ଗ୍ରାହକ ସାଜି ଆସିଲେ, ୧୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟିନେଲେ

ସମ୍ବଲପୁର: ଅଳଙ୍କାର କିଣିବା ପାଇଁ ଆସିଥିଲେ, ହେଲେ କିଣିବା ପରିବର୍ତ୍ତେ ଦୋକାନରୁ ଅଳଙ୍କାର ଚୋରି କରି ନେଇଗଲେ ।  ଦିନ ଦ୍ୱିପହରର ଫର୍ଚ୍ଚା ଆଲୁଅରେ ଜଣେ ଯୁବକ ଗ୍ରାହକ ସାଜି ସୁନା ଦୋକାନରୁ ପାଖା ପାଖି  ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ  ସୁନା ଅଳଙ୍କାର ଚୋରି କରି ଫେରାର ହୋଇଯାଇଛି । ଏପରି  ଘଟଣା ଘଟିଛି ସମ୍ବଲପୁର ବୁର୍ଲା ଥାନା ମୁଖ୍ୟ ବଜାରରେ।

ପୋଲିସ ସୂଚନା ଅନୁଯାୟୀ, ବୁଧବାର ମଧ୍ୟାହ୍ନରେ ଜଣେ ଯୁବକ ବୁର୍ଲା ବଜାରରେ ଥିବା ଉତ୍କଳ ଜୁଏଲର୍ସକୁ ଅଳଙ୍କାର କିଣିବାକୁ ଆସିଥିଲେ। ଯୁବକ ଜଣକ ଦୋକାନୀଙ୍କୁ ସୁନା ଚେନ, ମୁଦି ଆଦି ଅଳଙ୍କାର ଦେଖାଇବାକୁ କହିଥିଲେ । ଦୋକାନରେ ଅଳଙ୍କାର ସବୁକୁ ଦେଖିବା ପରେ ଯୁବକ ଜଣକ କାଇଦା କରି ସାଙ୍ଗରେ ଆଣିଥିବା ଏକ ଡବାକୁ ଦୋକାନରେ ଥୋଇ ଅଳଙ୍କାର ଭର୍ତ୍ତି ଥିବା ଅନ୍ୟ ଏକ ବକ୍ସକୁ ନେଇ ଫେରାର ହୋଇଯାଇଥିଲେ।

କିଛି ସମୟ ପରେ ଦୋକାନ ମାଲିକ ନରେନ୍ଦ୍ର ସାହୁ ଅଳଙ୍କାର ଚୋରି ହୋଇଥିବା ଜାଣିପାରି  ସେହି ଯୁବକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ହେଲେ ଯୁବକ ଜଣକ ତୁରନ୍ତ ଫେରାର ହୋଇ ଯାଇଥିଲା ।  ଏ ନେଇ ଦୋକାନ ମାଲିକ ବୁର୍ଲା ଥାନାରେ ଏକ ଅଭିଯୋଗ କଲା ପରେ  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୋକାନରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଯୁବଙ୍କୁ ଚିହ୍ନଟ କରିଛି।  ଅଭିଯୁକ୍ତ ଯୁବକଙ୍କୁ ଖୁବ ଶୀଘ୍ର  ଗିରଫ କରାଯିବ ବୋଲି ହୀରାକୁଦ ଏସ୍‌ଡିପିଓ ଶିଶୁରଞ୍ଜନ ମହାପାତ୍ର  ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ