ଆଜି ବିଶ୍ୱ ସାଇକେଲ ଦିବସ, ଦିଆସିଲି କାଠିରେ ପେନି ଫର୍ଦିଂ ବାଇ ସାଇକେଲ ପ୍ରସ୍ତୁତ କଲେ ଓଡିଆ ଯୁବକ

ପୁରୀ : ଆଜି ବିଶ୍ୱ ସାଇକେଲ ଦିବସ। ବିଶ୍ୱ ସାଇକେଲ ଦିବସ’ ପ୍ରତିବର୍ଷ ଜୁନ ୩ ତାରିଖରେ ପାଳନ କରାଯାଏ। ଏହି ଅବସରରେ  କେବଳ ଦିଆସିଲି କାଠିରେ ସାଇକେଲ ଗଢିଛନ୍ତି ପୁରୀ କୁମ୍ଭାରପଡା ଅଞ୍ଚଳର ଯୁବ ଶିଳ୍ପୀ ଶାସ୍ୱତ ରଞ୍ଜନ ସାହୁ। ନିଖୁଣ କଳାକୃତୀ ଜରିଆରେ ସେ ୧୮ ଶହ ଶତାବ୍ଦୀର ଲୋକେ ବ୍ଯବହାର କରୁଥିବା ପେନି ଫର୍ଦିଂ ବାଇ ସାଇକେଲ ପ୍ରସ୍ତୁତ କରିଛନ୍ତି।

ଶରୀରକୁ ସୁସ୍ଥ ରଖିବା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସାଇକେଲ ଚଳାଇବାକୁ ନିଜର କଳାକୃତୀ ଜରିଆରେ ବିଶ୍ୱବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ।  ଏହି ପେନି ଫର୍ଦିଂ ବାଇସାଇକେଲ (Penny Farthing Bicycle) କଳାକୃତୀର ଲମ୍ବ ପ୍ରାୟ ୫୦ ଇଞ୍ଚ ଏବଂ ଓସାର ପ୍ରାୟ ୨୫ଇଞ୍ଚ। ଏଥିରେ ମୋଟ ୩୬୫୩ଟି ଦିଆସିଲି କାଠି ବ୍ଯବହାର କରାଯାଇଛି। ଏହାକୁ ଗଢିବାକୁ ପ୍ରାୟ ୭ ଦିନ ଲାଗିଥିବା କହିଛନ୍ତି ସେ।

ଏପ୍ରିଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ପ୍ରତିବର୍ଷ ଜୁନ ୩ ତାରିଖରେ ବିଶ୍ୱ ସାଇକେଲ ଦିବସ’ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିଶ୍ୱ ସାଇକେଲ ଦିବସରେ ଦୁଇଶହ ବର୍ଷରୁ ଅଧିକ ବର୍ଷ ଧରି ଚାଲି ଆସିଥିବା ସାଇକେଲର ବିଶିଷ୍ଟତା, ଦୀର୍ଘ ଆୟୁ, ବହୁମୁଖୀତା, ନିର୍ଭରଯୋଗ୍ୟତା ଓ ସୁଲଭ ଦର ଏବଂ ପରିବେଶ ସୁରକ୍ଷା ଦିଗରେ ଥିବା ଅବଦାନକୁ ସ୍ୱୀକାର କରାଯାଇଥାଏ।

ଆମେରିକୀୟ ପ୍ରଫେସର ଲେସଜେକ ସିବିଲସ୍କି ନିଜେ ପଢ଼ାଉଥିବା ସମାଜ ବିଜ୍ଞାନ ଶ୍ରେଣୀରୁ ବିଶ୍ୱ ସାଇକେଲ ଦିବସ ପାଇଁ ଅଭିଯାନ ଆରମ୍ଭ କରିଥିଲେ। କ୍ରମେ ତୁର୍କମେନିସ୍ତାନ ଓ ବିଶ୍ୱର ଅନ୍ୟ ୫୬ଟି ଦେଶରେ ଏହି ଅଭିଯାନ ପ୍ରତି ସମର୍ଥନ ମିଳିଥିଲା। ବିଶ୍ୱ ସାଇକେଲ ଦିବସର ଧଳା ଓ ନୀଳ ଲୋଗୋ ଆଇଜାକ ଫେଲ୍ଡଙ୍କ ପରିକଳ୍ପନା ଥିଲା। ଏଥି ସହିତ ଜଡିତ ଆନିମେସନ କାମ କରିଥିଲେ ପ୍ରଫେସର ଜନ ଏ ସ୍ୱାନସନ। ଏହି ଲୋଗୋରେ ସାଇକେଲ ଚାଳକ ମାନଙ୍କ ବିଶ୍ୱବ୍ୟାପୀ ସାଇକେଲ ଚାଳନା ଦର୍ଶା ଯାଇଥାଏ।

ଲୋଗୋର ନିମ୍ନରେ ଏକ ହାସଟ୍ୟାଗରେ ଜୁନ ୩ ବିଶ୍ୱ ସାଇକେଲ ଦିବସ ଲେଖା ଯାଇଥାଏ। “ସମସ୍ତ ମାନବ ଜାତିର ସେବାରେ ସାଇକେଲ” ଲୋଗୋର ମୁଖ୍ୟ ସନ୍ଦେଶ ରହିଥାଏ। ବର୍ତ୍ତମାନର ନୀଳ ଓ ଧଳା ଲୋଗୋ ମଧ୍ୟ ଆଇଜାକ ଫେଲ୍ଡଙ୍କ ପରିକଳ୍ପନା ଓ ପ୍ରଫେସର ଜନ ଏ ସ୍ୱାନସନଙ୍କ ଆନିମେସନରେ ସଜ୍ଜିତ।

Leave A Reply

Your email address will not be published.

ବ୍ରେକିଂ