର ବସ୍ତ୍ର ପରିଧାନ କରନ୍ତି । ଭୋଗବିଳାସର ଋତୁ ବସନ୍ତର ଆଗମନରେ ପ୍ରଭୁ ନିଜେ ସମସ୍ତ ବିଳାସ ତ୍ୟାଗକରି ବ୍ରହ୍ମଚାରୀ ବେଶରେ ସମୟ ଅତିବାହିତ କରିବାକୁ ଏବଂ ସଂଯମୀ ହେବାକୁ ଭକ୍ତଙ୍କୁ ଆହ୍ୱାନ ଦେଇଥାନ୍ତି । ତେଣୁ ସେ ନିଜେ ହେଙ୍ଗୁ ଓ ହରଡ଼ ଗୁଣ୍ଡରେ ପ୍ରସ୍ତୁତ ବସନ୍ତ ପିଷ୍ଟକ ଗ୍ରହଣ କରିଥାନ୍ତି । ଶ୍ରୀମନ୍ଦିରରେ ବସନ୍ତ ଉତ୍ସବ ପାଳନ ସହ ଏହି ତିଥିରୁ ବେଣ୍ଟଯାତ୍ରା ଆରମ୍ଭ ହୋଇ ଦୋଳ ଯାଏଁ ଚାଲିଥାଏ । ବେଣ୍ଟଯାତ୍ରା ଠାକୁରଙ୍କର ଶିକାର ଯାତ୍ରା । ବୈଷ୍ଣବ ମତରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଏହା ବନଗମନ ସମୟ । ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରତିନିଥି ଭାବେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବିଗ୍ରହ ବେଣ୍ଟପୋଖରୀ ପାଖକୁ ଶିକାରରେ ଯାଆନ୍ତି । ବେଣ୍ଟ ପୋଖରୀରେ ମୃଗ ଭାବେ ନଡ଼ିଆ ଏବଂ କସ୍ତୁରୀପୁଡ଼ିଆ ରଖାଯାଏ । ଠାକୁର ତାକୁ ବାଣ ସଂଯୋଗ କରନ୍ତି । ଏହି ଦିନ ଶ୍ରୀଜୀଉମାନଙ୍କର ସନ୍ଧ୍ୟାଧୂପ ପରେ ସରସ୍ୱତୀ ଦେବୀଙ୍କ ମନ୍ଦିରରେ ମାଦଳା ପାଞ୍ଜି ପୂଜା କରାଯାଏ ।

Leave A Reply

Your email address will not be published.

ବ୍ରେକିଂ