ପୁଅର ଶାବଳ ଚୋଟରେ ପ୍ରାଣ ହରାଇଲେ ବାପା

ସୋନପୁର: ଜନ୍ମ କଲା ପୁଅ ସାଜିଲା ବଇରୀ । ପୁଅର ଶାବଳ ଚୋଟରେ ପ୍ରାଣ ହରାଇଲେ ବାପା । ସାମାନ୍ୟ ବଚସାରୁ ନାବାଳକ ପୁଅ ଶାବଳରେ ବାପାକୁ ହତ୍ୟା କରି ଶବକୁ ପୋତି ଦେଇଥିବାର ଅଭିଯୋଗ ହୋଇଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମହଦା ପଞ୍ଚାୟତ ଅନ୍ତର୍ଗତ ପାଲି ଗାଁରେ ।

ଇଟା ଭାଟିରେ ଦିନମଜୁରିଆ ଭାବେ କାମ କରି ଚଳୁଥିବା ଏକ ପରିବାରର ଜଣେ ନାବାଳକ ଉତକ୍ଷିପ୍ତ ହୋଇ ବାପା ସୁରଲୀ ତସାଙ୍କୁ ଶାବଳରେ ମାରି ହତ୍ୟା କରିଛି । ପରେ ପରିବାର ଲୋକ ମୃତ ସୁରଲୀଙ୍କୁ ତରବରିଆ ଭାବେ ଗାଁରୁ ୩ କିଲୋମିଟର ଦୂର ଘୁଂଗି ନାଳ ପାଖରେ ପୋତି ଦେଇଛନ୍ତି ।

ହେଲେ ସତ କେବେ ଲୁଚି ରହେନା ଭଳିଆ ଆଜି ସକାଳୁ ସକାଳୁ ବୀରମହାରାଜପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗାଁରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହିତ ପୋତିଥିବା ସ୍ଥାନରେ ପହଞ୍ଚି ଶବ କାଢି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ପରିବାର ଲୋକ ନାବାଳକ ପୁଅ ମାରିଥିବା କଥାକୁ ସ୍ୱୀକାର କରି ସେମାନେ ସମସ୍ତେ ଆସି ଶବ ପୋତିଥିବା କହିଛନ୍ତି ।

ସୂଚନାଯୋଗ୍ୟ, ବୀରମହାରାଜପୁର ବ୍ଲକ ପାଲିଗାଁରେ ସୁରଲୀଙ୍କ ସହିତ ତାଙ୍କର ଆଉ ତିନି ଭାଇ ଏକା ଜାଗାରେ ରହିଆସୁଥିଲେ ।ବିଭିନ୍ନ ସ୍ଥାନକୁ ଇଟା ଭାଟିରେ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । ସୁରଲୀ ଓ ପୁଅ ମଧ୍ୟରେ ମଝିରେ ମଝିରେ ବଚାସା ହେଉଥିଲା ।

ସୁରଲୀ ଚାହୁଁଥିଲେ ପୁଅ ଇଟାଭାଟିରେ କାମ କରୁ ବୋଲି । ହେଲେ ନାବାଳକ ପୁଅ ଇଟାଭାଟିରେ କାମ କରିବା ପାଇଁ ମନା କରୁଥିଲା ।ଏହାକୁ ନେଇ ବାପ ପୁଅ ମଧ୍ୟରେ ଅନେକ ସମୟରେ ଝଗଡା ହୋଇଥିବା ପରିବାର ଲୋକ କହିଛନ୍ତି  । ଅଭିଯୁକ୍ତ ନାବାଳକକୁ ପୋଲସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

ବ୍ରେକିଂ