କୋଭିଡ୍ ନିୟମ ଉଲ୍ଲଂଘନ: ଗଜପତି ନଗରର ଏକ ବାର୍ ସିଲ୍

ଭୁବନେଶ୍ୱର: କରୋନା ଗାଇଡଲାଇନକୁ ମାନୁନାହାନ୍ତି ରାଜଧାନୀର ଅଧିକାଂଶ ପ୍ରମୁଖ ବାର ଓ ରେଷ୍ଟୁରାଣ୍ଟମାଲିକମାନେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଜଧାନୀର ଅଧିକାଂଶ ବାରରେ ମଦ ଓ ନାଚର ଆସର ଜମୁଛି। ଆବଶ୍ୟକଠାରୁ ଅଧିକ ସଂଖ୍ୟକ ଲୋକ ବାର ଭିତରେ ଉପସ୍ଥିତ ରହି ନିଶାଦ୍ରବ୍ୟ ସେବନ କରିବା ସହ ରଙ୍ଗୀନ ଜୀବନର ଆସର ଜମାଉଛନ୍ତି। ଏହା ଉପରେ କିନ୍ତୁ କଡାନଜର ରଖିଛି ଭୁବନେଶ୍ବର ମହାନଗର ନିଗମର ଏନଫୋର୍ସମେଣ୍ଟ ସ୍କ୍ୱାଡ।

କୋଭିଡ୍ ନିୟମ ଭାଙ୍ଗିବା ଅଭିଯୋଗରେ ଭୁବନେଶ୍ୱରରେ ଆଉ ଏକ ବାର୍ ସିଲ୍ କଲା ବିଏମସି ସ୍କ୍ୱାଡ । ଗଜପତି ନଗରର ଏକ ବାର୍ ଉପରେ ଚଢ଼ାଉ କରି ସିଲ୍ କରିଛି ସ୍କ୍ୱାଡ। ରାତି ୧୦ଟା ୩୦ରେ ବାର୍ ଓ ରେଷ୍ଟୁରାଣ୍ଟ ଅତିଥିପୂର୍ଣ୍ଣ ଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।  ବିଏମସିର ଡେପୁଟୀ କମିଶନର ପୁରନ୍ଦର ନନ୍ଦ, ଦକ୍ଷିଣ ପୂର୍ବ ଡେପୁଟୀ କମିଶନର ଅଂଶୁମାନ ରଥ, ଆସିଷ୍ଟାଣ୍ଟ କମିଶନର (ଏନଫୋର୍ସମେଣ୍ଟ) ଲିଲନ ପ୍ରସାଦ ସାହୁ ଓ ଓଏସଡି ସ୍ବରୁପ ବେହେରା ଏହି ବାର୍ ଓ ରେଷ୍ଟୁରାଣ୍ଟ  ଉପରେ ଚଢଉ କରିଥିଲେ।

ରାତି ପ୍ରାୟ ୧୦ଟା ୩୦ ମିନିଟ ସମୟରେ ଏହି ଚଢଉ କରାଯାଇଥିବାବେଳେ ଏହି ସମୟରେ ବାରରେ ମାତ୍ରାଧିକ ଲୋକ ଥିବା ଦେଖିବାକୁ ମିଳିଥିଲା। ବାର କର୍ତ୍ତୃପକ୍ଷ କୋଭିଡ ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ଦେଖି ଏହାକୁ ବିଏମସି ପକ୍ଷରୁ ସିଲ କରାଯାଇଥିବାବେଳେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସୁପାରିଶ କରାଯିବ ବୋଲି ଜଣାଯାଇଛି। 

 

Leave A Reply

Your email address will not be published.

ବ୍ରେକିଂ