ପ୍ରଥମ ଭାରତୀୟ ଭାବେ ଟି-୨୦ରେ କୋହଲିଙ୍କ ୧୦ ହଜାର ରନ୍ ପୂରଣ

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଭାବେ ଟି-୨୦ରେ ବିରାଟ୍ କୋହଲି ନୂଆ କୀର୍ତ୍ତିମାନ କରିଛନ୍ତି। ଫଳରେ କୋହଲି ଟି-୨୦ କ୍ରିକେଟରେ ୧୦ହଜାର ରନ୍ ପୂରଣ କରିବାରେ ସେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଖେଳାଯାଉଥିବା ଆଇପିଏଲ୍ ମ୍ୟାଚରେ କୋହଲି ଏହି ଉପଲବ୍ଧି ହାସଲ କରିଛନ୍ତି।  କୋହଲି ପଞ୍ଚମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ଫର୍ମାଟରେ ୧୦ହଜାର ରନ୍ କରିଛନ୍ତି।

ଟି-୨୦ ଫର୍ମାଟରେ ସର୍ବାଧିକ ରନର ରେକର୍ଡ କ୍ରିସ୍ ଗେଲଙ୍କ ନାଁରେ ରହିଛି। ଗେଲ୍ ୧୪୨୭୫ ରନ୍ କରିଛନ୍ତି। ସେହିପରି ୱେଷ୍ଟଇଣ୍ଡିଜର କାଇରନ୍ ପୋଲାର୍ଡ ୧୧୧୯୫ ରନ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପାକିସ୍ତାନର ଶୋଏବ ମଲିକ୍ ୧୦୮୦୮ ରନ୍ ସହ ତୃତୀୟ, ସନରାଇଜର୍ସ ହାଇଦ୍ରାବାଦର ଡେଭିଡ୍ ୱାର୍ଣ୍ଣର୍ ୧୦୦୧୯ ରନ୍ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି।

କୋହଲି ଆଜି ଯଶପ୍ରୀତ ବୁମ୍ରାଙ୍କ ବଲରେ ଛକା ମାରି ଟି-୨୦ରେ ୧୦ହଜାର ପୂରଣ କରିଥିଲେ। ଏହି ମ୍ୟାଚ୍ ପୂର୍ବରୁ ୧୦ହଜାର ରନ୍ କ୍ଲବରେ ସାମିଲ୍ ହେବା ପାଇଁ ତାଙ୍କୁ ୧୩ ରନ୍ ଦରକାର ହେଉଥିଲା। କୋହଲି ୩୧୪ ମ୍ୟାଚ୍ ଖେଳି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।

Leave A Reply

Your email address will not be published.

ବ୍ରେକିଂ