ଦେବଗଡରୁ ୩ ବନ୍ଧୁକ ସହ ୫ ଶିକାରୀ ଗିରଫ

ଦେବଗଡ଼ : ବନ୍ୟ ଜନ୍ତୁ ଶିକାର ଉଦ୍ୟମ ବେଳେ ଦେବଗଡ ଜିଲ୍ଲାରୁ ୩ ବନ୍ଧୁକ ସହ ୫ ଶିକାରୀ ଗିରଫ  । ପୋଲିସର ସ୍ୱତନ୍ତ୍ର ଟିମ ଚଢ଼ାଉ କରି   ୫ ଶିକାରୀଙ୍କୁ ଗିରଫ କରିବା ସହ ବହୁ ବନ୍ୟଜନ୍ତୁଙ୍କ  ବିଭିନ୍ନ ଅଂଶବିଶେଷ ଜବତ କରିଛି । ଦେବଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଦେବଗଡ଼ ଏସ.ପି ରାଜ କିଶୋର ପାଇକରାୟ । ଅଭିଯୁକ୍ତଙ୍କ ନିକଟରୁ ୩ ବନ୍ଧୁକ, ୨ ବୋମା, ୯୦ ଗ୍ରାମ ବାରୁଦ, ୭ ଲୁହା ତୀର ସମେତ ହାତୀର ଗୋଟିଏ ମାଢି ଦାନ୍ତ, ୨ଟି ହରିଣ ଶିଙ୍ଗ ଏବଂ ବହୁ ମାରଣାସ୍ତ୍ର ଜବତ କରାଯାଇଛି ।

ଦେବଗଡ ଜିଲ୍ଲା ବାରକୋଟ ଥାନା ମର୍ହା ନିକଟସ୍ଥ ଜଙ୍ଗଲରେ ବନ୍ଧୁକ ଯୋଗେ ଜନ୍ତୁ ଶିକାର ପାଇଁ ଉଦ୍ୟମ ହେଉଥିବା ସୂଚନା ପାଇ ପୋଲିସର ଏକ ସ୍ୱତନ୍ତ୍ର ଟିମ ଚଢାଉ କରିଥିଲା । ଚଢାଉ ସମୟରେ ୫ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ତଦନ୍ତ ସମୟରେ ତାଙ୍କ ଠାରୁ ଏହି ସବୁ ଜବତ କରାଯାଇଛି ।

ଏଥିରେ ସଂପୃକ୍ତ ବାରକୋଟ ଥାନା ମର୍ହା ଗାଁର ସୁରେଶ ଶବର, ରିଆମାଲ ଥାନା ମଧ୍ୟପୁର ଗାଁର ହେମନ୍ତ କିସାନ, ବେଣୁଧର କିସାନ,  ତେନ୍ତଲାବାହାଲ ଗାଁର ରେବତି ମୋହନ ମୁଣ୍ଡା, ଭଲିଆଡିହି ଗାଁର ଲୋକନାଥ ନାଏକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ । ଏହିସବୁ ଅଭିଯୁକ୍ତ ଜଙ୍ଗଲୀ ଜନ୍ତୁ ଶିକାରରେ ସକ୍ରିୟ ରହିଥିବା ବେଳେ ଜନ୍ତୁ ଶିକାର ପାଇଁ ଏକ ବଡ ରାକେଟ କାମ କରୁଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି ।

ଗିରଫ ହୋଇଥିବା ସୁରେଶ ଶବରଙ୍କ ନାମରେ ଜଙ୍ଗଲୀ ଜନ୍ତୁଙ୍କ ଅଙ୍ଗ ତସ୍କରୀ ଅଭିଯୋଗରେ ପୂର୍ବରୁ ୫ଟି ସଙ୍ଗୀନ ମାମଲା ରହିଥିବା ନେଇ ଏସ ପି ସୂଚନା ଦେଇଥିଲେ ।  ଏହି ରାକେଟ ପଛରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ