ଢେଙ୍କାନାଳ : ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ । ପିଲାଚୋର ଭାବି ସମ୍ପୃକ୍ତ ଯୁବକଙ୍କୁ ଖୁଣ୍ଟରେ ବାନ୍ଧିବା ସହ ପିଟିଛନ୍ତି ଗାଁ ଲୋକେ । ଢେଙ୍କାନାଳ ସହରର କଣ୍ଟାନାଳି ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ।
ସୂଚନା ଅନୁସାରେ, ବ୍ୟକ୍ତିଜଣଙ୍କ ଶୁକ୍ରବାର ରାତିରେ କଣ୍ଟାନାଳି ସାହିର କୁନି ଦେହୁରୀଙ୍କ ଘରେ ପଶି ପିଲା ଖୋଜୁଥିଲେ । ଏହି ସମୟରେ କୁନି ପାଟି କରି ଅନ୍ୟମାନଙ୍କୁ ଡାକିଥିଲେ । ପାଟି ଶୁଣି ବସ୍ତି ବାସିନ୍ଦା ବ୍ୟକ୍ତିଙ୍କୁ ପିଲା ଚୋର ଭାବି ତାଙ୍କୁ କାବୁ କରିଥିଲେ । ଏଥିସହ ତାଙ୍କୁ ଖୁଣ୍ଟରେ ବାନ୍ଧି ମାଡ ମାରିଥିଲେ ।
ଅଟକ ବ୍ୟକ୍ତିଙ୍କ ପାଖରୁ ମିଳିଥିବା ଆଧାର କାର୍ଡ ମୁତାବକ ତାଙ୍କ ନାଁ ଚିତ ବପଙ୍ଗା । ସେ ରାଉରକେଲା ପାନପୋଷ ଦେଡଙ୍ଗବସାର ବୋଲି ଜଣାପଡିଛି । ସେପଟେ ଖବର ପାଇ ଟାଉନ ଥାନା ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।